Unknown

 

 

 

 

 

 

 

 

 

 

 

ଭଗ୍ନାଂଶ

ଗୋବିନ୍ଦ ଦାସ

 

ମାଟି ଉପରେ, ଦିନେ ପାଦ ଯେବେ ଟଳମଳ ହେଉଥିଲା, ଜଣେ ହାତ ଧରିପକାଇ, ସେ ଅସହାୟ ମୁହୂର୍ତ୍ତରେ କହିଥିଲେ, ‘‘ଛିଡ଼ା ହୁଅ, ମୁଁ ପାଖରେ ଅଛି ।।

 

ତାଙ୍କୁ ଅନେକ କିଛି ଫେରାଇବାର ଥିଲା କିଛି ପାରିବି, କିଛି ଏପରି ଯେ ଫେରାଇ ହେବ ନାହିଁ ।।

 

ଆଜିର ଏ ଶୁଭ ଦିନରେ ମୋର ଏ ‘ଭଗ୍ନାଂଶ’କୁ ତାଙ୍କରି ହାତରେ ଟେକି ଦେଉଛି ।।

 

ଗୋବିନ୍ଦ ଦାସ

‘‘ମହାଳୟା’’

 

ଜଣେ ମଣିଷରୁ ଅନ୍ୟ ଜଣେ ମଣିଷକୁ ଯାତ୍ରାରେ ଯେଉଁ ଅଭିଜ୍ଞତା ହୁଏ, ତା’ରି ଭିତରୁ ନଇଁକି ଦେଖିଲେ କେତେ ଅଜଣା ଜିନିଷ ଦିଶନ୍ତି ।

 

ଯେତେ ଆଗୋଉଥାଅ, ଦିଗ୍‌ବଳୟ ସେତେ ଘୁଞ୍ଚି ଘୁଞ୍ଚି ଯାଉଥାଏ । ଚାଲିବାର ମୋହ, ଭୋଗିବାର ମୋହ, ଯେଉଁମାନେ ତୁମକୁ ଭଲପା’ନ୍ତି ତାଙ୍କ ସହିତ ନଚେତ୍‌ ନିଜେ ଏକା ହୋଇ କଷ୍ଟ ଉତ୍ତେଜନା ଉପଭୋଗ କରିବାର ପ୍ରବଳ ବାସନା ।

 

ଜୀବନ ଉପରେ ଜୀବନ ଲଦିହୋଇଯାଇଛି । ଯେତେ ଲଦିଲେ ବି କିଛି ନୁହେଁ । ଯେପରି ନିଃଶ୍ୱାସ ନେବା ହିଁ ଯଥେଷ୍ଟ ।

 

ଆଇ କାଣ୍ଟ୍‌ ରେଷ୍ଟୁ ଫ୍ରମ୍‌ ଟ୍ରାଭଲ୍‌ । ଆଇ ଉଇଲ୍‌ ଡ୍ରିଙ୍କ ଲାଇଫ୍‌ ଟୁ ଦି ଲିଜ୍‌—ଇଉଲିସିସ୍‌ର କଥା, ଯାଯାବରର ନିଶା । ଚାଲି ଚାଲି ଲୁପ୍ତ ହେବାରେ ମଣିଷର ବାସନା ।

 

ଯେଉଁମାନଙ୍କ ସାଙ୍ଗରେ ତୁମର ଆତ୍ମୀୟ ସମ୍ପର୍କ ଗଢ଼ିଉଠେ, କ୍ରମେ କ୍ରମେ ଅଜାଣତରେ ତୁମେ ସେଇମାନଙ୍କ ସମଷ୍ଟିର ଏକ ଅଂଶ ହୋଇଯାଅ । ସମସ୍ତଙ୍କର ଟିକିଏ ଟିକିଏ ନେଇ ତୁମର ଜୀବନ ଗଢ଼ା... କୋଲାଜ୍‌ ପରି । ତୁମେ ଯେତେବେଳେ ପଛକୁ ଚାହଁ ଓ ସେମାନଙ୍କୁ ଦେଖିବା ପାଇଁ ଚେଷ୍ଟା କର, ଲକ୍ଷ୍ୟ କରିବ ଯେ ତାଙ୍କ ମୁହଁସବୁ ଆଉ ପରିଷ୍କାର ଦିଶୁନାହିଁ । ହାତ ଗୋଡ଼ର କୌଣସି ବିଶେଷତ୍ୱ ନାହିଁ । ସେମାନେ କେବଳ ଗୋଟିଏ ଗୋଟିଏ ସ୍ପନ୍ଦନ ପରି ତୁମ ଭିତରେ ରହିଯାଇଛନ୍ତି । ମଝିରେ ସଚେତନ ହୋଇ ଯେତେବେଳେ ଛାତି ଖୋଲିବ, ସେ ସ୍ପନ୍ଦନମାନଙ୍କୁ ମାଂସ ହାଡ଼ ରକ୍ତ ଦେଇ ପ୍ରାଣନ୍ୟାସ କରିବ, ଯେତେ ଦୂରର ହେଲେ ବି ପୁଣି ଦେଖିପାରିବ ସେମାନଙ୍କୁ ପରିଷ୍କାର ଭାବରେ—ପାଖରେ ବସିଛନ୍ତି, ଚାଲୁଛନ୍ତି, ହସୁଛନ୍ତି—ଯେପରି କାରେନ୍‌, ଲିଡ଼ିଆ, ଶ୍ରୀବାସ୍ତବ, କ୍ରିଷ୍ଟିଲ, ଏବଫର୍ଟାସ, ଇସାଡ଼ୋରା, ଡଗଲାସ୍‌—ଦୂର ଆମେରିକା ବାସିନ୍ଦାସବୁ-

 

ପୁଣି ଯେତେବେଳେ କିଛି ଗୋଟାଏ ଅଚାନକ ଘଟଣା ଘଟେ, ତୁମ ଭିତରର ସେଇସବୁ ଅସ୍ପଷ୍ଟ, ଅଚେତନ ଅନୁଭୂତି ହଠାତ୍‌ ପ୍ରାଣବନ୍ତ ହୋଇ ଉଠନ୍ତି । ସେହିପରି ହୋଇଉଠିଲା, ଯେତେବେଳେ ପ୍ରଥମଥରକରି ଦେଖିଲି ଶାଶାକୁ ଓ୍ୱାଶିଂଟନ୍‌ରେ । ସବୁ ପୁରୁଣା କଥା । ମୁହୂର୍ତ୍ତକ ଭିତରେ ଆଖିଆଗରେ ଝଲସିଗଲା—ସୋନିଆ, ତା ମା’, ପୁଲିସ, ବିଲାତ..... ସବୁ ।

 

ଇଏ ସବୁ ଚଲାବାଟର କାହାଣୀ । ପ୍ରତ୍ୟେକ ଜୀବନରେ ଏହିପରି କେତେ କଥା ରହିଥାଏ…..ରହିଥିବ ।

 

ଆମେରିକାର ରାଜଧାନୀ । ପାଶ୍ଚାତ୍ୟ ପୃଥିବୀର କ୍ଷମତା ଲୌହଦଣ୍ଡ ଯେଉଁ ଫଲ୍‌କ୍ରମ୍‌ ବା ଖୁଣ୍ଟି ଉପରେ ନିର୍ଭରକରି ଅହରହ ଦୋହଲୁଛି…...ତା’ର ଅନ୍ୟ ନାମ ଓ୍ୱାଶିଂଟନ୍‌ । ଓ୍ୱାଶିଂଟନ୍‌ ଆମେରିକାର ଅନ୍ୟାନ୍ୟ ସହରମାନଙ୍କଠାରୁ ସ୍ୱତନ୍ତ୍ର । ଏହାର ଗଳାରେ ମାଳାହୋଇ ବେଢ଼ିଥିବା ଉଦାର, ଶାନ୍ତ, ଉନ୍ମୁକ୍ତ ପୋଟମାକ୍‌ ନଦୀପରି, ଏହି ସଦରଟି ଦାୟିତ୍ୱ ଓ କର୍ତ୍ତବ୍ୟବୋଧରେ ନମ୍ର । ଏଇଠି ଆମେରିକାର ପ୍ରେସିଡ଼େଣ୍ଟ ରାଜ୍ୟ ଶାସନ କରେ । ଏଇଠି ପୃଥିବୀର ସବୁଠାରୁ କ୍ଷମତାଶାଳୀ ନ’ଜଣ ବୃଦ୍ଧଙ୍କ ସୁପ୍ରିମକୋର୍ଟର ବୈଠକୀ ହୁଏ । ଏଇଠି ପୃଥିବୀର ପୁଞ୍ଜି ନିଜର କଳକୌଶଳ ପରାକାଷ୍ଠାର ପରିଚୟ ଦିଏ । ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ଏହି ସବୁଜ ସହରରେ ତିଆରିହୁଏ ଦିଗ୍‌ବିଜୟୀ ପରାକ୍ରମଶାଳୀ ଆମେରିକାନ୍‌ ସଭ୍ୟତା ।

 

ଆବ୍ରାହମ୍‌ ଲିନ୍‌କନ୍‌ର ଓ୍ୱାଶିଂଟନ୍‌ । ଯେଉଁ ଫୋର୍ଡ଼ ଥିଏଟରରେ ‘ଆମେରିକାନ୍‌ କଜିନ୍‌’ ନାଟକ ଦେଖିଲାବେଳେ ତାଙ୍କୁ ଗୁଳି କରି ଦିଆଯାଇଥିଲା, ଏବେ ବି ସେଇସବୁକୁ—ସେଇ ବସିବାଜାଗା, ସେଇ ଥିଏଟର—ସେହିପରି ସଜା ହୋଇ ରଖାଯାଇଛି । ଭିତରକୁ ପଶିଲେ ମନ୍ଦିରକୁ ଗଲାପରି ପବିତ୍ର ମନେହୁଏ । କେହି ଜଣେ ମହାତ୍ମା ଯେପରି ଏଠି ଅଛନ୍ତି । ତାଙ୍କର ଦାଢ଼ିଆ ତିଖା ମୁହଁଟି ମାନବିକତାର ପ୍ରତିବିମ୍ବ ।

 

ଲିନ୍‌କନ୍‌ଙ୍କ ନିର୍ବାଚନ ପ୍ରଚାର ଚାଲିଥାଏ । ଗ୍ରେସ୍‌ ବୋଲି ଗୋଟିଏ ଏଗାରବର୍ଷର ଝିଅ ତାଙ୍କୁ ଖଣ୍ଡେ ଚିଠି ଲେଖିଲା । ଗରିବ ଝିଅଟିଏ । ପଶ୍ଚିମ ନିଉୟର୍କରେ ସାନ କୁଡ଼ିଆଟିରେ ରହେ । ଚିଠିରେ କହିଲା—ତୁମ ମୁହଁ ସୁନ୍ଦର ଦିଶନ୍ତା, ଯଦି ତୁମେ ଦାଢ଼ି ଛାଡ଼ନ୍ତ । ନହେଲେ ଭୋଟରମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଛି । ମୋ କଥା ମାନି ତୁମେ ନିଶ୍ଚୟ ଦାଢ଼ି ରଖିବ । ତୁମ ଘର ପରିବାର କଥା ଲେଖି ମୋତେ ଚିଠିଦେବ ।

 

ପୃଥିବୀର ସବୁଠାରୁ ସମୃଦ୍ଧିଶାଳୀ, ବଳଶାଳୀ ବିଶାଳ ଦେଶର ସଭାପତି ଲିନ୍‌କନ୍‌—ଗ୍ରେସ୍‌ ଚିଠିର ଉତ୍ତର ଦେଲେ । କହିଲେ—ମୋର ଝିଅ ନାହିଁ—କେବଳ ତିନିପୁଅ । ତିନିପୁଅ ସାଙ୍ଗକୁ ମୋ’ ସ୍ତ୍ରୀ । ଏଇମାନେ ହେଲେ ମୋର ସଂସାର । ଦାଢ଼ି କଥା ଲେଖିଛ—ଆଗରୁ ନଥିଲା–ଏବେ ରଖିଲେ ଭଲ ହୁଅନ୍ତା; କିନ୍ତୁ ଲୋକେ କାଳେ ଥଟ୍ଟା କରି କହିବେ—ଦେଖାଇ ହେଉଚି-

 

କିଛିଦିନ ପରେ ଆବ୍ରାହମ୍‌ ଲିନକନ୍‌ ଗ୍ରେସ୍‌ର ଗାଁ ପାଖକୁ ନିର୍ବାଚନ ପ୍ରଚାରରେ ଆସିଥିଲେ, ଓ୍ୱେଷ୍ଟଫିଲ୍‌ଡ଼୍‌କୁ । ସଭାକାମ ସରିଲା । ଲିନ୍‌କନ୍‌ ପଚାରିଲେ—ଏଠିକି ଗ୍ରେସ୍‌ ବେଡ଼େଲ ଆସିଛି କି ? ସତରେ ସେ ଆସିଥିଲା । ଗ୍ରେସ୍‌କୁ ପାଖକୁ ଟାଣିଆଣି ଗେଲକଲେ ଲିନ୍‌କନ୍‌ । ସେତେବେଳକୁ ଲିନ୍‌କନ୍‌ଙ୍କ ମୁହଁରେ ଦାଢ଼ିସବୁ ଚାରିଆଡ଼ୁ ଉଠିଆସିଲାଣି ।

 

ଦାସପ୍ରଥା ଉଠାଇଲେ ଆବ୍ରାହମ୍‌ ଲିନ୍‌କନ୍‌ । ଆଜି ଓ୍ୱାଶିଂଟନ୍‌ ସହର ପାଇଁ ସ୍ୱାୟତ୍ତଶାସନ ସରକାର ଗଢ଼ିଛନ୍ତି ନିଗ୍ରୋମାନେ । କଳାମଣିଷମାନଙ୍କୁ ଆଫ୍ରିକା ରାଜ୍ୟରୁ ଜାହାଜରେ ପକାଇ, ହଣ୍ଟର ମାରି ମାରି ଆଣି ଦାସକରି ରଖି, ତାଙ୍କରି କାନ୍ଧରେ, ଛାତି ଉପରେ, ଅତ୍ୟାଚାର ଜରିଆରେ ଆମେରିକାର ଧଳାଲୋକମାନେ ନିଜ ପାଇଁ ସୁଖଶାନ୍ତି ଉପଭୋଗର ସ୍ୱର୍ଗ ତିଆରିକଲେ । ସେଇ ଦାସମାନେ ଆଜି ଆମେରିକାର ରାଜଧାନୀ ଓ୍ୱାଶିଂଟନ୍‌ ସହରରେ ନିଜର ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା କରିଛନ୍ତି । ଓ୍ୱାଶିଂଟନ୍‌ର ମେୟର୍‌ ନିଗ୍ରୋ । ଅପମାନର ଅବସାନ ହୋଇନାହିଁ । ଲଢ଼ାଇର ସମାପ୍ତି ଦିଶୁନାହିଁ । ସମଗ୍ର ଯୁଦ୍ଧରେ ନୁହେଁ, ଗୋଟିଏ ମାତ୍ର ସାନ ଲଢ଼ାଇରେ ନିଗ୍ରୋମାନେ ଜିତିଛନ୍ତି । ଏଇ ଲଢ଼େଇ, ଏପରି ଅନେକ ଅନେକ ଲଢ଼େଇର ପେଟଭିତରୁ ମନୁଷ୍ୟ ସଭ୍ୟତା କାଳେ ଜନ୍ମହୁଏ ।

 

ଓ୍ୱାଶିଂଟନ୍‌ର ଚଉଡ଼ା ରାସ୍ତା କଡ଼ରୁ ବଡ଼ ବଡ଼ ଶିଡ଼ିଦେଇ ମାଟିତଳକୁ ସଂଧ୍ୟାବେଳକୁ ଯିବ-। ତଳେ ନଇଁ ଶୋଇରହିଛି ଗୋଟାଏ ଲମ୍ବା ଚଉଡ଼ା ଅନ୍ଧାରିଆ କୋଠରି । ମଝିରେ ମଝିରେ ନାଲି ନେଳି ଆଲୁଅ ସେଠି ଧପ୍‌କରି ଜଳୁଛି, ଧପ୍‌କରି ଲିଭୁଛି ଗୀତ ଓ ବାଜା ସାଙ୍ଗରେ । ଆଲୁଅରେ ସମସ୍ତେ କ୍ଷଣକାଳ ପାଇଁ ଦିଶୁଛନ୍ତି, ପୁଣି ସମସ୍ତେ ଲିଭିଯାଉଛନ୍ତି ଅନ୍ଧାରରେ । ଏ ଆଲୁଅ ଅନ୍ଧାର ଭିତରେ ଗୋଟାଏ ଗହୀରା ଛାତିଫଟା ସ୍ୱର ସାଙ୍ଗକୁ ସେଠାକାର ଦୁଇଶହଖଣ୍ଡେ କଳା ନିଗ୍ରୋ ଉଚ୍ଛନ୍ନ ହୋଇ ପ୍ରାଣଖୋଲି ନାଚୁଥା’ନ୍ତି । ଏ ନାଚ ଗୀତ ଜାଗାକୁ କହନ୍ତି ଡିସ୍‌କଥିକ୍‌ । ଆମ ଏ ଡିସ୍‌କଥୋରର ନାଁ ରେନ୍‌ବୋ । ଓ୍ୱାଶିଂଟନ୍‌ରେ ନିଗ୍ରୋମାନଙ୍କର ଏଇଟି ସବୁଠୁ ବଡ଼ । ନିଗ୍ରୋମାନେ କେବଳ ନାଚନ୍ତି ।

 

ସମୟ ଶୁକ୍ରବାର ରାତ୍ରି । ଗୀତ ଯିଏ ବୋଲୁଥାଏ—ନାଁ ତାର କ୍ରିଷ୍ଟିଲ୍‌ । ସ୍ୱନାମଧନ୍ୟା ନିଗ୍ରୋ ଗାୟିକା । ଜୀବନକୁ ସାବ୍ୟସ୍ତ କରିବାକୁ ତା’ର ଅଦମ୍ୟ ଇଚ୍ଛା ଅପମାନର ପରଦା ତଳେ ମ୍ଳାନ ହୋଇଯାଇଛି । ତା’ ମୁହଁ ଉପରେ ଦୁଃଖ ଓ ଆଶାର ଏକ ମିଶ୍ରିତ କରୁଣାମୟୀ ଆଭା । କ୍ରିଷ୍ଟିଲ୍‌ ଯାଜ୍‌ ଗାଏ । ଯାଜ୍‌ ହେଉଛି ଆମେରିକାର ନିଗ୍ରୋ ଲୋକଙ୍କର ଉତ୍କୃଷ୍ଟ କଳା । ପୋଲ୍‌ ରବ୍‌ସନ୍‌ ଏଥିରେ ସର୍ବଶ୍ରେଷ୍ଠ କଳାକାର । ଯାଜ୍‌ରେ କ୍ଲାସିକାଲ ମିଉଜିକ୍‌ର ପ୍ରେରଣା ଅଛି । ଆଫ୍ରିକାର ଲୋକଙ୍କ ସଂଗୀତର ଜୋଷ, ଝଙ୍କାର ଏଥିରେ ଅଛି । ସବୁ ପ୍ରକାର—ଭାରତୀୟ, ଆରବୀୟ, ଜାପାନୀ ସଂଗୀତମାନଙ୍କର ମେଲୋଡ଼ି ଏଥିରେ ମିଶିଛି ।

 

ମଝିରେ ମଝିରେ କ୍ରିଷ୍ଟିଲ ‘ସୋଲ୍‌’ ମ୍ୟୁଜିକ୍‌, ଆତ୍ମାର ସଂଗୀତ ବୋଲେ । ଯେତେବେଳେ ଆମେରିକାର ନିଗ୍ରୋମାନେ ସିଭିଲ୍‌ ରାଇଟ୍‌ ଆନ୍ଦୋଳନ ଆରମ୍ଭକଲେ, ଆମେରିକାର ହୃଦୟ ଭିତରେ, ସେତିକିବେଳଠୁ ଆରମ୍ଭ ହେଲା ତାଙ୍କର ଏପରି ଦୁଃଖ ପ୍ରାଣଭରା ଗୀତ—ନିଗ୍ରୋମାନଙ୍କ ଯନ୍ତ୍ରଣାର କାହାଣୀ ସଂଗୀତ ମାଧ୍ୟମରେ । ଷ୍ଟେଭିଓ୍ୱାଣ୍ଡର ଜଣେ ଅନ୍ଧ କଳାଲୋକ—ପୃଥିବୀରେ ସବୁଠାରୁ ବଡ଼ ସଂଗୀତଜ୍ଞ—କ୍ରିଷ୍ଟିଲ୍‌ର ଦେବତା । ନିଗ୍ରୋମାନେ ଦେଇଛନ୍ତି ଆମେରିକାରୁ ତାଙ୍କର ସଂଗୀତ ।

 

ମାରାଥା ଗ୍ରାହାମ୍‌ ନୂତନ ପ୍ରକାରର ନୃତ୍ୟ ଆବିଷ୍କାର କରିଛନ୍ତି ଆମେରିକାରେ । ସେ ଆମେରିକାର ନୃତ୍ୟକୁ ‘ବାଲେ’ର ଶୃଙ୍ଖଳାରୁ ମୁକ୍ତ କରିଛନ୍ତି । ଆମେରିକାରେ ବର୍ତ୍ତମାନ ମୁକ୍ତ ହୋଇଛି ନର୍ତ୍ତକୀର ପାଦ, ହାତ, ଭଙ୍ଗୀ ‘ବାଲେ’ର ଦୁଃଶାସନରୁ । କ୍ରିଷ୍ଟିଲ୍‌ ତାଙ୍କର ଛାତ୍ରୀ । କ୍ରିଷ୍ଟିଲ୍‌ କହେ—ନିଗ୍ରୋ ପୁରୁଷର ଦେହର ଗଢ଼ଣ ସ୍ୱତନ୍ତ୍ର । ମାଂସପେଶୀସବୁ ଆଣ୍ଠୁ ଗଣ୍ଠିର ଅତି ପାଖରେ । ସେମାନଙ୍କ ଦେହରେ ବେଶି ଚର୍ବି ନାହିଁ । ସେମାନେ ଖୁବ୍‌ ହାଲୁକା । ସେଥିପାଇଁ ସେମାନେ ଦକ୍ଷ ଖେଳଓ୍ୱାଡ଼ ହୋଇପାରନ୍ତି ସାରା ପୃଥିବୀରେ ।

 

କ୍ରିଷ୍ଟିଲ୍‌ ରାତିରେ ଡିସ୍କୋରେ ଗୀତ ଗାଏ । ଦିନରେ ଓ୍ୱାଶିଂଟନ୍‌ ୟୁନିଭରସିଟିରେ ପଢ଼େ-। ଶନିବାର, ରବିବାର ଓ ଛୁଟିଦିନମାନଙ୍କରେ ଗୋଟିଏ କମ୍ପାନୀର ସଭାପତି ଓ ଅନ୍ୟ ବ୍ୟବସାୟୀମାନଙ୍କ ଭିତରେ ଇଣ୍ଟରଭିଉର ବନ୍ଦୋବସ୍ତ କରେ । ତା’ର ଚେଷ୍ଟା ଯୋଗୁଁ ଯଦି କୌଣସି ଚୁକ୍ତିପତ୍ର ହୋଇ, ତା’ର ସେ କମ୍ପାନୀ କାମ ପାଏ, ତା’ହେଲେ ସେଥିରୁ ଶତକଡ଼ା ଦୁଇଭାଗ ପାଇବ କ୍ରିଷ୍ଟିଲ୍‌ ।

 

ସୂର୍ଯ୍ୟ ପୋଟେମାକ୍‌ ନଦୀର କପାଳରେ ସିନ୍ଦୂର ଲେପି ଦେଇ ତା’ରି କୋଳରେ ଲୀନ ହୋଇଗଲେଣି । ଅନ୍ଧକାରର ସୂକ୍ଷ୍ମ ତୁଳୀରେ ଆକାଶ ନଦୀ ମୃଦୁ ଧୂସର ରଙ୍ଗରେ ରଞ୍ଜିତ । ପୋଟେମାକ୍‌ ମଝିରେ କେଉଁଠୁ କେଜାଣି ଗୋଟିଏ ସାନ ଦୀପ ପରି ଆଲୁଅଟିଏ ଜଳୁଛି । କ୍ରିଷ୍ଟିଲ୍‌ ଗାଇଲା ତା’ର ନିଜର ଲେଖା ଗୀତ, ଦୁଃଖଭରା ନିଜ ଜୀବନର କାହାଣୀ—ତାର ପରାଜୟ, ତାର ବ୍ୟର୍ଥତା, ତାର ସଂଗ୍ରାମ, ତାର ଅସଂପୂର୍ଣ୍ଣତା । କେତେଥର ନିଜ ଜୀବନକୁ ନିଶ୍ଚିହ୍ନ କରିଦେବାକୁ ଚାହିଁଛି, ପୁଣି ଫେରିଆସିଛି । କେହି ତାକୁ ଆଶ୍ରା, ସହାୟତା ଦେଲେ ନାହିଁ—ଷ୍ଟିଓ୍ୟାର୍ଡ଼ ବି ନୁହେଁ । ତାର ପିତା ମାତାର ସନ୍ଧାନ ନାହିଁ । ଏତେ ବଡ଼ ପୃଥିବୀରେ ସେ ଏକା ତାର ଜୀବନ ଲଢ଼େଇ ଲଢ଼ୁଛି । ଏ କ୍ରିଷ୍ଟିଲ, ଏ କାଳୀ ରାଧାଟି ସୁଦୂର ରାଇଜରୁ ଜୀବନବଂଶୀର ଧ୍ୱନିକୁ ଅନବରତ ଶୁଣି ଅପେକ୍ଷା କରିଛି—କେବେ ଆସିବେ ତାର ମନର ମଣିଷ—କେଉଁ ରାଇଜରୁ କେତେ ପାହାଡ଼ ସାଗର ଟପି ।

 

ଗୀତ ପରେ ଗୀତ ବୋଲିଚାଲିଥାଏ କ୍ରିଷ୍ଟିଲ୍‌ । ଦୁଃଖ ସମ୍ବରଣ କରି ନ ପାରି ସେ କଇଁ କଇଁ ହୋଇ କାନ୍ଦିପକାଇଲା । ଅନ୍ଧକାର ଘନେଇ ଆସି ଗାଢ଼ କଳା ଦିଶୁଥାଏ ପୋଟେମାକ୍‌ ନଦୀ । ସେତେବେଳକୁ ଚାରିଆଡ଼ୁ ଥଣ୍ଡା ପବନ ବେଢ଼ି ଆସିଲାଣି । ତା’ ଦେହ ଉପରେ କୋଟ୍‌ଟିକୁ ଘୋଡ଼ାଇଦେଇ କହିଲି—କ୍ରିଷ୍ଟିଲ୍‌, ଉଠ ଯିବା । ନିରୁଦ୍ଦିଷ୍ଟ ଭାବରେ ସେ ଚାହିଁରହିଥାଏ ନଦୀର ଶେଷସୀମାକୁ ।

 

ଆମେରିକାନ୍‌ ସଭ୍ୟତାର କେତେକ ବିଶେଷତ୍ୱ ଅଛି । ଏଠି ସମସ୍ତଙ୍କୁ ସଂପୂର୍ଣ୍ଣ ଦାୟିତ୍ୱ ଦିଆଯାଏ ଓ ସମସ୍ତେ ନିଜ ନିଜ କାମ କରିବାପାଇଁ ଯୋଗ୍ୟ ଓ ସ୍ୱାଧୀନ ବୋଲି ପ୍ରକୃତରେ ବିଶ୍ୱାସ କରାଯାଏ । ପିଲେ କ’ଣ ପଢ଼ିବେ, ବା କରିବେ, ସ୍ତ୍ରୀଲୋକମାନେ କିପରି ଜୀବନ ଯାପନ କରିବେ, କିଏ କ’ଣ କରିବ ବା ବିଶ୍ୱାସ କରିବ ସବୁ ତା’ ନିଜ ଉପରେ ନିର୍ଭର କରେ । ତାର ବିରୋଧୀ ଲୋକମାନଙ୍କର ମଧ୍ୟ ସେହିପରି ସ୍ୱାଧୀନତା ଅଛି । ତୁମେ ତୁମ ଘର ଭିତରେ ରାତିରେ ପେଁକାଳି ବଜାଇବ, ସେଥିପାଇଁ ତୁମର ସ୍ୱାଧୀନତା—ମୁଁ ତୁମ ବିରୁଦ୍ଧରେ ପୋଲିସ୍‌ର ନାଲିସ୍‌ କରି ତୁମଠୁ ଉପଯୁକ୍ତ ଜୋରିମାନା ଆଦାୟ କରିପାରିବି ମୋର ସ୍ୱାଧୀନତା । ତୁମେ ରାସ୍ତାରେ ଲଙ୍ଗଳା ହୋଇ ଯାଇପାର—ମୁଁ ମଧ୍ୟ ତୁମର ଏପରି କାମ ପାଇଁ ଜେଲ୍‌ ଯିବାର ବନ୍ଦୋବସ୍ତ କରିପାରିବି । ଉଭୟ ପକ୍ଷ ଓ ବିପକ୍ଷର ସମାନ ଅଧିକାର ଓ ସମାନ ସ୍ୱାଧୀନତା । ଏଇଟା ହେଲା ଡକ୍‌ଟ୍ରିନ୍‌ ଅଫ୍‌ କାଉଣ୍ଟରଭେଲିଂ ଫୋର୍ସ । ମାଲିକର ସ୍ୱାଧୀନତା, ଶ୍ରମିକର ସ୍ୱାଧୀନତା । ପୁରୁଷର ସ୍ୱାଧୀନତା—ସ୍ତ୍ରୀର ସ୍ୱାଧୀନତା । କଳାଲୋକର ଅଧିକାର—ଧଳାଲୋକର ଅଧିକାର । ପିତାମାତାଙ୍କ ସ୍ୱାଧୀନତା, ପିଲାମାନଙ୍କ ସ୍ୱାଧୀନତା । ସବୁ ବିରୋଧାତ୍ମକ ବିଷୟରେ ସମସ୍ତଙ୍କର ସ୍ୱାଧୀନତା । ଏଇ ଦ୍ୱନ୍ଦ୍ୱ ଫଳରେ ଆମେରିକାନ୍‌ ସଭ୍ୟତା ଓ ସ୍ଥିରଭାବରେ ରହିଛି—ତାର କେନ୍ଦ୍ରବିନ୍ଦୁରେ ।

 

ଏପରି ମୁକ୍ତ ସ୍ୱାଧୀନତାର ଦୁଇଟି ପରିଣାମ ଅଛି । ଗୋଟିଏ ଦିଗରେ ଅନେକ ବ୍ୟଭିଚାର, ଉପଦ୍ରବ ଓ କ୍ରାଇମ୍‌ର ସୃଷ୍ଟି । ଅନ୍ୟ ଦିଗରେ ଅନେକ ଜିନିୟସ୍‌, ମେଧାବୀ, କଳାକାର, ନୋବେଲ୍‌ ପ୍ରାଇଜ୍‌ ବିଜେତା ବୈଜ୍ଞାନିକ ଓ ସାହିତ୍ୟିକଙ୍କର ଜନ୍ମ । ଦୁଇଟି ଛନ୍ଦାଛନ୍ଦି । ଗୋଟାକରୁ ଦୁଇଟା ପରିଣାମ । ସେଇଥିପାଇଁ ସେମାନେ ଭାବନ୍ତି ଏପରି ଉଲଗ୍ନ ସ୍ୱାଧୀନତାକୁ ସୀମିତ କଲେ କ୍ରାଇମ୍‌ ହୁଏତ କମିବ; କିନ୍ତୁ ଜିନିୟସ୍‌ ବି କମିଯାଇପାରନ୍ତି ।

 

ଆମେରିକାରେ କୌଣସି ଜାତିର ବା ଧର୍ମଶାସ୍ତ୍ରର ବା ସରକାରର କୌଣସି ଅଧିକାର ନାହିଁ ଯେ ଏ ସମାଜର ନୀତି ବା କାର୍ଯ୍ୟକ୍ରମ ନିୟନ୍ତ୍ରଣ କରିବ । ସମ-ସମାନ-ଦ୍ୱନ୍ଦ୍ୱ ଏ ଜାତିର ସଭ୍ୟତାର ମୂଳପିଣ୍ଡ । ଜୀବନ ଇତିହାସର ବିଭିନ୍ନ ଶକ୍ତିମାନଙ୍କର ଏହିପରି ସମ-ସମାନ-ଦ୍ୱନ୍ଦ୍ୱର ପରିଣାମରେ ବର୍ତ୍ତମାନ ପାଇଁ ଧୀରସ୍ଥିର ହୋଇ ରହିଯାଇଛନ୍ତି ଶ୍ରୀଯୁକ୍ତ ଉଦୟନାଥ ଶ୍ରୀବାସ୍ତବ ଆମେରିକା ରାଜ୍ୟରେ । ଶ୍ରୀବାସ୍ତବଙ୍କ ଜନ୍ମ କାଶ୍ମୀରରେ । ପିତା, ପିତାମହ, ପ୍ରପିତାମହ ସମସ୍ତେ ଥିଲେ କ୍ଷମତାଶାଳୀ ଜମିଦାର । ରହୁଥିଲେ ତାଙ୍କ ନିଜର ଗୋଟାଏ ସାନ ଦୁର୍ଗ ଭିତରେ । ପ୍ରପିତାମହ ଥିଲେ ଅତ୍ୟାଚାରୀ । ପିତାମହ ଥିଲେ ଧର୍ମପ୍ରାଣ । ପିତା ଥିଲେ ସଂଗୀତ ଓ ସୁରା ଭକ୍ତ-

 

ଊଣେଇଶଶହ ତିରିଶ ମସିହା ବେଳକୁ ତାଙ୍କ ଗାଁକୁ ଆସିଲା ମହାମାରୀ ପ୍ଲେଗ୍‌ ରୋଗ-। ଗୋଟିଏ ସପ୍ତାହ ଭିତରେ ନିଃଶେଷ ହୋଇଗଲେ ପିତା, ପିତାମହ, ମାତା, ମାତାମହ, ନିଜର ଏକମାତ୍ର ଭାଇ, ମାମୁ ଓ ଦାଦା ଏବଂ ସେମାନଙ୍କ ସ୍ତ୍ରୀ ପିଲାମାନେ । ବିଶ୍ୱାସ କରି ହେବ ନାହିଁ—ସେ ଦୁର୍ଗ ଭିତରେ, ଏ ଶ୍ମଶାନ ମଝିରେ, ବଞ୍ଚିଗଲେ କେବଳ ସାତବର୍ଷର ବାଳକ ଆମ ଏ ଉଦୟନାଥ ଓ ଗୋଟିଏ ସାନ କୁକୁର ଟୁଲି । ପ୍ରାୟ ଚବିଶଘଣ୍ଟା ପରେ ଉଦୟନାଥ ଓ ଟୁଲିକୁ ଉଦ୍ଧାରକଲେ ପାଖ ଗାଁର ଲୋକମାନେ । ସେହି ଦିନଠାରୁ ଅନେକ ଦିନ ପର୍ଯ୍ୟନ୍ତ ବାଳକ ଶ୍ରୀବାସ୍ତବ ଜୀବନର ଦୁରୂହ ବିପଦସଙ୍କୁଳ ସଡ଼କରେ ଅହରହ ଯାତ୍ରାକରି କ୍ରମେ ରକ୍ତାକ୍ତ କ୍ଷତ-ବିକ୍ଷତ ହୋଇଯାଉଥାନ୍ତି । ଗ୍ରାମରୁ ଗ୍ରାମ, ଦାରିଦ୍ର୍ୟରୁ ଆହୁରି ଅଧିକ ଦାରିଦ୍ର୍ୟ, ଦୁଃଖକଷ୍ଟରୁ ଆହୁରି ଅଧିକ ଦୁଃଖକଷ୍ଟ—ଏପରି ଅନେକ ଯାତ୍ରା ପରେ ଦିନେ ଆସି ପହଞ୍ଚିଲେ ବମ୍ବେରେ ।

 

ବମ୍ବେରେ ପହଞ୍ଚି ସିନେମାଜଗତସହ ଓତପ୍ରୋତ ଭାବରେ ଜଡ଼ିତ ହେଲେ ଆମ ଉଦୟନାଥ । ଆରମ୍ଭ କଲେ ପ୍ରଥମ ଥର ପାଇଁ ଫିଲ୍ମ ଜର୍‌ନାଲିଜିମ୍‌ । ସେ ଲେଖିଲେ ସିନେମା କଥା, ସିନେମାବାଲାମାନଙ୍କ ଘରୋଇ ବିଷୟସବୁ । ମାଗାଜିନ୍‌ ଖବରକାଗଜ ଇତ୍ୟାଦିରେ ଛପା ହେଲା । ନୂଆ କଥା... ବେଶ୍‌ ଚାଲିଲା ।

 

ଧୀରେ ଧୀରେ ସିନେମା ଜଗତ୍‌ ଛଡ଼ା ସମାଜର ଅନ୍ୟାନ୍ୟ ବିଭାଗ ଭିତରକୁ ପଶିଲେ । ନିଜର କାର୍ଯ୍ୟ ପରିସର ବଢ଼ାଇଲେ । ପହଞ୍ଚିଲେ ବ୍ୟବସାୟୀମାନଙ୍କ ମନ ଭିତରେ । ସରକାରଙ୍କ ହୃଦୟ ଭିତରେ । ଯିବା ଆସିବା କଲେ ଦେଶ ବିଦେଶ । ଇଜିପ୍‌ଟ ଇନ୍ଦୋନେସିଆ ମଧ୍ୟ । ଅବଶେଷରେ ଆସି ପହଞ୍ଚିଲେ ଆମେରିକାରେ । ଏଠି ଭାରତ ସରକାରଙ୍କ ପ୍ରତିନିଧିତ୍ୱ କଲେ କିଛି ଦିନ ପାଇଁ । ବର୍ତ୍ତମାନ ନିଜର ଗୋଟିଏ କମ୍ପାନୀ ଖୋଲିଛନ୍ତି । ବିଭିନ୍ନ ସରକାରଙ୍କର ପ୍ରତିନିଧିତ୍ୱ କରନ୍ତି ବିଭିନ୍ନ କାମ ପାଇଁ । କେଉଁ ଦେଶ ପାଇଁ ଇଉରେନିୟମ ଯିବ ବା କେଉଁ ଦେଶ ପାଇଁ କେତେ କପଡ଼ା । ପୃଥିବୀର ସବୁ ଘଟଣାରେ ସେ ଭାଗିଦାର । ଆମେରିକାର ଇନ୍‌ଫ୍ଲେସନ୍‌, ରୁଷିଆର ସଭାପତିଙ୍କ ଦେହପା, ଇଂଲଣ୍ଡର ବେକାରୀ, ଭାରତର ରାଜନୀତି, ଆଫ୍ରିକାର ବିପ୍ଲବ—ସବୁ ତାଙ୍କ ବ୍ୟବସାୟର ଅନ୍ତର୍ଭୁକ୍ତ । ପୃଥିବୀର ସବୁ ଘଟଣା ବା ଦୁର୍ଘଟଣାରୁ ଅର୍ଥ ଉପାର୍ଜନର ସୁଯୋଗ ଅଛି ତାଙ୍କପାଇଁ । କିଛି ଚୋରା କାରବାର ନୁହେଁ । କହନ୍ତି, ପୃଥିବୀର ସ୍ୱାସ୍ଥ୍ୟ ତାଙ୍କ କମ୍ପାନୀର ବ୍ୟବସାୟ ପାଇଁ ପଣ୍ୟଦ୍ରବ୍ୟ ।

 

ନିଉ ମେକ୍‌ସିକୋ ଆଭିନ୍ୟୁ—ଓ୍ୱାଶିଂଟନ୍‌ ସହରର ଏଲିଟ ଏରିଆ, ଅର୍ଥାତ୍‌ ବଡ଼ ବ୍ୟବସାୟୀ, ଦାମି ସିନେଟର୍‌, ଓଜନିଆ ବିଦେଶୀ ପ୍ରତିନିଧିମାନେ ଏଠି ରହନ୍ତି । ବିରାଟ ଚଉଡ଼ା ରାସ୍ତା—ଦୁଇ କଡ଼ ସାରା ଶାଗୁଆ ଘାସ ଆଉ ବଡ଼ ବଡ଼ ମୋଟା ଗଛ । ରାସ୍ତା ଉପରକୁ ଛୋଟ କୁଦଟିଏ । ସେ କୁଦ ଉପରେ ଗୋଟିଏ କୋଠି । କୋଡ଼ିଏ ପଚିଶ ଫୁଟ ଖଣ୍ଡେ ଉଚ୍ଚ ହେବ ସେ କୁଦଟି । ମଟର ଯିବା ପାଇଁ ରାସ୍ତା ତା’ ଉପରେ ଘୂରିଯାଇଛି, ରାସ୍ତା ତଳଠୁ କୋଠି ପର୍ଯ୍ୟନ୍ତ । କିନ୍ତୁ ତୁମେ ଯଦି ଚାହିଁବ ଓ ପାହାଡ଼ ଉପରକୁ ଚଢ଼ିଲା ପରି ଉପଭୋଗ କରିବ, ତାହେଲେ ଅତି ଯତ୍ନ ଓ କାରସାଦିରେ ପଥରସବୁ ପକାହୋଇଛି; ଜଣାଯିବ ସତେ ଯେପରି ସେଗୁଡ଼ାକ ପ୍ରାକୃତିକ । କିନ୍ତୁ ସବୁ ଖଞ୍ଜାହୋଇଛି; ଟାଣ କରି ଇଞ୍ଜିନିୟରମାନେ କରିଛନ୍ତି । କିଛି ଭୟନାହିଁ—ଉପରକୁ ଆସ । ନଚେତ୍‌ ତାଙ୍କ ଗାଡ଼ିରେ । ସେ ଗାଡ଼ିଟା ତ ମାମୁଲି ଗାଡ଼ି ନୁହେଁ—ସେଟା ଗୋଟାଏ ଡ୍ରଇଂ ରୁମ୍‌ । ଆମେରିକାର ଲୋକେ ଜୀବନର ଅନେକ ସମୟ ଗାଡ଼ିରେ କଟାନ୍ତି । କାମକୁ ଯିବା ଆସିବା ପୁଣି ଦୂରଜାଗାସବୁ ଯିବା ପାଇଁ ହୁଏ । କ୍ଲବ୍‌କୁ, ରେଷ୍ଟୁରାଁକୁ ରୀତିମତ ଯିବା ଆସିବା ଛଡ଼ା ଶନିବାର ରବିବାର ଛୁଟିଦିନ ଆମେରିକାନ୍‌ ପ୍ରାୟ ପାଞ୍ଚଶହ ମାଇଲ ଯିବ ଆସିବ । ରାତିରେ କେବଳ ସେଠି ରହିବେ । ସେଗୁଡ଼ାକ ହେଲା ଛୁଟି କଟେଇବା ପାଇଁ ବିଭିନ୍ନ ଜାଗା... ଉଇକ୍‌ ଏଣ୍ଡ୍‌ ଆଉଟିଂ । ତାଙ୍କ ଗାଡ଼ିରେ ସବୁ ଅଛି—ଶୋଇପାରିବ, ଖେଳିପାରିବ, ଛିଡ଼ାହୋଇପାରିବ । ଶୀତଦିନେ ଗରମ କରିହେବ, ଗରମଦିନେ ଶୀତ । ସେଠି ଗାଡ଼ିରେ ଗିୟର୍‌ ନାହିଁ—ସବୁ ଆପେ ଆପେ । ଘଣ୍ଟାକୁ ଶହେମାଇଲ ଯିବା ମାମୁଲି । ସହର ବାହାରେ ଯେଉଁସବୁ ବଡ଼ ସଡ଼କ ହାଇଓ୍ୱେ ଅଛି, ସେଥିରେ ଛ’ଖଣ୍ଡ ଗାଡ଼ି ଯିବାଆସିବା କରିପାରିବ, ପୁରୀ ବଡ଼ଦାଣ୍ଡଠୁ ଚାରିଗୁଣ ଖଣ୍ଡେ ଚଉଡ଼ା ।

 

ତାଙ୍କର ଏ ଘର ଭିତରକୁ ପଶିଲେ ମନେହୁଏ ପର୍ଶିଆନ୍‌ ଦେଶରେ କୌଣସି ହରୁନ୍‌ ରସିଦ ଅଲିଙ୍କ ଅନ୍ଦରମହଲ । ପ୍ରଥମେ ଗୋଟାଏ ବଡ଼ ଚଉତିଆ କୋଠରି । ସେ କୋଠରିକୁ ଲାଗି ଗୋଟାଏ ବାରଣ୍ଡା । ବାରଣ୍ଡା କଡ଼କୁ ଉନ୍ମୁକ୍ତ ଆଉ ଏକ କୋଠରି । ସେ କୋଠରି ଭିତରୁ ବାହାରିଛି ଗୋଟାଏ ସୁଡ଼ଙ୍ଗପରି । ତା ଭିତରେ ପଶି ବାହାରିବ ବଗିଚାକୁ । ଘର ଭିତରର ବଗିଚା, ସେଠି ଝରଣା, ଗୋଟିଏ ସାନ ପୋଖରୀ ଅଛି । ପୋଖରୀ ପରେ ପାହାଚ ଚାରିପାଞ୍ଚଟା ଉପରକୁ ଯିବାପାଇଁ । ପାହାଚ ଉପରକୁ ଉଠିଯିବ ତ ପୃଥିବୀର ବିଭିନ୍ନ ପ୍ରକାରର ସୁରା ସଜା ହୋଇ ରହିଛି । ସେ ସୁରାଘରକୁ ଟପିଗଲେ ଚାରିଆଡ଼େ କାଚଘେରା, ମୃଦୁ ଆଲୁଅରେ ବିଭିନ୍ନ ପ୍ରକାରର ସଙ୍ଗୀତର ସରଞ୍ଜାମ । କେଉଁଠି ଗୋଟାଏ ସୁଇଚ୍‌ ଟିପିଦେଲେ କ୍ଲାସିକାଲ୍‌, ଆଉ ଗୋଟାକରେ ଫୋକ୍‌ । କେଉଁଟା ସ୍ପେନର ତ କେଉଁଟା ଫିଲିପାଇନ୍‌ସର । ସେ କୋଠରିର ପଛପଟକୁ ଲାଇବ୍ରେରି । ଘର ଭିତରେ ଗୋଟାଏ କରିଡ଼ର ପରି ଚଉଡ଼ା ବରଣ୍ଡା । ସେ ବାରଣ୍ଡା ବାଟେ ଗଲେ କିଚନ୍‌—ରୋଷାଇଘର—ଦୁଇ ତିନି ପ୍ରକାରର—କାଶ୍ମିରୀ, ଇଉରୋପୀୟ, ଚାଇନିଜ୍‌ । ବିରାଟ ଡାଇନିଂ ଟେବୁଲ— ବଡ଼ ଖଟ ପରି ।

 

ଦେଖିବାର ଜିନିଷ ହେଉଛି ତାଙ୍କର ଶୋଇବା ଘର । ସେ କୋଠରିକୁ ପଶିଲାବେଳକୁ ପାହାଚ । ପାହାଚ ଉପରେ ଚଢ଼ି ବିଛଣାକୁ ଯିବ । ବିଭିନ୍ନ ସ୍ତରରେ ବିଭିନ୍ନ ଶୋଇବାର ଜାଗା । ଗୋଟାଏ ଲେଭଲ୍‌ରେ ଭାରତୀୟ ଗଦି, ଆର ଲେଭଲ୍‌ରେ ଆରବୀୟ, ତୃତୀୟ ଲେଭଲ୍‌ରେ ଖଟ ପଲଙ୍କ ଫ୍ରାନ୍‌ସର । ଘର ତଳ ଚଟାଣର ଗୋଟିଏ ବିନ୍ଦୁ ମଧ୍ୟ ଆଖିକୁ ଦିଶୁନାହିଁ । ସବୁ ମୋଟା ପର୍ଶିଆନ କାର୍‌ପେଟ୍‌ରେ ଘୋଡ଼ା । ଘରସାରା ଆଲୁଅ—ବତି କେଉଁଠି ଦେଖି ପାରିବ ନାହିଁ । ସବୁ ଲୁଚାଛପା ହୋଇ ବାହାରୁଛି—କାନ୍ଥ ଭିତରୁ, କାଚ ଭିତରୁ, ଛାତ ଭିତରୁ । ସବୁ କୋଠରି, ବାରଣ୍ଡା, ବାଥ୍‌ରୁମ୍‌ରୁ ଚାନାଲ୍‌ ମ୍ୟୁଜିକ୍‌ । ଆପେ ଆପେ ମୃଦୁ ସଙ୍ଗୀତ ସବୁବେଳେ ଶୁଭୁଛି । ଇଲେକ୍‌ଟ୍ରୋନିକ୍‌ ଫିଟିଙ୍ଗ୍‌ ହୋଇଛି । ବର୍ଷକ ପର୍ଯ୍ୟନ୍ତ ବଦଳି ବଦଳି ଆପେ ଆପେ ବାଜିବ—କେହି ନ ଥିଲେ ବି । କେଉଁ ଧ୍ୱନି ସକାଳେ, କିଏ ସଂଧ୍ୟାରେ, କେଉଁଟା ରାତିରେ—ସବୁ ଆଗରୁ ବର୍ଷକ ପାଇଁ ସ୍ଥିରହୋଇଛି । ସମଗ୍ର ଘରଟା ଏୟାର୍‌କଣ୍ଡିସନ୍‌ଡ଼୍‌—ଗ୍ରୀଷ୍ମ ଶୀତର ପ୍ରଭାବମୁକ୍ତ ।

 

ରାତ୍ରି ଯୌବନରେ ପହଞ୍ଚିଲାଣି । ଗିଲାସ ଉପରେ ଗିଲାସ, ସଙ୍ଗୀତ ଉପରେ ସଙ୍ଗୀତ । କବାବ୍‌ ଉପରେ କବାବ୍‌ । ପ୍ରେମ କ’ଣ ଜାଣନ୍ତି ? ସବୁ ଦେହର କଥା ! ଯେଉଁଠି ମନ ପଶେ ସେଠି ଅଶେଷ ଯନ୍ତ୍ରଣା । ମନ ଗୋଟାଏ ବଡ଼ ଜିନିଷ । ଏହାକୁ ବ୍ୟବହାର କର ଅର୍ଥ ପାଇଁ, ପ୍ରତିଷ୍ଠା ପାଇଁ, ଗୌରବ ପାଇଁ । ପ୍ରେମ ଦେହ ଲାଗି, ମନ ଅର୍ଥ ପାଇଁ । ଦେହ କିଛି ସାନ ଇତର ନୁହେଁ । ତୁମେ ତ ଦେହ । କିଛି ଗୋଳମାଳ କରିବାର କଥା ନୁହେଁ । ଯେଉଁଠି ମୁଁ ପ୍ରେମ କଲି ସେମାନେ ପଚାରିଲେ–ମୋତେ ଭଲପାଅ ? ମୁଁ କହିଲି—ମନ ମୋର ନିଜସ୍ୱ, କାହା ପାଇଁ ବିଲୟ କରିପାରିବି ନାହିଁ । ଅର୍ଥ ଚାହିଁ ନିଅ, ଶରୀର ଚାହିଁ ନିଅ; କିନ୍ତୁ ମନ ନୁହେଁ । ସେଥିପାଇଁ ଜୀବନରେ ବିବାହ କରିପାରିଲି ନାହିଁ ।

 

ଆ... ଆ... ତିନିତିନିଟା ବିଶାଳକାୟ କୁକୁର—ଟୁଲି, ସମ୍ରାଟ୍‌, ବାକାସ୍‌ । ଏ ତିନିଟା କୁକୁର ଏତେ ବଡ଼ ଘରଟାକୁ ସଂପୂର୍ଣ୍ଣ କରି ରଖିଛନ୍ତି । ସେମାନେ ଉଦୟନାଥ ଶ୍ରୀବାସ୍ତବଙ୍କ ଘନିଷ୍ଠ ଓ ଏକମାତ୍ର ସଂସାର । କୁହନ୍ତି, କୁକୁର ମୋର ଆଦିମ ସାଥୀ । ମୁଁ ଆଉ କୁକୁର ଏକା ସାଙ୍ଗରେ ବଢ଼ିଛୁ ଆମେ ଦୁହେଁ । ଏକା ପରିସ୍ଥିତି ଭିତରେ ସମାନ ବ୍ୟବହାର ପାଇଛୁ ସମାଜଠୁ ।

 

କୁକୁରମାନଙ୍କ ପାଇଁ ରୋଷାଇ ନିଜ ହାତରେ କରନ୍ତି । ସେ ନିଜେ ଖାଇ ସାରିଲେ ତାଙ୍କ କୁକୁର ତିନିହେଁ ଖାଆନ୍ତି ସେ ବିରାଟ ଡାଇନିଂ ଟେବୁଲ ଉପରକୁ ଉଠିଯାଇ । ଶୁଅନ୍ତି ଉଦୟନାଥଙ୍କ କୋଠରି ଭିତରେ । ତୁମେ କଥାବାର୍ତ୍ତା କରୁଥିବ, ଜଣେ ତୁମ ଗୋଡ଼ତଳେ ଶୋଇବ, ଆଉ ଜଣେ ତାଙ୍କ ଗଦି ପାଖରେ, ତୃତୀୟଟି ମଉକା ଖୋଜୁଥିବ କିଏ ଆଗ ଉଠିଗଲେ ତା’ ଜାଗା ମାଡ଼ିବସିବ । ବାଣ୍ଟିକରି ଶୁଅନ୍ତି । ଆଜି ତାଙ୍କୁ ଲାଗିକରି ପଲଙ୍କରେ ଶୋଇବ ଟୁଲି—ବାକି ଦୁଇଜଣ ତଳ ବିଛଣାମାନଙ୍କ ଉପରେ । ସେହିପରି ଅନ୍ୟଦିନେ ସମ୍ରାଟ୍‌ ଓ ତହିଁପରଦିନ ବାକାସ୍‌ । ଉଦୟନାଥଜୀ ସେମାନଙ୍କ ସାଙ୍ଗରେ ସବୁ ବିଷୟରେ କଥାବାର୍ତ୍ତା କରନ୍ତି—ତାଙ୍କର ବ୍ୟବସାୟ କଥା, ଯଦି ସେଦିନ କାହା ସାଙ୍ଗରେ କଳିକଜିଆ ହେଲା ସେ କଥା । ଯଦି ତାଙ୍କର ମନରେ କେବେ ଦୁଃଖ ଆସିଥାଏ ଏମାନେ ତାଙ୍କ ଦେହ ଚାଟି କାର୍ପେଟ୍‌ ଉପରେ ଗଡ଼ିଯାଇ ତାଙ୍କୁ ସାନ୍ତ୍ୱନା ଦିଅନ୍ତି ।

 

ତାଙ୍କ ଶୋଇବାଘରେ ଯେଉଁ ଦୁଇଟି ଚେୟାର୍‌ରେ ଆମେ ବସିଥିଲୁ, ତା’ରି ପାଖ କାନ୍ଥରେ ଟିକେ ଉପରେ ଟଙ୍ଗା ହୋଇଛି ଗୋଟାଏ ସ୍ତ୍ରୀ ଲୋକର ଛବି—ସୁନା ଫ୍ରେମ୍‌ ଭିତରେ । ସ୍ତ୍ରୀ ଲୋକଟିର ମୁହଁ ପୂରା ଦିଶୁନାହିଁ । ଚିତ୍ରଟି ତାଙ୍କ ପଛକଡ଼ରୁ ଅଙ୍କା । ସ୍ତ୍ରୀଲୋକଟି ଭାରତବର୍ଷର କେଉଁ ଗୋଟାଏ ଗ୍ରାମର ହୋଇପାରନ୍ତି । ବିଦେଶୀ ବି ହୋଇପାରନ୍ତି । ଏ ପରିସ୍ଥିତିରେ ଦେଶ ଗୌଣ, ରୂପ ମଧ୍ୟ ଗୌଣ ।

 

ରଙ୍ଗରେ ଛବିଟି ଆଲୋକିତ ପରି ଦିଶୁଛି । କିନ୍ତୁ ସେ ଏକ ବିଚିତ୍ର ଛବି । ମାଟି ଉପରେ ସେ ସ୍ତ୍ରୀଲୋକଙ୍କର ଲଙ୍ଗଳା ପାଦ ମୁହଁ, ଦେହର ଫାଳେ ଦିଶୁଛି । ତାଙ୍କର ଛିଡ଼ାହେବାର ଭଙ୍ଗି, ହାତର ସ୍ଥିତି, ପାଦର ସୌମ୍ୟ ଦୃଢ଼ତା—ସବୁ ଜିନିଷ ଭିତରେ ଯେପରି ଏକ ଅସାଧାରଣ କଥା ରହିଛି । ଯଦି କେବେ କିଛି ବିପଦର ତୁମ ସମ୍ମୁଖୀନ ହେବ, ତୋଫାନ ଝଡ଼ଝଞ୍ଜା ଯେବେ ତୁମ ଜୀବନକୁ ଇତସ୍ତତଃ କରିବ, ତୁମେ ତାଙ୍କର କୋଳ ଭିତରେ ମୁହଁ ଲୁଚାଇ ଶୋଇରହିଲେ ତାଙ୍କର ସ୍ପର୍ଶ, ତାଙ୍କର ନିଃଶ୍ୱାସ, ତାଙ୍କର ଚାହାଣିରେ ଯେପରି ସବୁ ବିପଦ ତୁମର ଘୁଞ୍ଚିଯିବ । ସେ ଏକ ଅଭୟଦାତ୍ରୀ ଅପାର୍ଥିବ ମୂର୍ତ୍ତି ।

 

କିଛି ସମୟ ପୁଣି ଶାନ୍ତହୋଇ ସେ ଛବିକୁ ଚାହିଁରହ, ଦିଶିବ ଯେପରି ତୁମକୁ ସେ ଇଙ୍ଗିତ ଦେଉଛନ୍ତି ଜୀବନକୁ ପୂର୍ଣ୍ଣାଙ୍ଗ ଭାବରେ ଉପଭୋଗ କରିବାପାଇଁ । ତାଙ୍କର ଆଲିଙ୍ଗନ ଭିତରେ ଉଚ୍ଚାଟ ଯୌବନର ଉଗ୍ର ଇଙ୍ଗିତ ।

 

ଆହୁରି କିଛି ସମୟ ଅନାଇ ରୁହ, ଦେଖିବ ତାଙ୍କର ନିଜ ରୂପ ଝାପ୍‌ସା ଦିଶୁଛି । ପଛପଟର ଦିଗ୍‌ବଳୟରେ ଯେଉଁ ଆଭା ଚିତ୍ରଟିକୁ ଆଲୋକିତ କରୁଥିଲା, ସେ ଆଭା ସେ ଆଲୋକ ଏକ ସ୍ୱତନ୍ତ୍ର ଗାଢ଼ା ରଙ୍ଗରେ ଚିତ୍ରକୁ ପୂର୍ଣ୍ଣ କରିଦେଉଛି । କ୍ରମେ କ୍ରମେ ମିଳେଇ ଯାଉଛି ଏ ନାରୀଙ୍କର ମୂର୍ତ୍ତି, ସେ ଦିଗ୍‌ବଳୟର ଆଲୋକ, ସେ ଅଜ୍ଞାତ ଅଲୌକିକ ଆଭା ଭିତରେ । କହିଲି—ଅଦ୍‌ଭୁତ ଏ ଚିତ୍ର !

 

ଚିତ୍ରକୁ ଚାହିଁ ସେ ପଚାରିଲେ—ଯଦି କେବେ କେଉଁଠାରେ ଏ ମୂର୍ତ୍ତି ସତ୍ୟ ହୋଇଥାଏ-?

 

ହସିଉଠିଲେ ଉଦୟନାଥ । ଜୋର୍‌ରେ—ଖୁବ୍‌ ଜୋର୍‌ରେ— ଆହୁରି ଜୋର୍‌ରେ—ପ୍ରାଣାତ୍ମକ ଭାବରେ । ଏକ ଉଚ୍ଚାଟ ଉନ୍ମାଦନାରେ ହସୁଥାନ୍ତି । ରାତି ପ୍ରାୟ ଦୁଇଟା ବାଜିଲାଣି । ବାହାରେ ସବୁ ଶୂନ୍‌ଶାନ୍‌ । ସଡ଼କର ମୃଦୁ ଆଲୁଅ ଛଡ଼ା ଚାରିଆଡ଼େ ଘୋର ଅନ୍ଧକାର । ଧଡ଼୍‌ ଧଡ଼୍‌ ହୋଇ ଚାରିଆଡ଼ୁ ଶବ୍ଦ ଶୁଭିଲା । ଘରର ଅସଂଖ୍ୟ ଦରଜା କବାଟ ସବୁ ଠୋ ଠା’ ହୋଇ ଯେପରି ଖୋଲିଯାଉଛି । ସୁ ସୁ ହୋଇ ଶବ୍ଦ ମାଡ଼ିଆସି ସେ ଶୂନ୍ୟ ଘରଟାକୁ ମୁଖରିତ କରିଦେଉଥାଏ । ତିନିଟିଯାକ କୁକୁର ଡେଇଁପଡ଼ି ଦୌଡ଼ିଗଲେ ସେ କୋଠରି ବାହାରକୁ । ଭୁକିଉଠିଲେ ଖୁବ୍‌ ଚିତ୍କାରକରି ।

 

ହଠାତ୍‌ ଆଲୁଅ ଲିଭିଗଲା । ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଦେହ ଭିତରେ କିପରି ଶିହରଣ ଖେଳିଯାଉଥାଏ । ତାର କିଛି କ୍ଷଣ ପରେ ଆସ୍ତେ ଆସ୍ତେ ସବୁ ଯେପରି ନିସ୍ତେଜ ହୋଇଉଠିଲା । କୋଠରି ଭିତରେ ରଜନୀଗନ୍ଧା ଫୁଲର ସୁଗନ୍ଧ ଢେଉ ଖେଳିଯାଉଥାଏ ସେ ଅନ୍ଧାର ଭିତରେ । କିଛି କ୍ଷଣ ବିତିଗଲା । କୁକୁରମାନେ ଚୁପ୍‌ଚାପ୍‌ ହୋଇଗଲେଣି । ଚାରିଆଡ଼େ ଶାନ୍ତ ଜୀବନ୍ତ ପରିବେଶ ଫେରିଆସୁଥାଏ । ମନେହେଲା ଯେପରି ସେ ଶୂନ୍ୟତା ଆଉ ନାହିଁ ।

 

କିଛି ସମୟ ପରେ ଆଲୁଅ ପୁଣି ଜଳିଉଠିଲା । କାନ୍ଥରେ ସେ ନାରୀର ଛବିଟି ଆଉ ଦିଶୁନାହିଁ । ଉଦୟନାଥଙ୍କ ମୁହଁ ଓଠ ଶରୀରରେ ଆନନ୍ଦ, ପୂର୍ଣ୍ଣତାର ଏକ ଗଭୀର ପ୍ରବାହ ଯେପରି ବୋହିଯାଇଛି । ଛବିଟି ତାଙ୍କ ପାଦ ପାଖରେ ପଡ଼ିରହିଛି । ତଳକୁ କିଛି ସମୟ ପାଇଁ ଅନାଇଁ ରହିଲେ ଉଦୟନାଥ ।

 

ମୁହଁ ଉପରକୁ ଉଠାଇ କହିଲେ—ଭୁଲିଯାଇଥିଲି କହିବାପାଇଁ—ଆଜି ଏଠି ଅମାବାସ୍ୟାର ରାତ୍ରି ।

 

ଆମେରିକାରେ ଗୋଟିଏ ଦୃଷ୍ଟିରୁ ବ୍ୟକ୍ତି ବଡ଼ । ତାର ଅଧିକାର, ସ୍ୱାଧୀନତା ସବୁ ସଂରକ୍ଷିତ । ଅନ୍ୟ ଦୃଷ୍ଟିରୁ ବ୍ୟକ୍ତି ସେଠି ନିଶ୍ଚିହ୍ନ । ତୁମ ନିଜ ଇଚ୍ଛାର କୌଣସି ଅର୍ଥ ନାହିଁ । ତୁମେ ଯାହା ଖାଇବ ତା ଆଗରୁ ବଡ଼ ବଡ଼ କମ୍ପାନୀମାନେ—ମାକ୍‌ଡ଼ୁଗାଲମାନଙ୍କପରି—ତୁମ ପାଇଁ ଠିକ୍‌ କରି ରଖିଛନ୍ତି । ସବୁ ରେସ୍ତୋରାଁରେ, ପ୍ୟାକେଟ୍‌ରେ, ବଜାରରେ ସେହି ଖାଦ୍ୟ—ହାମ୍‌ବର୍ଗର, ଚିକନ୍‌, ମାଂସ ଇତ୍ୟାଦି । ତୁମେ ଯାହା ପିନ୍ଧିବ ବଡ଼ ବଡ଼ କମ୍ପାନୀମାନେ ସବୁ ଠିକ୍‌କରିଛନ୍ତି । ଏମାନଙ୍କ ପାଇଁ ଜାମା ପ୍ୟାଣ୍ଟ ଇତ୍ୟାଦି ଭାରତରୁ, କୋରିଆରୁ, ହଂକଂରୁ ତିଆରି କରିନିଅନ୍ତି । ଏମାନେ କେଉଁ ବହି, ଖବରକାଗଜ ପଢ଼ିବେ, କେଉଁ ଚର୍ଚ୍ଚକୁ ଯିବେ, ସବୁ ବଡ଼ ବଡ଼ ଗୋଷ୍ଠୀମାନେ ସ୍ଥିର କରନ୍ତି । ଟ୍ରେଡ଼୍‌ ଇଉନିୟନ୍‌ମାନେ, ମଲ୍‌ଟି ନ୍ୟାସ୍‌ନାଲ୍‌ କମ୍ପାନୀମାନେ, ସିଭିଲ୍‌ ରାଇଟ୍‌ ଅନୁଷ୍ଠାନମାନେ ସବୁ ବିଷୟରେ ସ୍ଥିର କରିଛନ୍ତି ସବୁ କଥା ।

 

ଏଠି ପରିବାର ନାହିଁ, ସଂସାର ନାହିଁ । ପୁଅକୁ ଯଦି ଊଣେଇଶ କୋଡ଼ିଏ ବର୍ଷ ହୋଇଗଲା ଆଉ ସେ ବାପା ମା’ଙ୍କ ପାଖରେ ଅଛି, ବା ଝିଅକୁ ଯଦି ପନ୍ଦର ଷୋହଳ ହେଲା ଅଥଚ କିଛି କୁଆଡ଼େ ପ୍ରେମ ଇତ୍ୟାଦି କରି ବାହାରକୁ ଯାଉନାହିଁ, ବାପା ମା’ଙ୍କର ଗଭୀର ଚିନ୍ତା—ପିଲାମାନେ ଏକାବେଳକେ ନଷ୍ଟହୋଇଗଲେ ।

 

କିଛିଦିନ ପରେ ଅନେକ ପିଲା ପୂର୍ଣ୍ଣ ସ୍ୱାଧୀନତା ପାଇଲେ ବି ନିଜକୁ ଖୁବ୍‌ ଏକା ଏକା ମନେକରନ୍ତି । ତାଙ୍କ ପାଖରେ ତାଙ୍କର ଝିଅସାଙ୍ଗ, କିମ୍ବା ଝିଅ ହୋଇଥିଲେ ପୁଅସାଙ୍ଗ ଛଡ଼ା ଆଉ କେହି ନ’ଥାନ୍ତି । ବାପା ମା’ ଦୂରେଇଗଲେ । ଯିଶୁଖ୍ରୀଷ୍ଟ ସେମାନଙ୍କ ଜୀବନକୁ ଆସିନାହାନ୍ତି । ରାଜନୀତି ପାଇଁ ଏତେ ଆଗ୍ରହ ନାହିଁ । ଝିଅ ବା ପୁଅମାନେ ଯଦି ମନୋମତ ନହେଲେ ସେମାନେ ଏକୁଟିଆ ହୋଇ ଖୁବ୍‌ ଦୁଃଖ ପାଇବେ । ସେଥିପାଇଁ ଏ ବୟସରେ ସେମାନେ ଖାଲି ଝିଅସାଙ୍ଗ ବା ପୁଅସାଙ୍ଗ ବଦଳାଇ ଚାଲୁଥାନ୍ତି, ମନୋମତ ସାଥି ନ ପାଇଲା ପର୍ଯ୍ୟନ୍ତ । ଶେଷପର୍ଯ୍ୟନ୍ତ ଅନେକ ଦୁଃଖୀ ହୋଇ ରହିଯାନ୍ତି ।

 

ରିଚାର୍ଡ଼ ଶିକ୍ଷିତ ଘରର ପିଲା । ବାପା ମା’ ଅଳ୍ପବୟସରୁ ଅଲଗା ହୋଇଗଲେ । ସେ ତାର ମା’ ପାଖରେ ରହିଥାଏ । ବାପା ପାଖକୁ ଯାଏ ଶନିବାର, ରବିବାର ଆଉ ଛୁଟିଦିନମାନଙ୍କରେ-। କ୍ରମେ ବାପା ନିଜର ଚାକିରି ପାଇଁ ବିଦେଶକୁ ଯିବା ଆସିବା କଲେ । ମା’ ବି ନିଜ କାମରେ ବ୍ୟସ୍ତ ରହିଲେ । ଫଳରେ ରିଚାର୍ଡ଼ ଅଧିକାଂଶ ସମୟରେ ଏକୁଟିଆ ବସିଥାଏ । ବହି ପଢ଼େ, ପେଣ୍ଟିଂ କରେ, ରେକର୍ଡ଼ ଶୁଣେ । ସ୍କୁଲ ପରେ ହାର୍‌ଭାର୍ଡ଼ ବିଶ୍ୱବିଦ୍ୟାଳୟକୁ ଗଲା । ଆଇନ ଅଧ୍ୟୟନ କଲା । ପାଠପଢ଼ା ଭିତରେ ସାଧାରଣ ପବ୍ଲିକ୍‌ କାମରେ ମଧ୍ୟ ସାହାଯ୍ୟକରେ—ନିଗ୍ରୋଙ୍କ ଅଧିକାର ସଂକ୍ରାନ୍ତୀୟ ସମସ୍ୟା ଇତ୍ୟାଦି । ହାର୍‌ଭାର୍ଡ଼ରୁ ପାଠ ଶେଷ କରୁ କରୁ ଫୁଲ୍‌ବ୍ରାଇଟ୍‌ ସ୍କଲର୍‌ସିପ୍‌ ପାଇ ଆସିଲା ଭାରତବର୍ଷକୁ । ଦିଲ୍ଲୀରେ ଆମେରିକାନ୍‌ ଏମ୍ବାସି ରିଚାର୍ଡ଼କୁ ଅନେକ ଠିକଣା ଦେଲେ ଭାରତରେ ରହିବାପାଇଁ । ବୁଲି ବୁଲି ତା’ ମନକୁ ପାଇଲା, ଗଲ୍‌ଫଲିଙ୍କ୍‌ରେ ଜଣେ ମହାରାଷ୍ଟ୍ରୀୟ ମହିଳାଙ୍କ ଘର । ତାଙ୍କରି ପାଖରେ ରିଚାର୍ଡ଼ କହିଲା, ଆପାତତଃ ବର୍ଷକ ପାଇଁ ।

 

ରିଚାର୍ଡ଼କୁ ଦିନେ ଖୁବ୍‌ ଜ୍ୱର ହେଲା । ଆଗରୁ ଅନେକଥର ରିଚାର୍ଡ଼ର ଦେହ ହୁଏତ ଖରାପ ହୋଇଥିଲା । କିନ୍ତୁ ଏଠି ଅଧିକା ଭୟ—ଏଟା ଭାରତବର୍ଷ, ଭଲ ଡାକ୍ତର, ଭଲ ଔଷଧ ନଥିବ ।

 

ମହିଳା ଜଣକ ବିଦେଶ ଯାଇନାହାନ୍ତି । ଗୃହୀ ସ୍ତ୍ରୀଲୋକ । ଅଳ୍ପ ବୟସରେ ବିଧବା ହୋଇଯାଇଛନ୍ତି । ତାଙ୍କ ସ୍ୱାମୀ ଏଇ ଘର ତୋଳିଥିଲେ । ତାକୁଇ ଭଡ଼ାଦେଇ ଓ ସ୍ୱାମୀଙ୍କ ଗଚ୍ଛିତ ଅର୍ଥରେ ଚଳନ୍ତି । ରିଚାର୍ଡ଼ ସରଳ ପିଲାଟିଏ । ଥଟ୍ଟାରେ କୁହେ—ଆରଜନ୍ମରେ ମୁଁ ଭାରତୀୟ ଥିଲି । ତାର ଚାଲିଚଳନ ଶାନ୍ତ । ରୋମାଁରୋଁଲାଙ୍କ ରାମକୃଷ୍ଣ, ବିବେକାନନ୍ଦ ବହିସବୁ ପଢ଼ିଛି । ଗାନ୍ଧିଜୀ, ଭାରତର ଦର୍ଶନ ସଂକ୍ରାନ୍ତରେ ଅନେକ ଆଗ୍ରହ ।

 

ଜର ଯେତେବେଳେ ବଢ଼ିଲା, ଶହେ-ତିନ୍‌ ଶହେ-ଚାରି ଖଣ୍ଡେ ହୋଇଗଲା, ଯେ ଅସ୍ତବ୍ୟସ୍ତ ହୋଇଉଠିଲା । ଡାକ୍ତରଙ୍କ ଔଷଧରେ ଦିନରେ ଜ୍ୱର କମିଯାଉଥାଏ, ରାତିରେ ପୁଣି ବଢ଼ିଯାଏ । ଛଟପଟ ହୋଇଉଠୁଥାଏ ବିଚରା ରିଚାର୍ଡ଼ ! ମହିଳା ଜଣକ ଏ ଦୃଶ୍ୟ ଆଉ ସହ୍ୟ କରିପାରିଲେ ନାହିଁ । ଆସିଲେ ରିଚାର୍ଡ଼ ପାଖକୁ । ଔଷଧ ଦେଲେ, ମୁଣ୍ଡ ଦେହପା ଆଉଁଷିଦେଲେ । ପଥ୍ୟ ଦେଲେ । ସାରା ରାତି ତା’ ବିଛଣା ପାଖରେ ବସିରହିଲେ । ସେବା କଲେ ରାତି ପରେ ରାତି-। କ୍ରମେ କ୍ରମେ ତା’ ଦେହ ଭଲହୋଇଆସିଲା । ଦିଲ୍ଲୀରେ ସେତେବେଳକୁ ଅସମ୍ଭବ ଗରମ । ତାକୁ ସାଙ୍ଗରେ ବାହାରକୁ ନେଇଗଲେ—ଡେରାଡ଼ୁନ୍‌କୁ । ଦେଖାଇଲେ ଶିବମନ୍ଦିର, ହିମାଳୟ ।

 

ରିଚାର୍ଡ଼ର ଏବେ ପୁନର୍ଜନ୍ମ ହୋଇଛି । ତାର ବାପା ମା’ ଆମେରିକା ସଭ୍ୟତାରେ ହଜିଯାଇଥିଲେ—ଫେରିପାଇଛି ସେ ଭାରତବର୍ଷରେ । ବର୍ତ୍ତମାନ ସେ ସବୁ ଛାଡ଼ିଦେଇଛି ମନ ଭିତରେ । ତାର ଆଉ କିଛି ଧର୍ମ ନାହିଁ । କେହି ବାପା ମା’ ନାହାନ୍ତି । କୌଣସି ଦେଶ ନାହିଁ—ଏପରିକି କୌଣସି ଗାର୍ଲଫ୍ରେଣ୍ଡ ବି ନାହାନ୍ତି । ଏହି ମହିଳାଜଣକ ତାର ସର୍ବସ୍ୱ—ପିତାମାତା, ବାନ୍ଧବୀ, ପ୍ରିୟା—ନାରୀତ୍ୱର ଏକ ସଂପୂର୍ଣ୍ଣ ରୂପ । ରିଚାର୍ଡ଼ ପ୍ରତ୍ୟେକ ବର୍ଷ ଆସେ ଏ ମହିଳାଙ୍କ ପାଖକୁ । ପ୍ରତ୍ୟେକ ସପ୍ତାହରେ ଚିଠି ଲେଖେ । ଘରେ ଏ ମହିଳାଙ୍କର ଗୋଟାଏ ସାନ ମୂର୍ତ୍ତି ପିତଳର ରଖିଛି । କହିଲା—ଯେତେବେଳେ ମୋ’ ପାଖରେ ବହୁତ ଧନ ହୋଇଯିବ—ସନ୍ନ୍ୟାସ ନେବି—ତୁମର ସେ ଦିଲ୍ଲୀରେ । ଯମୁନା କଳରେ ବସିଥିବି... କାଳ ଓ ଘଟଣା ବୋହି ଚାଲିଥିବ । ସବୁ କେବଳ ଦେଖିବା, ସବୁ କେବଳ ଶୁଣିବା ତ ତୁମର ସନ୍ନ୍ୟାସ !

 

ଆମେରିକାର ସହରମାନଙ୍କ ତଳିରେ, ଅଳ୍ପ ଦୂରରେ ଛୋଟ ଛୋଟ ଜଙ୍ଗଲ, ଝରଣା, ପାହାଡ଼ ସବୁ ପ୍ରାୟ ଥାଏ । ସେଠି କିଛି ଲୋକ ରହନ୍ତି—ଆମରି କଟେଜ୍‌ମାନଙ୍କ ପରି । ସେଥିପାଇଁ ତୁମେ ଟିକେ ଅଧିକା ଧନୀ ହୋଇଥିବା ଦରକାର । ତୁମ ପାଖରେ ଅନ୍ତତଃ ଦୁଇଖଣ୍ଡ ଗାଡ଼ି ଥିବ । ଜିନିଷପତ୍ର ସବୁ ବାହାରୁ କିଣାହୋଇ ଆସିବ । ରୋଷାଇ ହେବ । ସାନ ସାନ ପିଲାଏ ଯାହା ସବୁ କଳ୍ପନା କରି ଭାବିପାରିବେ ଆମେରିକାନ୍‌ମାନଙ୍କ ଘରେ ସେଇ ପ୍ରକାରର ଜିନିଷସବୁ ଅଛି । ଏଠି ଟିପିଦେଲେ ଏଇଟା ଉଠିଯିବ—ସେଥିରୁ ସାବୁନଫେଣ ବାହାରିବ । ମଇଳା ପ୍ଲେଟ ଇତ୍ୟାଦି ରଖିଦେଇ ଆଉ ଗୋଟାଏ ସୁଇଚ୍‌ ଟିପିଦେଲେ ସବୁ ତଳକୁ ଯାଇ ସଫାହେବ । ରୋଷାଇଘର ତାଙ୍କର ଦେଖିବାର କଥା । ନାଲି, ନେଳି, ରଙ୍ଗ । ସବୁଘର ପୂରାଭାବରେ ଏୟାରକଣ୍ଡିସନ୍‌ଡ଼ । ଇଚ୍ଛାମୁତାବକ ଥଣ୍ଡା ଗରମ କରିହୁଏ । ଏଇଟା କରିବାକୁ ବାଧ୍ୟ ସେଠାକାର କର୍‌ପୋରେସନର ନିୟମ ଅନୁସାରେ ।

 

ପ୍ରତ୍ୟେକ ଚାରି ପାଞ୍ଚବର୍ଷରେ ଆମେରିକାର ଲୋକେ ଘର ବଦଳାନ୍ତି । ଏ ଘର ଛାଡ଼ି ସେ ଘରକୁ—ସିଏ ସେ ଘର ଛାଡ଼ି ଏ ଘରକୁ । ଥଟ୍ଟାରେ କହନ୍ତି—ଆମେରିକାନ୍‌ ପ୍ରତ୍ୟେକ ପାଞ୍ଚବର୍ଷରେ ଘର ବଦଳାଏ, ସ୍ତ୍ରୀ ବଦଳାଏ, ଚାକିରି ବଦଳାଏ । କୌଣସି ଜାଗାରେ କୌଣସି ବିଷୟରେ ସେ ସ୍ଥିର ହୋଇ ରହିପାରେନା । ସବୁବେଳେ ତା’ ପାଇଁ କିଛି ନା କିଛି ନୂଆ ଦରକାର ।

 

ଆମେରିକାର ଏହି ଚମତ୍‌କାରିତା ପ୍ରକାଶ ପାଇଁ ଖୁବ୍‌ ଗର୍ବର ସାମଗ୍ରୀ । ପ୍ରକାଶ କହେ–ଭାରତବର୍ଷରେ ଥିଲେ ମୋର ଅବସ୍ଥା କ’ଣ ହୋଇଥାନ୍ତା ? ପାଇଥାନ୍ତି ଏ ଘର ? ଏ ଚାକିରି-? ଏପରି ଗାଡ଼ି ? ଏ ଉନ୍ମାଦନା ? ଏପରି ସ୍ତ୍ରୀ ? ସ୍ତ୍ରୀ ତାର ଆଇରିସ୍‌ । ସୁନ୍ଦରୀ, ଶିକ୍ଷିତା । ସେଥିପାଇଁ ସେ ଆମେରିକାର ବାସିନ୍ଦା ହୋଇଯାଇଛି । ସେ ବର୍ତ୍ତମାନ କମ୍ପ୍ୟୁଟର କମ୍ପାନୀର ବଡ଼ ଅଫିସର । ବୟସ ଅଳ୍ପ । ତାର ପିତାଙ୍କର ଅକାଳ ମୃତ୍ୟୁ ହୁଏ ଭାରତର ଏମ୍ବାସିରେ କାମ କଲାବେଳେ । ସେତେବେଳକୁ ପ୍ରକାଶକୁ ମାତ୍ର ପାଞ୍ଚବର୍ଷ । ତାର ବିଧବାମାତାଙ୍କ କର୍ମକୁଶଳତା ପାଇଁ ତାର ଶିକ୍ଷାଦୀକ୍ଷା ସମ୍ଭବ ହୋଇପାରିଛି ଆମେରିକାରେ ।

 

ମା’ ମୋର ବିଧବା । ମାନୁଛି, ମୋ ପାଇଁ ଅନେକ କଷ୍ଟ କରିଛି । କିନ୍ତୁ ତା’ ବୋଲି ତ ମୁଁ ଆଉ ମୋର ଭବିଷ୍ୟତ ଜୀବନ, ମୋ ସ୍ତ୍ରୀର ଜୀବନ, ପିଲାମାନଙ୍କ ଜୀବନ ସବୁ ନଷ୍ଟ କରିଦେଇ ପାରିବି ନାହିଁ ! ଆମ ସମସ୍ତଙ୍କୁ ଅଲଗା ଅଲଗା ହୋଇ ରହିବାକୁ ହେବ । ତା’ ଛଡ଼ା ମା’ର ତ ବୟସ ପରିପକ୍ୱ । କେତେବେଳେ ତାର ମୃତ୍ୟୁ ହେବ କିଏ କହିପାରିବ ? —ପ୍ରକାଶ ମା’ ଘରେ ତା’ ପାଖରେ ନରହି ସହର ତଳିରେ ଗୋଟାଏ କଟେଜ୍‌ କରି ରହିଛି ।

 

ଦୂର ସୋଫାରେ ଆଉଜିକି ବସିଛନ୍ତି ମିସେସ୍‌ ମେନନ୍‌—ପ୍ରକାଶର ମା’ । ଆଖି ଛଳଛଳ । କହିଲେ—ପ୍ରକାଶ ଯାହା କହୁଛି ସତ । ମିଷ୍ଟର ମେନନ୍‌ଙ୍କ ମୃତ୍ୟୁ ପରେ ମୁଁ ଯାଇଥିଲି ମାଡ଼୍ରାସ । ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନାହିଁ । ଖଣ୍ଡେ ଚାକିରି ଖୋଜିଲି, ପାଇଲିନାହିଁ । ଦୁଇଦୁଇଟା ଛୁଆଙ୍କୁ କେଉଁଠି ରଖିଥାନ୍ତି ? କେଉଁ ବନ୍ଧୁବାନ୍ଧବ ସାହାଯ୍ୟ କରିବାକୁ ସାମାନ୍ୟ ଇଚ୍ଛା ବି ପ୍ରକାଶ କଲେନାହିଁ । ଯାହା କିଛି ଜମି ଘର ଥିଲା, ଇତିମଧ୍ୟରେ ସେସବୁକୁ ସେମାନେ ଦଖଲ କରୁଥିଲେ । ଆମକୁ ଦେଖି ଭୟ ଓ ଘୃଣା କଲେ—କାଳେ ଆମେ ଆମର ଦାବୀ ସାବ୍ୟସ୍ତ କରିବୁ । ଫେରିଆସିଲି । ଯାହା ଆମେ ପାଇଛୁ ସବୁ ଆମେରିକାର । ଏ ଘର, ଏ ପୁଅ, ଏ ଝିଅ, ସେମାନଙ୍କ ଶିକ୍ଷା, ସେମାନଙ୍କ ଉପାର୍ଜନ, ମୋ ଚାକିରି, ଆମର ଏ ଐଶ୍ୱର୍ଯ୍ୟ—ସବୁ ଆମେରିକାର ଦାନ । ଆମେରିକା ମହାନ୍‌—ଆମେରିକା ଗୌରବମୟ । ଧନ୍ୟ ଆମେରିକା ! ସାରା ଜୀବନ ମୁଁ କୃତଜ୍ଞ ରହିବି ଆମେରିକା ପାଖରେ ।

 

ଆମେରିକା କାହାର ନୁହେଁ । ଯେଉଁ ଇଂରେଜ ପ୍ରଥମ ବାସିନ୍ଦାମାନେ ଆମେରିକା ଆସିଥିଲେ, ଥରେ ସେମାନେ ସଭାକରି ଦାବି କଲେ ଯେ ଆମେରିକା କେବଳ ଆମ୍ଭମାନଙ୍କର—ଇଂଲଣ୍ଡର ଧଳା ପ୍ରୋଟେସ୍‌ଟାଣ୍ଟ ଖ୍ରୀଷ୍ଟିୟାନ୍‌ ଲୋକଙ୍କର । ସଭାପତି ପଦ ପାଇଁ ରୁଜ୍‌ଭେଲ୍‌ଟ୍‌ଙ୍କ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥାଏ । ଏମାନେ ତାଙ୍କୁ ଡାକିଲେ ତାଙ୍କର ସମର୍ଥନ ପାଇଁ । ସେ ଛିଡ଼ାହୋଇ କହିଲେ—ହେ ମୋର ଇମିଗ୍ରାଣ୍ଟ୍‌ ଭାଇ ଓ ଭଉଣୀମାନେ...

 

ଅର୍ଥାତ୍‌ ଆମେରିକା କାହାର ନୁହେଁ, ଯିଏ ଆସିଛି ତାର । ଇଟାଲି, ପୋଲାଣ୍ଡ, ଆଫ୍ରିକା, ଭାରତ, ଭିଏତ୍‌ନାମ, କ୍ୟୁବା, ଲାଟିନ୍‌, ଆମେରିକା ସବୁଆଡ଼ର ଲୋକରେ ଆମେରିକା ଭରପୂର । ଆମେରିକା ସମସ୍ତଙ୍କୁ ନେଇ ଗଢ଼ା । ଏଇଟା ବି ସତ—ତାଙ୍କ ଭିତରେ ଭୀଷଣ ମାଡ଼ପିଟ—ଧଳା କଳା—ଖ୍ରୀଷ୍ଟିୟାନ ଇହୁଦି—ଇଉରୋପ ଚାଇନିଜ୍‌ । ଏ କଥା ମଧ୍ୟ ସତ ଯେ, ଆମେରିକା କ୍ରମେ କ୍ରମେ ତାର ଦରଜା ବନ୍ଦ କରିଦେଉଛି ବାହାର ଲୋକଙ୍କ ପାଇଁ । କିନ୍ତୁ ଘରଭିତରେ ଯିଏ ସବୁ ରହିଯାଇଛନ୍ତି, ଆମେରିକା ସେମାନଙ୍କର । ଆମେରିକାର ଗୋଟେ ଗିଲ୍‌ଟ୍‌ କଂପ୍‌ଲେକ୍‌ସ ଅଛି । ସବୁବେଳେ ନିଜକୁ ଦୋଷୀ ଦୋଷୀ ମନେକରି ଅନ୍ୟମାନଙ୍କୁ ସାହାଯ୍ୟକରେ—ଯେପରି କ୍ୟୁବା, ଭିଏତ୍‌ନାମ୍‌, ଆଫ୍ରିକା ଲୋକଙ୍କ ସଂକ୍ରାନ୍ତରେ । ମନେ ମନେ ଭାବେ—ଏସବୁ ଦେଶମାନଙ୍କ ଉପରେ ସେ ଅନ୍ୟାୟ କରିଛି—ସେଥିପାଇଁ ସେଠାକାର ଲୋକଙ୍କ ପାଇଁ ତାଙ୍କର ସ୍ୱତନ୍ତ୍ର ଦାୟିତ୍ୱ । ଆମେରିକା ସମସ୍ତଙ୍କର ରକ୍ତ, ସମସ୍ତଙ୍କର କୃତିତ୍ୱ ଉପରେ ଗଢ଼ା । ପୃଥିବୀରେ ଏପରି ଆଉ କୌଣସି ଦେଶ ନାହିଁ, ଆଉ କୌଣସି ଦେଶ ହେବନାହିଁ ।

 

ପାଖରେ ପୁଅ ନାହିଁ, ଝିଅ ନାହିଁ, ସ୍ୱାମୀ ନାହିଁ, ବନ୍ଧୁବାନ୍ଧବ ନାହିଁ । ଅଯୋଧ୍ୟା ବୃନ୍ଦାବନ ବି ଦଶହଜାର ମାଇଲ ଦୂର । ଗୋଟାଏ ବଡ଼ ଚଉଡ଼ାଘର—ମିସେସ୍‌ ମେନନ୍‌ଙ୍କର ।

 

ଏକା ଏକା ଲାଗେନାହିଁ ମିସେସ୍‌ ମେନନ୍‌ ? ରାତିରେ ଯେତେବେଳେ ବରଷା ଭିଡ଼ିଆସେ ?

 

ଗଲା ଦଶବର୍ଷ ହେଲା, ପ୍ରତ୍ୟେକ ଛୁଟିଦିନ ଯେତେବେଳେ ସମୟ ପାଏ, ସବୁବେଳେ ଯାଏ ସେ ରେଡ଼କ୍ରସ୍‌ ହସ୍‌ପିଟାଲ୍‌କୁ । କେତେ ଦୁଃଖ କଷ୍ଟ ଭିତରେ ଲୋକେ ଅଛନ୍ତି । ହାତ ଗୋଡ଼ କଟିଯାଇଛି । ଭିଏତ୍‌ନାମ୍‌ ଲଢ଼େଇ ଫେରନ୍ତା ମୋ’ ପୁଅ ବୟସର କେତେ । ସେଇଦିନଠୁ ସେ ଡାକ୍ତରଖାନାକୁ ନିଜର କର୍ମସ୍ଥଳି କରିନେଇଛି । ମୋ’ ପରି ସେ’ଠି ଅଛନ୍ତି ମିସେସ୍‌ ଲିମ୍‌ଲେ, ମିସେସ୍‌ କେଲୀ । ଆମେ ସିନେମା ଦେଖୁ । ରେଷ୍ଟୁରାଁକୁ ଯାଉଁ—ରୋଗୀମାନଙ୍କୁ ସାଙ୍ଗରେ ନେଇ । ଜୀବନକୁ ତ ମୁକାବିଲା କରିବାପାଇଁ ହେବ, ସୁଖ ସ୍ୱାଚ୍ଛନ୍ଦ୍ୟ ଗର୍ବ ନେଇ ତ ବଞ୍ଚିବାକୁ ପଡ଼ିବ !

 

ଗୁମ୍‌ ଗୁମ୍‌ ହୋଇ ବର୍ଷା ଚାରିଆଡ଼ୁ ଭିଡ଼ିଆସିଲାଣି । ଆକାଶରେ ଛାଇ ମେଘ ଘନେଇଗଲା । ପ୍ରକାଶ କହିଲା—ଗୁଡ଼୍‌ ନାଇଟ୍‌ ମମି । ବୋହୂ ଛୁଆ ସମସ୍ତେ ବାହାରିଲେ—ନିଜ ନିଜ ଗାଡ଼ିରେ ଜଲ୍‌ଦି ଜଲ୍‌ଦି । ରାସ୍ତାରେ ମଝିରେ ମଝିରେ ପାଣି ଜମିଯାଏ ଝଡ଼ବର୍ଷା ହେଲେ । ଆଉ ଏଇଟା ବଡ଼ ଏକ ବର୍ଷା ଆସିଲାପରି ଜଣାପଡ଼ୁଥିଲା ।

 

ମିସେସ୍‌ ମେନନ୍‌ଙ୍କ ସାଙ୍ଗରେ ହାତ ମିଳାଇ ବିଦାୟ ନେଲେ ସମସ୍ତେ । ମୋର ପାଳି ପଡ଼ିଲା । କହିଲେ, ତୁମ ପାଇଁ ତ ସବୁ ଜାଗା ସମାନ, ଆଜି ଏଇଠି ରୁହ । ଆଜି ରାତିରେ ତୁମ ପାଇଁ ଡିନର୍‌ କରିବି । ଇଟାଲିୟାନ୍‌ । କାଲି ରବିବାର । ତୁମକୁ ଖୁଆଇବି ଦୋଷା ଇଟ୍‌ଲୀ । ଶୋଇବା ଲୁଗାପଟା ପାଇଁ ଏଠି ଗୋଟାଏ ସେଟ୍‌ ଅଛି ନୂଆ । ଆଣେ ଟିକେ କଫି, ଥଣ୍ଡା ପଡ଼ିଛି ।

 

ଅତି ଆଶା ଅତି ଆଗ୍ରହରେ ରୋଷାଇଘର ଭିତରକୁ ଏ ବୟସରେ ବି ଦୌଡ଼ି ଦୌଡ଼ି ଯାଉଥାନ୍ତି । ମୁଁ ବଡ଼ ପାଟିରେ ଡାକିଲି—ମିସେସ୍‌ ମେନନ୍‌ ।

 

ତାଠୁ ଉଚ୍ଚ ସ୍ୱରରେ କହିଲେ—ମୋ ନାଁ ଶୁଭଲକ୍ଷ୍ମୀ ।

 

ଡାକିଲି—ଶୁଭଲକ୍ଷ୍ମୀ !

 

ଗୋଟିଏ ବଡ଼ ଘଡ଼ଘଡ଼ି ଶବ୍ଦରେ ଏ ଡାକ ତାଙ୍କୁ ଶୁଭି ନ ଥିବ ।

 

ଆମେରିକା ଲୋକଙ୍କର ସବୁବେଳେ ଗୋଟାଏ ସ୍ୱପ୍ନ ଅଛି—କିପରି ସବୁ କଥା ଜାଣିବେ, ସବୁ କଥା କରିବେ । ସମଗ୍ର ପୃଥିବୀର ଦାୟିତ୍ୱ ଯେପରି ତାଙ୍କରି କାନ୍ଧ ଉପରେ । ଯଦି କୋରିଆରେ କିମ୍ବା କ୍ୟୁବାରେ କି ଉଗାଣ୍ଡାରେ କିଛି ଗୋଳମାଳ ହେଲା ତାଙ୍କ ଘର ଭିତରେ—ଆମେରିକା ଭାବେ ତାର ଦାୟିତ୍ୱ—ସେ ସମାଧାନ କରିବ । ଚନ୍ଦ୍ର ଭିତରେ କଣ ଅଛି; ଇଜିପ୍‌ଟ୍‌ର ପିରାମିଡ଼୍‌କୁ କିପରି ରକ୍ଷାକରାଯିବ, ଥାଇଲାଣ୍ଡ ସରକାରକୁ କିପରି ଦୃଢ଼ କରାଯିବ, ସବୁ ବିଷୟରେ ନାକ ପୂରାଇବାର ଅଧିକାର ଆମେରିକାର ଅଛି ବୋଲି ତାଙ୍କର ବିଶ୍ୱାସ । ସେଥିପାଇଁ ଆମେରିକାନ୍‌ମାନଙ୍କୁ ‘ଅଗ୍‌ଲି ଆମେରିକାନ୍‌’ କହନ୍ତି । ପୁଣି ସେଥିପାଇଁ ବି ଗୋଟିଏ ବିଶ୍ୱବିଦ୍ୟାଳୟର ଦଶ ଏକର କ୍ୟାମ୍ପସ ଭିତରେ ଏଗାରଜଣ ନୋବେଲ୍‌ ପ୍ରାଇଜ୍‌ ପାଇଲାବାଲା ପ୍ରଫେସର୍‌ ହାଓ୍ୱାଇନ ଜାମା ପିନ୍ଧି ସଂଧ୍ୟାରେ ଘାସ ଉପରେ ବୁଲୁଥାନ୍ତି । ଭଲମନ୍ଦ ସବୁ ସେହି କଥାରୁ ଜନ୍ମ—କିପରି ସବୁଠୁ ସବୁ ବିଷୟରେ ବଡ଼ହେବେ, କିପରି ସବୁକଥା ସବୁ ବିଷୟରେ ଜାଣିବେ ।

 

ସେ ସ୍ୱପ୍ନ ବିଭିନ୍ନ ପ୍ରକାରରେ ପ୍ରତ୍ୟେକ ଆମେରିକାନକୁ ଘାରେ । ଘାରିଲା ଇସାଡ଼ୋରା ଡନ୍‌କାନ୍‌ଙ୍କୁ ଓ ତାଙ୍କ ଭଉଣୀଙ୍କୁ । ସାନ ଧରଣର ନିଶା । ବଡ଼ ଜଣକ ଭାବିଲେ ଜାଣିବେ ଭାରତୀୟ ଦର୍ଶନ । ତାଙ୍କ ଭଉଣୀ ଚାହିଁଲେ ଜାଣିବେ ଭାରତୀୟ ନୃତ୍ୟ । ଉଭୟଙ୍କ ବୟସ ଯଥାକ୍ରମେ ପଞ୍ଚଷଠି ଓ ଷାଠିଏ । ଜଣେ ଗଲେ ବନାରସକୁ । ଆରଜଣକ ମାନ୍ଦ୍ରାଜ । ଚାରିବର୍ଷ ପରେ ଫେରି ଆସିଲେ । ବନାରସବାଲୀ ଗୀତା ପଢ଼ିଛି । ମାନ୍ଦ୍ରାଜବାଲୀ ଜାଣିଛି ଭାରତନାଟ୍ୟମ୍‌ । ଏମାନଙ୍କ ଘର ଆଲାସ୍କାରେ । ଆମେରିକାର ତାଳି ଉପରେ । ଦଶମାସ ବରଫରେ ବୁଡ଼ିରହେ । ସୂର୍ଯ୍ୟ ଛ’ମାସ—ଆଉ ଛ’ମାସ ରହନ୍ତି ନାହିଁ । ଏବେ ଏଠି ପେଟ୍ରୋଲ ବାହାରିଛି । ପୁଞ୍ଜିଏ ଲୋକ । ହଠାତ୍‌ ରାଜ୍ୟଟି ଧନୀ ହୋଇଗଲା । ଆଲାସ୍କା ସରକାର ପିଛିଲା ବର୍ଷମାନଙ୍କରେ ଯେଉଁସବୁ ଟିକସ ଖଜଣା ଆଦାୟ କରିଥିଲା, ତା’ ରାଜ୍ୟର ଲୋକଙ୍କୁ ସେ ସବୁ ଫେରାଇଦେଇଛି । ସେ ସରକାରର ଆଉ ଅର୍ଥ ଦରକାର ନାହିଁ । ଏ ଡନ୍‌କାନ୍‌ ଭଉଣୀମାନଙ୍କଠୁ ଶିଖିବାର କଥା—ଜୀବନକୁ କିପରି ଉପଭୋଗ କରିବ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ।

 

ବଡ଼ ଡନ୍‌କାନ୍‌ର ପୁଅ ଜନ୍‌ ଲେଭୀ ବି ସ୍କୁଲରେ ପଢ଼ିଲାବେଳେ ଛୁଟିରେ ବନାରସ ଯାଇଥିଲା, ଭାରତ ସହିତ ଯେପରି ସଂପର୍କ ରହେ । ଜନ୍‌ ଜର୍ଜଟାଉନ୍‌ ଇଉନିଭର୍‌ସିଟିର ଛାତ୍ର । ଏବେ ତାର ବି.ଏ. ପାଶ୍‌ ହେଲା । ତାଙ୍କର ସମାବର୍ତ୍ତନ ଉତ୍ସବକୁ ସମସ୍ତେ ଯାଇଥିଲୁ । ଜନ୍‌ର ବାପା ଅନେକ ଦିନରୁ ଚାଲିଯାଇଛନ୍ତି । ସେଥିପାଇଁ ଆଲାସ୍ଥାରୁ ତା’ର ମା’ ଓ ତା’ର ସାନ ଭଉଣୀ ଦିହେଁ ଆସିଥିଲେ । ପୁଅର ବି.ଏ. ଡିଗ୍ରୀ ସମାବର୍ତ୍ତନ ଉତ୍ସବରେ ପାଇବାର କଥା । ଆମରି ପରି ସେମାନଙ୍କ ଇଉନିଭର୍‌ସିଟିରେ ସଭା, ଶୋଭାଯାତ୍ରା, ଭାଷଣ । ଏଥର ଭାଷଣ ଦେଲେ ଜଣେ ଅତି ଅଳ୍ପ ବୟସର ବ୍ୟକ୍ତି । ବୟସ ତାଙ୍କର ତିରିଶ କି ପଇଁତିରିଶ ହେବ । ଆରକାନ୍‌ଗାସ୍‌ର ଗଭର୍ଣ୍ଣର । ଏ ରାଜ୍ୟଟି ଆମେରିକା ଭିତରେ—ଓଡ଼ିଶା ଯେପରି ଭାରତବର୍ଷ ଭିତରେ । ଏ ଗଭର୍ଣ୍ଣର ଜଣକ ସେହି ଜର୍ଜଟାଉନ ବିଦ୍ୟାଳୟର ଛାତ୍ର ଥିଲେ । ତାଙ୍କର ସମାବର୍ତ୍ତନ ଉତ୍ସବକୁ ‘କମେନ୍‌ସ୍‌ମେଣ୍ଟ ଡେ’ କହନ୍ତି । ଆମରି ପରି କଳା, ନାଲିଆ ଗାଉନ୍‌, ଟୋପି ପିନ୍ଧନ୍ତି । ଫଟ ଉଠାହୁଏ । ଡିଗ୍ରୀ ସବୁ ଦିଆଯାଏ । ନାଁ ସବୁ ଘୋଷଣା କରାଯାଏ ।

 

ଛାତ୍ରମାନେ ଯେଉଁମାନେ ଡିଗ୍ରୀ ପାଇବାର କଥା, ସେମାନେ ଗାଉନ ଭିତରେ ଗୋଟାଏ ଗୋଟାଏ ସାମ୍ଫେନ୍‌ ମଦବୋତଲ ଆଣିଥାନ୍ତି । ମଝିରେ ମଝିରେ ଖୁସିରେ ସେଗୁଡ଼ିକ ଖୋଲନ୍ତି । ସାମ୍ଫେନ ବୋତଲସବୁ ଖୋଲିଲେ ଠିପିଗୁଡ଼ାକ ଠୋ ଠୋ ହୋଇ ଉପରକୁ ଉଠେ, ତା’ ଭିତରେ ଚାପା ହୋଇ ଗ୍ୟାସ୍‌ ଥାଏ ବୋଲି, ସୋଢ଼ାପାଣି ଉପରକୁ ଉଠିଲା ଭଳି ଖୁବ୍‌ ଉପରକୁ ଠିପିସବୁ ଉଠେ । ସାମ୍ଫେନ୍‌ ବୋତଲ ପାଣି ବି ସେହିପରି ବେଶ୍‌ ଉପରକୁ ଉଠେ । ସାମ୍ଫେନ୍‌ ଏମାନଙ୍କ ଦେଶର ଖୁବ୍‌ ଦାମୀ ଓ୍ୱାଇନ୍‌ । ଏହା ଛଡ଼ା ମୋଟାମୋଟି ଆମର ସମାବର୍ତ୍ତନ ଉତ୍ସବ ପରି ଏମାନଙ୍କର କମେନ୍‌ସ୍‌ମେଣ୍ଟ ଡେ । ଜନ୍‌ ଡିଗ୍ରୀ ପାଇଲା ପରେ ତାର ମା’, ତାର ମାଉସୀ ଓ ତାର ଝିଅସାଙ୍ଗ ସମସ୍ତେ ତାକୁ ଆଲିଙ୍ଗନକଲେ ।

 

ତାର ମା’ ଡନ୍‌କାନ୍‌ କହିଲେ—ପିଲାମାନଙ୍କ ପାଇଁ ଦୁଇଟି ଜିନିଷ ବାପା ମା’ଙ୍କର ଦେବାର ଅଛି । ଗୋଟିଏ ହେଲା ରୁଟ୍‌ସ... ମୂଳଦୁଆ... ଚେର । ଦ୍ୱିତୀୟ ହେଲା ଉଇଙ୍ଗସ୍‌—ଉଡ଼ିବା ପାଇଁ ଡେଣା ଆଜି ମୋର ଦୁଇଟିଯାକ ଦାୟିତ୍ୱ ପୂର୍ଣ୍ଣହେଲା । ତହିଁପରଦିନ ସେ ଫେରିଗଲେ ଆଲାସ୍କା । ଜନ୍‌ ଓ ତାର ଝିଅସାଙ୍ଗ ରହିଲେ ଆମେରିକାରେ ।

 

ଏବେଠୁ ଜନ୍‌ର ଜୀବନଯାତ୍ରା ନିଜ ପାଦରେ ଆରମ୍ଭହେଲା ।

 

ଆକାଶରେ ବାରମାସି ଚଢ଼େଇଟି କେତେବେଳୁ ଘୂରି ଘୂରି ବୁଲୁଛି । ଗୀତ ଗାଉଛି, ଖୋଜୁଛି ତାର ଖାଦ୍ୟ, ତାର ସଂସାର । କିନ୍ତୁ ତାର କ’ଣ ଭୁଲ ? ତଳଟା ତ ଗୋଟାଏ ମରୁଭୂମି ! ଚାରିଆଡ଼ ଖାଲି ବାଲୁକାମୟ । ଏଠି ଖାଦ୍ୟ କାହିଁ ? ସୁଖ କାହିଁ ? ସଂସାର କାହିଁ ?

 

ଏଇଟା ଦକ୍ଷିଣଆମେରିକାର ଗୋଟିଏ ଗାଉଁଲୀ ଗୀତ । ଦକ୍ଷିଣଆମେରିକାରେ ସ୍ପେନ୍‌ ଭାଷା କହନ୍ତି । ସମସ୍ତେ କବିତା ବୁଝନ୍ତି । ବିପ୍ଲବ ଜାଣନ୍ତି । ଦକ୍ଷିଣଆମେରିକା କବି ପାବ୍ଲୋ ନେରୁଦାର ଦେଶ । ବିପ୍ଳବୀ ସାଣ୍ଡନୋର ଦେଶ । ରୁବେନ୍‌ ଦାଢ଼ି ଓ ତିନିବର୍ଷବେଳୁ କବିତା ଆବୃତ୍ତି କରୁଥିଲେ । ପରବର୍ତ୍ତୀ କାଳରେ ସେ ଦର୍ଶନ ମନସ୍ତତ୍ତ୍ୱ ବିଷୟରେ ଆଲୋଚନା କଲେ । ସେ ଦକ୍ଷିଣଆମେରିକାର ଜଣେ ସ୍ୱନାମଧନ୍ୟ କବି ।

 

ଆମର ତୁଳା, କଫି, କଦଳୀ, ରୁପା, ପେଟ୍ରୋଲିୟମ୍‌ସରୁ ଆମେରିକା ଚୋରି କରୁଛି । ସେଥିପାଇଁ ଆମେସବୁ ଏଠି ହାଜର ହୋଇଛୁ କିଛି କିଛି ଉଦ୍ଧାର କରିବୁ ।

 

ଦକ୍ଷିଣଆମେରିକାର ବହୁତ ଲୋକ ଆମେରିକାରେ ଅଛନ୍ତି । ସେପରି ଦୁଇଜଣ ଝିଅ–ଜୁଲି, ଇଲିଆ । ଦକ୍ଷିଣଆମେରିକାରେ ବଡ଼ ବଡ଼ ରାଜ୍ୟସବୁ ଅଛି—କ୍ୟୁବା, ଚିଲି, ମେକ୍‌ସିକୋ, ଆର୍ଜେଣ୍ଟାଇନା ପ୍ରଭୃତି । ପୁଣି ଛୋଟ ଛୋଟ ଦେଶ ବି ଅଛି—ନିକାରଗୁଆ ପରି ।

 

ଜୁଲି ଇଲିଆ ସେଇ ସାନଦେଶର ଲୋକ । ପାସିଫିକ୍‌ ଓ ଆଟ୍‌ଲାଣ୍ଟିକ୍‌ ମହାସାଗର ଦୁଇକଡ଼କୁ ବେଢ଼ି ରଖିଛି । ଏଠି ତିନୋଟି ଋତୁ—ଗ୍ରୀଷ୍ମ, ଶୀତ ଓ ବସନ୍ତ । ଦକ୍ଷିଣଆମେରିକାରେ ଗୋଟାଏ ବିଶେଷତ୍ୱ, ଏଠି କଳାଲୋକଙ୍କ ପାଇଁ ବିଶେଷ ଘୃଣା ନାହିଁ ।

 

ଜୁଲି ଓ ଇଲିଆ ଦେଖିବାପାଇଁ ଆମ ସିନେମାର ଆକ୍‌ଟ୍ରେସ୍‌ମାନଙ୍କ ପରି ଅତି ସୁନ୍ଦରୀ-। ଧୋବ ଫର୍‌ ଫର୍‌ ରଙ୍ଗ । ଓଠ, ନାକ, ମୁହଁ, ଆଖି ସବୁ ମିଶି ମୁହଁରେ ଗୋଟାଏ ମାଦକତା ସୃଷ୍ଟି କରୁଛି । ଜୁଲି ପଢ଼ୁଛି ଆଇନ୍‌ ଓ ପବ୍ଲିକ୍‌ ଆଡ଼ମିନ୍‌ଷ୍ଟ୍ରେସନ୍‌ । ତା’ ସାଙ୍ଗ ଇଲିଆ ପଢ଼ୁଛି ଦର୍ଶନ । ଇଲିଆ ଭାରତର କର୍ମବାଦ ଉପରେ ରିସର୍ଚ୍ଚ କରୁଛି । ଜୁଲି ରବୀନ୍ଦ୍ର ନାଥଙ୍କ ‘ମାଥା ନତ କରେ ଦାଓ’ର ସ୍ପାନିଶ୍‌ ଅନୁବାଦ ଆବୃତ୍ତି କରୁଥାଏ । ତା’ ସ୍ପାନିସ୍‌ ଭାଷାର ସବୁ ତର୍ଜମା ହୋଇଛି—ରବୀନ୍ଦ୍ରନାଥ, ଇନ୍ଦିରାଗାନ୍ଧୀ, ଲମ୍ପା ।

 

ଜୁଲିର ଜନ୍ମଦିନ ପାଳନ କରାହେଉଥାଏ । ଚିହ୍ନାଜଣା ଲୋକ ସମସ୍ତେ ସେଇଠି ଠୁଳ ହୋଇଥାନ୍ତି—ଜାପାନଦେଶର ଝିଅ କୁରୀହରା, କୋରିଆର ୟଙ୍ଗ୍‌, ଭାରତରୁ ନିମ୍ମି, ଗାମ୍ୱୀଆରୁ ଜାମେ ଓ ଅନ୍ୟାନ୍ୟ ଅନେକ ।

 

ଜୀବନକୁ ଦୁଇସ୍ତରରେ ଏମାନେ ଉପଭୋଗ କରନ୍ତି । ଗୋଟିଏ ଦିଗ ଶସ୍ତା—ଭଲ ଖାଇବା, ଭଲ ପିନ୍ଧିବା, ଭଲ ପିଇବା ଓ ବହୁତ ପ୍ରେମ କରିବା । ଅନ୍ୟ ଦିଗଟି ଗମ୍ଭୀର—ସାହିତ୍ୟ, ସଙ୍ଗୀତ, ବିପ୍ଲବ । ଯେଉଁ ଜାତିରେ କବିତା, ସଙ୍ଗୀତ, କଳା ପ୍ରତି ଆଗ୍ରହ ନାହିଁ—ସେ ଦେଶରେ ବିପ୍ଲବ ସମ୍ଭବ ନୁହେଁ । ବିପ୍ଲବ ତ ଛୁରି ଚାକୁ କଥା ନୁହେଁ—ବିପ୍ଲବର ସ୍ଥାନ ହୃଦୟରେ, ଯେଉଁଠି ସଙ୍ଗୀତ କବିତା ବି ଥାଏ । ତା’ ଛଡ଼ା ସଙ୍ଗୀତ କବିତା ପ୍ରତି ଆଗ୍ରହର ଅର୍ଥ ନୁହେଁ ଯେ ଶଙ୍କରଲାଲ ହଲ୍‌ରେ କଥକନୃତ୍ୟ ହେଉଛି ଓ ସିଗାରେଟ କମ୍ପାନୀର ମାଲିକମାନେ ଏହାକୁ ସ୍ପୋନ୍‌ସର କରିଛନ୍ତି–ଟିକେଟ ତାଙ୍କଠୁ ମିଳିବ, ନଚେତ୍‌ ସେମାନେ ଫ୍ରି ପାଶ୍‌ ଦେଉଛନ୍ତି ସରକାରୀ, ଦରକାରୀ ଲୋକମାନଙ୍କୁ । ୟାକୁ ତ ଆଉ କଳା ପ୍ରତି ଆଗ୍ରହ କୁହାଯିବନାହିଁ ! ପ୍ରାତଃକାଳ ସୂର୍ଯ୍ୟୋଦୟରୁ ରାତ୍ରିର ଶେଷପ୍ରହର ପର୍ଯ୍ୟନ୍ତ ବିଭିନ୍ନ ଭାବରେ ଏମାନଙ୍କ ଜୀବନ ସହିତ ସଂଗୀତ, କଳା, ବିପ୍ଲବ ଓତପ୍ରୋତ ଭାବରେ ଜଡ଼ିତ ।

 

ଜାମେ ଆଫ୍ରିକାର ଗାମ୍ୱୀଆଦେଶର ରାଜପୁତ୍ର । ତାର ତିନିପୁରୁଷ—ମା, ତାଙ୍କର ମା’, ମା’ଙ୍କ ମା’ଙ୍କର ମା’—ତିନିହେଁ ରାଣୀ ଥିଲେ । ରାଜ୍ୟ ଶାସନ ରାଣୀମାନଙ୍କ ଜରିଆରେ ସେ ଦେଶରେ ଚାଲିଥିଲା । ସେଠି ମିଲିଟାରୀ ଶାସନ ଆସିଲା । ଜାମେ ଓ ତାର ବନ୍ଧୁମାନେ ବିଦ୍ରୋହ କଲେ । ଫଳରେ ଜାମେଙ୍କୁ ଦେଶାନ୍ତର କରାଗଲା । ବର୍ତ୍ତମାନ ସେ ଆମେରିକାରେ କାମ କରେ ଓ ଅବସର ସମୟରେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରେ । ଅପେକ୍ଷା କରିଛି ପୁଣି କେବେ ବିପ୍ଲବର ମଉକା ଆସିବ ।

 

ସେ ପାର୍ଟିରେ ପ୍ରେମ କଥା ସବୁ ପଡ଼ିଲା । କିଏ କେତେ ପ୍ରକାରର କହିଲା । ଜାମେ କହିଲା, ଜୀବନରେ ମୁଁ ଅନେକ ପ୍ରେମ କରିଛି; କିନ୍ତୁ ଜୁଲିପରି ଉନ୍ମାଦନା କେଉଁଠି ପାଇନାହିଁ । ଜୁଲିପକ୍ଷରେ ପ୍ରେମ କୌଣସି ସୂକ୍ଷ୍ମ ଝରଣା ନୁହେଁ, ଏହା ଏକ ଦୁର୍ବାର ଜଳପ୍ରପାତ । ଏଥିଭିତରେ ତୁମେ ଲୀନ ହୋଇ ଭସ୍ମହେବାରେ କି ଗୌରବ ! ଜୁଲି କହିଲା, ମୁଁ ଅନେକ ପ୍ରେମ କରିଛି, କିନ୍ତୁ ଜାମେ ପରି ପ୍ରସ୍ତରଖଣ୍ଡ ଜୀବନରେ ଦେଖିନାହିଁ । ଅସୁନ୍ଦର ରୂପ ମୁଁ ସହ୍ୟକରିପାରେ; କିନ୍ତୁ ଏପରି ଅଜ୍ଞତା ମୁଁ ବରଦାସ୍ତ କରିପାରେନାହିଁ । ଜାମେ କବିତା ବୁଝେନାହିଁ ।

 

ଇଲିଆ କହିଲା, ଜାମେ ପାଇଁ ମୋର କିନ୍ତୁ ଆପତ୍ତି ରହିବନାହିଁ । ଦେଖ ତା’ ଆଖିକୁ, କେତେ ଅଭିମାନ ସେଥିରେ ଭରିରହିଛି । କବିତା ନ ବୁଝୁ ପଛେ, ଦିନେ ମା’ ପାଇଁ ସେ କାଳେ ଲଢ଼େଇ ତ କରୁଥିଲା । ବିଚରା ଜାମେ ! ସେ ରାତ୍ରିରେ ସମସ୍ତେ କିଛି ନା କିଛି କଲେ । କିଏ କବିତା ଆବୃତ୍ତି, କିଏ ଛୋଟ ଏକାଙ୍କିକା, କିଏ ଗୀତ ନାଚ, ଖିଆପିଆ । ସଂଗୀତ ଜୋର୍‌ସୋର୍‌ରେ ଚାଲିଥାଏ । ଜାମେ ଅପମାନ ଦୁଃଖରେ ଗୋଟିଏ କଣରେ କାନ୍ଥକୁ ଆଉଜି ବସିଥାଏ । ମଝିରେ ମଝିରେ ଜୁଲି ତା’ ଆଡ଼କୁ ବେଖାତିର୍‌ ଭାବରେ ଦୃଷ୍ଟି ପକାଏ ।

 

ରାତ୍ରି ଅନେକ ଗହୀରିଆ ହୋଇଆସିଲା । ସମସ୍ତେ ଝିମେଇପଡ଼ି ବସିଯାଇଛନ୍ତି । ସଙ୍ଗୀତ ବି ସରିଗଲାଣି । ଜାମେ ନିଶାରେ ଟିକେ ବିଭୋର । ଗୀଟାର୍‌ ବାକ୍‌ସ ଉପରେ ଭରାଦେଇ ବସିଛି ଜୁଲି । ସେ କଣରୁ ଉଠିଲା ଜାମେ । ଲମ୍ବା ହୋଇ ଛିଡ଼ାହେଲା । ସେ ମଳିନ ଆଲୋକରେ ଛ’ ଫୁଟ ପରି ଦିଶୁଥାଏ । ଜୁଲି ପାଖକୁ ଆସି ଜୋର୍‌ କରି ଟାଣିଆଣିଲା ସେ ବାକ୍‌ସଟାକୁ । ବାକ୍‌ସ ଭିତରୁ ବାହାରକଲା, ସେ ଗୀଟାର୍‌ । କ୍ଳାନ୍ତ ଜନତା ଆଗ୍ରହ ଉପହାସରେ ଦେଖୁଥାନ୍ତି ଜାମେର ଏ କାର୍ଯ୍ୟକ୍ରମ । ଗୀଟାର୍‌କୁ କାନ୍ଧରେ ପକାଇ, ଚାରିଆଡ଼କୁ କ୍ରୋଧ ଆକ୍ରମଣ ଦୃଷ୍ଟିରେ ଅନାଇ ଗୀଟାର୍‌ ତାରରେ ଦୁଇତିନିଥର ଝଙ୍କାର ଦେଲା । ଉପସ୍ଥିତ ଗୋଷ୍ଠୀ ସଜାଗ ହୋଇ ଉଠିଲେ । ସମସ୍ତଙ୍କ ମନରେ ସହାନୁଭୂତିମୂଳକ ଆଶଙ୍କା । ବିଚରା ଜାମେ ନିଜକୁ ଏକ ହାସ୍ୟାସ୍ପଦ ପରିସ୍ଥିତିକୁ ଟାଣିଆଣୁଛି ।

 

ଜାମେ ସବୁ ଦୃଷ୍ଟି ଗୀଟାର୍‌ ତାର ଉପରେ ରଖି ଧୀରେ ଧୀରେ ବଜାଇବା ଆରମ୍ଭ କଲା-। ଆସ୍ତେ ଆସ୍ତେ ସେ ବଜାଇଲା ଗୋଟାଏ ଧୂନ୍‌ । ଆଗ୍ରହରେ ସମସ୍ତେ ଅନାଇଥାନ୍ତି । ତାପରେ ଆରମ୍ଭ କଲା ସ୍ପାନିସ୍‌ ଭାଷାରେ ଫୋକ୍‌ ସଙ୍ଗୀତ, ‘ଆକାଶରେ ଚଢ଼େଇମାନେ ଘୂରି ବୁଲୁଛନ୍ତି.....’-। ପ୍ରାଣଭରା ଗୀତ ବୋଲି ଚାଲିଥାଏ, ରୁବେନ୍‌ଙ୍କର କବିତା । ସାଣ୍ଡୋନାର କଥା । ପୁଣି ପାବ୍ଲୋ ନିରୁଦାଙ୍କ ଲେଖା । ଉପସ୍ଥିତ ଜନତା ଏ ସଙ୍ଗୀତ, ଜାମେର ଏ ଦୁଃଖଭରା ମର୍ମାନ୍ତକ ଗୀତରେ ଅଭିଭୂତ ହୋଇଯାଉଥାନ୍ତି । ଜାମେ ଅବିଶ୍ରାନ୍ତ ବୋଲି ଚାଲିଛି । ମୁହଁରୁ ଝାଳ ବୋହିଯାଉଥାଏ । ସମୟ ବି ଅନେକ ବୋହିଗଲାଣି, କେହି କିନ୍ତୁ ଜାଣିପାରୁନଥାନ୍ତି । ଅବଶେଷରେ ଗୋଟିଏ ଗୀତ ବୋଲିଲା । ଅନେକ ଅଭିମାନର କଥା ସେଥିରେ ଅଛି । ପ୍ରାଣଖୋଲି ବୋଲିଲା । କଣରେ ବସିଥିଲା ଜୁଲି । ଆଉ ଅପେକ୍ଷା କରିପାରିଲାନାହିଁ । ଦଉଡ଼ିଆସି କୁଣ୍ଢାଇ ପକାଇଲା ଜାମେକୁ । କହିଲା, ମୋତେ କ୍ଷମା କର !

 

ଶେଷ ଗୀତଟି ଥିଲା ଜୁଲିର ନିଜ ଲେଖା । ସ୍ୱର ଦେଇଛି ଜାମେ । ଜୁଲି କହିଲା, କାହିଁକି ଏତେ ଦିନ ଅଜ୍ଞାତବାସ କରିଥିଲେ ?

 

ଜାମେ କହିଲା, ସେ ଜଳପ୍ରପାତରୁ କେବେହେଲେ ଅବସର ପାଇ ନ ଥିଲି । ପାଇବାପାଇଁ ଚାହିଁନଥିଲି ।

 

କେବେ ଦେଖିଛନ୍ତି ଲୋକଙ୍କୁ ହସିବାର ? ବଡ଼ପାଟିରେ ମନଖୋଲି ସବୁବେଳେ ? ଏ ନୁହେଁ କି ସମସ୍ୟା ନାହିଁ, ଜୀବନରେ କିଛି କଷ୍ଟ ନାହିଁ । କିନ୍ତୁ ଯେପରି ସେ ସମସ୍ୟା, ସେ କଷ୍ଟସବୁ ତାଙ୍କୁ ଛୁଇଁ ନାହିଁ—ଦୁଆରବନ୍ଧରୁ ଫେରିଯାଉଛି । କହିପାରନ୍ତି ଦେହ ପାଖରୁ—କାରଣ ସେ ଦୁଇଜଣ ସ୍ୱାମୀ ସ୍ତ୍ରୀଙ୍କ ଓଜନ ଜଣକା ଦେଢ଼ଶହ କିଲୋ ପର୍ଯ୍ୟନ୍ତ ହେବ କି କଣ ! ସେ ଦୁଇଜଣ ହେଉଛନ୍ତି ଲିଡ଼ିଆ ଗୋମେଜ୍‌ ଓ ତାଙ୍କର ସ୍ୱାମୀ । ଲିଡ଼ିଆ ଆମେରିକାର ସବୁଠୁ ଦାମୀ ଫୁଲ୍‌ବ୍ରାଇଟ୍‌ ସ୍କଲର୍‌ ସିପ୍‌ ଦାୟିତ୍ୱରେ । ଆଉ ତାଙ୍କର ସ୍ୱାମୀ ଆମେରିକାର ଦ୍ୱିତୀୟ କିମ୍ବା ତୃତୀୟ ବଡ଼ ହୋଟେଲ୍‌ ଚେନ୍‌ ମାରିଏଟ୍‌ କର୍‌ପୋରେସନ୍‌ର ଉପସଭାପତି । ଏଠି ହୋଟେଲ୍‌ ଚେନ୍‌ କହିଲେ ବୁଝାଯାଏ ଯେ, ଆମେରିକାର ପ୍ରତ୍ୟେକ ସହରରେ, ପ୍ରତ୍ୟେକ ବଡ଼ ଅଞ୍ଚଳରେ, ପ୍ରତ୍ୟେକ ବଡ଼ ଅଞ୍ଚଳର ବଡ଼ ରାସ୍ତାମାନଙ୍କରେ, ବଡ଼ ରାସ୍ତାମାନଙ୍କରେ ବଡ଼ ଗଳିମାନଙ୍କରେ ଏମାନଙ୍କ ରେସ୍ତୋରାଁ ବିଦ୍ୟମାନ ।

 

ଲିଡ଼ିଆ ଭାରତ, ଚିନ୍‌, ଆଫ୍ରିକା, ଦକ୍ଷିଣଆମେରିକା ସବୁ ବୁଲିଛନ୍ତି, ସବୁ ଦେଖିଛନ୍ତି, ଜାଣିଛନ୍ତି—ତାଙ୍କ କାମ ସଂକ୍ରାନ୍ତରେ ଓ ଦୁଇଜଣଙ୍କ ଦେଶ ଭ୍ରମଣ ସଂକ୍ରାନ୍ତରେ । ସେଥିପାଇଁ ସୁଫେଲ୍‌ ସାଙ୍ଗକୁ ସମ୍ବର୍‌ ତିଆରି କରନ୍ତି । ଚିକନ୍‌ ତିଆରି କରନ୍ତି ଓ୍ୱାଇନ୍‌ରେ, ଚିନ୍‌ଦେଶର ମସଲା ଦେଇ । ଅନ୍ୟକୁ ଖୋଇବାରେ ତାଙ୍କର ବହୁତ ଆଗ୍ରହ । ସ୍ୱାମୀଙ୍କର ଖାଇବା ତିଆରି କରିବାରେ ମଧ୍ୟ । ସେ ଦୁଇଜଣ ମିଶିଗଲେ ସମଗ୍ର ପୃଥିବୀରେ ସବୁଠୁ ବଡ଼ ରୋଷେୟା ହେବେ ।

 

ସେମାନେ ଖୋଇ ଜାଣନ୍ତି । ଖାଇବାକୁ ଦେବା ଅର୍ଥ କେବଳ ଭଲ ରୋଷେଇ ନୁହେଁ । ବରଂ ଭଲ ରୋଷେଇଟା ଖାଇବାକୁ ଦେବାର ସବୁଠୁ ସାନକଥା । ଅବଶ୍ୟ ଖାଇବା ଖରାପ ହୋଇଗଲେ ଆଉ କେହି ବଞ୍ଚାଇ ପାରିବେ ନାହିଁ । କିନ୍ତୁ ଖାଇବା ଭଲ ତିଆରି ହୋଇଥିଲେ ଖାଇବାକୁ ଦେବା ସମ୍ପୂର୍ଣ୍ଣ ହେଲାନାହିଁ—ମୋଟେ ନୁହେଁ । ଏଥିରେ ଜାପାନୀମାନେ ଉତ୍କର୍ଷ ସାଧନ କରିଛନ୍ତି । ଖାଇବାକୁ ଦେବାଟା ଗୋଟାଏ କଳା । ଏଥିପାଇଁ ଅନେକ ନିୟମ । ପ୍ରଥମେ ଦେଖନ୍ତି, ଖାଇବାକୁ ଦେବାର ବାସନମାନଙ୍କୁ—ଏହାର ଆକାର କିପରି । ପ୍ରତ୍ୟେକ ଆଇଟେମ୍‌ ଅଲଗା ଅଲଗା ବାସନରେ ଦିଆଯିବ । ଯେତେଦୂର ସମ୍ଭବ ସେ ଖାଇବା ଜିନିଷର ଆକାରକୁ ଓ ପରିମାଣକୁ ଚାହିଁ ବାସନର ଆକାର ଠିକ୍‌ ହବ । ଖାଇବାକୁ ଯେଉଁସବୁ ଖାଦ୍ୟ ଦିଆଯିବ, ଦେଖିବାକୁ ହେବ ସେମାନଙ୍କ ରଙ୍ଗ କିପରି । ଖାଇବାଟା ଏପରି ତିଆରି ହେବ ଯେ ତାର ସବୁ ବିଭିନ୍ନ ରଙ୍ଗ ପରିସ୍ଫୁଟ ହେଉଥିବ । ଆଉସବୁ ରଙ୍ଗ ନିଜ ନିଜ ଭିତରେ ମିଶୁଥିବେ—ଏପରି ନହେଉ ଯେ ଆମର ଯେପରି ହୁଏ, ଗାଢ଼ ନାଲିଆ ମାଂସତରକାରି, ତା ପାଖକୁ କଳାକଳା ବାଇଗଣ ଭଜା... ଫିକା ରଙ୍ଗ ଭାତ ଉପରେ ସବୁ ଲଦା ।

 

ପୁଣି ଖାଇବାର ଜାଗା—ତାର ସୁଗନ୍ଧି ଏପରି ହେବ ଯେ ମନେହେବ ଯେପରି ଏଟା ଗୋଟାଏ ଠାକୁର ପୂଜାଘରେ କୌଣସି ନୀତି ଚାଲିଛି । ଜାପାନୀମାନଙ୍କ ଚା’ ଖାଇବାକୁ କହନ୍ତି ଟି–ସେରିମନି । ଚା’ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ । ବଡ଼କଥା ହେଲା ସେହି ସମୟରେ ତୁମର ମନୋଭାବ, ଅନ୍ୟମାନଙ୍କ ପାଇଁ, ସେଠି ଗୁରୁଜନ କିମ୍ବା ଲଘୁଜନ ଅଛନ୍ତି । କିମ୍ବା ସମସ୍କନ୍ଧ—ସମସ୍ତଙ୍କ ପାଇଁ, ଯଥାଯଥ । ପୁଣି ଖାଇବାକୁ ଦେବା ସାଙ୍ଗକୁ କୋଠରିର ଆଲୁଅ ଠିକ୍‌ ଭାବରେ ହୋଇଥିବା ଦରକାର—କିଛିଟା ଆଲୋକ, କିଛିଟା ଅନ୍ଧକାର । ବେଶି ଆଲୋକ କାର୍ଯ୍ୟକ୍ରମକୁ ଲଙ୍ଗଳା କରିଦିଏ । ଖାଇବାଟା କୋମଳ ଜିନିଷ । ଆଲୋକ କୋମଳ ଶାନ୍ତ ହେବା ଆବଶ୍ୟକ । ଲିଡ଼ିଆ ଏ ସବୁ ଜାଣିଛନ୍ତି । କିନ୍ତୁ ଗୋଟିଏ କଥାରେ ତାଙ୍କର ବ୍ୟତିକ୍ରମ—ତାହା ହେଉଛି ଉନ୍ମୁକ୍ତ ଭାବରେ, ଉଚ୍ଚ କଣ୍ଠରେ ହସିବାର ଅଭ୍ୟାସ, ସମସ୍ତଙ୍କୁ ହସାଇବାର ଅଭ୍ୟାସ—ତାଙ୍କର ଭୋଜିରେ, ତାଙ୍କର ସରକାରୀ କାମବେଳେ, ବନ୍ଧୁମାନଙ୍କ ସହିତ ଆଲୋଚନାବେଳେ, ଏପରିକି ସ୍ୱାମୀଙ୍କ ସହିତ ଯୁକ୍ତିତର୍କ ବେଳେ ମଧ୍ୟ ।

 

ପ୍ରଥମକରି ଖବର ଆସିଲା, ଇରାନ୍‌ରେ ଆମେରିକା ସରକାରଙ୍କ ପାଇଁ ଯେଉଁ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି ହୋଇଛି । ନିଜଭିତରେ ଧକ୍‌କା ଲାଗି ଉଡ଼ାଜାହାଜ ହେଲିକପ୍‌ଟର୍‌ ସବୁ ନଷ୍ଟ ହୋଇଗଲେ, ଆଉ ସେମାନେ ଫେରି ପଳାଇ ଆସିଲେ । ଯାଇଥିଲେ ତାଙ୍କର ଆମେରିକାନ୍‌ ବନ୍ଦୀମାନଙ୍କୁ ଇରାନ୍‌ରୁ ଉଦ୍ଧାର କରିବାପାଇଁ । ଏହିପରି ପରିସ୍ଥିତିରେ ଇଜ୍‌ରାଇଲ୍‌ ପାରିଥିଲା, ଜର୍ମାନୀ ପାରିଥିଲା, ଏପରିକି ଇଂଲଣ୍ଡ ପାରିଲା; କିନ୍ତୁ ସମଗ୍ର ପୃଥିବୀର ମିଲିଟାରୀ ନେତା ସ୍ୱୟଂ ଆମେରିକାର ଏପରି ଲଜ୍ଜାଜନକ ପରିସ୍ଥିତି ହେଲା ।

 

ଖବର ଯେତେବେଳେ ପହଞ୍ଚିଲା, ସେତେବେଳକୁ ସେ ସଂଧ୍ୟାରେ ଅନେକ ନିମନ୍ତ୍ରିତବ୍ୟକ୍ତି ରାତ୍ରିଭୋଜନ ପାଇଁ ଲିଡ଼ିଆଙ୍କ ଘରେ ପହଞ୍ଚିଗଲେଣି । ଟେଲିଭିଜନ୍‌, ରେଡ଼ିଓ ସମସ୍ତେ ଏଇକଥା କହିଲେ ! ଅତି ଦୁଃଖ, କ୍ଷୋଭ, ଅପମାନର ଉପସ୍ଥିତ ବ୍ୟକ୍ତିମାନେ ମ୍ରିୟମାଣ ହୋଇଯାଇଛନ୍ତି । କାହାର ଯେପରି କିଛି ଉପଭୋଗ କରିବାପାଇଁ ଇଚ୍ଛାନାହିଁ । ବିଷୟଟି ଏପରି ଗୁରୁତର ଯେ ଏହା ଉପରେ ଆଉ ଆଲୋଚନା ସମ୍ଭବ ନୁହେଁ ।

 

ଲିଡ଼ିଆ ମୁହୂର୍ତ୍ତକ ମଧ୍ୟରେ ସବୁଟା ବୁଝିପାରିଲେ । ତାଙ୍କ ଡ୍ରଇଂରୁମ୍‌ରୁ କିଛି ସମୟ ପାଇଁ ଅନ୍ତର୍ଦ୍ଧାନ ହୋଇଗଲେ । ତାଙ୍କର ସ୍ୱାମୀ ବି ଆଶ୍ଚର୍ଯ୍ୟ ହୋଇ ଖୋଜୁଛନ୍ତି—କୁଆଡ଼େ ଗଲେ ତାଙ୍କର ସ୍ତ୍ରୀ ଲିଡ଼ିଆ ? ରାତି ଡେରି ହୋଇ ଆସୁଛି । ଏଠି ଏତେ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଠୁଳ ହୋଇଛନ୍ତି ।

 

କିଛି ସମୟ ପରେ ସେ ଡ୍ରଇଂରୁମ୍‌ରେ ପରଦା ଟିକେ ଖୋଲି, କେବଳ ମୁହଁଟିକୁ ଦେଖାଇଲେ ଲିଡ଼ିଆ । ସମସ୍ତେ ସେ ଆଡ଼କୁ ଅନାଇଲେ । ମୁଣ୍ଡରେ ଚଉଡ଼ା ଚିତାସବୁ ଲଗାଇଛନ୍ତି, ଫିକା ଧଳା ରଙ୍ଗର । ମୁଣ୍ଡରେ ଓଢ଼ଣୀ । ଆସ୍ତେ ଆସ୍ତେ ପରଦା ଟପି ଡ୍ରଇଂରୁମ୍‌ ଭିତରକୁ ଆସିଲେ-। କହିଲେ ନମସ୍ତେ । ହସି ହସି ଗଡ଼ିଗଲେ ସମସ୍ତେ—ସେ ନିଜେ ବି । କାନ୍ଧରେ ମୃଦଙ୍ଗ ପରି ଗୋଟିଏ ବାଜା ଝୁଲାଇଛନ୍ତି । ଚିତାଚୈତନୀ । ଧଳାଲୁଗାକୁ ଶାଢ଼ିପରି ଗୁଡ଼ାଇ ବନ୍ଧାବନ୍ଧି କରିଛନ୍ତି । ନାଚି ନାଚି କହିଲେ—ସେ ହେଉଛନ୍ତି ଭାରତର ମୀରା । ଜୋର୍‌ରେ ବଜାଇଲେ ମୃଦଙ୍ଗ ପରି ବାଜାକୁ । ଇତିମଧ୍ୟରେ ତାଙ୍କ ସ୍ୱାମୀ ଟେପ୍‌ ରେକର୍ଡ଼ ନେଇ ଆସିଲେ—କୃଷ୍ଣ କନସସନେସ୍‌ ଅନୁଷ୍ଠାନ ପକ୍ଷରୁ ଯେଉଁ କୀର୍ତ୍ତନ ତିଆରି ହୋଇଛି । ଯିଏ ସେଠି ଥିଲେ ସମସ୍ତେ ନାଚିଲେ । ଗୀତ ବାଜୁଛି ହରେକୃଷ୍ଣ ହରେରାମ—ମୃଦଙ୍ଗ ବାଜା ତାଳରେ ।

 

ବଡ଼ପାଟିରେ ହସୁଥାନ୍ତି । ଲିଡ଼ିଆ ଗୋମେଜ୍‌ । ହାତ ଟେକି ଡେଇଁ ଡେଇଁ ନାଚୁଥାନ୍ତି ସମସ୍ତ ଭଦ୍ରମଣ୍ଡଳୀ । ଭୁଲିଗଲେ ଆମେରିକା, ଇରାନ୍‌, ହେଲିକପ୍‌ଟର କଥା ।

 

ଇଉରୋପ ଆମେରିକାରେ ଅତି ସାନ ସାନ ଗୋଷ୍ଠୀସବୁ ଅଛନ୍ତି—ତାନ୍ତ୍ରିକମାନଙ୍କ ପରି ଅଜ୍ଞାତ ଜାଗାରେ । ଗୋଟାଏ ଗୋଟାଏ କଲ୍‌ଟରେ ବିଶ୍ୱାସ କରନ୍ତି, ନିଜ ନିଜ ଭିତରେ ଆଲୋଚନା କରନ୍ତି, ଅଭ୍ୟାସ କରନ୍ତି । ବାହାରକୁ କେହି କାହାକୁ ଜଣାନ୍ତି ନାହିଁ । ସେପରି ଲୋକଙ୍କୁ ତୁମେ ଖୋଜି ବାହାର କରିବ । ତୁମ ଉପରେ ତାଙ୍କର ବିଶ୍ୱାସ ହେଲେ ସିଏ ତୁମକୁ ତାଙ୍କର ସଭାସ୍ଥଳିକୁ ନେଇଯିବେ । ଅନେକ କଷ୍ଟକରି ସେ ଜାଗାକୁ ଯିବାକୁହେବ । ଅସମୟରେ ସେମାନଙ୍କର ବୈଠକ ବସେ । ତୁମେ ବେଶ୍‌ ପଇସା ବି ଖର୍ଚ୍ଚ କରିବ । ତୁମକୁ ଅନେକ ରୀତିନୀତି ମାନି ଚଳିବା ପାଇଁ ମଧ୍ୟ ପଡ଼ିପାରେ । ତୁମେ ସେମାନଙ୍କୁ ଧୋକାଦେଲେ ତୁମ ଜୀବନ ମଧ୍ୟ ନିରାପଦ ନୁହେଁ ।

 

ଯେପରି ଉଇଚ୍‌-କ୍ରାଫ୍‌ଟ୍‌ ବା ଭୂତଚର୍ଚ୍ଚା—ସେଇମିତିଆ ଗୋଟିଏ ଚକ୍ର ଅଛି—ସିଏ ହେଉଛି ଓସ୍‌ପେନସ୍କି—ଗୁରୁ ଜିଏଫ ଶିଷ୍ୟମାନଙ୍କର । ଏମାନଙ୍କ ସଭା ରାତି ଅଧରୁ ଆରମ୍ଭ ହୁଏ–ମଝିରେ ମଝିରେ । ଜଙ୍ଗଲ ଭିତରେ—ସହରରୁ ପ୍ରାୟ ସତୁରି-ଅଶିମାଇଲ ଦୂର ହେବ । ଚାରିଆଡ଼େ ଅନ୍ଧାର । ତୁମେ ସେ ଘରର ପଛପଟୁ ପଶିବ । ଭିତରେ ସାନ ଆଲୁଅଟିଏ ଜଳୁଛି । ତୁମେ ଆସ୍ତେ ଆସ୍ତେ ପହଞ୍ଚି ଦେଖିବ ଯେ ହଠାତ୍‌ ତୁମେ ଗୋଟିଏ ଲମ୍ବା ବଡ଼ ଡ୍ରଇଂରୁମ୍‌ରେ ପହଞ୍ଚିଛ । ସୁନ୍ଦର ଭାବରେ ସଜାହୋଇଛି । ଜଣେ ଅତି ସୂକ୍ଷ୍ମ ସ୍ତ୍ରୀ ଲୋକ ମଝିରେ ବସିଛନ୍ତି । ସମସ୍ତଙ୍କ ପାଇଁ ଚେୟାର୍‌ ସବୁ ନିର୍ଦ୍ଦିଷ୍ଟ ହୋଇଛି । ତୁମ ନାମ ଧରି ତୁମପାଇଁ ନିର୍ଦ୍ଦିଷ୍ଟ ହୋଇଛି । ତୁମ ନାମ ଧରି ତୁମପାଇଁ ନିର୍ଦ୍ଦିଷ୍ଟ ଚେୟାର୍‌ରେ ବସିବାକୁ କୁହାଯିବ । ଘଡ଼ିକୁ ଚାହିଁ ଯେଉଁ ସମୟ ଦିଆଯାଇଥିବ, ଠିକ୍‌ ସେହି ମୁହୂର୍ତ୍ତରେ ସେ ଆଲୋଚନା ଆରମ୍ଭ କରିବେ । ତାଙ୍କର ଯାହା କହିବାର ଥିବ ସେ କହିବେ, ଅନ୍ୟକୁ ଯାହା କରିବାର କଥା ସେଥିପାଇଁ ତାକୁ ନିର୍ଦ୍ଦେଶ ଦେବେ । ଯାହାସବୁ କରିବାରକଥା ସେ ସବୁ ଜଣାଇବେ । ତା’ପରେ ଟିକେ ସୁପ୍‌ ପିଇବ । ପୁଣି କେବେ ଏପରି ମିଳନ ହେବ ସେ କଥା ଜଣାଇ ଦିଆଯିବ । କିଛି ହାଲୁକା ନାହିଁ, କିଛି ଅବାନ୍ତର ନାହିଁ । ସମସ୍ତଙ୍କ ଜୀବନରେ ଯେପରି ଏହା ସବୁଠାରୁ ଗୁରୁଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ।

 

କାରେନ୍‌ କେନି ଏଥିକୁ ଯାଏ । ସେ ଫଟୋଗ୍ରାଫି କରେ । ସମଗ୍ର ଆମେରିକାରେ ଯେଉଁ ଚାରିପାଞ୍ଚଜଣ ଝିଅ ଫଟୋଗ୍ରାଫର୍‌ ଅଛନ୍ତି, ସେମାନଙ୍କ ଭିତରେ ସିଏ ଅନ୍ୟତମ । କାରେନ୍‌ର ବିଶେଷତ୍ୱ ହେଉଛି ମରୁଭୂମି । ସେ କହେ, ମରୁଭୂମିର ପ୍ରାଣ ଅଛି । ଆକାଶକୁ, ଋତୁର ପରିବର୍ତ୍ତନକୁ, ଯାନବାହନର ପ୍ରବାହ—ସବୁ ପ୍ରକାର ଘଟଣା ପାଇଁ ତାର ସ୍ପନ୍ଦନ ଅଛି । ତାର ମରୁଭୂମି ହସେ, କାନ୍ଦେ, ଦୁଃଖକରେ । ଫଟୋଗ୍ରାଫି ଜରିଆରେ ସେ ଅନୁଭୂତିକୁ ସଞ୍ଚିତ କରିଛି । ପ୍ରକୃତିର ବିଭିନ୍ନ ପରିସ୍ଥିତି ପ୍ରତି ଏହି ମରୁଭୂମିର ରିଆକ୍‌ସନ୍‌ ଅଛି ।

 

ଏବେ ସେ ଚାହୁଁଛି ପାହାଡ଼କଥା ଆରମ୍ଭ କରିବ । ହିମାଳୟ ପାଇଁ ତାର ଭାରି ଆଗ୍ରହ । ହିମାଳୟ କିନ୍ତୁ ଫଟୋଗ୍ରାଫର୍‌ ପାଇଁ ଶେଷ ଅଭିଯାନ । ଯେଉଁ ମିଷ୍ଟ୍ରି, ଯେଉଁ ଅବୋଧ୍ୟତା ହିମାଳୟ ଭିତରେ ଲୁଚି ଛପି ରହିଛି, ତା ସହିତ ଥରେ ମିଶିଗଲେ ଜୀବନରେ ଆଉ କିଛି ବାସନା ରହିବ ନାହିଁ-। ଏହି ଅଜ୍ଞାତର ସନ୍ଧାନ ହେଉଛି ଚରମ ଆଧ୍ୟାତ୍ମିକତା ବୋଲି କ୍ୟାରେନ୍‌ର ମତ ।

 

ମେରିଲାଣ୍ଡ ଭିତରେ ରକ୍‌ଭେଲି, ତା’ ଭିତରେ ସାନ ଗାଁଟିଏ ଅଛି । ସେଠି ଗୋଟାଏ ମେକ୍‌ସିକାନ୍‌ ପରିବାର, ସ୍ୱାମୀ ସ୍ତ୍ରୀ ଝିଅ ପୁଅ ଗୋଟିଏ ରେଷ୍ଟୁରାଁ ଖୋଲିଛନ୍ତି । ସେମାନେ ନିଜେ ରୋଷାଇ କରନ୍ତି । ନିଜେ ଖାଇବାକୁ ଦିଅନ୍ତି । ଖାଇବା ଜିନିଷ ଆଗରୁ ସ୍ଥିର କରିଥାନ୍ତି । ମେନୁ କିଛି ବଦଳାବଦଳି କରିବାର ସୁଯୋଗ ନାହିଁ । ଘର ଭିତରେ ବନ୍ଧୁବାନ୍ଧବଙ୍କ ମେଳରେ ଖାଇବା ପରି ଲାଗେ ।

 

କାରେନ୍‌ ତାର ଛୋଟ ଗାଡ଼ିରେ ଏଇଠିକୁ ଖାଇବାକୁ ଯାଏ ମଝିରେ ମଝିରେ । ତାର ଷ୍ଟୁଡ଼ିଓଟି ଗୋଟିଏ ସମ୍ପୂର୍ଣ୍ଣ ସଂସାର ପରି । ସେଠି ସେ ଦିନରାତି ବିତାଏ । ମଝିରେ ମଝିରେ ନିଦରୁ ଉଠି ନୂଆ ପ୍ରକାର ଯୋଜନା କରେ—କେଉଁଠି ଆଲୋକ ଗଭୀର ହେଲେ ଚିତ୍ରର ଗଭୀରତା ବଢ଼ିବ । ପାଖ କଡ଼ରେ ସାନ କାଚ ପାର୍ଟିସନ୍‌ ଭିତରେ ଶୁଏ, ଖାଏ । ଷ୍ଟୁଡ଼ିଓ ଭିତରେ ଡ୍ରଇଂରୁମ୍‌ ବି ଅଛି ।

 

ମୁଁ ବିବାହରେ ବିଶ୍ୱାସ କରେନା—ଅନେକ ବନ୍ଧନ, ଅନେକ କାନୁନ୍‌ । ମଣିଷ ଏ କର୍ତ୍ତବ୍ୟବୋଧରେ ଛଟପଟ ହୋଇଉଠିବ । କିନ୍ତୁ ମୁଁ ମୋର ରକ୍ତମାଂସରେ ଗଢ଼ା ଶିଶୁଟିଏ ଚାହେଁ–ମୋରି ପ୍ରତୀକ, ମୋରି କଣ୍ଟିନିଏସନ୍‌ । ଚମତ୍କାର ହୁଅନ୍ତା ଯଦି ଏ ଶିଶୁ ଭିତରେ ଆମର ଦକ୍ଷତା ଆଉ ଭାରତର ଦର୍ଶନ ରହିଯାନ୍ତା । ତୁମେ ଜାଣ, ଜୀବନର ଅର୍ଥ କଣ ? ମୁଁ କୁଆଡ଼େ କାହିଁକି ଯାଉଛି ? ଅନେକ ମହାଦେଶ ବୁଲି ବୁଲି ଏଇ ପ୍ରଶ୍ନର ଉତ୍ତର ଖୋଜୁଛି । ମରୁଭୂମିର ଉଦାର ବକ୍ଷରୁ ପର୍ବତରେ ନଭଶ୍ଚୁମ୍ବୀ ଶିଖରଦେଶରୁ ଉଚ୍ଚସ୍ୱରରେ ମୁଁ ପଚାରେ—ମୁଁ କିଏ ? ମୋ ଧ୍ୱନି ମୋ ପାଖକୁ ଫେରିଆସେ । ପୁଣି ମୁଁ ଯେତେବଳେ ମୁଁ ସ୍ଥିର ହୋଇ ଛିଡ଼ାହୁଏ ସମୁଦ୍ର ଆଗରେ, ତାର ଢେଉ ଯେବେ ମୋର ପାଦ ଛୁଇଁ ଫେରିଯାଉଥାଏ, ସମୁଦ୍ରକୁ ପଚାରେ—ମୁଁ କିଏ ? ପୁଣି ଗୋଟାଏ ବିରାଟ ଢେଉ ଆନନ୍ଦରେ ଗର୍ଜନକରି ମୋର ପାଦ ଛୁଇଁ ପୁଣି ନିଶ୍ଚିହ୍ନ ହୋଇଯାଏ । ମୋର ପ୍ରଶ୍ନର ଏଇ ଯେପରି ତାର ଶାଶ୍ୱତ ଉତ୍ତର ।

 

ଜୀବନ ଯେପରି ଏକ ଉଦ୍ଦେଶ୍ୟହୀନ, ଚିରନ୍ତନ ଗୌରବମୟ ପ୍ରକାଶ, ମହାଶୂନ୍ୟ ଭିତରେ ଗୋଟାଏ ମୁଭ୍‌ମେଣ୍ଟ । ଆନନ୍ଦମୟ ଏ ଛନ୍ଦ, ଦୁର୍ବାର ଏହାର ଗତି । ଏହି କଣ ଜୀବନର ପରିଣତି ? ନା ଆଉ କିଛି ? ଦିନେ ଦିନେ ରାତିର ଏ ଅନ୍ଧକାର ଭିତରୁ ଜୀବନ ମୋ’ ଉପରକୁ ମାଡ଼ିଆସେ । ମୁଁ ଅଣନିଃଶ୍ୱାସୀ ହୋଇପଡ଼େ । ସେ ଯନ୍ତ୍ରଣା ଭିତରୁ ମୁଁ ଚିତ୍କାର କରି ପଚାରେ—କାହିଁକି ମୁଁ ବଞ୍ଚିଛି ? ମୋର ଯେପରି ମୁକ୍ତି ନାହଁ । ଏକ ଦୀର୍ଘ ସୁଡ଼ଙ୍ଗ—ଯାହାର କୌଣସି ଇତି ନାହିଁ, ଆଲୋକ ନାହିଁ, ତା’ ଭିତରେ ମୁଁ ଚାଲିଛି ଆତଙ୍କିତ ଭୟଭୀତ ପ୍ରାଣୀପରି । ମୋତେ ରକ୍ଷାକର; ପ୍ଲିଜ୍‌, ମୋତେ ରକ୍ଷାକର ! ସବୁ କରିବାକୁ ମୁଁ ପ୍ରସ୍ତୁତ ଅଛି ।

 

ଆଖିରୁ ତାର ଲୁହ ବୋହିଯାଉଥାଏ । ଷ୍ଟୁଡ଼ିଓ ପାଖ ହୋଇଆସିଲାଣି । ଖୁବ୍‌ କମ୍‌ ସମୟ ଭିତରେ ସୂର୍ଯ୍ୟ ଉଠିଆସିବେ ।

 

କଣ କହିବି—ଗୁଡ଼୍‌ ମର୍ଣ୍ଣିଂ ନା ଗୁଡ୍‍ ନାଇଟ୍‌ ? କଣ ପଚାରିବି—ଅୟମାରମ୍ଭ ନା ଶେଷ ବିଦାୟ ?

 

ଭାବିଲି କହିବାପାଇଁ—କ୍ୟାରେନ୍‌, ଦଶହଜାର ମାଇଲ ଦୂରର ସଦ୍ୟ ଆଗତ ଅତିଥି ପକ୍ଷରେ ଏ ପ୍ରଶ୍ନ ଅନୁତ୍ତରଣୀୟ ।

 

ତୁମେ ଯଦି ଓକିଲ, ଆଉ ତୁମେ ଯଦି ଆମେରିକା ଯାଇଛ, ତାହେଲେ ସେଠି ଅନ୍ତତଃ ଜଣେ ଓକିଲଙ୍କ ସହିତ ତୁମର ଦେଖା କରିବା ବିଧେୟ । ସେ ହେଉଛନ୍ତି ଏବ୍‌ ଫଟାସ୍‌ । ସେ ଆମେରିକାର ସୁପ୍ରିମକୋର୍ଟରେ ଜଜ୍‌ ଥିଲେ । ଇସ୍ତଫା ଦେଇ ବର୍ତ୍ତମାନ ଓକିଲାତି କରୁଛନ୍ତି । ଆମେରିକାର ସୁପ୍ରିମକୋର୍ଟରେ ଯେଉଁମାନେ ଜଜ୍‌ ହୁଅନ୍ତି, ସେମାନେ ଭାରତବର୍ଷର ସୁପ୍ରିମକୋର୍ଟ ପରି, ପଞ୍ଚଷଠି ବର୍ଷ ହୋଇଗଲେ ଅବସର ଗ୍ରହଣ କରନ୍ତି ନାହିଁ । ସେମାନେ ସାରା ଜୀବନ ପାଇଁ ଜଜ୍‌ ରହନ୍ତି—ଯେତେବେଳ ପର୍ଯ୍ୟନ୍ତ ଶାରୀରିକ ମାନସିକ ଦୃଷ୍ଟିରୁ କାମ କରିପାରୁଥିବେ ।

 

ଭାରତବର୍ଷ ପରି ଆମେରିକାର ସୁପ୍ରିମକୋର୍ଟ ମୌଳିକ, ସାମାଜିକ, ରାଜନୈତିକ ପ୍ରଶ୍ନର ସିଦ୍ଧାନ୍ତ କରେ—ସରକାରୀ କ୍ଷମତାର ସୀମା, ରାଜ୍ୟମାନଙ୍କ କ୍ଷମତାର ସୀମା, ବ୍ୟକ୍ତିର ଅଧିକାର, ଧଳା କଳା ଲୋକଙ୍କର ସମ୍ପର୍କ ଇତ୍ୟାଦି । ଏହାକୁ ଗୋଟାଏ ମାମୁଲି ଆଇନ ଅଦାଲତ ପରି ସେମାନେ ଦେଖନ୍ତି ନାହିଁ । ସେମାନେ ମନେକରନ୍ତି ଯେପରି ତାଙ୍କର ସୁପ୍ରିମକୋର୍ଟ ଏକ ବିରାଟ କ୍ଷମତାଶୀଳ ଦେବତା, ଦୂରରେ ଗୋଟାଏ ସିଂହାସନ ଉପରେ ବସି ଆଇନର ଫତୁଆମାନ ଦେଉଛି, ଯେତେବେଳେ କୌଣସି ଅନ୍ୟାୟ ସୀମା ବାହାରକୁ ଟପିଯାଉଛି । ସୁପ୍ରିମକୋର୍ଟ ଯେତେବେଳେ କୌଣସି ମକଦ୍ଦମାରେ କିଛି ସିଦ୍ଧାନ୍ତ କରେ ତାର ପରିଣାମ ସମଗ୍ର ଜାତିର ଆଶା ଆକାଙ୍‌କ୍ଷା, ଯୋଜନା ଉପରେ ପଡ଼େ ।

 

ଏବ୍‌ ଫଟାସ୍‌ଙ୍କ ବୟସ ବର୍ତ୍ତମାନ ସତୁରି ଖଣ୍ଡେ ହେବ । ସେ ଆମେରିକାର ସବୁଠାରୁ ବଡ଼ ଓକିଲମାନଙ୍କ ମଧ୍ୟରେ ଅନ୍ୟତମ । ତାଙ୍କର ସ୍ତ୍ରୀ କାରୋଲିନ୍‌ ଜଣେ ବିଖ୍ୟାତ ଟାକ୍‌ସ ଓକିଲ । ବଡ଼ ବଡ଼ କମ୍ପାନୀମାନଙ୍କରେ ଏବ୍‌ ଫଟାସ୍‌ ପରାମର୍ଶଦାତା ଭାବରେ ସୁନାମ ଅର୍ଜନ କରିଛନ୍ତି । ଆମେରିକାରେ ବଡ଼ ଓକିଲ କେବଳ କଚେରିରେ କାମ କରନ୍ତି ନାହିଁ, ତାଙ୍କର ପ୍ରଧାନ କାମ ହେଲା ବଡ଼ ବଡ଼ କମ୍ପାନୀମାନଙ୍କୁ ପରାମର୍ଶ ଦେବା—ବିଭିନ୍ନ ଆଇନ ସଂକ୍ରାନ୍ତରେ, ସରକାର ସହିତ ସମ୍ପର୍କ ସଂକ୍ରାନ୍ତରେ, ରାଜନୀତି ସଂକ୍ରାନ୍ତରେ ।

 

ଏବ୍‌ ଫଟାସ୍‌ ଉଚ୍ଚତାରେ ସାନ । ଧୀରେ ଧୀରେ କଥା କହନ୍ତି, ସବୁ ଯେପରି ଭାବି ବିଚାରି କହୁଛନ୍ତି । ମନେହୁଏ କଥାସବୁ ଅତି ସଂଯତ ଭାବରେ ଚେଷ୍ଟା କରି କହୁଛନ୍ତି, କିଛି ମନଖୋଲା ନୁହେଁ, ସ୍ୱତଃପ୍ରବୃତ୍ତ ନୁହେଁ । ଜଣେ ଲେଖକ ତାଙ୍କର ଜୀବନୀରେ କହିଛନ୍ତି : ଜୀବନରେ ଯେତେ ଲୋକଙ୍କୁ ସେ ଜାଣିଛନ୍ତି; ତାଙ୍କ ଭିତରୁ ଏବ୍‌ ଫଟାସ୍‌ ଯାହା କରନ୍ତି, କାହିଁକି କରନ୍ତି, କିପରି କରନ୍ତି ବୋଲି ସବୁଠୁ ବେଶି ଜାଣିଥାନ୍ତି । ଲେଖକ ନିଜେ ଯଦି କେବେ କୌଣସି ବିପଦରେ ପଡ଼ନ୍ତି ତାହେଲେ ଏବ୍‌ ଫଟାସ୍‌ଙ୍କୁ ଓକିଲ ଭାବରେ ନିଶ୍ଚୟ ନିଯୁକ୍ତ କରିବେ, କାରଣ ସେ ସବୁଠୁ ବେଶି ସାହସୀ, କର୍ମକୁଶଳ ଓ ଉଦଯୋଗୀ । ତାଙ୍କ ପାଇଁ କାର୍ଯ୍ୟଦକ୍ଷତାଟା ଗୁରୁତ୍ୱପୂର୍ଣ୍ଣ । କୌଣସି ଭାବପ୍ରବଣତାରେ ସେ ଭାସିଯା’ନ୍ତି ନାହିଁ । କେବଳ ଦୁଃଖମୋଚନ ହେବ ବୋଲି କାହାପାଇଁ କୌଣସି ସହାନୁଭୂତି ଲାଗି ସେ କିଛି କରିବେ ନାହିଁ । କିନ୍ତୁ ସେଇଟା କରିବା ଉଚିତ—ସେଥିପାଇଁ ସେ ତା’ ପାଇଁ ସବୁ କାମ କରିବା ଲାଗି ପ୍ରସ୍ତୁତ । ଯଦି ଦରକାର ହୁଏ କୌଣସି ଅନାଥ ଶିଶୁ କିମ୍ବା କୌଣସି ବିଧବା ମହିଳା ବିରୁଦ୍ଧରେ ମଧ୍ୟ ସେ କାମ କରିପାରନ୍ତି, ଯଦି ଭବିଷ୍ୟତରେ ଆଇନ ପାଇଁ ଏପରି କାର୍ଯ୍ୟ ବିଧେୟ ହୁଏ । ତାଙ୍କ ପାଇଁ ଭାବଟା ବଡ଼ ନୁହେଁ—ଯୁକ୍ତି ଯଥାର୍ଥତାଟା ପ୍ରଧାନ । ତାଙ୍କର ଶାନ୍ତ, ଅନାସକ୍ତ ଭାବ ପଛଆଡ଼େ ଅବଶ୍ୟ ଗୋଟାଏ ଦୃଢ଼ ବିଶ୍ୱାସ ଅଛି । ସେ ଅନ୍ୟାୟକୁ ଘୃଣା କରନ୍ତି, ତା’ ବିରୁଦ୍ଧରେ ସର୍ବଦା ଲଢ଼େଇ କରନ୍ତି ।

 

ଫଟାସ୍‌ ରହନ୍ତି ରାଜକୀୟ ଆଡ଼୍‌ଡ଼ାରେ । ଚଳାନ୍ତି ରୋଲ୍‌ସରଏସ୍‌ ମଟର ଗାଡ଼ି—ପୃଥିବୀର ସବୁଠୁ ଦାମୀ ଗାଡ଼ି । ତାଙ୍କର ଜର୍ଜ ଟାଉନ୍‌ ଘରେ ସଜାଇ ରଖିଛନ୍ତି ଆଧୁନିକ କଳାର ଦାମୀ ଉପକରଣମାନ, ଚାଇନାରୁ ପେଣ୍ଟିଙ୍ଗ୍‌, ଭାରତରୁ ପୁରାତନ ମୂର୍ତ୍ତି, ଆଫ୍ରିକାରୁ କାଠର କାରୁକାର୍ଯ୍ୟ । ରାଣୀ ଭିକ୍‌ଟୋରିଆ ଅମଳର ଗୋଟାଏ ପିଆନୋରୁ କଟା ହୋଇ ବଡ଼ ଡେସ୍କ ତିଆରି ହୋଇଛି ତାଙ୍କ ଅଫିସ୍‌ ପାଇଁ । ଅଫିସ୍‌ ସାରା ଖେଳାଇ ହୋଇ ରଖାଯାଇଛି ବିଭିନ୍ନ ଦେଶର ନାନାଦି ସୁନ୍ଦର ସାମଗ୍ରୀମାନ ।

 

ପଚାଶବର୍ଷ ବୟସର ଜଣେ ଲୋକ ଥିଲା ଆମେରିକାର ଫ୍ଲରିଡ଼ା ରାଜ୍ୟରେ । ତା’ ନାଁ ଗିଡ଼ିଅନ୍‌ । ଚାରିଥର ବିଭିନ୍ନ ଦୋଷ ପାଇଁ ଆଗରୁ ଦଣ୍ଡ ପାଇଥିଲା । ଏବେ ପୁଣି ଚୋରି କରିଛି ବୋଲି ଅଭିଯୋଗ । ଚୋରି ତାର ବ୍ୟବସାୟ ନୁହେଁ । ଜୀବନ ସହିତ ବୁଝାମଣା କୌଣସି କାରଣରୁ ହୋଇପାରୁନାହିଁ । ମଝିରେ ମଝିରେ ଜୀବନ ସହିତ ଧସ୍ତାଧସ୍ତି ହୋଇଯାଉଛି । ସେଥିପାଇଁ ଏପରି ଦୋଷ ସବୁ କରିପକାଇଥାଏ । ସେଥିପାଇଁ ବି ଜେଲ୍‌ ଭୋଗିବାକୁ ପଡ଼ିଥାଏ ।

 

ଫ୍ଲରିଡ଼ାର ସମୁଦ୍ର କୂଳରେ ଗୋଟିଏ ସାନ ଘର । ରାତିରେ ଖୁବ୍‌ ଅଭାବ ଦୁଃଖରେ ବାରଣ୍ଡା ପାଖରେ ଶୋଇଥିଲା ଗିଡ଼ିଅନ୍‌ । କହିଲା, ଦେଖେ ଏ ଘର ଭିତରେ କିଛି ଅଛି କି ? ଘର ଭାଙ୍ଗି ପଶିଲା, କିଛି ଚୋରି ପାଇଁ ନିଧାର୍ଯ୍ୟ ଉଦ୍ଦେଶ୍ୟ ନଥିଲା, କିଛିଟା ହୁଏତ ଖାମଖିଆଲ ଭାବରେ-। ରାସ୍ତାର ପୋଲିସ ତାକୁ ପାଇ ଧରିଲେ । ପାଞ୍ଚ ବର୍ଷ ପୁଣି ଜେଲ୍‌ ଦଣ୍ଡ ହେଲା । ତାର ମକଦ୍ଦମାର ବିଚାର ହୋଇଥିଲା ଫ୍ଲରିଡ଼ା ରାଜ୍ୟର ଅଦାଲତରେ ।

 

ଗିଡ଼ିଅନର ମନ ଭିତରେ ତାର ମୁକ୍ତି, ତାର ସ୍ୱାଧୀନତା ପାଇଁ ସବୁବେଳେ ଗୋଟାଏ ମଶାଲ ଜଳୁଥାଏ । ନିଜ ସଂକ୍ରାନ୍ତରେ କିଛି ନା କିଛି କରିବାକୁ ହେବ । ଏ ଫ୍ଲରିଡ଼ା ରାଜ୍ୟ ତା ପ୍ରତି ନ୍ୟାୟ କରିନାହିଁ । ଏହାକୁ ମୁଣ୍ଡ ପାତି ସହିନେବା ଉଚିତ ହେବ ନାହିଁ । ଭାବି ଭାବି ଦିନେ ଦରଖାସ୍ତ କଲା ସୁପ୍ରୀମ କୋର୍ଟକୁ । କହିଲା—ଫ୍ଲରିଡ଼ା କୋର୍ଟରେ ମକଦ୍ଦମା ଚାଲିଲା ବେଳେ, କୌଣସି ଓକିଲ ନିଜେ ମୁଁ ଲଗାଇ ପାରିଲି ନାହିଁ । ମୁଁ ଫ୍ଲରିଡ଼ା ଅଦାଲତକୁ ମୋର ଦାବୀ ଜଣାଇଲି । କହିଲି, ମୁଁ ଗରିବ, ମୁଁ ନିଜେ ଓକିଲ ନିଯୁକ୍ତ କରିପାରିବି ନାହିଁ । ମୋ ପାଇଁ ଜଣେ ଉପଯୁକ୍ତ ଓକିଲ ସରକାର ତରଫରୁ ଦିଅ ।

 

ସେମାନେ ମନାକଲେ । କହିଲେ—ଆମର ଫ୍ଲରିଡ଼ା ରାଜ୍ୟର ଆଇନ୍‌ରେ ଏପରି ନାହିଁ-। ତୁମ ବିରୁଦ୍ଧରେ ଚୋରିର ଅଭିଯୋଗ । ଏଥିରେ ଅନେକ ବର୍ଷ ଜେଲ୍‌ ହୋଇପାରେ; କିନ୍ତୁ ଫାଶୀ ତ ହେବନାହିଁ । ଫାଶୀ ହେଲା ଭଳିଆ ମକଦ୍ଦମାରେ ଆମେ ଓକିଲ ବନ୍ଦୋବସ୍ତ କରୁ ଆସାମୀମାନଙ୍କ ପାଇଁ, ଅନ୍ୟ କେଉଁଥିରେ ନୁହେଁ ।

 

ଗିଡ଼ିଅନ୍‌ କହିଲା—କିନ୍ତୁ ସୁପ୍ରିମକୋର୍ଟ ତ କହିଛି ଆସାମୀ ପାଇଁ ଓକିଲ ତୁମେ ଦେବ ବୋଲି !

 

ଫ୍ଲରିଡ଼ା ଅଦାଲତ କହିଲେ—ନା, ସୁପ୍ରିମକୋର୍ଟ ଏପରି କିଛି କହିନାହିଁ ।

 

ଫ୍ଲରିଡ଼ା ଅଦାଲତ ଠିକ୍‌ କଥା କହିଥିଲେ ଓ ଗିଡ଼ିଅନ୍‌ ଭୁଲକଥା କହିଥିଲା । ଆମେରିକାର ସୁପ୍ରିମକୋର୍ଟ ବେଟସ୍‌ ଓ ବ୍ରାଡ଼ି ମକଦ୍ଦମାରେ କହିଥିଲେ ଯେ, ଶାସନଖସଡ଼ାରେ ଏପରି କୌଣସି କଥା ନାହିଁ ଯେ ସବୁ ଫୌଜଦାରୀ ମକଦ୍ଦମାରେ ଆସାମୀ ପାଇଁ ଓକିଲ ବନ୍ଦୋବସ୍ତ କରି ନ ପାରିଲେ ସେସବୁ ମକଦ୍ଦମା ଶାସନଖସଡ଼ାର ବିରୁଦ୍ଧାଚରଣ କରୁଛି ବୋଲି ଖାରଜ ହେବ । ମକଦ୍ଦମାରେ ମକଦ୍ଦମା ଅଛି । ଯେଉଁଠି ବିଶେଷ କାରଣଯୋଗୁଁ, ବିଶେଷ ପରିସ୍ଥିତି ହେତୁ ଆବଶ୍ୟକ ହେବ; ସେପରି କ୍ଷେତ୍ରରେ ଓକିଲ ଦିଆଯିବା କଥା ଉଠିବ । କିନ୍ତୁ କେବଳ ଗରିବ ବୋଲି ଓକିଲ ଦେଇପାରୁ ନାହିଁ ଓ ଏଥିପାଇଁ ସରକାର ଓକିଲ ଦେବ, ଏପରି ହୋଇପାରିବନାହିଁ ବୋଲି ଆଗରୁ ଏହି ବେଟସ୍‌ ମକଦ୍ଦମାରେ ସୁପ୍ରିମକୋର୍ଟ ଜଜ୍‌ମେଣ୍ଟ ଦେଇଥିଲେ । ଛ’ ଜଣ ଜଜ୍‌ ସପକ୍ଷରେ ଓ ତିନିଜଣ ଜଜ୍‌ ଏହି ମତ ବିରୁଦ୍ଧରେ ଅବଶ୍ୟ ରାୟ ଦେଇଥିଲେ । ତେଣୁ ସୁପ୍ରୀମ୍‌କୋର୍ଟର ଆଗ ରାୟ ଅନୁସାରେ ଗିଡ଼ିଅନ୍‌ର ଦରଖାସ୍ତ ନାକଚ କରାଯିବାର କଥା ।

 

ଦିନେ ଫ୍ଲରିଡ଼ା ଜେଲ୍‌ରୁ ଗିଡ଼ିଅନ୍‌ର ସାନ ଖଣ୍ଡେ ଚିଠି ଆସି ସୁପ୍ରିମକୋର୍ଟ ଅଫିସ ଠିକଣାରେ ପହଞ୍ଚିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ୍ୱାରେନ୍‌ ସେ ଚିଠିଟି ଦେଖିଲେ । ଓ୍ୱାରେନ୍‌ କହିଲେ—ଏ ଚିଠିରେ ଯେଉଁକଥା ଲେଖାହୋଇଛି, ତା’ ଯଦି କରାଯାଏ, ତା’ହେଲେ ଆମେରିକାର ନ୍ୟାୟରାଜ୍ୟରେ ଗୋଟାଏ ବିପ୍ଲବ ହୋଇଯିବ । ପ୍ରଥମତଃ ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ରାୟକୁ ବାତିଲ କରିବେ । ଦ୍ୱିତୀୟରେ ଏଇଟା ଫ୍ଲରିଡ଼ାର ଆଇନ । ସେମାନଙ୍କର ଆଇନକୁ, ଗୋଟାଏ ରାଜ୍ୟର ଆଇନ୍‌କୁ କେନ୍ଦ୍ର ଅଦାଲତ ନାକଚ କରିବ । ତୃତୀୟରେ ଆମେରିକାର ସୁପ୍ରିମକୋର୍ଟ ଗୋଟାଏ ଜେଲ୍‌ ଅପରାଧୀର ସାନଖଣ୍ଡେ ଚିଠି ଉପରେ ଏପରି ବିପ୍ଲବାତ୍ମକ ସିଦ୍ଧାନ୍ତ କରିବ ।

 

ଭାବିଲେ ପ୍ରଧାନ ବିଚାରପତି । ସ୍ଥିରକଲେ ଯେ ଏ ସମସ୍ୟା—ବିଚାରବେଳେ ଦରିଦ୍ର ଆସାମୀକୁ ଓକିଲର ସାହାଯ୍ୟ ଦେବା—ଏଇଟା କେବଳ ମକଦ୍ଦମା ସଂକ୍ରାନ୍ତୀୟ ମାମୁଲି ବିଷୟ ନୁହେଁ—ଏଇଟା ମନୁଷ୍ୟର ସଭ୍ୟତାର କଥା—ମଣିଷ ସ୍ୱାଧୀନତାର କଥା ସହିତ ସଂଶ୍ଲିଷ୍ଟ । ପୁଣି ଆମେରିକାର ସଭ୍ୟତାର ସମସ୍ୟାକୁ ପୃଥିବୀର ମାନଦଣ୍ଡରେ ତଉଲିବାକୁ ହେବ । ତେଣୁ ଏଇଟି ସାଧାରଣ କଥା ନୁହେଁ, ଏଇଟି ଗୋଟିଏ ମୌଳିକ ପ୍ରଶ୍ନ । ଯଦି ଦରକାର ହୁଏ, ବେଟ୍‌ସ ମକଦ୍ଦମାର ପୁନର୍ବିଚାର ହେବ, ଆମେରିକାର ସୁପ୍ରୀମ୍‌କୋର୍ଟ କହିବ ଯେ ଆମେ ଭୁଲ କରିଥିଲୁ, ଆଉ ଗିଡ଼ିଅନ୍‌ ଯାହା କହୁଛି ସେଇଟା ଠିକ୍‌ । ଆମେରିକା ସଭ୍ୟତା ତାର ନୀତି ପୁନଃନିର୍ଦ୍ଧାରଣ କରିବ ।

 

ଆମେରିକା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ୍ୱାରେନ୍‌ ଆଦେଶ ଦେଲେ, ଗିଡ଼ିଅନ୍‌ ଦରଖାସ୍ତର ବିଚାର ହେଉ । ବିଚାରର ଅର୍ଥ ଗିଡ଼ିଅନ୍‌ ତରଫରୁ ଓକିଲ ଯୁକ୍ତ କରିବେ, ତାର ବିରୋଧ କରିବେ ଫ୍ଲରିଡ଼ା ରାଜ୍ୟର ପ୍ରତିନିଧି ଓକିଲମାନେ । ଏଥିରେ ଅନ୍ୟସବୁ ରାଷ୍ଟ୍ରମାନେ ବି ସଂପୃକ୍ତ । ସେମାନେ ମଧ୍ୟ ଏହାର ବିରୋଧ କରିପାରନ୍ତି । ଆଉ ଆମେରିକାର ସୁପ୍ରିମକୋର୍ଟ ତାର ସିଦ୍ଧାନ୍ତ ଦେବ ।

 

କିନ୍ତୁ ଗିଡ଼ିଅନ୍‌ ତରଫରୁ କିଏ ଓକିଲ ରହିବେ ? ଏତେ ବଡ଼ ଦାୟିତ୍ୱ ନେଇ କିଏ ସମ୍ଭାଳିବ ? ପୁଣି ପ୍ରଧାନ ବିଚାରପତି ତ ନିଜେ ଓକିଲ ନିଯୁକ୍ତ କରିବେ ଗିଡ଼ିଅନ୍‌ ଲାଗି ଏ ଦରଖାସ୍ତର ବିଚାରପାଇଁ । ସେ ଠିକ୍‌ କଲେ, ଏଥିପାଇଁ ଉପଯୁକ୍ତ କେବଳ ଏବ୍‌ ଫଟାସ୍‌ । ତାଙ୍କୁଇ ନିବେଦନ କଲେ । କହିଲେ—ତୁମେ ଏଥର ଓକିଲ ହୁଅ, ଏ ଦରଖାସ୍ତ ପାଇଁ ଗିଡ଼ିଅନ୍‌ ତରଫରୁ । ଅବଶ୍ୟ ତୁମର କୌଣସି ଫିସ୍‌ ନାହିଁ । କେହି ତୁମକୁ ପଇସା ଦେବେ ନାହିଁ । ଏଇଟା ତୁମକୁ କରିବାପାଇଁ ହେବ ନ୍ୟାୟର ପ୍ରତିଷ୍ଠା ପାଇଁ—ସଭ୍ୟତାର ପ୍ରସାର ଲାଗି ।

 

ଏବ୍‌ ଫଟାସ୍‌ ଏ ଦାୟିତ୍ୱ ଅତି ଆନନ୍ଦ ସହକାରେ ଗ୍ରହଣ କଲେ । ଦିନରାତି ଏକାକାର କରିଦେଇ, ଆମେରିକା ଇତିହାସରେ ଯେତେ ଯେଉଁ ଆଲୋଚନା ଏ ସଂକ୍ରାନ୍ତରେ ହୋଇଛି, ଆଇନ ଅଦାଲତରେ ଏ ବିଷୟରେ ଯେତେ ଯାହା ନଜିର ଦିଆଯାଇଛି, ସେସବୁ ସଂଗ୍ରହ କରାଗଲା । ତାଙ୍କୁ ସାହାଯ୍ୟ କରିବାପାଇଁ ରହିଲେ ଦଶଜଣ ମେଧାବୀ ଆଇନଜ୍ଞ ।

 

ବିଚାର ଚାଲିଲା ସେ ମହାନ୍‌ ମାର୍ବଲ ମନ୍ଦିର ସୁପ୍ରିମକୋର୍ଟରେ । ଫଟାସ୍‌ ଗଭୀର ଦାୟିତ୍ୱସମ୍ପନ୍ନ । ସେ କିଛିଟା ଦୁଃଖପୂର୍ଣ୍ଣ ସ୍ୱରରେ ଆରମ୍ଭକଲେ ଆମେରିକାର ବିପ୍ଳବାତ୍ମକ ମକଦ୍ଦମା–ଗିଡ଼ିଅନ୍‌ ଭର୍‌ସେସ୍‌ କୋକ୍‌ରାନ୍‌

 

ଆମେରିକାର ଅଦାଲତରେ ମୌଖିକ ଜବାବ-ସୁଆଲ କମ୍‌ ସମୟ ପାଇଁ ହୁଏ । ସେମାନଙ୍କର ଯୁକ୍ତିତର୍କ ସବୁ ଲେଖାହୋଇ ଦିଆଯାଇଥାଏ ଜଜ୍‌ମାନଙ୍କ ପାଇଁ ଅନେକ ଆଗରୁ । ଜଜ୍‌ମାନେ କୋର୍ଟକୁ ଆସିଲାବେଳେ ସେ ସବୁକୁ ପଢ଼ି ଆସନ୍ତି । କିନ୍ତୁ ଯେଉଁ ସମୟ—ଅଧଘଣ୍ଟେଠାରୁ ଘଣ୍ଟାଏ ଓକିଲମାନଙ୍କୁ ଦିଆଯାଏ ଜବାବସୁଆଲ ପାଇଁ, ସେହି ସମୟଭିତରେ ଏତେ କଥା ଯେ କୁହାଯାଇପାରେ, ନ ଶୁଣିଲେ ବିଶ୍ୱାସ ହେବନାହିଁ । ପୁଣି ଆମେ ଯେଉଁମାନେ ଏଠି ଭାରତବର୍ଷରେ ଦିନ ଦିନ, ସପ୍ତାହ ସପ୍ତାହ, ମାସ ମାସ ଧରି ସେଇ ମକଦ୍ଦମା ସଂକ୍ରାନ୍ତରେ ଯୁକ୍ତିତର୍କ ସହିତ ପରିଚିତ, ସେମାନଙ୍କ ପକ୍ଷରେ ଆମେରିକା କଥା ସହଜରେ ଉପଲବ୍‌ଧି କରିହେବ ନାହିଁ । କିନ୍ତୁ ଏବ୍‌ ଫଟାସ୍‌ଙ୍କୁ ଅନେକଥର ଶୁଣିଛି, ଅଧଘଣ୍ଟାଏ ଘଣ୍ଟାଏ ସମୟ ଭିତରେ ସେ ଏତେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଏତେ ଚପାଚପିକରି କହନ୍ତି ଯେ ଲାଗେ ଯେପରି ଅନେକଦିନ ଧରି ତୁମେ ଏ ଆର୍ଗୁମେଣ୍ଟ ଶୁଣୁଥିଲ । ପ୍ରତ୍ୟେକ ଶବ୍ଦ ଓଜନ କରି ଭାବିଚିନ୍ତି କୁହାଯାଇଛି । ସବୁକଥା ଧୀରସ୍ଥିର ଭାବରେ, ସବୁଆଡ଼ୁ ବିଚାରକରି—ଲାଗେ କ୍ଲାସିକ୍‌ ବହି ପଢ଼ିଲାପରି ।

 

ଅବଶେଷରେ ମୁଖ୍ୟ ବିଚାରପତି ଓ୍ୱାରେନ୍‌ ସିଦ୍ଧାନ୍ତ ଘୋଷଣା କଲେ, ଗିଡ଼ିଅନ୍‌ ଜିତିଛି ତା’ ମକଦ୍ଦମାରେ । ଏବ୍‌ ଫଟାସ୍‌ ଜିତିଛନ୍ତି ସେ ମକଦ୍ଦମାରେ । ବେଟସ୍‌ ମକଦ୍ଦମାର ରାୟ ବାତିଲ କରାଯାଇଛି । ଆମେରିକାର ସୁପ୍ରିମକୋର୍ଟ କହିଛି ଯେ ବ୍ୟକ୍ତିର ଅଧିକାର ରହିଛି, ସେ ସୁଯୋଗ ପାଇବ ତାର ବିଚାରବେଳେ । ଓକିଲ ନିଯୁକ୍ତି କରାହେବ ସରକାରଙ୍କଦ୍ୱାରା; ଯଦି ସେ ଓକିଲ ନିଜେ ନିଯୁକ୍ତ କରିନପାରେ । ଗିଡ଼ିଅନ୍‌ ବିରୁଦ୍ଧରେ ଫ୍ଲରିଡ଼ାରେ ଯେଉଁ ରାୟ ହୋଇଥିଲା ତାକୁ ନାକଚ କରାଗଲା । ପ୍ରଥମେ ତା’ ପାଇଁ ଓକିଲ ବନ୍ଦୋବସ୍ତ ହେବ; ତା’ପରେ ପୁଣି ତାର ସାନି ବିଚାର ହେବ ଫ୍ଲରିଡ଼ାରେ । ସେ ଜେଲ୍‌ରୁ ମୁକ୍ତ ହେଲା । ଆମେରିକା ସଭ୍ୟତା, ମଣିଷର ସ୍ୱାଧୀନତା, ଗୋଟାଏ ସାନପାଦ ଆଗକୁ ବଢ଼ାଇଲା ।

 

ଆମେରିକା ସମୃଦ୍ଧିରେ ଇନ୍ଦ୍ରପୁରୀ । ଏଠି ସବୁ ଭରପୁର । ଧନ, ଜନ, ଗୋପ, ଲକ୍ଷ୍ମୀ । ପୃଥିବୀର ଅନ୍ୟସବୁ ଦେଶର ଈର୍ଷା, ଲୋଭ ଓ କାମନା କିପରି ସେମାନେ ଆମେରିକା ପରି ହେବେ । ଏପରିକି, ରୁଷ ଓ ଚାଇନାର ଚେଷ୍ଟା କିପରି ସେମାନେ ଆମେରିକା ପରି ଧନଶାଳୀ, ପ୍ରଭାବଶାଳୀ ହେବେ । ଆମେରିକା ଧନଧାନ୍ୟରେ ଏତେ ସମୃଦ୍ଧିଶାଳୀ; କିନ୍ତୁ ତା’ ଭିତରର ଲୋକେ ଅତି ଦୁଃଖୀ । ନିଜେ ସବୁ କିପରି ଛିନ୍ନଛତ୍ର ।

 

କେବଳ ଆମେରିକା ନୁହେଁ, ଅନ୍ୟ ସବୁ ପୁଞ୍ଜିପତି ରାଜ୍ୟମାନଙ୍କରେ ମଧ୍ୟ । ସମସ୍ତେ ସମସ୍ତଙ୍କ ପଛରେ ଛୁରା ନେଇ ଘୁରୁଛନ୍ତି ନିଜନିଜର ସ୍ୱାର୍ଥସାଧନ ପାଇଁ । ସବୁଆଡ଼େ ଖାଲି ଦୌଡ଼ାଦୌଡ଼ି, ଲଢ଼େଇ, କମ୍ପିଟେସନ୍‌ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ଭିତରେ । କେହି ଜାଣିପାରୁନାହାନ୍ତି କାହିଁକି ସେମାନେ ବଞ୍ଚିଛନ୍ତି । ଖାଲି କୌଣସି ପ୍ରକାରେ ବଞ୍ଚିଛନ୍ତି, ବାସ୍‌ ସେତିକି-। ଜଣେ ମଣିଷ ଅନେକ କିଛି କରିପାରନ୍ତା, ତାର ମନମୁତାବକ କାମ କଲେ । କିନ୍ତୁ ସେ ତାର ମନମୁତାବକ କାମ କରିପାରିବ ନାହିଁ—ସେ କରିବ ଯାହା ବଜାରରେ ଦରକାର ହେଉଛି । ମଣିଷ ତାର ବଞ୍ଚିବା ପାଇଁ ଜିନିଷପତ୍ର ତିଆରିକଲା—ଖାଇବା ପାଇଁ, ପିନ୍ଧିବା ପାଇଁ, ରହିବା ପାଇଁ, ଏପରିକି ଲଢ଼ିବା ପାଇଁ । ସେ ବସ୍ତୁ, ସେ ଜିନିଷ ବିକିବା ପାଇଁ ବଜାର ରହିଲା । କ୍ରମେ କ୍ରମେ ସେ ଜିନିଷସବୁ, ସେ ବସ୍ତୁସବୁ ବଡ଼ ହୋଇଗଲେ । ସେ ବଜାରର ଚାହିଦା ମଣିଷଠୁ ବଡ଼ହୋଇଗଲା । ସେହିଦିନୁ ମଣିଷ ସେ ଜିନିଷ, ସେ ବସ୍ତୁ, ସେ ବଜାର ପାଇଁ କାମ କଲା । ବ୍ୟକ୍ତି ହେଲା ସେବକ–ବସ୍ତୁର, ବଜାରର ଓ ଏହାର କାରବାରକରୁଥିବା ଅନୁଷ୍ଠାନର । ବଜାରର ସମ୍ପୂର୍ଣ୍ଣ ଅକ୍ତିଆରରେ ରହିଲା ମଣିଷ । ଏହାର ଚାହିଦା, ମୁନାଫା ପାଇଁ, ଛୁଟିଲା ଅନ୍ୟମାନଙ୍କ ସାଙ୍ଗରେ ପାଗଳପରି-। ତା’ରି ପାଇଁ କାମ, ତା’ରି ପାଇଁ ଯୁଦ୍ଧ । ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗହେଲା ସେଥିପାଇଁ ମଣିଷର ଜୀବନ-। ଏପରି ପରିସ୍ଥିତିରେ କାମ ସହିତ ତା’ ମନର କୌଣସି ସମ୍ପର୍କ ରହିଲାନାହିଁ । ମନ ଗୋଟାଏ ଆଡ଼େ—କାମ ଆଉ ଆଡ଼େ । ଶାନ୍ତି ପାଇଲା ନାହିଁ ମଣିଷ ।

 

ଅନ୍ୟ ସମସ୍ତେ ବି ସେହିପରି । କିଏ କଣ କରୁଛି, ଅଥଚ କିଏ କଣ କରିବା ପାଇଁ ଚାହୁଁଛି । ସବୁବେଳେ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ରହିଲା । ଜୀବନଟା ମନେହେଲା ନିରର୍ଥକ । ଅଧା ମଣିଷର କାମ ତାର ଅନ୍ୟ ଅଧାଟା ଅସ୍ୱୀକାର କଲା, ଫଳରେ ନିଜେ ନିଜଠୁ ଅଲଗା ହୋଇଗଲା । ମଣିଷ ହେଲା ଦୁଇଭାଗ । ଗୋଟିଏ ଭାଗ ଅନ୍ୟ ଭାଗର ଶତ୍ରୁ । ବ୍ୟକ୍ତି ପକ୍ଷରେ ଏକ ଗଭୀର ଯନ୍ତ୍ରଣାମୟ ପରିସ୍ଥିତି । ଇଂରେଜୀରେ ଏହାକୁ କହନ୍ତି ଏଲିଏନେସନ୍‌ ।

 

ଏହାର କଣ କିପରି ସମାଧାନ ଏ ବିଷୟରେ ପୃଥିବୀରେ ଅନେକେ ଚିନ୍ତା କରୁଛନ୍ତି । ସବୁଠୁ ବେଶି ଏ ବିଷୟରେ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି ଆମେରିକାରେ । ଏହି ପ୍ରକାର ଆଲୋଚନାରେ ଯେଉଁ କେତେଜଣ ଅଗ୍ରଣୀ ହୋଇଛନ୍ତି, ତାଙ୍କ ଭିତରୁ ପ୍ରଧାନ ହେଉଛନ୍ତି ଆମେରିକାର ଜର୍ଜଟାଉନ୍‌ ବିଶ୍ୱବିଦ୍ୟାଳୟର ସୁବିଖ୍ୟାତ ପ୍ରଫେସର ଡଗ୍‌ଲାସ୍‌ । ବୟସ ପଚାଶ ପଞ୍ଚାବନ ଭିତରେ । ପିନ୍ଧନ୍ତି କଡ଼୍‌ରୟେ ପ୍ୟାଣ୍ଟ ଓ ବେକଘୋଡ଼ା ଟଟଲ୍‌ନେକ୍‌ ପୁଲଓଭର୍‌ । ତା’ ଉପରେ ଖଣ୍ଡେ ସ୍ପୋଟସ୍‌ ଜ୍ୟାକେଟ୍‌ । ବାଳଗୁଡ଼ିକ ପୁର୍‌ଫୁର୍‌ ଉଡ଼ୁଥାଏ । ଆଖିରେ ଚଷମା । ତାଙ୍କ ଘରର ଦୁଆର ଦିନରାତି ଖୋଲା, ପିଲାଙ୍କ ସହିତ ଆଲୋଚନା କରିବାପାଇଁ ଓ ତା’ ସାଙ୍ଗକୁ ଚାହା ଖାଇବାପାଇଁ । ଭାରତବର୍ଷରେ ତିରିଶବର୍ଷ ଆଗରୁ ଯେଉଁ ଶିକ୍ଷକମାନେ ଜୀବନ ନିର୍ବାହ କରୁଥିଲେ, ଛାତ୍ରମାନଙ୍କ ମେଳରେ ଜ୍ଞାନର ସନ୍ଧାନରେ, ଡଗ୍‌ଲାସ୍‍ ଓ ତାଙ୍କପରି ଅନେକ ଏବେ ବି ଆମେରିକାରେ ସେହିପରି ଜୀବନଯାପନ କରନ୍ତି ।

 

ଡଗ୍‌ଲାସ୍‌ କହନ୍ତି, ଏ ସମସ୍ୟାର ବିଶ୍ଳେଷଣ ଓ ସମାଧାନ ଯଥାର୍ଥ ଭାବରେ କରିଛନ୍ତି ମାର୍କସ । ଏମାନେ ଆମେରିକାର ମାର୍କସବାଦୀ ପ୍ରଫେସର୍‌ । ଏମାନଙ୍କୁ ଆମେରିକା ସରକାର ସନ୍ଦେହ କରନ୍ତି । ତାଙ୍କ କାର୍ଯ୍ୟ ଉପରେ କଡ଼ା ନଜର ରଖାଯାଏ । ସରକାରୀ ସଂସ୍ଥା, ପ୍ରତିଷ୍ଠିତ ଅନୁଷ୍ଠାନ, ସ୍ୱନାମଧନ୍ୟ ବ୍ୟକ୍ତିମାନେ ଓ ଅଧିକାଂଶ ସାଧାରଣ ମଧ୍ୟବିତ୍ତ ଆମେରିକାବାସୀ ଏପରି ମାର୍କସ୍‌ବାଦୀ ଚିନ୍ତାଧାରାର ବିରୋଧୀ । ଭୟ ପାନ୍ତି କାଳେ ଏମାନଙ୍କ କଥା କାର୍ଯ୍ୟକାରୀ ହେଲେ, ତାଙ୍କର ସ୍ୱଚ୍ଛଳତା ନଷ୍ଟହୋଇଯିବ ବା ଆମେରିକା ଦୀନ ଦରିଦ୍ର ହୋଇଯିବ ।

 

କାହିଁକି ଏପରି ହେଲା ମଣିଷର ଅବସ୍ଥା ? ଚିନ୍ତାଜଗତରେ ଏ ବିଷୟରେ ଯେତେ ଯାହା ଆଲୋଚନା, ବିଶ୍ଳେଷଣ ହୋଇଛି, ସବୁଠୁ ଭଲହୋଇଛି ମାର୍କସ୍‌ଙ୍କର । କିନ୍ତୁ ଏମାନେ ପ୍ରଥମକାଳରେ ମାର୍କସ ଓ ପରବର୍ତ୍ତୀ ମାର୍କସ୍‌ ଭିତରେ ପାର୍ଥକ୍ୟ ଆଣନ୍ତି । କହନ୍ତି—ଦେଖ ତାଙ୍କ ପ୍ରଥମ କାଳର ଲେଖା । ଅଠରଶହ ଚଉରାଳିଶ ମସିହାର ‘ମାନୁସ୍କ୍ରିପ୍‌ଟ’ । ଏମାନଙ୍କ ମତରେ ‘ମାନୁସ୍କ୍ରିପ୍‌ଟ’ରେ ଏ ବିଷୟରେ ଚର୍ଚ୍ଚା ତାଙ୍କର ପରବର୍ତ୍ତୀ ‘ମାନିଫେଷ୍ଟ’ଠୁ ଗହୀରିଆ, ଯୁକ୍ତିଯୁକ୍ତ ଓ ଯଥାର୍ଥ । ଉତ୍ତର—ମାର୍କସ୍‌ ମଣିଷର ପ୍ରକୃତି ବିଷୟରେ ଲେଖିଲେ । ଯେ କହିଲେ, ବଞ୍ଚିବାପାଇଁ ମଣିଷର ଅନେକ ସାମଗ୍ରୀ ଦରକାର—ଖାଇବା ପାଇଁ, ପିନ୍ଧିବା ପାଇଁ, ରହିବା ପାଇଁ—ତାର ଛୁଆପିଲାଙ୍କ ଲାଗି । ଏଇସବୁ ସାମଗ୍ରୀକୁ ତିଆରିକରିବା, ତାକୁ ସୃଷ୍ଟି କରିବା ତାର ସର୍ବପ୍ରଥମ ଓ ମୁଖ୍ୟ କାମ । ଏଇ ପ୍ରକାର କାମ, ଏଇ ପ୍ରକାର ସୃଷ୍ଟିପାଇଁ ତାର ଆଦିମ ପ୍ରେରଣା । ତାକୁ ଇଂରେଜୀରେ କହିଲେ ହେବ—ପ୍ରଡ଼କ୍ଟଭ୍‌ ଆକ୍ଟିଭିଟି ଇନ୍‌ ଦି ନାଚରାଲ୍‌ ହିଉମ୍ୟାନ୍‌ ଅର୍ଜ । ଏଇଟା ମଧ୍ୟ ଦେହର ଡାକରା—ବାଇଓଲଜିକାଲ୍‌ ଅର୍ଜ—କ୍ଷୁଧା, ଶୀତ, ଗ୍ରୀଷ୍ମ, ବର୍ଷା, ଶତ୍ରୁଙ୍କଠୁ ବଞ୍ଚିବାପାଇଁ ଯୋଜନାମାନ । ଏଇ ସୃଜନୀ କାର୍ଯ୍ୟକ୍ରମ ହିଁ ମନୁଷ୍ୟକୁ ପ୍ରକୃତ ଶାନ୍ତ ଦିଏ । ଏହି ପ୍ରକାର କାମ କରିବାପାଇଁ ତାର ପ୍ରବଳ ଇଚ୍ଛା ଓ ଅଭୀପ୍‌ସା । ଏଇଥିପାଇଁ ପରିଶ୍ରମ ତାର ଜୀବନର ଏସେନ୍‌ସ–ତା’ ଜୀବନର ପରିପୂର୍ଣ୍ଣତା । ବଞ୍ଚିବାପାଇଁ ଖାଦ୍ୟ, ଲୁଗା, ରହିବାପାଇଁ ଘର, ସମ୍ଭୋଗ ଇତ୍ୟାଦି–କିପରି ଭାବରେ ତିଆରି କରାଯାଉଛି ତା’ରି ଉପରେ ମଣିଷର ସ୍ଥିତି ଓ ଚରିତ୍ର ନିର୍ଭରକରେ । ଏ ସବୁ କାର୍ଯ୍ୟ ଯେପରି ଭାବରେ କରାଯାଏ ସେଇ ପ୍ରଣାଳୀ ହିଁ ମନୁଷ୍ୟର ଚିନ୍ତା, ତାର ଜୀବନ ସବୁକୁ ନିୟନ୍ତ୍ରଣ କରେ ।

 

ମାର୍କସ୍‌ଙ୍କ ଅନୁସାରେ ପ୍ରତ୍ୟେକ ଆବଶ୍ୟକତା ଗୋଟାଏ ପ୍ରକାର କାର୍ଯ୍ୟଦକ୍ଷତା ସୃଷ୍ଟିକରେ । ଏହି କାର୍ଯ୍ୟଦକ୍ଷତା ନୂତନ ପ୍ରକାରର ଆବଶ୍ୟକତା ସୃଷ୍ଟିକରେ । ଏ ନୂତନ ଆବଶ୍ୟକତା ଆହୁରି ଉନ୍ନତ କାର୍ଯ୍ୟଦକ୍ଷତା ସୃଷ୍ଟିକରେ । ପୁଣି ଏ ନୂତନ କାର୍ଯ୍ୟଦକ୍ଷତା ପାଇଁ ଉଚ୍ଚଧରଣର ଆବଶ୍ୟକତା ସୃଷ୍ଟି ହୁଏ । ଆଉ ସେ ଆବଶ୍ୟକତା ପାଇଁ ଆଉ ଅନ୍ୟ ପ୍ରକାରର କାର୍ଯ୍ୟଦକ୍ଷତା । ‘ଆବଶ୍ୟକତା’ ଓ ‘କାର୍ଯ୍ୟଦକ୍ଷତା’ର ଚକ୍ର ଆସ୍ତେ ଆସ୍ତେ ଉପରକୁ ଉଠୁଥାଏ । କ୍ରମେ କ୍ରମେ ଆବଶ୍ୟକତା ସୂକ୍ଷ୍ମରୁ ସୂକ୍ଷ୍ମତର ହୋଇଉଠେ, ଆସେ କଳା, ସାହିତ୍ୟ, ସଂସ୍କୃତି । ମଣିଷ ବଞ୍ଚେ । ବଞ୍ଚିବାପାଇଁ ମଣିଷର ଶାରୀରିକ ଆବଶ୍ୟକତା ପୂର୍ଣ୍ଣହେବା ବିଧେୟ । ନଚେତ୍‌ ମଣିଷ ବଞ୍ଚେ ନାହିଁ । ହିଉମ୍ୟାନ୍‌ ଏକ୍‌ଜିସ୍‌ଟାନ୍‌ସ ଇଜ୍‌ ପସିବ୍ଲ ଓନ୍‌ଲି ଆଫଟର୍‌ ବାଇଓଜିକାଲ୍‌ ନେସେସିଟିଜ୍‌ ଆର ସାଟିସ୍‌ଫାଏଡ଼୍‌ । ଏଇଟା ଜଣକ ପାଇଁ ନୁହେଁ—ଏଇଟା ସମସ୍ତ ସମାଜର କଥା-। ବଞ୍ଚିବା ପାଇଁ ଆବଶ୍ୟକତା ପୂର୍ଣ୍ଣ କରିବାଲାଗି ମଣିଷର କ୍ରମାଗତ ଅଭିଯାନର ଅନ୍ୟ ନାମ ଇତିହାସ ।

 

ଏଇ ଯେଉଁ ନୂଆ ଆଦର୍ଶ, ନୂଆ ମଣିଷ କଥା କୁହାଯାଉଛି; ସେଠି ମଣିଷ ନିଜକୁ ଅଲଗାକରି ରଖିବ ନାହିଁ । ନନ୍‌ଏଲିଏନେସନ୍‌ କଥା—କେଉଁଥିରୁ କଣ ଦେଖିଲେ ଜାଣିବ ? ଡଗ୍‌ଲାସ୍‌ ଗୁରୁଗମ୍ଭୀର ସ୍ୱରରେ କହିଲେ—ପ୍ରଥମେ ମଣିଷ ନିଜର ଅବସ୍ଥିତି, ନିଜର କାର୍ଯ୍ୟକ୍ରମ, ଜୀବନ ସଂକ୍ରାନ୍ତରେ ସଚେତନ ଭାବରେ ଜାଣିପାରୁଥିବ ଓ ନିଜର ଭାଗ୍ୟକୁ ଯୁକ୍ତିଯୁକ୍ତ ଭାବରେ ନିୟନ୍ତ୍ରଣ କରିପାରୁଥିବ, ତା’ହେଲେ ବୁଝିବ ଯେ ମଣିଷ ଏଲିଏନେଟେଡ଼୍‌ ନୁହେଁ । ଦ୍ୱିତୀୟରେ, ମଣିଷ ତାର ଦକ୍ଷତା, ତାର କ୍ଷମତା ସବୁ ଜୀବନର ପୂର୍ଣ୍ଣ ପ୍ରକାଶ ପାଇଁ ନିୟୋଜିତ କରିବ, ଉଭୟ ବ୍ୟକ୍ତି ପାଇଁ ଓ ସମାଜ ପାଇଁ । ଏଇଟା ମାର୍କସ୍‌ଙ୍କର ମାନବିକତା । ତୃତୀୟରେ, ମନୁଷ୍ୟ କୌଣସି ଅନୁଷ୍ଠାନ ବା କୌଣସି ଚିନ୍ତାଧାରାର ଦାସ ହୋଇ ରହିବ ନାହିଁ । ସେ ମୁକ୍ତ ହେବ, ସେ ଆତ୍ମନିୟନ୍ତ୍ରିତ ହୋଇପାରିବ । ଚତୁର୍ଥରେ, ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କ ସଙ୍ଗରେ ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରିପାରିବ, ଉପଭୋଗ କରି ପାରିବ । ନିଡ଼୍‌ ଆଣ୍ଡ୍‌ ଏନ୍‌ଜୟମେଣ୍ଟ ଲୁଜ୍‌ ଦେୟାର୍‌ ଇଗୋଟିସ୍‌ଟିକାଲ୍‌ କେଆର୍‌ । ଶେଷରେ, ମଣିଷର କ୍ଷମତା ଉପଯୁକ୍ତ ଭାବରେ ବିନିଯୋଗ କରାଯାଉଥିବ ମଣିଷର ପ୍ରକୃତ ଆବଶ୍ୟକତା ପାଇଁ ଓ ତାର ସୃଷ୍ଟିକାରୀ ପ୍ରେରଣାର ସାର୍ଥକତା ଲାଗି । ବିଜ୍ଞାନ, ଟେକ୍‌ନୋଲୋଜି—ସବୁ ସାହାଯ୍ୟ କରିବ ମଣିଷର ଏ ନୂତନ ଜୀବନ ଲାଗି ।

 

ମାର୍କସଙ୍କର ଏପରି ଆଦର୍ଶ, ଇଉରୋପୀୟ ଦେଶମାନଙ୍କର ମାନବିକତା ଆନ୍ଦୋଳନ ସହିତ ଅନେକ ପରିମାଣରେ ଖାପ୍‌ଖାଇଯାଉଛି । ସେଇଥିପାଇଁ ଡଗ୍‌ଲାସ୍‌ଙ୍କ ପରି ଅନେକ କହିଛନ୍ତି, ମାର୍କସ୍‌ ବ୍ୟକ୍ତିର ମୁକ୍ତି, ମଙ୍ଗଳ ଚାହିଁଥିଲେ—କେବଳ କୌଣସି ଗୋଷ୍ଠୀର ନୁହେଁ । ସେ ନୃଶଂସତାର ପକ୍ଷପାତୀ ନ ଥିଲେ । ସେ ମନୁଷ୍ୟତାରେ ବିଶ୍ୱାସ କରୁଥିଲେ । ତାଙ୍କର ବସ୍ତୁବାଦର ଅର୍ଥ ଖାଦ୍ୟ ନୁହେଁ; ଏଥିରେ ବ୍ୟକ୍ତିର କଳା, ସଂସ୍କୃତି ସ୍ୱାଧୀନତା ସବୁ ଅଛି । ଏ ମାର୍କସ୍‌ବାଦର ନୂତନ ଅଭ୍ୟୁଦୟ ହୋଇଛି ପୁଞ୍ଜିବାଦୀ ପୃଥିବୀର ହୃତ୍‌ପିଣ୍ଡ ଆମେରିକା ରାଜ୍ୟରେ ।

 

ଡଗ୍‌ଲାସ୍‌ କ୍ଲାସରେ ପଦଚାରଣ କରି ପଢ଼ାନ୍ତି, ବକ୍ତୃତା ଦିଅନ୍ତି । ତାଙ୍କ ପାଖରେ ପଢ଼ିବାର ଅର୍ଥ ନୁହେଁ ଯେ ତୁମେ ଅଳ୍ପବୟସର ଛାତ୍ର । ବିଶ୍ୱବିଦ୍ୟାଳୟମାନଙ୍କରେ ଗ୍ରୀଷ୍ମଛୁଟିମାନଙ୍କରେ ଡଗ୍‌ଲାସ୍‌ଙ୍କପରି ପୃଥିବୀବିଖ୍ୟାତ ଅଧ୍ୟାପକମାନେ ବକ୍ତୃତା ଦିଅନ୍ତି । ସେଥିରେ ଯେଉଁମାନେ ଯୋଗଦିଅନ୍ତି ସେମାନେ ଅନ୍ୟାନ୍ୟ ଶିକ୍ଷାବିତ୍‌ ହୋଇପାରନ୍ତି, ବିଶିଷ୍ଟ ବେସରକାରୀ ଅଫିସରମାନେ ଥାନ୍ତି, ବିଦେଶର ଲୋକ ହୋଇପାରନ୍ତି । ସାଧାରଣ ଛାତ୍ରମାନେ ବି ଥାନ୍ତି..... ଯେକୌଣସି ଲୋକ ଯେକୌଣସି ବୟସର । ଡଗ୍‌ଲାସ ଯେତେବେଳେ ପଢ଼ାନ୍ତି, ସେ ଏକପ୍ରକାର ବିହ୍ୱଳିତ ହୋଇଯାଉଥାନ୍ତି । ସେ ଯେପରି ଦେଖୁଥାନ୍ତି ତାଙ୍କର ଈପ୍‌ସିତ ମଣିଷ, ରଙ୍ଗିନ୍‌ ଶାନ୍ତ ସମାଜ । ନିଜ କଳ୍ପନାରେ ନିଜେ ବିଭୋର । ତାଙ୍କ ଆଖି ସେ କ୍ଲାସ, ସେ ସହର, ସେ ଦେଶ ଟପି ଘୂରିବୁଲୁଥାଏ ଶତାବ୍ଦୀ ଶତାବ୍ଦୀ ଆଗପଛ ହୋଇ ।

 

ତାଙ୍କର ବକ୍ତୃତାମାଳା ଚାଲିଛି । ଦୁଇ ତିନିଦିନ ପରେ ଦିନେ ତାଙ୍କର କ୍ଲାସ ହୁଏ । ସମସ୍ତେ ଆଗ୍ରହରେ ଯାନ୍ତି ତାଙ୍କ କ୍ଲାସକୁ । ହସ ହସ ମୁହଁ । ଦିନେ ହଠାତ୍‌ ଜଣାଗଲା ଯେ ସେ ଆଜି କ୍ଲାସ ନେବେନାହିଁ । ଛୋଟ ଗୋଟିଏ ନୋଟିସ୍‌ ତାଙ୍କର ବକ୍ତୃତା ଦେବା କୋଠରି ସାମନାରେ ଟଙ୍ଗାଯାଇଛି । ଅଫିସ୍‌ରେ ଯାଇ କେତେ ପିଲା ପଚରାପଚରି କଲେ—ତାଙ୍କ ଦେହ ଖରାପ ? ସେ ଛୁଟି ନେଇଛନ୍ତି ? କିଛି ଉତ୍ତର ଅଫିସ୍‌ ଲୋକମାନେ ଦେଲେନାହିଁ । ଆସ୍ତେ ଆସ୍ତେ କ୍ଲାସରେ ସମସ୍ତେ ଭିଡ଼କଲେ । ବିଶ୍ୱବିଦ୍ୟାଳୟର ଅନ୍ୟମାନଙ୍କ ଭିତରେ ଏ କଥା ବ୍ୟାପିଲା—କଣ ହେଲା ? ଅଫିସ୍‌ ଲୋକଙ୍କ ଅଜ୍ଞତା ଭିତରେ କିପରି କିଛିଟା ଆଶଙ୍କା ଶୁଭୁଥିଲା । କଣ ତାଙ୍କୁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରିଦିଆଯାଇଛି ? ତାଙ୍କୁ କଣ ଗିରଫ କରାଯାଇଛି, ଦେଶର ନିରାପତ୍ତା ଉପରେ ଆଘାତ ଦେଉଛନ୍ତି ବୋଲି ? ତାଙ୍କୁ ଡକରା ହୋଇଛି ପୋଲିସ ତରଫରୁ—ଓ୍ୱାସିଂଟନ୍‌ ହେଡ଼୍‌କ୍ୱାଟର୍ସ୍‌ରେ ଉପସ୍ଥିତ ହେବାପାଇଁ ? ସେ ଲୁଚିକରି ଯାଇଛନ୍ତି ନିଗ୍ରୋମାନଙ୍କର ଯେଉଁ ଅଣ୍ଡରଗ୍ରାଉଣ୍ଡ୍‌ ଆନ୍ଦୋଳନ ସୃଷ୍ଟି ହୋଇଛି ସେଥିରେ ପରାମର୍ଶ ଦେବାପାଇଁ ? ତାଙ୍କର କେହି ଜଣେ ପ୍ରେମିକା ଭିଏତ୍‌ନାମରେ ଜଣେ ବିପ୍ଳବିଣୀ ? ସେ କାଳେ ଆମେରିକା ଆସିଛନ୍ତି—ତାଙ୍କ ପାଖକୁ ଯାଇଛନ୍ତି ଡଗ୍‌ଲାସ୍‌ ! ନାଁ କେଉଁ ଝରଣା ବା ଆଖପାଖର ସାନ ଜଙ୍ଗଲକୁ ଯାଇଛନ୍ତି କିଛିଦିନ ପାଇଁ କାହାକୁ ନ ଜଣାଇ ? ଟିକିଏ ନିଶ୍ଚିନ୍ତରେ ରହିବେ—ସହରର ଗରମ ଅସହ୍ୟ ହୋଇଉଠିଛି ବୋଲି-। ଅଥବା ସେ ନିଜକୁ ଲୁଚାଇ ରଖିଛନ୍ତି—ତାଙ୍କ ଲେଖାର ଶେଷଭାଗକୁ ସଂପୂର୍ଣ୍ଣ କରିବେ–ଏଇ ମାସ ଶେଷହେବା ପୂର୍ବରୁ ?

 

ସେ ଥର ଗଲା...ଆର ଥର ମଧ୍ୟ କ୍ଲାସ୍‌ ହେଲା ନାହିଁ । ଅବଶ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯାହା କରଣୀୟ ସେ ସବୁ କରାଯାଇଛି—ଛାତ୍ରମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ । କ୍ରମେ କ୍ରମେ ତାଙ୍କ ସଂକ୍ରାନ୍ତରେ ଆଶଙ୍କା, କୌତୂହଳ, ଭୟ ସବୁ ଘନେଇଆସୁଛି ।

 

ତୃତୀୟ ସପ୍ତାହରେ ତାଙ୍କର କ୍ଲାସ୍‌ ହେବା କଥା । ଏଲିଏନେସନ୍‌ର ଶେଷ ଆଲୋଚନା କରାଯିବ । କଣ ଏଥର ହେବ ? କୌଣସି ନୋଟିସ୍‌ ବି ଦିଆଯାଇନାହିଁ—ହେବା ନହେବା କଥା । କ୍ଲାସରେ ଛାତ୍ରମାନେ ବସିଲେଣି । ଚାରିଆଡ଼େ ସସ୍‌ପେନ୍‌ସ । ଡଗ୍‌ଲାସ ପଛପଟୁ ହସି ହସି ପଶିଲେ କ୍ଲାସ୍‌ ଭିତରକୁ । ଧୀର ସ୍ଥିର ହୋଇ ଟେବୁଲ ପାଖରେ କିଛି ସମୟ ମୂକ ହୋଇ ଛିଡ଼ାହୋଇରହିଲେ । ଆସ୍ତେ ଆସ୍ତେ କହିଲେ—ମାର୍କସ୍‌ ଯେଉଁ ବସ୍ତୁବାଦ କଥା କହୁଥିଲେ, ସେ ହେଗେଲ୍‌ଙ୍କ ବସ୍ତୁବାଦ ନୁହେଁ । କିଏ ବଡ଼—ବସ୍ତୁ ନା ବ୍ୟକ୍ତି—ଏ ସମସ୍ୟା ସହିତ ମାର୍କସ୍‌ଙ୍କର କୌଣସି ସମ୍ପର୍କ ନ ଥିଲା । ସେ ଯେଉଁ ବସ୍ତୁବାଦ କଥା କହୁଥିଲେ, ସେ ସାଧାରଣ ସ୍ତରର କଥା—ଖାଇବା, ପିନ୍ଧିବା, ରହିବା, ବଞ୍ଚିବା ପାଇଁ ମଣିଷର ଯାହା ଦରକାର—ସେଇଟା ସବୁଠାରୁ ବଡ଼ କଥା–ବାକିସବୁ ତା’ ପରେ ।

 

ଉପସ୍ଥିତ ଛାତ୍ରମାନଙ୍କୁ ଡଗ୍‌ଲାସ୍‌ କହିଲେ—ମୋ ବିଷୟରେ କିଛି ପଚାରିବେ ନାହିଁ । କିଛି ଅଭିଯୋଗ ବି କରିବେ ନାହିଁ । ସେଇ ହସ ହସ ମୁହଁ । ଛାତ୍ରମାନେ ବଡ଼ପାଟିରେ ହସିଉଠିଲେ-। ସେମାନେ ଆଶ୍ୱସ୍ତି ଓ ନିଶ୍ଚିନ୍ତ ହୋଇଛନ୍ତି । ଡଗ୍‌ଲାସ କହିଚାଲିଲେ—‘‘ଯୁଗ ଯୁଗ ଧରି ମଣିଷ........

 

ନାଥାନ୍‌ କ୍ଲାର୍କଙ୍କ ବୟସ ଅଶୀ । ଚମଡ଼ା ବ୍ୟବସାୟରେ ସେ ପୃଥିବୀରେ ‘ବାଟା’ର ସାନଭାଇ । ତାଙ୍କ ଭଣଜାମାନଙ୍କୁ ସବୁ କମ୍ପାନୀର ମାଲିକ କରିଦେଇ ନିଜେ କେବଳ ଲାଭର ଗୋଟାଏ ଅଂଶ ନେଇ ସାରା ପୃଥିବୀ ଘୂରିବୁଲନ୍ତି । ଫିଲାଡ଼େଲ୍‌ଫିଆରେ ପୃଥିବୀର ତରୁଣମାନଙ୍କର ସଂଗୀତ ଓ ନୃତ୍ୟ ସମ୍ମିଳନୀ ହେଉଥାଏ ସପ୍ତାହକ ପାଇଁ । ସେଠି ଥିଲେ ନାଥାନ୍‌ । ଭାରତକୁ ଆସନ୍ତି ଯେତେବେଳେ କଲିକତାରେ ତାନ୍‌ସେନ୍‌ ଫେଷ୍ଟିଭାଲ୍‌ ହୁଏ । ସେ ରହନ୍ତି ନିଉୟର୍କରେ ଗୋଟିଏ ଛୋଟକାଟର ପ୍ରାସାଦରେ । ବାସ୍ତବରେ କହିବାକୁ ଗଲେ ରହନ୍ତି ଲେକ୍‌ ବା ଏକ ଜଳଭଣ୍ଡାରରେ । ପ୍ରାସାଦ ଚାରିକଡ଼ରେ ବିସ୍ତୃତ ସବୁଜ କ୍ଷେତ୍ର । ପ୍ରାସାଦ ଭିତରେ ତାଙ୍କର ଏକ ବଡ଼ କୋଠରି । ସେ କୋଠରିଟି ପରିଷ୍କାର ନୀଳବର୍ଣ୍ଣ ପାଣିରେ ଭରା । ପାଣି ମଝିରେ ଗୋଟିଏ ବଡ଼ ଡଙ୍ଗାରେ ପଲଙ୍କ । ସେଇ ପଲଙ୍କରେ ଶୁଅନ୍ତି । ପାଣି ଭିତରେ ତାଙ୍କୁ ଶାନ୍ତି ମିଳେ । ଏ ପାଣିରେ ଶୋଇବା, ସଙ୍ଗୀତ ନୃତ୍ୟ ସମ୍ମିଳନୀ ଦେଖିବା ସାଙ୍ଗକୁ ବ୍ୟବସାୟ ଉପରେ ତାଙ୍କର ଆଖି ଥାଏ । ଭାରତ ଆସିଲାବେଳକୁ ତାନ୍‌ସେନ୍‌ଙ୍କ ସଙ୍ଗୀତ ସହିତ ଜୋତା ପାଇଁ ଚମଡ଼ାର ଏକ୍‌ସପୋର୍ଟ-ରେଟ୍‌ ଠିକ୍‌ ଅଛି କି ନାହିଁ ବୁଝନ୍ତି । ଫିଲାଡ଼େଲ୍‌ଫିଆରେ ଛୁଆଙ୍କ ନାଚଗୀତ ସହିତ ବୁଝନ୍ତି ସେଠି ତାଙ୍କର ଜୋତାର ମାର୍କେଟ୍‌ ଅକ୍ଷୁର୍ଣ୍ଣ ଅଛି କି ନାହିଁ ।

 

ନାଥାନ୍‌ଙ୍କ ଘରେ ସଂଧ୍ୟାବେଳକୁ ଗୋଟାଏ ପାର୍ଟି ପାଇଁ ନିମନ୍ତ୍ରଣ ହୋଇଥିଲା । ଅନେକ ପୁଅଝିଅ ଆସିଥିଲେ । ନାଥାନ୍‌ ଗୋଟିଏ ବିଦ୍ୟାଳୟ ଗଢ଼ିଛନ୍ତି । ବିରାଟ ଅନୁଷ୍ଠାନ କାଲିଫର୍ଣ୍ଣିଆରେ-। ଯେଉଁମାନଙ୍କୁ ତାଙ୍କର ମତବାଦ ପାଇଁ ବା ତାଙ୍କ ପିତାମାତାଙ୍କ ମତବାଦ ବା କାର୍ଯ୍ୟପନ୍ଥା ପାଇଁ ଶିକ୍ଷାନୁଷ୍ଠାନମାନଙ୍କରୁ ବାଛନ୍ଦ କରାଯାଇଥାଏ, ଶିକ୍ଷା ପାଇବାପାଇଁ ବା ଶିକ୍ଷା ଦେବାପାଇଁ ସେମାନଙ୍କୁ ଏହି ଅନୁଷ୍ଠାନରେ ପଢ଼ିବାର, ପଢ଼ାଇବାର ସୁଯୋଗ ଦିଆଯାଇଥାଏ । ଅନେକ କମ୍ୟୁନିଷ୍ଟ, ବିପ୍ଳବୀ, ନିଗ୍ରୋ, ବଡ଼ ବଡ଼ କ୍ରିମିନାଲଙ୍କ ପିଲାମାନେ ଏଠି ଅଛନ୍ତି ଶିକ୍ଷା ପାଇଁ । ମଝିରେ ମଝିରେ ସେମାନେ ଅନେକ ବିଶୃଙ୍ଖଳା ସୃଷ୍ଟି କରନ୍ତି । ନାଥାନ୍‌ଙ୍କ ମତ—ଏ ବିଶୃଙ୍ଖଳାକୁ ସହ୍ୟକରିବା ଆମେରିକାର ସଭ୍ୟତାର ଗୋଟାଏ ଦାୟିତ୍ୱ ।

 

ତାଙ୍କ କଲେଜର ଆଗାମୀ ଛୁଟି ଉପଲକ୍ଷେ ଏହି ପାର୍ଟି ଦିଆଯାଉଥିଲା । ଛାତ୍ରଙ୍କ ଛଡ଼ା ଅନ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ନାଥାନ୍‌ ଅନ୍ୟମାନଙ୍କ ସାଙ୍ଗରେ ପରିଚିତ କରାଉ କରାଉ କହିଲେ—ଆରେ, ଭୁଲିଗଲି । ଜଣେ ଏଠି ଛାତ୍ରୀ ହୋଇ ଆମ କଲେଜରେ ଅଛି—ଆସ ତାକୁ ଦେଖିବ । ସେ ତୁମକୁ ଦେଖିଲେ ଭାରି ଖୁସି ହେବ—ତୁମ ଦେଶର ବୋଲି । ସବୁବେଳେ ଚୁପ୍‌ଚାପ୍‌ ବସିଥାଏ ।

 

ଏ ଘର ସେ ଘର ଖୋଜି ଖୋଜି ବାହାର ବିସ୍ତୀର୍ଣ୍ଣ ଶାଗୁଆ ଲନ୍‌ରେ ପହଞ୍ଚିଲୁ । ସେଠି ଅନେକ ଲୋକ, ଅନ୍ୟ ପିଲାମାନେ ଖିଆପିଆ କରି ଘୂରିବୁଲୁଥାନ୍ତି, କଥାବାର୍ତ୍ତା କରୁଥାନ୍ତି । ସେତେବେଳକୁ ସଂଧ୍ୟା ହୋଇଗଲାଣି । ଲନ୍‌ରେ ଯେଉଁ ଆଲୁଅ ଲାଗିଛି ସେଗୁଡ଼ାକ ତଳମୁହାଁ—ବଡ଼ ବଡ଼ ଛତୁପରି । ସେଡ଼୍‌ ତଳେ ସାନ ସାନ ରଙ୍ଗିନ୍‌ ବଲ୍‌ବ ସବୁ । ଲନ୍‌ଟି ଉପରେ ନାଲି, ନେଳି, ସାଗୁଆ ଆଲୁଅର ବିନ୍ଦୁ ସବୁ ଛଟାହେଲାପରି ଖେଳାଇ ହୋଇ ରହିଛି—ଉପରକୁ ବିଶେଷ ପରିଷ୍କାର ଦିଶୁନାହିଁ ।

 

ଖୋଜି ଖୋଜି ଯାଇ ଦେଖିଲୁ ଗୋଟିଏ ଗଛତଳେ ଝିଅଟିଏ ବସିଚି । ଧଳା ଡ୍ରେସ୍‌ଟିଏ ପିନ୍ଧିଛି । ଧୋବ ଫର୍‌ଫର୍‌ ରଙ୍ଗ । ସାନ ଗୋଟାଏ ଟ୍ରାନ୍‌ଜିଷ୍ଟର୍‌ ଧରିଥାଏ । ମୃଦୁ ସଙ୍ଗୀତର ସ୍ୱର ଧୀରେ ଧୀରେ ତା’ ପାଖରୁ ଚାରିଆଡ଼କୁ ଖେଳାଇଯାଉଛି । ନାଥାନ୍‌ ତା’ ପାଖକୁ ଯାଇ ମୋ’ ଆଡ଼କୁ ଅନାଇଁ କହିଲେ—ୟାଙ୍କ ନା ଶ୍ରୀକାନ୍ତ, ଭାରତବର୍ଷର । ଆଉ ଏ ‘ଶାଶା’ ।

 

ଝିଅଟି ମୁଣ୍ଡକୁ ଟିକେ ତଳକୁ ନୁଆଁଇ ଆଖି ଉପରକୁ ଉଠାଇ କିଛି ସମୟ ଶାନ୍ତ ହୋଇ ଅନାଇଁ ରହିଲା । ସେଇ ଆଖି—ସମସ୍ତ ପୃଥିବୀର ଦୁଃଖ ଯେପରି ସେଠି ଠୁଳ ହୋଇଛି । ସେଇ କରୁଣା, ସେଇ ନିଶ୍ଚଳ ଆଗ୍ରହ । ଆଖି ଆଗରେ ଝଲସିଗଲା ସୋନିଆ, ସେ ଜେଲଖାନା, ତାର ସେ କୋଠରି, ଏ ଶିଶୁ । ପନ୍ଦରଷୋହଳ ବର୍ଷ ତଳର କଥା... ପୁଣି ତା’ ପଛକୁ ଆହୁରି ଦଶବର୍ଷ ତଳର ଇତିହାସ । ଡାକିଲି—‘ଶାଶା’ ।

 

ଅନେକ ସମୟ ଧରି ସେ ତଳକୁ ଅନାଇଁ ରହିଥାଏ । ଆଖିରେ ଲୁହ ଭରିଆସିଲାଣି । ନିସ୍ତେଜ ଅସହାୟ ଶିଶୁଟି ପରି ପୁଣି ମୋ’ ଆଡ଼କୁ ଚାହିଁ ରହିଲା । ତାକୁ ଧୀରେ ପାଖକୁ ଟାଣିଆଣି ଆଖିରୁ ଲୁହ ପୋଛିଦେଲି । ଶରବିଦ୍ଧ ଶିଶୁ ହରିଣୀଟି ଯେପରି ଆଶ୍ରୟ ପାଇଛି ସେ ସ୍ପର୍ଶ ଭିତରେ । ତାର ଯେପରି ଅଭିଯୋଗ—କେଉଁଠି ଥିଲ ଏତେ ଦିନ ପର୍ଯ୍ୟନ୍ତ—ମୁଁ ଏକାକୀ ଏଠି କ୍ଷତବିକ୍ଷତ ହୋଇ ପଡ଼ିରହିଛି । କୋଳ ଭିତରୁ ଶାଶା କହିଲା—ମୁଁ ତୁମକୁ ଜାଣେ । ନିଜକୁ ଦୋଷୀ ପରି ମନେହେଉଥାଏ । ଦିନେ ଏହି ଶିଶୁଟିକୁ ବାଧ୍ୟ ହୋଇ ହାତ ଟେକି ଦେବାକୁ ହୋଇଥିଲା ସୋନିଆର ବନ୍ଧୁମାନଙ୍କ ହାତରେ—ସେମାନଙ୍କ ଦାବୀରେ । ଛବିଶ ବର୍ଷର ବ୍ୟବଧାନ ସଙ୍କୁଚିତ ହୋଇ କ୍ରମେ କ୍ରମେ ନିଶ୍ଚିହ୍ନ ହୋଇଗଲା । ମନେହେଲା ସବୁ ଯେପରି କ୍ରମଶଃ—ଏଇ କାଲିକାର କଥା ସବୁ ଚାଲିଛି । ଲମ୍ବାହୋଇ ଆସିଲା ସେବେକାର କଥା—ସୋନିଆର ଜୀବନର ଦୀର୍ଘ କାହାଣୀ ।

 

ନାଥାନ୍‌ କହିଚାଲିଥାନ୍ତି—ଦିନେ ତୁମ ଦେଶରୁ କେତେକ ନକ୍‌ସାଲବାଡ଼ି ବିପ୍ଲବୀ ଆମର ଏଠାକାର ଲୋକଙ୍କ ହାତରେ ପଠାଇଦେଇଥିଲେ ଏ ଶିଶୁକୁ । ସେଇଦିନଠୁ ସେ ଏଇଠି ।

 

ମନେ ମନେ କହୁଥାଏ—ଶାଶା, ତତେ କେତେ ଖୋଜିଛି, କେତେଆଡ଼େ । ତୋ ଜରିଆରେ ଆଜି ଯେପରି ଫେରିଯାଇଛି ମୋ ସୋନିଆକୁ ।

 

ସମଗ୍ର ମଣିଷର ଗୋଟାଏ ନିବିଡ଼ ଶୋଭାଯାତ୍ରା ଆଦିମୁହୂର୍ତ୍ତରୁ, କାଳର ସଡ଼କରେ ଅବିଶ୍ରାନ୍ତ ଭାବରେ ଚାଲିଛି । ଏ ଅନନ୍ତ ଯାତ୍ରାର କୌଣସି ଉଦ୍ଦେଶ୍ୟ ନାହିଁ, କୌଣସି ପରିଣାମ ନାହିଁ । ପ୍ରତ୍ୟେକ ମଣିଷ କିଛିକାଳ ପାଇଁ ଏ ମହାଯାତ୍ରାରେ ଯୋଗଦିଏ, ପୁଣି ବିଚ୍ୟୁତ ହୋଇଯାଏ-। ନିଏ ବିଦାୟ । ଏ ଶୋଭାଯାତ୍ରାରେ ବ୍ୟକ୍ତିର ସାମୟିକ ସାନ୍ନିଧ୍ୟର ନାମ ଜୀବନ । ବିଜ୍ଞାନ, ଦର୍ଶନ, କଳ୍ପନା ଏ ଜୀବନ ସଂକ୍ରାନ୍ତରେ ଅନେକ ହିସାବ-ନିକାଶ ପରେ ସ୍ଥିରକରିଛି ଯେ ଅନ୍ଧକାରର ନିସ୍ତବ୍‌ଧତାରୁ ଏହାର ଜନ୍ମ । ଅନ୍ଧକାରର ନିସ୍ତବ୍‌ଧତାରେ ଏହାର ବିଲୟ । ଆଲୋକିତ ମାଧ୍ୟମିକ କୋଳାହଳ ମୁହୂର୍ତ୍ତଗୁଡ଼ିକର ଅନ୍ୟ ନାମ ହେଉଛି ଜୀବନ ।

 

ଦୁଇଟି ପର୍ଯ୍ୟାୟ । ଗୋଟିଏ—ଚିରନ୍ତନ ମନୁଷ୍ୟର ଏ ଅନନ୍ତ ଶୋଭାଯାତ୍ରା—ଅନ୍ୟଟି ସାମୟିକ । ଏ ଶୋଭାଯାତ୍ରା ସହିତ ବ୍ୟକ୍ତିର କିୟତ୍‌କାଳ ପାଇଁ ସମାବେଶ । ସୀମିତତାରେ ନିବିଷ୍ଟଭାବେ ସଂଶ୍ଳିଷ୍ଟ ଏକ ଅସୀମିତତା । ବ୍ୟକ୍ତି ସିଦ୍ଧାନ୍ତ କରିପାରେ ନାହିଁ । ବିଶ୍ୱାସ କରି ପାରେ ନାହିଁ ଯେ ସେ କ୍ଷଣସ୍ଥାୟୀ । ସେଥିପାଇଁ ଅବତାରଣା କରେ । ସୃଷ୍ଟିକରେ ଆତ୍ମା, ପୁନର୍ଜନ୍ମ, କୁତବମୀନାର । କହେ ଏମାନେ ଅମର, ତେଣୁ ମୁଁ ବି ତ୍ରିକାଳଜୟୀ । ମୁଁ ଅଛି, ଆସିବି, ଆସୁଥିବି । ସାମ୍ରାଜ୍ୟ ପାଇଁ କରେ ମହାଯୁଦ୍ଧ । ପ୍ରତିଷ୍ଠା ପାଇଁ ପ୍ରାଣମୂର୍ଚ୍ଛା ସଂଘର୍ଷ । ଇହକାଳ ପରକାଳ ପାଇଁ ସଞ୍ଚୟ କରେ ଧର୍ମ, ସମ୍ପତ୍ତି, ଉତ୍ତରପୁରୁଷ । ଚିରନ୍ତନ ଭବିଷ୍ୟତ ପାଇଁ ଉଡ଼୍‌ଡ଼ୀୟମାନ ନିଜର ଶାଶ୍ୱତ ପତାକା ।

 

କିନ୍ତୁ ଅନେକ ଥାନ୍ତି ପୃଥିବୀର ବିଭିନ୍ନ କୋଣରେ—ବିଶ୍ୱାସ କରନ୍ତି ନାହିଁ ମଣିଷର ଏ ତଥାକଥିତ ଅମରତ୍ୱ । ସ୍ୱୀକାର କରନ୍ତି ଯେ ଏହାର ଅନ୍ତ ଅବଶ୍ୟମ୍ଭାବୀ । ସେମାନଙ୍କ ପାଇଁ ଜୀବନର କେବଳ ବର୍ତ୍ତମାନ ଅଛି, ଅତୀତ ଅନ୍ଧକାରଲିପ୍ତ, ଭବିଷ୍ୟତ କେବଳ କଳ୍ପନାର ବସ୍ତୁ । ସେମାନେ ବଞ୍ଚନ୍ତି ଜଙ୍ଗଲର ସୁରମ୍ୟ ପୁଷ୍ପଟି ଧରି । ସମ୍ପତ୍ତି ପାଇଁ ଯୋଜନା ନାହିଁ । ଉତ୍ତରପୁରୁଷ ପାଇଁ ଆକାଂକ୍ଷା ନାହିଁ । ଧାନ ପାଇଁ ଆଗ୍ରହ ନାହିଁ । ନିଜର ସୁଗନ୍ଧିରେ ଭରପୁର ସେମାନେ । କାହାପାଇଁ କୌଣସି ପ୍ରମାଣର କିଛି ଦାୟିତ୍ୱ ନାହିଁ ।

 

ସେଇ କେତେକ ଲୋକ ନିଜ ଜୀବନକୁ ଦୁଇହାତରେ ଧରି ଉପରକୁ ପେଣ୍ଡୁପରି ଫିଙ୍ଗିପାରନ୍ତି—ଛୁଆମାନେ ରବରନଳୀ ଆଗରେ ସାବୁନପାଣି ଫୋଟକା କଲାପରି ମୁହୂର୍ତ୍ତଗୁଡ଼ିକୁ ଫୁଙ୍କି ଉଡ଼ାଇଦେଇ କହିପାରନ୍ତି—ଛାଡ଼ ଏ ସବୁ, ଚାଲ ଯିବା ସକାଳର କଅଁଳିଆ ସୂର୍ଯ୍ୟ ଶାଗୁଆ ପାହାଡ଼ ପଛପଟୁ ନାଲିଆ ଓଢ଼ଣୀ ଭିତରୁ ଯେତେବେଳେ ଆଗେଇ ଆସୁଛି—ତାର ଥଣ୍ଡା ଆଲୁଅରେ ନିଜକୁ ବିଛେଇଦେବା ।

 

ଅନ୍ଧାର ଭିତରେ ଯେଉଁଠି ସେ ବୁଢ଼ୀଟି ସତୁରିବର୍ଷର ମେଞ୍ଚାଏ ପୋକାହାଡ଼, ଧୂଳିମାଟିମିଶା ଛିଣ୍ଡା ମସିଣା ଉପରେ ଜରରେ ଥରିଉଠୁଛି, ଉପରେ କଣା ଫଟା ବରଡ଼ା, ଚାଲ ଯିବା ତା’ରି ପାଖକୁ । କଣ ଯାଏଆସେ ଯଦି ତୁମ ପାଇଁ ଶଙ୍ଖ ତୂରୀ ନ ବାଜେ । ଆଉ ଭବିଷ୍ୟତ ପାଇଁ ପଦଚିହ୍ନ—ସେ ତ କାହାପାଇଁ ରହେନାହିଁ । କେବଳ ପରବର୍ତ୍ତୀ ସମାଜ ନିଜର ସୁଯୋଗ ସୁବିଧା କଳହ କୋଳାହଳ ପାଇଁ ଜୀବିତ ରଖନ୍ତି ଅତୀତର ମୃତ ସ୍ମୃତିକୁ । ବିତାଡ଼ିତ ପୁତ୍ର ପିତାର ଶ୍ରାଦ୍ଧକରେ ସମାରୋହରେ ସମ୍ପତ୍ତିର ଉତ୍ତରାଧିକାରୀ ହେବାପାଇଁ । ନିଜର କ୍ରମାଗତ ପ୍ରତିଷ୍ଠା ଲାଗି ତତ୍‌କାଳୀନ ବ୍ୟକ୍ତିମାନେ ପ୍ରାଣନ୍ୟାସ କରନ୍ତି ଅତୀତର ଧରମାମାନଙ୍କୁ । ଜୀବଦ୍ଦଶାରେ ଭୋକ ଅପମାନ ଘୃଣାରେ ସଂହାର କରି, ଭବିଷ୍ୟତରେ ସେମାନଙ୍କ ପାଇଁ ତୋଳନ୍ତି ଗମ୍ୱୁଜ । ୟାକୁଇ କହିବ ପଦଚିହ୍ନ । ପାହାନ୍ତିଆର ସେ ନାଲି ଶାନ୍ତ ସୂର୍ଯ୍ୟ, ସେ ଅସହାୟ ରୁଗ୍‌ଣ ବୁଢ଼ୀର କରୁଣ ଚାହାଣି, କୌଣସି ଅଜ୍ଞାତର ଗଭୀର ସନ୍ଧାନ, ଦୂର ଆକାଶରୁ ବଂଶୀର ଘନିଷ୍ଠ ଆମନ୍ତ୍ରଣ—ବଞ୍ଚିବାପାଇଁ କେତେକ ଲୋକଙ୍କ ଲାଗି ସଂପୂର୍ଣ୍ଣ ଗୌରବମୟ ପାଥେୟ ।

 

ସେହିପରି ଜଣେ ଥିଲେ—ତାଙ୍କ ନାଁ ସୋନିଆ । ତାଙ୍କ ସାଙ୍ଗରେ ପ୍ରଥମେ ଦେଖାହୋଇଥିଲା ଅନେକ ବର୍ଷ ଆଗର ଗୋଟିଏ ରବିବାର ଦିନ ସକାଳେ—ଲଣ୍ଡନରେ । ଲଣ୍ଡନର ଗୋଟିଏ ସାନ ସଡ଼କ । ତା ଦେହରୁ ବାହାରିଛି ଗୋଟିଏ ସାନଗଳି । ସେ ଦିନ ଖୁବ୍‌ କୁହୁଡ଼ି । ସବୁ ଟିକେ ଟିକେ ଝାପ୍‌ସା ଅନ୍ଧାରିଆ । ସେ ବାଟେ ଖଣ୍ଡେ ଦି ଖଣ୍ଡ ଗାଡ଼ି ଯାଇଥିବ କି ନାହିଁ । ସେ ପଡ଼ାରେ ଖୁବ୍‌ କମ୍‌ ଭାରତୀୟ ରହନ୍ତି—ବେଶି ଭାଗ ବିଦେଶୀ—ଖାସ୍‌ ଇଂରେଜମାନଙ୍କ ବସବାସର ଅଞ୍ଚଳ । ତାକୁ କହନ୍ତି ଓ୍ୱେଷ୍ଟ ମିନିଷ୍ଟର୍‌ ଏରିଆ । ଏବେ ବି ସେଇମିତି ଶୂନ୍‌ଶାନିଆ ଅଛି । ସକାଳୁ କୁଆଡ଼େ ଗୋଟାଏ ଯିବାକୁ ଥାଏ । ରେସ୍ତୋରାଁରେ ବସି ଚାହା ଖାଇ ଖବରକାଗଜ ଉପରେ ଆଖି ବୁଲାଉଛି, କିଏ ଜଣେ ପଛପଟୁ କାନ୍ଧ ଛୁଇଁ ପଚାରିଲେ—କିଛି ଚେଞ୍ଜ୍‌ ଅଛି ? କିଛି ରେଜାପଇସା ?

 

ମୁହଁ ବୁଲାଇ ପଛରେ ଦେଖିଲି ଜଣେ ସ୍ତ୍ରୀଲୋକ ଛିଡ଼ାହୋଇଛନ୍ତି । ନିର୍ମଳ ପରିବେଶ । ପକେଟରେ ଯାହା ରେଜାପଇସା ଥିଲା ତାଙ୍କ ହାତକୁ ବଢ଼ାଇଦେଲି । ସେ ମୋ ମୁହଁକୁ ଚାହିଁଲେ ନାହିଁ, ଦେଖିଲେ ନାହିଁ । ପଇସାକୁ ଗଣିଲେ ବି ନାହିଁ—ଧନ୍ୟବାଦ ଦେବା ତ ଦୂରର କଥା—କୈଫିୟତ୍‌ର ତ ପ୍ରଶ୍ନ ନାହିଁ । ସେଇମିତି ସେ ପଇସାତକ ହାତମୁଠାରେ ଧରି କାଉଣ୍ଟର୍‌ରେ ଦୋକାନୀକୁ ଦେଇଦେଲେ—ଦୋକାନୀର ଗଣିବା ପର୍ଯ୍ୟ୍ୟନ୍ତ ମଧ୍ୟ ଅପେକ୍ଷା କଲେନାହିଁ । ଓଭରକୋଟ୍‌ ସାଙ୍ଗରେ ଓଢ଼ଣୀପରି ଯେଉଁ ଟୋପି ଲାଗିଥାଏ, ତାକୁ ମୁଣ୍ଡଉପରେ ସଜାଡ଼ି ରେସ୍ତୋରାଁରୁ ବାହାରିଆସି ଟିକିଏ ରାସ୍ତାକୁ ଟିକେ ଆକାଶକୁ ଚାହିଁ ତଳକୁ ଓହ୍ଲାଇଗଲେ । ଏହା ନୁହେଁ କି ସେ କାର୍ଯ୍ୟବ୍ୟସ୍ତ ଥିଲେ—କୌଣସି ବସ୍‌ ଚାଲିଯାଇଛି ତାକୁ ଧରିବେ ବା ସମୟ ହୋଇଯାଉଛି କିଏ ଅପେକ୍ଷା କରିଛି କେଉଁଠି ପହଞ୍ଚିବେ । ତାଙ୍କର ଚାଲି, ପଇସା ଦେବା ନେବା ଭିତରେ ବ୍ୟସ୍ତତା ନ ଥିଲା । ତାଙ୍କର ବ୍ୟବହାରରେ କିଛି ଅନିଶ୍ଚିତତା ନଥିଲା—କିଛି ଅବାନ୍ତର ନଥିଲା । କିନ୍ତୁ ଯାହା ଥିଲା, ମନେହେଲା ସେଟା କିଛି ସ୍ୱତନ୍ତ୍ର । ପରେ ଜଣାଗଲା ସେ ହେଉଛି ନିଜ ଉପରେ ସବୁକ୍ଷେତ୍ରରେ ସବୁପରିସ୍ଥିତିରେ ଅଖଣ୍ଡ ଅବିଚଳିତ ଦୃଢ଼ ଆତ୍ମବିଶ୍ୱାସ ।

 

ତା’ ପରେ ଅନେକ ଦିନ ବିତିଯାଇଛି । ଦିନେ ବିଲାତକୁ ଆସିଲେ ଇହୁଦି ମେନ୍‌ହୁଇନ୍‌-। ସେ ଏକ ‘ସିମ୍ବଲ୍‌’ ପରି ଥିଲେ । ସେ ଜଣେ ପ୍ରୋଡ଼ିଜି, ଅର୍ଥାତ୍‌ ଶିଶୁ ଅବସ୍ଥାରୁ ତାଙ୍କର ସବୁ ସଙ୍ଗୀତ-ଜ୍ଞାନ ହୋଇଥିଲା । ସେ ଶୈଶବରୁ ମୋଜାର୍ଟ, ଚାଇକୋସ୍‌ଲି ବଜାଇ ପାରୁଥିଲେ । ଜଣେ ବିଶିଷ୍ଟ ସ୍ତ୍ରୀଲୋକ ତାଙ୍କର ବେହେଲା ବାଦନ ପରେ ମଞ୍ଚ ଉପରକୁ ଉଠିଆସି ତାଙ୍କୁ କୁଣ୍ଢାଇ ପକାଇ କହିଲେ—ଏମିତି ସଙ୍ଗୀତ ପାଇଁ ମୁଁ ମୋର ସମସ୍ତ ଜୀବନ ଦେଇଦେବାପାଇଁ ପ୍ରସ୍ତୁତ ଅଛି ।

 

ଶାନ୍ତ ଭାବରେ ମେନ୍‌ହୁଇନ୍‌ କହିଲେ—ହଁ ମ୍ୟାଡ଼ାମ୍‌, ମୁଁ ସେଇଆ ଦେଇଛି ।

 

କଳାକାର ଭିତରେ ଯାହା ଯଥାର୍ଥ, ଯାହା ଆଦର୍ଶ, ଯାହା ସୁନ୍ଦର, ସେ ସବୁର ପ୍ରତିମୂର୍ତ୍ତି ଥିଲେ ଏଇ ଇହୁଦି ମେନ୍‌ହୁଇନ୍‌ ।

 

ସେଦିନ ସଂଧ୍ୟାରେ ତାଙ୍କ ପାଇଁ ପ୍ରଚଣ୍ଡ ଭିଡ଼ ଆଲବଟ୍‌ ହଲ୍‌ରେ । ଜାଗାରେ ସିନା ଠିକ୍‌ ସମୟରେ ପହଞ୍ଚିହେଲା, କିନ୍ତୁ ଯାହା ଦେଖାଗଲା କୌଣସି ସିଟ୍‌ ପାଇବା ଏକାବେଳକେ ଅସମ୍ଭବ-। ଟିକଟ୍‌ ସବୁ ମାସକ ଆଗରୁ ବିକ୍ରି ସରିଛି । ଏକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଡକରା ହୋଇଥାଏ—ଉଦ୍‌ବୃତ୍ତ ଧନ ପୃଥିବୀର ରିଫ୍ୟୁଜିମାନଙ୍କ ପାଇଁ ଖର୍ଚ୍ଚ ହେବ । ଭିତରକୁ ତ କୌଣସି ପ୍ରକାରରେ ଯାଇ ହେବ ନାହିଁ—ବାହାରେ ଏ ଲୋକମାନଙ୍କର ଆଗ୍ରହ ଉତ୍ସାହ ଅନ୍ତତଃ ଉପଭୋଗ କରାଯାଇପାରିବ ।

 

ନିରୁଦ୍ଦେଶ୍ୟ ଭାବରେ ବାରଣ୍ଡାରେ ବୁଲି ବୁଲି ସମୟ କାଟୁଥାଏ । କ୍ରମେ ଲୋକମାନେ ହଲ୍‌ ଭିତରକୁ ପଶିଲେ । ଚାରିଆଡ଼ର କୋଳାହଳ ଧିମେଇ ଆସିଲା । ବାରଣ୍ଡାରେ ଛାଇ ଆଲୁଅରେ ଏକୁଟିଆ ଛିଡ଼ାହୋଇ ସିଗାରେଟ୍‌ ଧୂଆଁ ଭିତରେ ଇଂରେଜ ଆକାଶରେ ମ୍ରିୟମାଣ ତାରାମାନଙ୍କୁ ଦେଖିବାକୁ ଚେଷ୍ଟାକରୁଥାଏ । ଜୋର୍‌ରେ ଘଣ୍ଟି ବାଜିଲା । ଏଇଟା ବୋଧହୁଏ ଦ୍ୱିତୀୟ ଘଣ୍ଟି । ହଲ୍‌ ଭିତରେ ପ୍ରବେଶ ପାଇଁ ବର୍ତ୍ତମାନ ଆଉ ଆଶା ନାହିଁ, ଫେରିଯିବାକୁ ହେବ । ପାହାଚ ପାଖରେ ତଳକୁ ଓହ୍ଲାଇବା ପାଇଁ ଗୋଡ଼ ବଢ଼ାଇଛି, ପଛପଟୁ ପିଠିରେ ଛୁଇଁ ଜଣେ କିଏ କହିଲେ—ଶୀଘ୍ର ଭିତରକୁ ଚାଲିଯାନ୍ତୁ । ତୃତୀୟ ଘଣ୍ଟି ବାଜିଲେ ଆଉ ଦରଜା ଖୋଲିବନାହିଁ । ଏଇ ଗୋଟାଏ ପାସ୍‌ । ସାମନା ଦରଜାରେ ଦେଖାଇବେ । ଆଗରେ ସିଟ୍‌—ତୃତୀୟ ଧାଡ଼ିରେ ।

 

ଝାପ୍‌ସା ଆଲୁଅରେ ତାଙ୍କର ମୁହଁ ପରିଷ୍କାର ଦିଶିଲାନାହିଁ । ପଚାରିଲି, ଆଉ ତୁମେ ? କହିଲେ—ମୁଁ ଏ ଅନୁଷ୍ଠାନର ଲୋକ—ପଛପଟୁ ଆସିଯିବି । ଏତକ କହି ମୋ ହାତରେ ପାସ୍‍ ଖଣ୍ଡିକ ଧରାଇଦେଇ ଶୀଘ୍ର ପଛପଟକୁ ଚାଲିଗଲେ । ତୃତୀୟ ଘଣ୍ଟି ବାଜିଉଠିଲା । ଭାବିବା ପାଇଁ ସମୟ ନାହିଁ । ମନେ ମନେ ଖୋଜୁଥାଏ ସେ ସ୍ୱରକୁ । ମନେହେଲା ଅନେକ ଦିନ ତଳେ ଦିନେ ସକାଳେ ଗୋଟାଏ ରେସ୍ତୋରାଁରେ ସେ ସ୍ୱର ପ୍ରଥମକରି ଶୁଣିଥିଲି ।

 

ଡୋନାଲ୍‌ଡ଼ ବୋଲି ଜଣେ ବ୍ୟକ୍ତି ଥିଲେ ସେତେବେଳେ ଲଣ୍ଡନରେ; ଏବେ ବି ଅଛନ୍ତି । ସେ ଅଧିକାଂଶ ଭାରତୀୟ, ଆଫ୍ରିକୀୟ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ । ସେତେବେଳେ ସମସ୍ତେ ବିହ୍ୱଳିତ ଭାବରେ ତାଙ୍କୁ ଦେଖୁଥିଲେ । କଲେଜର ପଢ଼ା ଆରମ୍ଭବେଳକୁ ସେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଇଡ଼େନ୍‌ଙ୍କ ସାଙ୍ଗରେ ନିର୍ବାଚନରେ ଲଢ଼େଇ କରିଥାନ୍ତି । ପଢ଼ା ଭିତରେ ସେ ଲଣ୍ଡନର କାଉଣ୍ଟିକାଉନ୍‌ସିଲରେ ସଭ୍ୟ ନିର୍ବାଚିତ ହେଲେ । ପୁଣି ଆଇନ କଲେଜରେ ପଢ଼ିଲାବେଳକୁ ଓୟେଷ୍ଟଇଣ୍ଡିଜ୍‌ରେ ଶ୍ରମିକମାନଙ୍କ ଉନ୍ନତି ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯିବ, ତା’ ପାଇଁ ଯେଉଁ କମିଟି ଗଠନ କରାଯାଇଛି ତାର ସେ ସଭ୍ୟ । କିଛି ଦିନ ତଳେ ସେ ବାଙ୍ଗ୍‌ଲାଦେଶ ଆନ୍ଦୋଳନରେ ମଧ୍ୟ ଘନିଷ୍ଠ ଭାବରେ ସଂପୃକ୍ତ ଥିଲେ । ବର୍ତ୍ତମାନ ସେ ଅନେକ ସାମାଜିକ କାର୍ଯ୍ୟକ୍ରମ ସହିତ ଓତପ୍ରୋତ ଭାବରେ ଜଡ଼ିତ ।

 

ସେ ଏକ ଅଦ୍‌ଭୁତ ଲୋକ । ମଣିଷକୁ ସେ ଏପରି ଭଲପାନ୍ତି, ବିଶ୍ୱାସ କରିହେବନାହିଁ । ତୁମେ ପୋଷ୍ଟମ୍ୟାନ୍‌ ହୁଅ, ପ୍ଲମ୍ବର ହୁଅ, ଇଲେକ୍‌ଟ୍ରିସିଆନ୍‌ ହୁଅ—ସାଙ୍ଗସାଥୀଙ୍କ କଥା ତ ଛାଡ଼—ତୁମକୁ ସେ ଏପରି ଆନନ୍ଦ ଉଚ୍ଛ୍ୱାସର ସହିତ ଦେଖିବେ, ତୁମ ଯେପରି ସ୍ୱତନ୍ତ୍ର; କାରଣ ତୁମେ ଜଣେ ମଣିଷ । ଏଥିପାଇଁ ପଦପଦବୀ, ଗୁଣ, ଚରିତ୍ରର କିଛି ଆବଶ୍ୟକତା ନାହିଁ । ତୁମେ ମଣିଷ—ବାସ୍‌, ସେତିକି ହିଁ ଯଥେଷ୍ଟ ।

 

ଲଣ୍ଡନରେ ତାଙ୍କ ଘର ପଛପଟେ ଗୋଟାଏ ହଲ୍‌ ଅଛି । ସେଠି କ୍ରିସ୍‌ମସ୍‌ ପାଇଁ ସେ ବର୍ଷ ବହୁତ ପ୍ରକାରର ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ଅନେକ ଲୋକ ଯୋଗଦେଇଥାନ୍ତି । ଆଫ୍ରିକୀୟ ନେତା, ଭାରତୀୟ ଛାତ୍ର, କାଉନ୍‌ସିଲ୍‌ର ସଭ୍ୟ, ଏମ୍ବାସୀମାନଙ୍କର ଅଫିସର୍‌, ଖବରକାଗଜବାଲା—ଏକ ବିରାଟ ମେଳା । ଖିଆପିଆ, ଗୀତନାଚରେ ଅନେକ ସମୟ ବିତିଗଲା-। ରାତି ପ୍ରାୟ ଦୁଇଟା ଖଣ୍ଡେ ହେବ କି କଣ—ସାଙ୍ଗମେଳରେ କଥାବାର୍ତ୍ତା ହେଉଛୁ । ଦେହଟା କିପରି ଝାଏଁ ଝାଏଁ ହୋଇଗଲା—ମୁଣ୍ଡଟା ଝାଙ୍କି ହୋଇ ଆସିଲା । ଛିଡ଼ା ହୋଇ ପାରିଲି ନାହିଁ । ପାଖ ସୋଫା ଉପରେ ଆଉଜି ପଡ଼ିରହିଲି । କେତେବେଳେ ଚେତା ଚାଲିଯାଇଛି ଜାଣିନାହିଁ-

 

ଆଖି ଖୋଲିଲା ବେଳକୁ ସକାଳ । ଝରକାବାଟେ ଧଳା ପରଦା ଦେଇ ଆଲୁଅ କୋଠରି ଭିତରକୁ ପଶି କୋଠରିଟିକୁ ସ୍ୱଚ୍ଛ ଉଜ୍ଜ୍ୱଳ କରିଛି । ସେ କୋଠରିର ଝରକା ପାଖକୁ ଗୋଟେ ସାନ ଟେବୁଲ । ଟେବୁଲ ପେଟ ଭିତରେ ଚେୟାରଟିଏ । ଟେବୁଲ ଉପରେ ଧଳାକନା ଝାଡ଼ିଦିଆ ଲ୍ୟାମ୍ପ । ଏ ଖଟ ପାଖରେ ଧୂସର ରଙ୍ଗର ଚମଡ଼ାରେ ତିଆରି ଚଉକି । ଆଉ ପାଖ କାନ୍ଥକୁ ମିଶି ଲମ୍ବା ଚଉଡ଼ା ଥାକମାନ ବିଭିନ୍ନ ସାଇଜର ଓଜନିଆ କାଠରେ ତିଆରି—ଛାତରୁ ତଳ ପର୍ଯ୍ୟନ୍ତ । କାନ୍ଥ ଦିଶୁନାହିଁ । ସେ ଥାକମାନଙ୍କରେ ବିଭିନ୍ନ ପ୍ରକାରର ବହି, ଫୁଲଦାନି, ଟାଇପରାଇଟର୍‌, ପଥରର ମୂର୍ତ୍ତି, ଟେପରେକର୍ଡ଼ ରଖାଯାଇଛି । ଗୋଟାଏ ସମ୍ପୂର୍ଣ୍ଣ ସଂସାର । ତାର ସାମନା କାନ୍ଥଟି କିନ୍ତୁ ପରିଷ୍କାର ଫୁଙ୍ଗୁଳା । ମଝିରେ କେବଳ ତିନୋଟି ସାନ ସାନ ଫଟୋ ଝୁଲୁଛି ।

 

ଖୁବ୍‌ ଶୀତ । ରେଜେଇରୁ ନିଜକୁ ଅର୍ଦ୍ଧମୁକ୍ତ କରି ବିଛଣାରେ ଉଠି ବସିଲି । ଦୁଆରମୁହଁରେ ବାହାରୁ ଠକ୍‌ ଠକ୍‌ ଶବ୍ଦ ହେଲା । କହିଲି—ଭିତରକୁ ଆସ । ଦେଖିଲି ସେଇ ସ୍ତ୍ରୀଲୋକ ଜଣକ କପେ ଚା’ଧରି କୋଠରି ଭିତରକୁ ଆସିଲେ । ମୁହଁରୁ କଥା ବାହାରିଲା ନାହିଁ । କିଛି ମୁହୂର୍ତ୍ତ ବିତିଗଲା । କେଉଁଠୁ କଣ ଆରମ୍ଭ କରିବି କିଛି ଠିକ୍‌ କରି ପାରୁ ନ ଥାଏ । ଭାବୁଥାଏ ଏଠିକୁ କିପରି ଆସିଲି ! ସେ ବିଷୟରେ କିଛି ପଚାରିବା ଅତି ଅସୁନ୍ଦର ହେବ; ସେ କିନ୍ତୁ ଏସବୁର ତୁରନ୍ତ ସମାଧାନ କରିଦେଲେ ।

 

କହିଲେ—ମୋ ନାଁ ସୋନିଆ । ଏଇ ପାଖ ହାରଲ୍‌ଡ଼ ଲାସ୍କି ହଷ୍ଟେଲ୍‌ରେ ଆପଣ ରହନ୍ତି । ମୁଁ ବି ସେ ଡୋନାଲ୍‌ଡ଼ ପାର୍ଟିକୁ ଯାଇଥିଲି ।

 

—କାଲି ରାତିରେ ମୁଁ ଗୋଟାଏ ଜଞ୍ଜାଳ ହୋଇଥିବି !

 

ନିର୍ଲିପ୍ତ ଭାବରେ ବିଛଣା ଆଡ଼କୁ ଅନାଇଁ କିଛି ଜବାବ ଦେଲେନାହିଁ । ସନ୍ତର୍ପଣରେ ପଚାରିଲି—ଏଠି ବର୍ତ୍ତମାନ କେଉଁଠି ?

 

ପ୍ରଶ୍ନର ଚଉହଦି ମୁକୁଳା ଥିଲା—ସେ ଯାହା ଚାହିଁବେ କହିବେ ବା କହିବେ ନାହିଁ । ସୋନିଆ କହିଲେ—କେମ୍ବ୍ରିଜ୍‌ରେ ଥିଲି । ଏ ବର୍ଷ ପାଠ ଶେଷ ହେଲା । କିଛି ସମୟ ରହିଯାଇ କହିଲେ—କାଲି ଯାଉଛି ଆଫ୍ରିକା—କେନିଆକୁ ।

 

—ସେଠି ଘର ?

 

—ନାଁ

 

—ଫେରିଆସିବେ ?

 

—ହଁ ।

 

ଚେୟାର ଉପରୁ ଉଠି ଝରକାବାଟେ କିଛି ସମୟ ଅନାଇଁ ରହିଲେ । କହିଲେ—ବ୍ରେକ୍‌ଫାଷ୍ଟ କରି ଯିବେ ।

 

କହିଲି—କେନିଆ ଯିବାପାଇଁ ଆଜି ତ ବ୍ୟସ୍ତ ଥିବେ । ଆସନ୍ତୁ... ଆଉ କେବେ ।

 

କିଛି ସମୟ ପରେ କୋଠରିରୁ ବାହାରି ଚାଲିଗଲେ ।

 

ଦେହରୁ ରେଜେଇ କାଢ଼ି ବିଛଣାରୁ ନିର୍ଗତ ହୋଇ ନିଜର ପରିଧାନକୁ ସଂଗ୍ରହ କରି ବାହାରକୁ ଆସିଲି । ଦେଖିଲି ବାହାରେ ସୋନିଆ ଅପେକ୍ଷା କରି ଛିଡ଼ାହୋଇଛନ୍ତି । କହିଲି—ଫେରିଲେ ଦେଖାହେବ । ହାତ ଟେକି ବିଦାୟ ନେଲି ।

 

ଅନେକ ଦିନ ବିତିଗଲା । ସୋନିଆର କିଛି ଖବର ନାହିଁ । ପ୍ରାୟ ଗୋଟାଏ ବର୍ଷ ବିତିଗଲାଣି । ନିଜର ପାଠ ପ୍ରାୟ ସରିବା ଉପରେ । ପରୀକ୍ଷା ଫଳ ପାଇଁ ଅପେକ୍ଷା କରିଛି । ବିଲାତରେ ଇତିମଧ୍ୟରେ ଗୋଟାଏ ନିର୍ବାଚନ ହେଲା । ଇହୁଦି ମେନ୍‌ହୁଇନ୍‌ ବି ଆଉ ଥରେ ଆସି ଫେରିଗଲେଣି । ପୁଣି ଥରେ ଖ୍ରୀସ୍‌ମସ୍‌ ହୋଇସାରିଛି । ଅନେକଥର ମନେପଡ଼ିଛି ସୋନିଆ କଥା-। କେତେ ହଇରାଣ ହୋଇଥିବେ ସେଦିନ ରାତିରେ ! ପଦେ ବି କିଛି କହିଲେ ନାହିଁ !

 

ଦିନେ ଗୋଟାଏ ପାର୍ଶଲ ଆସିଲା ନାଇରୋବିରୁ—କେନିଆର ରାଜଧାନୀରୁ । ଖଣ୍ଡେ ବହି । ମଲାଟ ତଳେ ବହି ଭିତରେ ଛୋଟ ଖଣ୍ଡେ ଚିଠି । ସେଥିରେ ଲେଖାଅଛି—‘‘ମୋ’ କୋଠରିକୁ ଯିବ । ସେଠି ମୋର ବୁଢ଼ୀମା’ ଅଛି । ସେ ଇଂରେଜୀ ଭଲଭାବରେ ବୁଝେ ନାହିଁ । ତୁମ ଭାଷାରେ ଧୀରେ ଧୀରେ କହିଲେ ସେ ଖରାପ ଆସାମୀ ଭାବି ବୁଝିବାକୁ ଚେଷ୍ଟା କରିବ । ଏ ବହିର କବିତାଗୁଡ଼ିକୁ ତର୍ଜମା କରି ତାକୁ ବୁଝାଇବ । ସେ ସୁସ୍ଥ ନ ହେଲା ପର୍ଯ୍ୟନ୍ତ ତୁମେ ଇଂଲଣ୍ଡ ଛାଡ଼ି ଯିବନାହିଁ—ଇତି ସୋନିଆ ।’’

 

ଆଉଡ଼ାଇ ଦେଖିଲି ଖଣ୍ଡେ କବିତାବହି । ସେ ନିଜେ ଲେଖିଛନ୍ତି । ଛପା ହୋଇଛି ଆମେରିକାରୁ । ଆମେରିକାର ଜଣେ ବିଖ୍ୟାତ ନିଗ୍ରୋ କବି ତାର ଭୂମିକା ଦେଇଛନ୍ତି । ସୋନିଆ ସଂକ୍ରାନ୍ତରେ କହିଛନ୍ତି—ଅନ୍ୟାୟର ପ୍ରତିବାଦରେ ଯେତେ ତରୁଣ ସ୍ୱର ଉଠିଛି, ଏଇଟି ହେଉଛି ସବୁଠୁ କନିଷ୍ଠ ଓ ସବୁଠୁ ସ୍ପଷ୍ଟ ।

 

ପରଦିନ ଛୁଟି ଥାଏ । ସକାଳୁ ସକାଳୁ ବାହାରିପଡ଼ିଲି ବୁଢ଼ୀମା’ଙ୍କ ସନ୍ଧାନରେ । ସେ ଦିନର କଥା ମନେକରି ଠଉରାଇ ପହଞ୍ଚିଲି ସେ ଘର ସାମନାରେ । ହଷ୍ଟେଲ୍‌ଠୁ ପାଖ । ତାଙ୍କ ଘରେ ପହଞ୍ଚି ଲାଣ୍ଡଲେଡ଼ିକୁ ପଚାରିଲି—ସୋନିଆ ଏଠି ରହେ ? ସେ ଉପରମହଲାରେ ଶିଢ଼ିପାଖକୁ ତାର କୋଠରି ଦେଖାଇ ଦେଲେ । ଉପରକୁ ଉଠି କୋଠରି ଦୁଆରମୁହଁରେ ଘଣ୍ଟି ବଜାଇଲି । କବାଟ ଖୋଲିଦେଇ ଦୁଆରମୁହଁକୁ ଆସି ବୁଢ଼ୀମା’ ପଚାରିଲେ—କିଏ ?

 

ମୁଁ ମୋ ନାଁ କହିଲି । ବୁଢ଼ୀମା’ ଉଚ୍ଛ୍ୱସିତ କଣ୍ଠରେ କହିଲେ—ଭିତରକୁ ଆସ ।

 

କବାଟ ଆଉଜାଇଦେଇ ପଛେ ପଛେ ଆସି ଅତି ଖୁସିରେ, ଅତି ଆଗ୍ରହରେ କହିଲେ–ଏଇଠି ଚେୟାରରେ ବସ—ନାହିଁ ନାହିଁ, ଏ ଆରାମଚେୟାରରେ ବସ । ଆଗେ କୁହ—ବର୍ତ୍ତମାନ କେତେ ସମୟ ରହିବ ? ତୁମ ଦେହ କିପରି ? ମୋ’ ସାଙ୍ଗରେ ଏଠି ଖାଇବ ? ପରୀକ୍ଷା ଫଳ କେବେ ବାହାରିବ ? ଛୁଟି କେବେ ? ସେଦିନ ସଭାକୁ ଯାଇଥିଲ, ସୋନିଆ ତୁମକୁ ପାସ୍‍ ଦେଇଥିଲା । ଏବେ କଣ କରୁଛ ?

 

ବୁଢ଼ୀମା’ ଯେପରି ଅନେକଦିନରୁ ମୋ ପାଇଁ ଫୁଲମାଳ ଧରି ଦୀପ ଜାଳି ଅପେକ୍ଷା କରି ବସିଛନ୍ତି—ଆଉ ଯେପରି ମୋ ସହିତ ଅନେକ ଦିନର ଘନିଷ୍ଠ ପରିଚୟ—କେବଳ କେତେକ ମାମୁଲି ଦିନ ପାଇଁ ଆମେ ଦୁଇଜଣ ଅଲଗା ହୋଇଥିଲୁ । ବୁଢ଼ୀମା’ଙ୍କୁ ବୟସ ମନୋରମ ଭାବରେ ସଜାଇଛି । ଦେହଟି ସୂକ୍ଷ୍ମ । ରଙ୍ଗ ମଧୁର । ମୁଣ୍ଡରେ ଧୋବ—ଫର୍‌ଫର୍‌ ବାଳ । ପାତଳା ଓଠରେ ସବୁବେଳେ ନିମନ୍ତ୍ରଣ । ସମସ୍ତଙ୍କୁ ଆଦର ଦେବା ପାଇଁ ଯେପରି ବ୍ୟାକୁଳ । ଆଖି ଦୁଇଟା ଉନ୍‌ମୁକ୍ତ-। କିଛି ଅନୁତାପ ନାହିଁ—କିଛି ଦୁଃଖ ନାହିଁ । ସରଳ ପରିଷ୍କାର ମୁହଁଟି ସବୁବେଳେ ହସହସ । କେବେ କାହାକୁ ଜୋର୍‌କରି ଧରିନାହାନ୍ତି । ଚାହାନ୍ତି ବି ନାହିଁ । ସବୁ ଖୁବ୍‌ ସହଜ । ଜୀବନ ସହିତ ସଂପୂର୍ଣ୍ଣ ବୁଝାମଣା ।

 

କହିଲି—ବୁଢ଼ୀମା ! ବାହାରେ ପାଗ ଭାରି ଭଲ ହୋଇଛି । ସୂର୍ଯ୍ୟ ଉଠିଛି । ଆସିବେ, ବୁଲି ଆସିବେ ?

 

—ତୁମର ଯଦି ସମୟ ଅଛି, ମୋତେ ସେ ଲେକ୍‌ କୂଳକୁ ନେଇ ଚାଲ ।

 

—ଆପଣଙ୍କ ପାଖକୁ ଖାସ୍‌ ଆସିଛି । ମୋର ସବୁ ସମୟ ଆପଣଙ୍କର, ଆପଣଙ୍କର ସବୁ ସମୟ ବି ମୋର ।

 

ବୁଢ଼ୀମା’ ହସିଲେ—ମନଖୋଲା ହସ ।

 

ଏକାସାଙ୍ଗରେ ବାହାରକୁ ଆସି ଟାକ୍‌ସି ଖଣ୍ଡେ ଧରି ପହଞ୍ଚିଲୁ ପାର୍କରେ । ତା’ ଭିତରେ ସେ ସାନ ପାଣିଧାରଟି ନମ୍ରଭାବରେ ସାଗୁଆ ଘାସ କାଟି କାଟି ଘୂରିବୁଲୁଛି । କହିଲି, ଆସନ୍ତୁ ସେ ଗଛତଳେ ବସିବା—ବଡ଼ ବଡ଼ ଚେର ଉପରେ ।

 

ବୁଢ଼ୀମା’ ପରିଷ୍କାର ଇଂରେଜୀ କହିପାରନ୍ତି—ଆସ୍ତେ ଆସ୍ତେ ବସେଇ ବସେଇ । ଶବ୍ଦସଂଖ୍ୟା ଅନେକ ସୀମିତ । କିନ୍ତୁ ତାକୁ ମିଳାଇ ମିଶାଇ ସବୁକଥା ବୁଝାଇପାରନ୍ତି ।

 

ବୁଢ଼ୀମା’ କହିଲେ, ‘‘ଏଣିକି ମୋ ଅନୁମତି ନ ନେଇ କୁଆଡ଼େ ଯାଇପାରିବ ନାହିଁ ।’’ ହସିହସି ମୋ ହାତକୁ କୋଳଭିତରେ ଧରିଲେ । ସେ ହସରେ ଏତେ ଆନ୍ତରିକତା ଥିଲା ! ଏତେ ଆତ୍ମୀୟତା ଥିଲା...

 

ଏଥିଭିତରେ ଅନେକ ଥର ତାଙ୍କ ପାଖକୁ ଯାଇଛି । ଦେଖା ନ ହେଲେ ଟେଲିଫୋନ୍‌ରେ ସବୁବେଳେ କଥାବାର୍ତ୍ତା ହୁଏ । ଅନେକ ବିଷୟରେ—ଦେହ-ପା, ସୋନିଆ, ଆସାମ, ଅତୀତ—ସୋନିଆର ବନ୍ଧୁବାନ୍ଧବ ।

 

ଆସାମର ଅର୍ଦ୍ଧଶତାବ୍ଦୀର ଇତିହାସର ସାକ୍ଷୀ ହେଉଛନ୍ତି ଆମର ଏ ବୁଢ଼ୀମା’ । ଦିନେ କହିଲି—ବୁଢ଼ୀମା’ ! ତମେ ତ ରାଣୀ, କୁହନା ତୁମର ଇତିହାସ !

 

ବୁଢ଼ୀମା’ର ଜନ୍ମ ହୋଇଛି ଶିଲିଂରେ—ବର୍ତ୍ତମାନ ଆସାମର ରାଜଧାନୀ । ବିଂଶଶତାବ୍ଦୀ ଆଗତ ପ୍ରାୟ । ସେତେବେଳେ ଶିଂଲରେ ଜଣେ ବିଖ୍ୟାତ ପ୍ରତିପତ୍ତିଶାଳୀ ପୁରୁଷ ରାଜୁତି କରୁଥିଲେ-। ତାଙ୍କ ନାଁ ରାଜା ଶୁଭ୍ରକେଶ ବରୁଆ । ଫିରିଙ୍ଗୀ ସରକାରଙ୍କ ଫୌଜ ସେତେବେଳେ ବାରମ୍ବାର ଚେଷ୍ଟା ସତ୍ତ୍ୱେ ଶିଲଂକୁ କରାୟତ୍ତ କରି ପାରିଲେ ନାହିଁ । ପର୍ବତ ପଛପଟେ ରଣଦୁନ୍ଦୁଭି ଅବିଶ୍ରାନ୍ତ ବାଜିରହିଲା । ଅବଶେଷରେ ଇଂରେଜ ସନ୍ଧିକଲେ, ସିଲଂର ରାଜପରିବାରମାନଙ୍କ ସହିତ । କର୍ତ୍ତୃତ୍ୱ ପାଇଲେ ରାଜା ନରସିଂହ ବରୁଆ । ତାଙ୍କ ପରେ ଜମିଦାରୀ ପାଇଲେ ତାଙ୍କର ସୁଯୋଗ୍ୟ ପୁତ୍ର ଶୁଭ୍ରକେଶ ବରୁଆ—ଆମ ବୁଢ଼ୀମା’ଙ୍କ ପିତା ମହୋଦୟ ।

 

ବୁଢ଼ୀମା’ଙ୍କର ବିବାହ ହୋଇଥିଲା ଉପଯୁକ୍ତ ସମକକ୍ଷ ପରିବାରରେ; ସିଲଂର ଅନ୍ୟ ଏକ ରାଜପରିବାରର ରାଜା ମହେଶ୍ୱରଙ୍କ ପୁତ୍ର ବିଶ୍ୱମ୍ଭରଙ୍କ ସହିତ । ରାଜା ବିଶ୍ୱମ୍ଭର ନାନା ପ୍ରକାର ପାରିବାରିକ ଚକ୍ରାନ୍ତ, ବାଧାବିଘ୍ନ ଭିତରେ ଅବଶେଷରେ ନିଜକୁ ପ୍ରତିଷ୍ଠା କରିପାରିଲେ ସିଲଂର ରାଜପରିବାରମାନଙ୍କ ଭିତରେ । ତାଙ୍କ ପ୍ରଭାବରେ ପୂର୍ବ ସିଲଂ ସବୁବେଳେ ଗୌରବାନ୍ୱିତ ହେଉଥିଲା । ତାଙ୍କର ଏକମାତ୍ର ପୁତ୍ର ଅର୍ଥାତ୍‌ ଆମ ବୁଢ଼ୀମା’ ଆଉ ରାଜା ବିଶ୍ୱମ୍ଭରଙ୍କ ଏକମାତ୍ର ପୁତ୍ର ଥିଲେ ରାଜା ସନାତନ । ରାଜା ବିଶ୍ୱମ୍ଭର ସବୁବେଳେ ଚାହିଁଥିଲେ ଯେ ରାଜା ସନାତନ ଆସାମରେ ପୁନଃପ୍ରତିଷ୍ଠା କରିବେ ତାଙ୍କ ପରିବାରର ଅଖଣ୍ଡ ଗୌରବ । ସେ ହେବ ସିଲଂ ରାଜପରିବାର ମଧ୍ୟରେ ମଉଡ଼ମଣି । ଶିଶୁବେଳୁ ତାଙ୍କୁ ପଠାଇଲେ ବିଲାତକୁ—ଯେଉଁଠି ଜବାହରଲାଲ ନେହୁରୁ ପାଠପଢ଼ୁଥିଲେ ସେଇ ପବ୍ଲିକ୍‌ ସ୍କୁଲକୁ । ସେଇ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ । ଏକମାତ୍ର ସନ୍ତାନ ରାଜା ସନାତନ ହେବ ତାଙ୍କ କୂଳର କାହିଁକି ସମଗ୍ର ଆସାମରେ ଏକ ଅପ୍ରତିଦ୍ୱନ୍ଦ୍ୱୀ ନେତା ।

Unknown

 

ସେତେବେଳକୁ କଂଗ୍ରେସୀ ଆନ୍ଦୋଳନ ବେଶ୍‌ ରୂପ ନେଲାଣି । ରାଜାରାଜୁଡ଼ା, ଜମିଦାର ଜମିଦାରୀ ସବୁ ବିରୁଦ୍ଧରେ କୋଳାହଳ ଶୁଭିଲାଣି । ବର୍ତ୍ତମାନ ତ ଆଉ ଯୁଦ୍ଧ କରି ହେବ ନାହିଁ ! ରାଜା ବିଶ୍ୱମ୍ଭରଙ୍କ ମତରେ ରାଜା ସନାତନ ଆସାମକୁ କରାୟତ୍ତ କରିବେ ନିଜର ମେଧାବଳରେ—ରାଜନୀତି ପଶାପାଲିରେ । ରାଜନୀତି ତ ରାଜାର ଏକମାତ୍ର କର୍ତ୍ତବ୍ୟ ! ସବୁ ପ୍ରକାର ସିଦ୍ଧାନ୍ତ କରିସାରିଥିଲେ, ରାଜା ସନାତନଙ୍କ ଭବିଷ୍ୟତର ସବୁ ପାହାଚ ଆଙ୍କି ସଜାଡ଼ି ରଖିଥିଲେ । କେଉଁ ସମୟରେ ଦେଶକୁ ଫେରିବେ, କେଉଁ ପରିବାରରେ ବିବାହ କରିବେ, କେଉଁ ରାଜନୀତିକ ଦଳରେ ସାମିଲ ହେବେ, ତାର ବିଭିନ୍ନ ଶାଖାସବୁ କିପରି ରହିବ, ଭାରତର ଅନ୍ୟ ପ୍ରାନ୍ତମାନଙ୍କ ସହିତ କିପରି ସହଯୋଗ ରହିବ, ଆନ୍ତର୍ଜାତିକ କ୍ଷେତ୍ରରେ ସମ୍ପର୍କ ମଧ୍ୟ କିପରି ଗଢ଼ି ଉଠିବ—ଭବିଷ୍ୟତ ପାଇଁ ଚିରଞ୍ଜିବୀ ରହିବେ ରାଜା ମହେଶ୍ୱର—ରାଜା ବିଶ୍ୱମ୍ଭର—ରାଜା ସନାତନ—ତାଙ୍କ ପୁତ୍ର—ତାଙ୍କ ପୌତ୍ର ଇତ୍ୟାଦିଙ୍କ ସୁଲମ୍ବିତ ଦୀର୍ଘରେଖା ଇତିହାସର ଛାତି ଭେଦି-। ରାଜା ବିଶ୍ୱମ୍ଭରଙ୍କ ନିର୍ଦ୍ଦେଶର ଅବମାନନା ତ ଦୂରର କଥା—ସାମାନ୍ୟ ବ୍ୟତିକ୍ରମର ଦଣ୍ଡ ଅସହ୍ୟ-। ବୁଢ଼ୀମା’ଙ୍କ ଭାଷାରେ ରାଜା ବିଶ୍ୱମ୍ଭର ଥିଲେ ଉଦ୍ଧତ ସୂର୍ଯ୍ୟପରି—ଯେ ଆଶ୍ରୟ ନେବ ସେ ଆଲୋକ ପାଇବ; ଯେ ଦୁଷ୍ଟ ତାଙ୍କ ଚକ୍ଷୁରେ ଚକ୍ଷୁ ମିଳାଇବ ସେ ହରାଇବ ଦୃଷ୍ଟିଶକ୍ତି । ସେ କହନ୍ତି–ଆମେ ସମସ୍ତେ ଛାଇରେ ଲୁଚିରହୁ ।

 

ବୁଢ଼ୀମା’ଙ୍କ ପିତା ଶୁଭ୍ରକେଶ କିନ୍ତୁ ଥିଲେ ଅନ୍ୟ ରକମର । ସେ ପୁନଃପ୍ରତିଷ୍ଠା କରିଥିଲେ ଆସାମର ପୂର୍ବ—ଗୌରବ—ସଙ୍ଗୀତ, ସାହିତ୍ୟ, ନୃତ୍ୟକଳା ଜରିଆରେ । ତାଙ୍କର ଜମିଦାରିର ଅଧିକାଂଶ ଦାନ କଲେ ନୃତ୍ୟ ଅନୁଷ୍ଠାନ ପାଇଁ । ନିଜକୁ ନିୟୋଜିତ କଲେ ଅହମୀୟା ସାହିତ୍ୟରେ । ପ୍ରକାଶ କଲେ ପୁରାତନ କାବ୍ୟ—କବିତା ।

 

ରାଜା ସନାତନ ବିଲାତରେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିଲାବେଳେ ପ୍ରଥମରୁ ନିଜ ନାମରୁ ‘ରାଜା’ ଶବ୍ଦ ଉଠାଇଦେଲେ—କେବଳ ରଖିଲେ ସନାତନ ବରୁଆ । ଯେଉଁ ରାଜବେଶ, ସୁନାର ବ୍ରୁଚ୍‌ ରାଜପରିବାରର ନିଦର୍ଶନ ଭାବରେ ତାଙ୍କ ପାଖକୁ ପଠାହୋଇଥିଲା, ସେସବୁକୁ ବିତରଣ କଲେ କଲେଜ ବେହେରାମାନଙ୍କ ମଧ୍ୟରେ । ସେତେବେଳେ ଶ୍ରମିକଦଳର ଆନ୍ଦୋଳନ ଚାଲିଥାଏ ପୁଞ୍ଜିବାଦୀ ଅର୍ଥନୀତିର କ୍ରମପରିଣାମ ବିରୁଦ୍ଧରେ । ସନାତନ ସହଯୋଗ କଲେ ଏ ଆନ୍ଦୋଳନରେ ।

 

ଦ୍ୱିତୀୟ ମହାଯୁଦ୍ଧ ଆଗତପ୍ରାୟ । ଜର୍ମାନୀରେ ସେତେବେଳକୁ ନାଜି ଆନ୍ଦୋଳନ ଜୋରସୋରରେ ଆରମ୍ଭ ହୋଇଉଠିଛି । ସେଠୁ ପଳାଇ ଆସୁଥାନ୍ତି ପ୍ରତିଷ୍ଠିତ ଇହୁଦି ପରିବାରର ଲୋକମାନେ । ସେହିପରି ଜଣେ ଜର୍ମାନ୍‌ ଇହୁଦିଝିଅ ତାଙ୍କ ପିତାଙ୍କ ସହିତ ବିଲାତରେ ଆଶ୍ରୟ ନେଲେ । ଝିଅଟିର ନାମ ଆନି । ତାଙ୍କ ପିତା ଅର୍ଥନୀତିର ଜଣେ ବିଶେଷଜ୍ଞ ଥିଲେ ସମଗ୍ର ଇଉରୋପରେ । ସେ ଯୋଗଦେଲେ କେମ୍ବ୍ରିଜ୍‌ରେ ପ୍ରଫେସର୍‌ ରୂପେ । ସନାତନଙ୍କର ପରିଚୟ ହୁଏ ଏ ଜର୍ମାନ୍‌ ଇହୁଦି ପ୍ରଫେସର୍‌ଙ୍କ ସହିତ । ତା’ ପରେ ତାଙ୍କ କନ୍ୟା ଆନିଙ୍କ ସହିତ ଘନିଷ୍ଠତା ଗଢ଼ିଉଠେ । ପରିଚୟ ପରେ ଆନି ସହିତ ବିବାହର ସିଦ୍ଧାନ୍ତ କରି ସନାତନ ଆଶୀର୍ବାଦ ଚାହିଁଲେ ତାଙ୍କର ପିତା ମହୀୟାନ୍‌ ରାଜା ବିଶ୍ୱମ୍ଭରଙ୍କର । ପରିଣାମ ସହଜରେ ଅନୁମେୟ ।

 

ଆସାମରେ ହୁଏ ଅଗ୍ନ୍ୟୁତ୍ପାତ । ସନାତନଙ୍କୁ ରାଜା ବିଶ୍ୱମ୍ଭର ଲେଖିଲେ ଏକ ଜରୁରୀ ପତ୍ର । ସେଥିରେ ଆଦେଶ ଥିଲା ପତ୍ର ପାଇବାର ସାତଦିନ ମଧ୍ୟରେ ସନାତନ ଶିଲଂକୁ ଫେରିଆସିବେ । ପିତୃ ଆଦେଶ ପାଳନ କରି ଫେରିଆସିଲେ ସନାତନ । କିନ୍ତୁ ମତ ପରିବର୍ତ୍ତନର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବିଚାରୀ ଆମ ବୁଢ଼ୀମା’ ! ଗୋଟେ ପଟେ ଏକମାତ୍ର ପୁତ୍ର ସନାତନର ଏକ ଅଯୁକ୍ତିକର ଇଚ୍ଛା, ଅନ୍ୟ ପାଖରେ ସ୍ୱାମୀ ରାଜା ବିଶ୍ୱମ୍ଭରଙ୍କ ଅପରିବର୍ତ୍ତନୀୟ ଦାମ୍ଭିକତା । ଏହା ନୁହେଁ ଯେ ରାଜା ବିଶ୍ୱମ୍ଭର ଚାହିଁ ନ ଥିଲେ ଜବରଦସ୍ତି ପୁତ୍ରର ବିବାହ କରାଇବା ପାଇଁ ତାଙ୍କର ମନମୁତାବକ—କିନ୍ତୁ ବାଧା ଦେଲେ ବୁଢ଼ୀମା’—ଅତି ସନ୍ତର୍ପଣରେ । କିଛି ଦିନ ପରେ ସନାତନ ବିଲାତ ଫେରିଆସିଲେ ପଢ଼ା ଶେଷ କରିବା ପାଇଁ ।

 

କୌଣସି ପରିସ୍ଥିତିରେ, କୌଣସି ବିଷୟରେ, କାହା ସଂକ୍ରାନ୍ତରେ କେବେହେଲେ ମତ ପରିବର୍ତ୍ତନ କରିନାହାନ୍ତି ରାଜା ବିଶ୍ୱମ୍ଭର । ଆଜି ମଧ୍ୟ ତାର ପ୍ରମାଣ ଦେଲେ । ଘୋଷଣା କଲେ ଯେ ସନାତନ ଯଦି ପିତୃ ଆଦେଶ ଅମାନ୍ୟକରି ବିଲାତରେ ମେମ୍‌ ବିବାହ କରେ, ତା’ହେଲେ ତାକୁ ତା’ର ବିବାହର ପରଦିନ ଗାଦିଚ୍ୟୁତ କରାଯିବ । ସେ ତ୍ୟାଜ୍ୟପୁତ୍ର ହେବ । ସମ୍ପତ୍ତି ଉତ୍ତରାଧିକାରରୁ ହେବ ବଞ୍ଚିତ । ନିୟତିର ବିଧାନ ଅନୁଯାୟୀ ସନାତନ ଆନିଙ୍କୁ ବିବାହ କଲେ ଓ ରାଜା ବିଶ୍ୱମ୍ଭର ନିଜକୁ ଅପୁତ୍ରକ ଘୋଷଣାକଲେ ।

 

ସେତେବେଳେ ଦ୍ୱିତୀୟ ମହାଯୁଦ୍ଧର ରଣଦୁନ୍ଦୁଭି ଇଉରୋପରେ ବାଜୁଥାଏ । ସନାତନ ଆସାମକୁ ଫେରିପାରିଲେ ନାହିଁ—ଯଦିଓ ରାଜା ବିଶ୍ୱମ୍ଭର ବୁଢ଼ୀମା’ଙ୍କୁ ଅନୁମତି ଦେଇଥିଲେ ଯେ ସେ ପୁଅବୋହୂଙ୍କୁ ଦେଖିପାରନ୍ତି । ସେମାନେ ମଧ୍ୟ କିଛି କାଳ ପାଇଁ ଆସାମ ଆସିପାରନ୍ତି ଅଥବା ବୁଢ଼ୀମା’ ଚାହିଁଲେ ଦେଖିବା ପାଇଁ ବିଲାତ ମଧ୍ୟ ଯାଇପାରନ୍ତି ।

 

ଇଉରୋପରେ ମହାଯୁଦ୍ଧ ଭିତରେ ଆନି-ସନାତନଙ୍କଠୁ ଜନ୍ମନେଲା ସୋନିଆ । ସନାତନ ସେତେବେଳକୁ ଲଣ୍ଡନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ହୋଇସାରିଲେଣି । ଆନି ସନାତନ ମିଶି ଏସିଆ-ଆଫ୍ରିକାର ନିଷ୍ପେଷିତ ଦେଶମାନଙ୍କର ଅର୍ଥନୀତିର ଯୋଜନା କରୁଥାନ୍ତି ବ୍ରିଟିଶ ମ୍ୟୁଜିୟମ୍‌ ଲାଇବ୍ରେରିରେ । ବାହାରେ ଯୁଦ୍ଧ, ଭିତରେ ସୋନିଆ । ସୋନିଆ ରହେ ଆନିର ପିତାମାତାଙ୍କ ନିକଟରେ ।

 

ଆନି ଓ ସନାତନ ତାଙ୍କର ଅର୍ଥନୀତି, ରାଜନୀତି ନେଇ ସମ୍ପୂର୍ଣ୍ଣ ବ୍ୟସ୍ତ । ନାଜି, ପୁଞ୍ଜିବାଦୀ ବିରୋଧୀ ଆନ୍ଦୋଳନ ସହିତ ଓତପ୍ରୋତ ଭାବରେ ଜଡ଼ିତ ହୋଇଯାଇଛନ୍ତି । ସେମାନଙ୍କ ମତରେ ଏଇ ହେଉଛି ସୁଯୋଗ । ଯେତେବେଳେ ଇଂଲଣ୍ଡ ଯୁଦ୍ଧରେ ବ୍ୟସ୍ତ ରହିବ ସେତେବେଳେ ଏକାସାଙ୍ଗରେ ଦେଶ ଭିତରର ଓ ବାହାରର ପୁଞ୍ଜିବାଦୀମାନଙ୍କୁ ଧ୍ୱଂସ କରିଦିଆଯିବ-। ଦରିଦ୍ର ପାଖରେ ହିଟଲର୍‌ ଓ ଫୋର୍ଡ଼ ଏକ—ଦୁହିଁଙ୍କର ଧ୍ୱଂସ ଆବଶ୍ୟକ—ତାପରେ ଯାଇ ନୂଆ ଦୁନିଆଁ ଗଢ଼ିଉଠିବ । ଏହା କେବଳ ବିଶ୍ୱାସର କଥା ନୁହେଁ, ମାମୁଲି ତତ୍‌ପରତାର ବିଷୟ ନୁହେଁ । ସନାତନ ଓ ଆନି ଏଥିପାଇଁ ଏକ ବିରାଟ ଆନ୍ତର୍ଜାତିକ ଅନୁଷ୍ଠାନ ସହିତ ଘନିଷ୍ଠ ଭାବରେ ସଂପୃକ୍ତ । ଯେହେତୁ ସେମାନେ ପ୍ରଫେସର୍‌, ସମ୍ଭ୍ରାନ୍ତ ଓ ଜଣେ ପୁଣି ଭାରତୀୟ, ତେଣୁ ଏମାନଙ୍କ ଜରିଆରେ ଏ ଆନ୍ତର୍ଜାତିକ ଆନ୍ଦୋଳନର ଅନେକ ସୁବିଧା ହୋଇଉଠିବ ।

 

ବିଭିନ୍ନ ଦେଶକୁ ପଠାହୁଏ ଆନି ଓ ସନାତନଙ୍କୁ ଏ ଅନୁଷ୍ଠାନ, ଏ ଆନ୍ଦୋଳନ ତରଫରୁ-। ବାହାରକୁ ଦେଖାହେବାପାଇଁ ଅର୍ଥନୀତି ସେମିନାର ଓ ସମ୍ମିଳନୀ; କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଅନ୍ୟ ଦେଶମାନଙ୍କରେ ଏ ଅନୁଷ୍ଠାନର ଏ ଆନ୍ଦୋଳନର ସଭ୍ୟମାନଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା । ସେମାନେ ଯାଇଥିଲେ ରୁଷିଆ, ମେକ୍‌ସିକୋ, ଇଜିପ୍‌ଟ । ଅନୁଷ୍ଠାନ ପକ୍ଷରୁ ଯୁଦ୍ଧ ମଧ୍ୟରେ ନିର୍ଦ୍ଦେଶ ଦିଆଗଲା ସେମାନଙ୍କୁ ଆଫ୍ରିକା ଯିବାକୁ । କେନିଆର ନାଇରୋବିରେ ଆନ୍ତର୍ଜାତିକ ଅର୍ଥନୈତିକ ସେମିନାର୍‌ ବସୁଛି । କିଛି କାଗଜପତ୍ର ଓ କିଛି ଅର୍ଥ ନେଇ ଯିବେ ଆନି ଓ ସନାତନ । ଜାହାଜ ଠିକଣା ହେଲା । ଦିନ ବି ସିଦ୍ଧାନ୍ତ ହେଲା ସେ ସେମିନାର୍‌ ପାଇଁ ।

 

ଦିନେ ଏଇସବୁ କଥା କହୁ କହୁ ବୁଢ଼ୀମା’ଙ୍କ ଆଖିରୁ ଧାର ଧାର ଲୁହ ବୋହିଚାଲିଥାଏ-। ସେ ଜାହାଜ ଆଫ୍ରିକାରେ ପହଞ୍ଚି ପାରିଲା ନାହିଁ । ମଝି ସମୁଦ୍ରରେ ଜର୍ମାନୀର ବୋମାମାଡ଼ରେ ଜାହାଜ ବୁଡ଼ିଗଲା । ଲୁପ୍ତ ହୋଇଗଲେ ସନାତନ, ଆନି । ବୁଢ଼ୀମା’ଙ୍କ ଛାତିରୁ ଫାଳେ କଲିଜା ଛିଣ୍ଡିପଡ଼ିଲା । ଶବ ସବୁ ଅଣାହୋଇ ଏଠି ପୋତାହେଲା । କିନ୍ତୁ ଜାଣିବାର ଚିହ୍ନିବାର ଉପାୟ ନ ଥିଲା—ସନାତନ କିଏ ? ଆନି କିଏ ? ଦୁର୍ଯୋଗ ଓ ପରାଜୟର ସ୍ମାରକ ଭାବରେ ସୋନିଆକୁ ଘୃଣା କରୁଥିଲେ ରାଜା ବିଶ୍ୱମ୍ଭର । ସୋନିଆ ପାଇଁ ଆତ୍ମହରା ଥିଲେ କେବଳ ବୁଢ଼ୀମା’ ।

 

ଭାରତ ସ୍ୱାଧୀନ ହେଲା । ଜମିଦାରୀ ପ୍ରଥା ଉଚ୍ଛେଦ କରାଗଲା । ରାଜା ବିଶ୍ୱମ୍ଭରଙ୍କର ଅହିମା ସାମ୍ରାଜ୍ୟର ଅଖଣ୍ଡ ଅଧୀଶ୍ୱର ହେବାର ସ୍ୱପ୍ନ ଭାଙ୍ଗି ଯାଇଥିଲା । ସନାତନଙ୍କ ମୃତ୍ୟୁ ରାଜା ବିଶ୍ୱମ୍ଭରଙ୍କ ଜୀବନକୁ ଆହୁରି ନିଃସ୍ୱ କରିଦେଲା । ଅବଶେଷରେ ଏ ଜମିଦାରୀର ପତନ । ଯାହା ପାଇଁ ତାଙ୍କର ଗର୍ବ ଗୌରବ ଥିଲା, ସେ ବି କାଳର ଘୂର୍ଣ୍ଣିବାୟୁରେ ଲୁପ୍ତ ହୋଇଗଲା । ସ୍ୱପ୍ନ, ସମ୍ବଳ ଓ ସାମର୍ଥ୍ୟ ସବୁ ହରାଇବସିଲେ ରାଜା ବିଶ୍ୱମ୍ଭର । ଖାଲି ଶରୀରଟା ବେଶି ଦିନ ଚଳିପାରିଲା ନାହିଁ-। ଅବଶେଷରେ ସେ ପୃଥିବୀରୁ ବିଦାୟନେଲେ ।

 

ସଂପୂର୍ଣ୍ଣ ଭବିଷ୍ୟତକୁ ମୁକାବିଲା କରିବାପାଇଁ ରହିଗଲେ ବୁଢ଼ୀମା’ ଆଉ ସୋନିଆ । ସୋନିଆ କିଛିଦିନ ରହିଗଲା ଆସାମରେ—ବୁଢ଼ୀମା’ଙ୍କ ବାପଘରେ—ବୁଢ଼ୀମା’ଙ୍କ ଭାଇଙ୍କ ପାଖରେ । କିଛି କିଛି ଶିଖିଥିଲା ମଣିପୁରୀ ନୃତ୍ୟ, କିଛି ଆସାମୀ ସାହିତ୍ୟ । ସେ ଭାଇଙ୍କ ପାଖରେ ରହି ସ୍ୱତନ୍ତ୍ର ଶିକ୍ଷୟିତ୍ରୀ ଜରିଆରେ ପ୍ରାଥମିକ ଶିକ୍ଷା ପାଇଥିଲା ଇଂରାଜୀ କାଇଦାରେ । ତା’ ପରେ ପିତାଙ୍କ ପଦାନୁସରଣ କରି ତାକୁ ପଠାହେଲା ବିଲାତ । ବୁଢ଼ୀମା’ଙ୍କ କାନ୍ଧଉପରେ ଭଗ୍ନପ୍ରାସାଦ, ଅସଂଖ୍ୟ ଅଯୋଗ୍ୟ ବନ୍ଧୁବାନ୍ଧବ, ବିକ୍ଷିପ୍ତ ଜମିଦାରୀ ଓ ସୋନିଆର ଭବିଷ୍ୟତ ।

 

ସୋନିଆ ଯେବେ ପ୍ରଥମେ ବିଲାତ ଆସିଲେ, ତାଙ୍କର ଜଣେ ଜ୍ଞାତ ପରିବାର, ଯେଉଁମାନେ ବିଲାତରେ ଗଲା କୋଡ଼ିଏ ପଚିଶ ବର୍ଷ ହେଲା ଅଛନ୍ତି, ତାଙ୍କ ପାଖରେ ଛାଡ଼ି ଦେଇଗଲା ବୁଢ଼ୀମା’ । ପ୍ରତ୍ୟେକ ବର୍ଷ ସୋନିଆ ଆସେ ବୁଢ଼ୀମା’ ପାଖକୁ, ଆସାମକୁ । ମଝିରେ ମଝିରେ ବୁଢ଼ୀମା’ ବି ଆସନ୍ତି ବିଲାତକୁ—ସୋନିଆକୁ ଯେବେ ଜର ହୋଇଗଲା, ପୁଣି ସୋନିଆର ବିବାହ ପ୍ରସ୍ତାବ ଠିକ୍‌ କରିବାପାଇଁ । ଆଉଥରେ ସୋନିଆ କହିଲା, ବୁଢ଼ୀମା’କୁ ସାଙ୍ଗରେ ନେଇ ଇଉରୋପ ଯିବ—ବୁଢ଼ୀମା’ଙ୍କ ମନ ଭଲନାହିଁ । ଅଧିକାଂଶ ସମୟରେ ସୋନିଆ ବିଲାତରୁ ଟିକେଟ କରି ପଠାଇଦିଏ । ବୁଢ଼ୀମା’ଙ୍କ ପାଖକୁ ତାଙ୍କର ଆସିବା ପାଇଁ ।

 

ବୁଢ଼ୀମା’ ବିଷୟରେ କବିତା ଲେଖିଛି ସୋନିଆ ତାର ସେ କବିତା ବହିରେ । କହିଛି—ଘନ ଜଙ୍ଗଲ ଭିତରେ ବାଡ଼ଘେରା ଯେଉଁ ସାନ କୁଡ଼ିଆଟି ଅଛି, ମାଟିର କାନ୍ଥ ପଛରେ ନିଆଁ ଟିକେ ଜଳୁଛି, ବାହାରେ ହରିଣଟିଏ ଡେଇଁ ବୁଲୁଛି—ଏଇ ମୋର ଘର, ସେଇ ମୋ ବୁଢ଼ୀମା’ ।

 

ବୁଢ଼ୀମା’ କହିଲେ—ମୁଁ ଜାଣେନା ସେ କାହିଁକି ସବୁବେଳେ ସେଇ ଜଙ୍ଗଲ କଥା କୁହେ-। ଅନେକଥର ସ୍ୱପ୍ନ ଦେଖେ ଗହୀରିଆ ଜଙ୍ଗଲ ଭିତରେ ସେ ହଜିଯାଇଛି—ଡାକୁଛି—କେହି ଆସୁନାହାନ୍ତି । ସତକୁ ସତ ଦିନେ ହଜିଯାଇଥିଲା । ବିଲାତରୁ ଆସିଥାଏ ଗୋଟାଏ ଛୁଟିରେ । କହିଲା ଚାଲ ଯିବା ଜଙ୍ଗଲକୁ—କିଛି ଦିନ ସେଠି ରହିବା । ମୁଁ ପ୍ରଥମେ ନାରାଜ ହେଲି । ପରେ ଜିଦ୍‌ ଦେଖି ଫରେଷ୍ଟର୍‌ଙ୍କ ସାଙ୍ଗରେ କଥାବାର୍ତ୍ତାକରି ରହିବାପାଇଁ ବଙ୍ଗଳା ଠିକ୍‌କଲି । ଘରୁ ଅନେକ ଚାକରବାକରଙ୍କୁ ଠିକଣାକଲି । ଅତି ଭୟାବହ ଜାଗା ସେତେବେଳେ । ଶୁଣିଲି ସେ ସବୁ ଚାକରବାକରଙ୍କୁ ମନାକରିଦେଇଛି—ଏତେ ଲୋକ ସାଙ୍ଗରେ ଯିବେ ନାହିଁ—ଜଙ୍ଗଲର ଶାନ୍ତି ଭଙ୍ଗ ହେବ—ସେ ଆଉ ମୁଁ...

 

ତାକୁ ନ ଜଣାଇ ଫରେଷ୍ଟ ଅଫିସରଙ୍କୁ ଖବର ଦେଲି । ଜଗିବା ପାଇଁ ତାଙ୍କ ଡିପାର୍ଟମେଣ୍ଟରୁ ଲୋକ ଗଲେ । ଦିନେ ଭୋରରୁ ଦେଖେ ଯେ ସେ ପାଖରେ ନାହିଁ—ବିଛଣା ଖାଲିପଡ଼ିଛି । ବାଥ୍‌ରୁମରେ କି ଆଖପାଖରେ କେଉଁଠି ନାହିଁ । ମୁଁ ପାଟି କରି ଡାକିଲି । ଅନ୍ୟ ସମସ୍ତେ ବି । କେଉଁଠି କିଛି ସୋରଶବ୍ଦ ନାହିଁ । ଜଣେ ଫରେଷ୍ଟ ବିଭାଗ ଲୋକ କହିଲା କି କାଲି ରାତିରୁ ଗୋଟିଏ ଦନ୍ତାହାତୀ ପାଗଳ ହୋଇ ସେ ରାସ୍ତାରେ ବୁଲୁଥିବାର ସେ ଦେଖିଛି । ମୋ’ ମୁଣ୍ଡ ବୁଲାଇଦେଲା । ଚାରିଆଡ଼େ ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି ପରେ ସୋନିଆ ମିଳିଲା । ସେ ଗୋଟାଏ ଝରଣା କୂଳରେ ବସି, ପାଣିରେ ଗୋଡ଼ ବୁଡ଼ାଇ ଗଛ ଫାଙ୍କ ଭିତରୁ ଆକାଶ ଦେଖୁଥିଲା ଘଞ୍ଚ ଜଙ୍ଗଲ ଭିତରେ । ଜଙ୍ଗଲ ଯେମିତି ତାକୁ ଡାକେ ।

 

ବୁଢ଼ୀମା’ ଟିକେ ଭଙ୍ଗା ସ୍ୱରରେ କହିଲେ—ମନେହୁଏ ତାକୁ ମୁଁ ସତରେ ଦିନେ ହରାଇ ବସିବି । ସବୁବେଳେ ଚିନ୍ତା । ବର୍ଷେ ହେବ କେନିଆ ଯାଇଛି । ଲେଖୁଛି ଆସିବ ଆସିବ ବୋଲି—କିନ୍ତୁ କିଏ ଜାଣେ କେବେ ଆସିବ ? ସେ ଲେଖିଛି—ବ୍ୟସ୍ତ କାହିଁକି ହେଉଛ—ନିଜ ଛାତି ଭିତରକୁ ଚାହଁ, ମୁଁ ସେଇଠି ଅଛି । କେନିଆରେ ଦୁଇ ତିନି ଜଣ ଚିହ୍ନାପରିଚୟ ଲୋକ ଅଛନ୍ତି । ସେମାନଙ୍କୁ ଲେଖି ଜଣାଇଦେଇଛି, ଦରକାରପଡ଼ିଲେ ସେମାନେ ଅବଶ୍ୟ ଯଥାଶକ୍ତି ସାହାଯ୍ୟ କରିବେ । କିନ୍ତୁ ତାକୁ ତ ସମ୍ଭାଳିବା ମୁସ୍କିଲ୍‌ !

 

ଏବେ ଚିଠି ପାଇଛି ନାଇରୋବିରୁ । ସେଠି ନିଗ୍ରୋମାନଙ୍କ ଆନ୍ଦୋଳନ ପାଇଁ ଗୋଟାଏ ବଡ଼ଧରଣର ସମ୍ମିଳନୀ ହୋଇଥିଲା । ସେଠାକୁ ଅନେକ ପ୍ରକାରର ଲୋକ ଆସିଥିଲେ । ସମ୍ମିଳନୀ ପରେ ଶୋଭାଯାତ୍ରା ହେଲା । ସେଥିରେ ଗୁଳି ଚାଲିଲା । ଅନେକ ଲୋକଙ୍କୁ ଧରିନେଲେ—ସୋନିଆକୁ ବି । କେବଳ ଏ ବନ୍ଧୁଜଣକ ନାଇରୋବିରେ ଅତି ପ୍ରତିଷ୍ଠିତ ଲୋକ ହୋଇଥିବାରୁ ତାକୁ ମୁକୁଳାଇ ଆଣିପାରିଲେ । ଅନେକଦିନ ପର୍ଯ୍ୟନ୍ତ ନିଜ ଘରେ ରଖିଥିଲେ । କିନ୍ତୁ ଥରକୁଥର ତାଙ୍କ ଘରୁ ଅନ୍ୟଆଡ଼କୁ ଚାଲିଯାଏ—କିଛି ଦିନ ପରେ ଫେରେ । ସେମାନେ ବି ଚିନ୍ତିତ ତା’ ପାଇଁ । ମୋତେ ସବୁବେଳେ ଭୟ ଲାଗେ । ଏ ସମ୍ମିଳନୀ—ଏ ଆଫ୍ରିକା—ଏଇସବୁ ପାଇଁ ସନାତନକୁ ହରାଇଲି । ସୋନିଆ ବୋଧହୁଏ ତାର ଅପୂରଣ ଆଶା ।

 

ବୁଢ଼ୀମା’ଙ୍କ ଆଖି ଛଳଛଳ ହୋଇଗଲା । କହିଲେ—ତୁମେ ତାକୁ ଲେଖ ଫେରିଆସିବା ପାଇଁ । ତୁମ କଥା ଶୁଣିବ ।

 

ଲେଖିଲି—ସୋନିଆ ! ବୁଢ଼ୀମା’ ତୁମକୁ ଖୁବ୍‌ ଖୋଜୁଛନ୍ତି । ତାଙ୍କୁ ଥରେ ଦେଖାକରିଯାଅ । ସେ ଭାରି ଖୁସି ହେବେ ।

 

କିଛି ଦିନ ପରେ ସୋନିଆ ପହଞ୍ଚିଲେ ।

 

ସେଦିନ ବୁଢ଼ୀମା’ ଓ ସୋନିଆଙ୍କ ପାଖରେ ପହଞ୍ଚିଲାବେଳକୁ ସଂଧ୍ୟା ହୋଇଗଲାଣି । ଧଳାଶାଢ଼ି, ଧଳାଚଦର, ମୁଣ୍ଡରେ ରୁପେଲି ଧଳାବାଳ ଭିତରେ ସୂକ୍ଷ୍ମ କ୍ଷୁଦ୍ର ବୁଢ଼ୀମା’ଟି ଅପାର୍ଥିବ ଜୀବଟି ପରି ଦିଶୁଥାନ୍ତି । କହିଲି—ବୁଢ଼ୀମା, ତୁମର ଆଜିକାର ଏପରି ସୁନ୍ଦର ବେଶ କଥା ଯଦି ଜାଣିଥାନ୍ତି, ତା’ହେଲେ ସୁନାର ଗୋଟାଏ ଛଡ଼ି ଆଣିଥାନ୍ତି । ତା’ ମୁଣ୍ଡରେ ହୀରା ନୀଳା ଲାଗିଥାନ୍ତା । ତୁମେ ତାକୁ ଧରି ବୁଲିଥାନ୍ତ ଏନଜେଲ୍‌ମାନଙ୍କ ପରି ।

 

ହସି ହସି ବୁଢ଼ୀମା’ କହିଲେ—ସେଇମିତି ସାନ ବାଡ଼ିଟିଏ ରାଜାସାହେବ ମତେ ଦେଇଥିଲେ—ରାଣୀ ଭିକ୍ଟୋରିୟା ନା କିଏ ଜଣେ ଧରିଥିଲେ ଗୋଟାଏ ଫଟୋରେ । ମୁଁ କହିଲି—ଭାରି ସୁନ୍ଦର ହୋଇଛି । ସେଠୁ ସେ ତିଆରି କରାଇଦେଇଥିଲେ । ସିନ୍ଧୁକରେ ଆଜିପର୍ଯ୍ୟନ୍ତ ଅଛି—ତୁମକୁ ଉପହାର ଦେବି । ତୁମ ଜନ୍ମଦିନ କେବେ କୁହ ?

 

ଖାଇବା ବାଢ଼ିବା ପାଇଁ ରୋଷାଇଘରକୁ ଗଲେ ବୁଢ଼ୀମା’ ।

 

ସାନ ଗୋଲ୍‌ ଟେବୁଲ୍‌ର ଚାରିକଡ଼କୁ ବେଢ଼ି ସିଧା ଆଉଜିବାର ଅଳ୍ପଗଦିଦିଆ ଚାରୋଟି ଚେୟାର । ହାତ ନାହିଁ । ଟେବୁଲ ଉପରେ ଲେସ୍‌ କାମ ହୋଇଥିବା ଧଳା ଚଦର । ସାମାନ୍ୟ ଗୋଲାପୀ ରଙ୍ଗର ଆସାମୀ କନାରେ ରୁମାଲ ତିଆରି ହୋଇ ଗିଲାସ ଭିତରେ ପଶିଛି ଚଢ଼େଇଲାଞ୍ଜ ଭଳି । ମଝିରେ ଗୋଟାଏ ପିତଳ ଦୀପଦାନି । ତା’ ଉପରେ ଦୁଇଟି ମହମବତି ।

 

‘‘ମୋ’ ଜାଣିବାରେ ସୋନିଆ ଆଜି ପ୍ରଥମକରି ରୋଷାଇ କରିଛି । ତାକୁ ପ୍ରଶଂସା କରିବାକୁ ଆମେ ଭୁଲିବାନି ।’’ —ବୁଢ଼ୀମା’ ଥଟ୍ଟା କରି କହିଲେ ।

 

ଆଣୁ ଆଣୁ କେଉଁଥିରେ ଗୋଟାଏ ଆଙ୍ଗୁଠି ବାଜିଗଲା । ଖୁବ୍‌ ଗରମ୍‌ ଥିଲା । ଆଙ୍ଗୁଠିକୁ ପାଟିରେ ପୂରାଇ ଛିଡ଼ାହୋଇଥିଲା ସୋନିଆ । ବୁଢ଼ୀମା’ଙ୍କ କଥା ଶୁଣି ତାଙ୍କ ଆଡ଼କୁ ଅନାଇଁ କହିଲା—କିନିୟା ତରକାରି କରିଛି—ସ୍ପେଶାଲ୍‌ ତୁମ ପାଇଁ । କହିଲି—ଆଉ ମୋ’ ପାଇଁ ?

 

—ଜଗନ୍ନାଥ ଡାଲି ତ ବିଲାତି ରୋଷେଇଘର ହୋଇପାରିବ ନାହିଁ !

 

ବୁଢ଼ୀମା’ କହିଲେ, ‘‘ହଁ, ଭୁଲିଯାଇଛି କହିବାପାଇଁ—ଅନେକ ଦିନ ତଳେ ଆମେ ସମସ୍ତେ ଯାଇଥିଲୁ ତୁମ ପୁରୀ । କି ଚକ୍ର ଥାଏ ମନ୍ଦିର ଚୂଡ଼ାରେ‌ । ତା’ ଦେହରେ ପତାକା ଦେଲୁ ନା କ’ଣ ।’’

 

କହିଲି ନୀଳଚକ୍ର...

 

—ହଁ

 

—ସୋନିଆ ଠାକୁରଙ୍କ ପାଖକୁ ଗଲାନାହିଁ...ବାହାରେ ବାହାରେ ବୁଲିଲା । କହିଲା—ସେ ଅଧାହିନ୍ଦୁ ।

 

ସୁପ୍‌ ସରିଲା । ଚିକନ୍‌ ତରକାରି ସରିଲା । ମାଛ ଭଜା ସରିଲା । ତା’ ପରେ ସୁଫ୍ଲେ । ମଝିରେ ମଝିରେ ବୁଢ଼ୀମା’ ଜୋର୍‌କରି ଥାଳିରେ କିଛି କିଛି ଦେଇଦେଉଥାନ୍ତି । ସୋନିଆ ଖାଲି ଦେଖୁଥାଏ ସବୁ—ବୁଢ଼ୀମା’, ସେ ଖାଇବା, ସେ ସଂଧ୍ୟା, ସେ ବତି, ସେ ଧଳା ଟେବୁଲ୍‌ କ୍ଲଥ୍‌, ସେ କ୍ୟାଣ୍ଡେଲ୍‌ ଆଲୁଅ ।

 

କହିଲି—ଏପରି ଖାଇବାର ଗ୍ୟାରେଣ୍ଟି ମିଳିଲେ ମୁଁ ତ ଆଉ ଦେଶକୁ ଫେରନ୍ତି ନାହିଁ !

 

ସୋନିଆ କହିଲା—ତୁମର ପରୀକ୍ଷାଫଳ ବାହାରିଲା, ପାଶ୍‌ କଲ, ବୁଢ଼ୀମା’ଙ୍କୁ ଏ ପର୍ଯ୍ୟନ୍ତ ଜଣାଇନାହଁ ।

 

ସାମାନ୍ୟ ଟିକେ ଅପ୍ରସ୍ତୁତ ହେଲି । ବୁଢ଼ୀମା’ ହସି କହିଲେ—ସୋନିଆ ମତେ ଆଗରୁ କହିଛି ।

 

କଫି ପିଉ ପିଉ ସୋନିଆକୁ ପଚାରିଲି—ଆଫ୍ରିକାରେ କଣ ଖୁବ୍‌ ଚାଞ୍ଚଲ୍ୟ ?

 

—ନାଁ......ଯଥେଷ୍ଟ ନୁହେଁ । ଆହୁରି ପଚାଶବର୍ଷ ଲାଗିବ । କିନ୍ତୁ ପଚାଶବର୍ଷ ପୂର୍ବରୁ ଯାହା ପ୍ରସ୍ତୁତି ହେବାର କଥା, ସେଥିପାଇଁ ବ୍ୟକ୍ତି ସଂଗଠିତ ହୋଇନାହାନ୍ତି ।

 

—କିଛି ବିଶେଷ କାରଣ ଅଛି ?

 

—ହୁଏତ ଯଥେଷ୍ଟ ଲୋକ ସ୍ୱପ୍ନ ଦେଖିଜାଣିନାହାନ୍ତି । ପରିସ୍ଥିତି ଦ୍ୱାହିରେ କଳ୍ପନାର ତଣ୍ଟି ଚିପୁଛନ୍ତି । ପ୍ରକୃତ ବିପ୍ଲବ ତ ଘନିଷ୍ଠ ସ୍ୱପ୍ନରୁ ଜନ୍ମ । ଆଉ ଆଫ୍ରିକାର ସ୍ୱପ୍ନ ନାହିଁ—ଆଉ ଅନେକ ଜାଗାରେ ବି ।

 

ସୋନିଆ ଚେୟାରରୁ ଉଠିପଡ଼ି ଝରକାପାଖେ ଟିକେ ପରଦା ଆଡ଼େଇଦେଇ ବାହାର ଆକାଶକୁ ଚାହିଁରହିଲା । ରାତି ଅନେକ ହୋଇଯାଇଥିଲା । ସେମାନଙ୍କଠୁ ବିଦାୟ ନେଇ ଯିବାପାଇଁ ତିଆରି ହେଲି । ସମୟ ହୋଇଗଲାଣି ।

 

ଝରକା ପାଖରୁ ଫେରିଆସି ବୁଢ଼ୀମା’କୁ ଲକ୍ଷ୍ୟକରି ସୋନିଆ ଉଚ୍ଚସ୍ୱରରେ ଅଚାନକ ଭାବରେ ମୋତେ ଲକ୍ଷ୍ୟ କରି କହିଲା—ତୁମେ ତାକୁ କହୁନାହଁ କାହିଁକି ସେ ଔଷଧ ଖାଇବ ! ଏଠି ତୁମେ ପାଖରେ ଥିଲାବେଳେ ଠିକ୍‌ ଔଷଧ ଖାଉଥିଲା । ବର୍ତ୍ତମାନ ମୋଟେ ଔଷଧ ଖାଉନାହିଁ । ମୋ କଥା ଶୁଣିବାପାଇଁ ନାରାଜ । ଡାକ୍ତର କହିଛି, ଅବସ୍ଥା ଖରାପ ଆଡ଼କୁ ଯାଉଛି । ସେ ବୁଝୁ ନାହିଁ, ବୁଝିବା ପାଇଁ ଚାହୁଁନାହିଁ । ଜାଣୁନାହିଁ ଯେ ତାର ଅନେକ ଦିନ ବଞ୍ଚିରହିବା ଦରକାର । ମୁଁ ବି ବଞ୍ଚିବାକୁ ଚାହେଁ ।

 

କିଛି କ୍ଷଣ ପାଇଁ ସ୍ଥିର ହୋଇ ବସିରହିଲି । ପଚାରିଲି ବୁଢ଼ୀମା’ ! ଏ କଣ ସତ ?

 

ବୁଢ଼ୀମା’ କହିଲେ—ତୁମେ ଦୁଇଜଣ ପାଖରେ ରହ—ମୋର କୌଣସି ଔଷଧ ଦରକାର ନାହିଁ ।

 

ସୋନିଆ ସ୍ୱର ଗମ୍ଭୀର କରି କହିଲା—ଚାଲ, ତୁମକୁ ତଳେ ଛାଡ଼ିଦେଇ ଆସିବି ।

 

କହିଲି—ନାହିଁ.....ଆପଣମାନେ ଏଇଠି ରହନ୍ତୁ । ମୁଁ ଚାଲିଯାଉଛି ।

 

ପାଦକୁ ଚିପି ଚିପି ଶିଢ଼ିରେ ତଳକୁ ଆସିଲି । ରାତି ନ’ଟା ପରେ ଇଂରେଜର ଘରେ କୌଣସି ଶବ୍ଦ ହେବା ବ୍ରିଟିଶ ସଭ୍ୟତାର ପରମ୍ପରାରେ ନାହିଁ । ତଳ ଦୁଆର ପାଖରେ ପହଞ୍ଚିଲାବେଳକୁ ଦେଖିଲି ପଛରେ ସୋନିଆ । ଧରିଛି ଗୋଟିଏ ବର୍ଷାତି । ମୋ ହାତକୁ ବଢ଼ାଇ ଦେଇ କହିଲା—ଏଇଟା ଆଣିଥିଲି କେନିଆରୁ । ଆମେରିକାରେ ତିଆରି ।

 

ମୋ ପଛକୁ ଆସି ପିନ୍ଧାଇଦେଲା । ବାହାରେ ଝିପ୍‌ ଝିପ୍‌ ବର୍ଷା, ଥଣ୍ଡା ପବନ ହେଉଥାଏ-। ପଛକୁ ବୁଲି ‘ଧନ୍ୟବାଦ’ କହିବାପାଇଁ ଚାହିଁଥିଲି—ସେତେବେଳକୁ ସେ ଘର ଭିତରକୁ ଚାଲିଯାଇଥିଲା ।

 

ବୁଢ଼ୀମା’ଙ୍କର ଯାହା ହୋଇଥିଲା, ତାର ଚିକିତ୍ସା ଅତ୍ୟାବଶ୍ୟକ; କିନ୍ତୁ ଉପଶମ ଏକପ୍ରକାର ଅସମ୍ଭବ । ତାଙ୍କୁ କ୍ୟାନ୍‌ସର । ଅବଶେଷରେ ଯାହା ଅନିବାର୍ଯ୍ୟ ତାହା ହିଁ କରାଗଲା । ସେ ଡାକ୍ତରଖାନାରେ ଭର୍ତ୍ତିହେଲେ । ଅସୀମ ସାହସ ଓ ଧୈର୍ଯ୍ୟ ଦେଇ ପରିସ୍ଥିତିକୁ ମୁକାବିଲା କରୁଥାନ୍ତି । ସୋନିଆ ସାଙ୍ଗରେ ବ୍ୟବହାର କରୁଥାନ୍ତି ଯେପରି ଆସନ୍ତା ରବିବାର ଦିନ ଘରକୁ ଫେରିଆସିବେ । ମୋ ସାଙ୍ଗରେ କଥାବାର୍ତ୍ତା କରୁଥାନ୍ତି ଯେପରିକି ସେ ସାମାନ୍ୟ ଟିକେ ବିଶ୍ରାମ ନେବାପାଇଁ ଏକ ହୋଟେଲକୁ ଆସିଛନ୍ତି; ଆଉ ସେଥିପାଇଁ ସେ ଲଜ୍ଜିତା ।

 

ଦିନେ ଡାକ୍ତରଖାନାରେ ପହଞ୍ଚିଲାବେଳକୁ ଦେଖିଲି ଜଣେ ଯୁବକ ବୁଢ଼ୀମା’ଙ୍କ ପାଖରେ ବସିଛନ୍ତି । ବୁଢ଼ୀମା’ ପରିଚୟ କରାଇଦେଲେ ସେ ଭଦ୍ରବ୍ୟକ୍ତିଙ୍କ ସହିତ । ସେ ବି କେମ୍ବ୍ରିଜରେ ପଢ଼ୁଥିଲେ । ପାଠ ପଢ଼ିଛନ୍ତି ସୋନିଆ ସାଙ୍ଗରେ । ସେହିପରି ଗୋଟିଏ ଜମିଦାର ପରିବାରର—ଆସାମର । ଦୁଇ ପରିବାରର ପ୍ରତିଷ୍ଠା, ପରମ୍ପରା, ସଂସ୍କୃତି, ଆର୍ଥିକ ଅବସ୍ଥା ସମାନ୍ତର । ଯାହା ଅତି ସ୍ୱାଭାବିକ ସେଇଆ ଘଟିବା ପାଇଁ ସ୍ଥିର ହୋଇଛି—ତାଙ୍କର ସୋନିଆ ସହିତ ବିବାହ । ବୁଢ଼ୀମା’ କହିଲେ—ତୁମକୁ କହୁଥିଲି ୟାଙ୍କରି କଥା... ଆମ ମନୋଜ ।

 

ମନୋଜକୁ ମୋ’ ସହିତ ପରିଚିତ କରାଇଦେଲେ । ସେତିକିବେଳେ ସୋନିଆ ଆସି ପହଞ୍ଚିଲା । ମନୋଜ ଉଠି ଛିଡ଼ାହେଲେ ଯିବାପାଇଁ । ସୋନିଆକୁ ବୁଢ଼ୀମା’ କହିଲେ—ମନୋଜକୁ ଛାଡ଼ିଦେଇ ଆ ।

 

ବୁଢ଼ୀମା’ ସାଙ୍ଗରେ ମିଶି ଆରମାସ ବେଳକୁ ଏ ବିବାହ ପାଇଁ ଝିଅଘର ତରଫରୁ ଯାହା କରାଯିବା କଥା ଆଗରୁ ସବୁ ଠିକ୍‌ କରିଥାଉ । କେଉଁ ହଲ୍‌ ନିଆଯିବ, କେଉଁ ଫୁଲଦୋକାନୀ ସଜାଇବ, ଡିନର୍‌ର ଦାୟିତ୍ୱ ନେବ କେଉଁ କେଟରର୍‌, ବନ୍ଧୁବାନ୍ଧବଙ୍କ ତାଲିକା ଇତ୍ୟାଦି । ତା’ ସାଙ୍ଗକୁ ଫର୍ମ ଆଣିଥାଏ ହାଇକମିଶନ୍‌ ଅଫିସରୁ—ବିଭାଘର ରେଜେଷ୍ଟ୍ରୀ ପାଇଁ । ସାକ୍ଷୀମାନେ ବି ସ୍ଥିର ହୋଇଥାନ୍ତି । ମନୋଜଙ୍କ ପିତାମାତାଙ୍କ ସହିତ ଅନେକଦିନରୁ କଥା ଛିଣ୍ଡିଥାଏ । ଏମାନଙ୍କ ବିବାହ ବିଲାତର ଆସାମୀ ସମାଜ ପାଖରେ ପ୍ରାୟ ଜଣାଶୁଣା କଥା । ସୋନିଆ ତରଫରୁ ତାଙ୍କ ଦୂରସଂପର୍କୀୟ ମାମୁ ବି ମନୋଜଙ୍କ ବାପା ମା’ ସହିତ କଥା ସ୍ଥିର କରିଛନ୍ତି । ସୋନିଆ ବର୍ତ୍ତମାନ ଫେରିଆସିଲାଣି । କେବଳ ଦିନ ସ୍ଥିର ହେବା କଥା । ଅବଶ୍ୟ ସୋନିଆ ସବୁବେଳେ ବିଭାଘର କଥା ଏଡ଼ାଉଛି ।

 

ବୁଢ଼ୀମା’ଙ୍କଠୁ ବିଦାୟ ନେଇ ଡାକ୍ତରଖାନା ବାହାରକୁ ଆସିଲାବେଳକୁ ଦେଖିଲି ଗେଟ୍‌ ପାଖରେ ଛିଡ଼ାହୋଇଛ ସୋନିଆ ।

 

ପଚାରିଲି—ମନୋଜ କାହିଁ ?

 

—ତୁମ ସାଙ୍ଗରେ କିଛି କଥା ଅଛି ।

 

ଡାକ୍ତରଖାନା ପାଖରୁ ବସ୍‌ ଧରି ଓ୍ୱେଷ୍ଟମିନିଷ୍ଟରଠାରେ ଓହ୍ଲାଇଲୁ । ଯେଉଁ ବାଟେ ଗଲେ ପ୍ରଥମେ ସୋନିଆର ଘର ପଡ଼ିବ, ସେଇ ବାଟରେ ଆସିଲୁ । ଗଳିରେ ଅନେକ ବେଳୁ ସଂଧ୍ୟା ହୋଇଗଲାଣି । ଗ୍ୟାସ୍‌ ଆଲୁଅ ସବୁ ରାସ୍ତା ଦେଖାଉଛନ୍ତି । ପ୍ରଥମେ ସୋନିଆର ଘର ପଡ଼ିଲା । କହିଲା—ଉପରକୁ ଆସ ।

 

ଶିଡ଼ି ଚଢ଼ି ତା’ ପଛେ ପଛେ ତା କୋଠରିକୁ ଗଲି ।

 

—ଟିକେ ସୁପ୍‌ ଖାଇବ ? ସାଙ୍ଗେ ସାଙ୍ଗେ ଗରମ କରି ଦେବି—ଟିକେ ଅପେକ୍ଷା କର ।

 

କୋଠରି ଭିତରେ ଆଫ୍ରିକାରୁ ଆଣିଥିବା ବିଭିନ୍ନ ପ୍ରକାର ବହି ଥାଏ । ଅଧିକାଂଶ ପୃଥିବୀର ବିଭିନ୍ନ ଆନ୍ଦୋଳନ, ଉତ୍‌ଥାନ ପତନର କଥା । ଅନେକ ପ୍ରକାରର ବହି—କବିତା, ଉପନ୍ୟାସ, ଇତିହାସ... ବିଷୟବସ୍ତୁ ସେଇ ଏକା । ପେଣ୍ଟିଂ ବି । ସବୁ ବିପ୍ଲବର କଥା ।

 

ଦୁଇ ହାତରେ ଦୁଇଟା ବୋଲ୍‌ ଆଣି ମଝିରେ ସାନ ଟେବୁଲ୍‌ଟି ଉପରେ ଥୋଇଲା ସୋନିଆ । କହିଲା—କବିତା ଭଲପାଅ ?

 

କହିଲି—ତୁମ ବହିଟି ଆମୂଳଚୂଳ ପଢ଼ିଛି ।

 

—ତୁମେ ବୁଢ଼ୀମା’ ପାଇଁ ତୁମର ଆମେରିକା ଯିବା ବନ୍ଦକରିଦେଇଛ ?

 

କିଛି ଜବାବ୍‌ ଦେଲିନାହିଁ । ଟିକେ ବିଚଳିତ ହେଲାପରି ଉଠି ଛିଡ଼ାହେଲା ସୋନିଆ । ବହିଥାକ, ଝରକା, ଫୁଲଦାନି, ଚେୟାର ସବୁଆଡ଼େ ବାରମ୍ବାର ଘୂରିବୁଲୁଥାଏ । ତା’ପରେ ହଠାତ୍‌ ଗମ୍ଭୀର ସ୍ୱରରେ କହିଲା—ତୁମକୁ କହିବାପାଇଁ ଚାହିଁଥିଲି, ଏ ବିବାହ ମୁଁ କରିପାରିବି ନାହିଁ । ତୁମେ ଦୁଇଜଣ ମତେ କ୍ଷମାକର ।

 

ଛିଡ଼ାହୋଇ ତାର ବାପା-ମା’ଙ୍କର ଫଟୋକୁ ଦେଖୁଥାଏ । କହିଲି—ସୋନିଆ, ସୁପ୍‌ ଖାଇଲ ନାହିଁ, ଥଣ୍ଡାହୋଇଯିବ ।

 

ଟେପରେକର୍ଡ଼ରରେ ଗୋଟିଏ ନିଗ୍ରୋ ସଂଗୀତ ବଜାଇଲା । ଚେୟାରକୁ ପାଖକୁ ଘୁଞ୍ଚାଇଆଣି ନିର୍ନିମେଷ ଦୃଷ୍ଟିରେ ଚାହିଁରହିଥାଏ ଝରକାବାଟେ ଦୂରକୁ । ଆଖିରେ ଅନେକ ପ୍ରଶ୍ନ ।

 

ବିବାହ ସଂକ୍ରାନ୍ତରେ ତାର ସିଦ୍ଧାନ୍ତକୁ ଲକ୍ଷ୍ୟକରି କହିଲି—ଆଉ ଥରେ ଭାବି ଦେଖ ।

 

ଦୃଷ୍ଟି ତାର ସ୍ଥିର । କହିଲି—ବୁଢ଼ୀମା’ ଭାଙ୍ଗିପଡ଼ିବେ ।

 

ସେ ଆସି ମୋ ଚେୟାର ପାଖେ କାର୍ପେଟ ଉପରେ କିଛି ସମୟ ନିଶ୍ଚିନ୍ତ ଭାବରେ ବସିରହିଲା । ମନେହେଉଥାଏ, ଅପ୍ରକାଶ୍ୟ ଅନେକ ଚିନ୍ତାରେ ସେ ଯେପରି ଘୋର ଯନ୍ତ୍ରଣା ଭୋଗୁଛି ।

 

କହିଲା—କିଛି ପଚାରିବ ନାହିଁ ?

 

ତା’ ମୁଣ୍ଡ ଆଉଁସି ଦେଉଥାଏ ।

 

ରାତି ଅନେକ ଡେରି ହୋଇଗଲାଣି । ଫେରିଆସିଲି ହଷ୍ଟେଲକୁ ।

 

ଇତିମଧ୍ୟରେ ମନୋଜଙ୍କ ଜନ୍ମଦିନ ଥରେ ପଡ଼ିଲା । ଅନେକଙ୍କୁ ଡାକିଥିଲେ । ମୋତେ ବି । ବୁଢ଼ୀମା’ କହିଲେ—ତୁମେ ଯାଅ... ନହେଲେ ସୋନିଆ ବେଖିଆଲରେ ରହିଯିବ ।

 

ମନୋଜଙ୍କ ଘର ଲଣ୍ଡନରୁ ଟିକେ ଦୂରରେ । ସହରତଳିରେ ତାର ବାପା ମା’ ଘର କିଣିଛନ୍ତି । ଧନୀଲୋକ ଏପରି ରହନ୍ତି । ସହର ସବୁବେଳେ ସୁହାଏନାହିଁ ।

 

ଆତ୍ମୀୟତାପୂର୍ଣ୍ଣ ଘନିଷ୍ଠ ପାର୍ଟିଟିଏ । ଅଳ୍ପ ଲୋକ । ସମସ୍ତେ ସମସ୍ତଙ୍କୁ ଜାଣିଛନ୍ତି । ନିଜର ଗୁରୁତ୍ୱ ବା ପ୍ରତିଷ୍ଠା ଜଣାଇବା ଲାଗି କାହାର ଆଗ୍ରହ ନାହିଁ । କାହାର କିଛି ଦେବା ବା ପାଇବାର କଥା ନାହିଁ । ସମସ୍ତେ ସହଜ । ସରଳ ରୁଚିସମ୍ପନ୍ନ ଖାଦ୍ୟପେୟ, ଆବହାଓ୍ୱା, ସାଜସଜ୍ଜା । ସମସ୍ତେ ଉପଭୋଗ କରୁଥାନ୍ତି । ସେଠି ସୋନିଆ କିଛି ସମୟ ପିଆନୋ ବଜାଇଲା । ମନୋଜ ନିମନ୍ତ୍ରଣକଲା ସୋନିଆକୁ ନାଚିବାପାଇଁ—ତାଙ୍କ ଇଂରେଜୀ ବଲରୁମ୍‌ ନାଚ ।

 

ମୁଁ କଥାବାର୍ତ୍ତା କରୁଥାଏ ମନୋଜର ବାପା-ମା’ଙ୍କ ସହିତ । ଅତି ମିଷ୍ଟାଳାପୀ ଆଉ ଭଦ୍ର ସେମାନେ । ଧନର ପ୍ରାଚୁର୍ଯ୍ୟ ତାଙ୍କର ନମ୍ରତାକୁ ନଷ୍ଟ କରିନାହିଁ । ସେ କହୁଥାନ୍ତି ମନୋଜର କଥା । ତାର ବିଭାଘର ପାଇଁ ସେମାନେ ଆଗ୍ରହୀ । ସୋନିଆ ବିଷୟରେ ତାଙ୍କ ମାମୁ ପ୍ରାୟ ସବୁ ସ୍ଥିରକରିଛନ୍ତି । ମନୋଜର ମଧ୍ୟ ଇଚ୍ଛା... କେବଳ ସୋନିଆ ମତାମତ ଦେଇନାହିଁ ।

 

ସୋନିଆ ଆମ ପାଖକୁ ଆସି ମୋ ଆଡ଼କୁ ଚାହିଁ କହିଲା—ତୁମେ ଆଗ ଚାଲିଯିବ ନାହିଁ । ମୁଁ ଫେରିଯିବି ତୁମ ସାଙ୍ଗରେ ।

 

ମନୋଜର ବାପା ସୋନିଆକୁ କହିଲେ—ଏତେ ଦୂର କାହିଁକି ଫେରିଯିବ ?

 

ଏଇଠି ରହ—କାଲି ସକାଳେ ମନୋଜ ଛାଡ଼ି ଆସିବ ।

 

ସୋନିଆ କହିଲା—ବୁଢ଼ୀମା’ ପାଖକୁ ଫେରିଯିବି ।

 

—ଏତେ ରାତିରେ ?

 

—ହଁ

 

ମନୋଜ ସହିତ କିଛି ସମୟ ରହିଲା ସୋନିଆ । ମୋ ପାଖକୁ ଆସି ମନୋଜ କହିଲେ–ରାତି ଏତେ ହେଲାଣି । ଆପଣ ଏଠି ରହିଯାନ୍ତୁ । ଏ ଘରେ ଅନେକ କୋଠରି ଖାଲିପଡ଼ିଛି । କିଛି ଅସୁବିଧା ହେବନାହିଁ ।

 

କହିଲି—କାଲି ସକାଳୁ ମୋର ଅନେକ କାମ । ଏଠି ରହିଲେ ସକାଳେ କାମରେ ପହଞ୍ଚି ପାରିବି ନାହିଁ । ସୋନିଆ ଏଠି ଥାଉ । ବୁଢ଼ୀମା’ଙ୍କୁ ମୁଁ ବୁଝାଇଦେବି......ସେ ବରଂ ଖୁସିହେବେ ।

 

ପାର୍ଟି ଶେଷହେଲା ଅନେକ ରାତିରେ । ଅନ୍ୟମାନେ ବିଦାୟ ନେଲେ । ଓଭରକୋଟ୍‌ ପିନ୍ଧି ଯିବାପାଇଁ ପ୍ରସ୍ତୁତ ହେଉଛି—ସୋନିଆ ଆସି ଗମ୍ଭୀର ଭାବରେ ପଚାରିଲା—ତୁମେ କହିଛ ମୁଁ ଆଜି ଏଠି ରହିବି ବୋଲି ! ସ୍ୱରରେ ରାଗ ଓ ଅଭିଯୋଗ ଥିଲା ।

 

କହିଲି—ମୁଁ ମନୋଜକୁ କହିଛି ।

 

ମନୋଜ ଓ ତାର ପିତାମାତାଙ୍କୁ ନମସ୍କାର ଜଣାଇ ବାହାରିଲି ହଷ୍ଟେଲ ଅଭିମୁଖରେ । ଫେରିବା ବାଟରେ କିପରି ଅସ୍ୱସ୍ତି ଲାଗିଲା । ସୋନିଆର ଅଭିଯୋଗପୂର୍ଣ୍ଣ ଆଖି ରାସ୍ତା ସାରା ଦିଶୁଥାଏ ।

 

ଡାକ୍ତର କହିଥାଏ, ବୁଢ଼ୀମା’ଙ୍କ ଅବସ୍ଥାରେ ଟିକିଏ ଉନ୍ନତି ହୋଇଛି । ସୋନିଆ, ମନୋଜ, ମାମୁ ଓ ତାଙ୍କ ଜ୍ଞାତି ସମସ୍ତେ ଯଥାସମ୍ଭବ ବୁଢ଼ୀମା’ଙ୍କର ସେବା କରୁଥାନ୍ତି । ମନେହେଉଥାଏ ନିକଟ—ଭବିଷ୍ୟତ ପାଇଁ ଆଉ ଭୟ ନାହିଁ । ବୁଢ଼ୀମା’ଙ୍କ ପାଖରୁ ଛୁଟିନେଇ କିଛିଦିନ ପାଇଁ ପ୍ୟାରିସ୍‌ ଗଲି । ଚାରି ପାଞ୍ଚଦିନ ପରେ ହଠାତ୍‌ ଟେଲିଗ୍ରାମ୍‌ ପାଇଲି ‘‘ଶୀଘ୍ର ଫେରିଆସ......ସୋନିଆ ।’’

 

ଫେରିଆସିଲି ପ୍ୟାରିସ୍‌ରୁ । ସଂଧ୍ୟାବେଳ । ସିଧା ଗଲି ଡାକ୍ତରଖାନା । ବୁଢ଼ୀମା’ ବିଛଣାରେ ଶୋଇଥାନ୍ତି । ଦିଶୁଥାନ୍ତି ଯେପରି ଫୁଲଟି ମଉଳିଆସୁଛି । ପ୍ୟାରିସ୍‌ରୁ ପର୍‌ଫିଉମ୍‌ ଆଣିଥିଲି । ବୁଢ଼ୀମା’ ଅତର ଭାରି ଭଲ ପାନ୍ତି । ତାଙ୍କ ଦେହ ଚାରିଆଡ଼େ ଛିଞ୍ଚିଲି—ସେ ଚଦର, ସେ ଶାଢ଼ି, ଗୋଡ଼, ପାଦ, ହାତପାପୁଲି । ବୁଢ଼ୀମା’ ଲାଜରେ ଉପଭୋଗକଲେ । ହାତ ଉପରକୁ ଉଠାଇବା ପାଇଁ ଚେଷ୍ଟାକଲେ—ପାରିଲେନାହିଁ । ଧୀର ସ୍ୱରରେ କହୁଥାନ୍ତି—ବାସ୍‌ ବାସ୍‌, ସେତିକି ସେତିକି ।

 

—ଏଇଠି ଏ ବିଛଣା ପାଖରେ ଏ ଅତର ରହିଲା—ସବୁଦିନେ ଲଗାଇବେ ।

 

.....ନାହିଁ, ସବୁଦିନ ତୁମେ ଆସି ଅତର ପକାଇଯାଉଥିବ......ଶେଷଦିନ ବି ।

 

ତାଙ୍କର ହାତ ପାପୁଲିକୁ ନିଜ ହାତ ଭିତରେ ଘୋଡ଼ାଇ ରଖିଲି । ମନେହେଲା ସେଗୁଡ଼ିକ ଯେପରି ଆହୁରି ସାନ, ଆହୁରି କୋମଳ ହୋଇଯାଇଛନ୍ତି ।

 

ହଷ୍ଟେଲକୁ ଫେରୁ ଫେରୁ ରାତି ହୋଇଯାଇଥାଏ । କୋଠରିରେ ପହଞ୍ଚି ଦେଖିଲି ସୋନିଆ ଅପେକ୍ଷା କରି ବସିଛି । କହିଲି—ବୁଢ଼ୀମା’ ଭଲ ହୋଇ ଆସିଲେଣି । ସେ ଭଲ କଥାବାର୍ତ୍ତା କରୁଛନ୍ତି ।

 

ସୋନିଆ କହିଲା—ଡାକ୍ତର ପାଖରୁ ଫେରୁଛି । ସେମାନେ କହିଲେ ତାର ସମୟ ଶେଷହୋଇଗଲାଣି... ଯେ କୌଣସି ମୁହୂର୍ତ୍ତରେ ସମାପ୍ତି ହେବ......ଆଜି ନଚେତ୍‌ କାଲି । ଯାହା ଦେଖାଉଛନ୍ତି ସବୁ ଅନ୍ୟର ସାନ୍ତ୍ୱନା ପାଇଁ । ସେ ତୁମକୁ ଖୋଜିବ ।

 

ପ୍ରଥମଦିନଟି ବିତିଗଲା । ତା ପରଦିନ । ବୁଢ଼ୀମା’ଙ୍କ ଅବସ୍ଥା ଖରାପ ଆଡ଼କୁ ଚାଲିଥାଏ-। ଲଣ୍ଡନ ସହରକୁ ସେ ଦିନର ଅନ୍ଧକାର ରାତିଟା ଘେରିଦେଇଥାଏ । ଡାକ୍ତରଖାନାଟା ଖାଁ-ଖାଁ ଲାଗୁଥାଏ । ସବୁଥିରେ ଯେପରି ଗୋଟାଏ ଭୟାବହ ଶାନ୍ତି ।

 

ସୋନିଆ ବୁଢ଼ୀମା’ ପାଦତଳେ ତାଙ୍କ ମୁହଁ ଆଡ଼କୁ ଚାହିଁ ବସିଛି । ବୁଢ଼ୀମା’ ଖୁବ୍‌ କଷ୍ଟ ପାଉଥିଲେ । ଇନଜେକ୍‌ସନ୍‌ ପରେ ଅଧା ସୁପ୍ତ ଅଧା ଜାଗ୍ରତ ଅବସ୍ଥାରେ ପଡ଼ିରହିଛନ୍ତି । ତାଙ୍କ ବିଛଣା ପାଖରେ ଟୁଲ୍‌ ଉପରେ ବସିଥାଏ ହାତ ଉପରେ ହାତ ରଖି ।

 

ଚାରିକଡ଼ରେ ଅନ୍ଧକାର । ସାମାନ୍ୟ ଚାଞ୍ଚଲ୍ୟ ସୃଷ୍ଟିକରୁଥାଏ କାନ୍ଥଘଡ଼ିର ସେକେଣ୍ଡକଣ୍ଟାଟି । କୋଠରିସାରା ଏକ ଅଶାନ୍ତ ନୀରବତା । ସୋନିଆ ପାଖକୁ ଆସି ବୁଢ଼ୀମା’ର ମୁହଁରେ ହାତ ବୁଲାଇଲା । କ୍ରମେ କ୍ରମେ ନିସ୍ତେଜ ହୋଇଯାଉଥାନ୍ତି ବୁଢ଼ୀମା’ । ଶରୀର ଆସ୍ତେ ଆସ୍ତେ ଥଣ୍ଡା ହୋଇଆସୁଥାଏ । ଆଖି ଦୁଇଟି ନିର୍ଜୀବ । ମଝିରେ ମଝିରେ କ୍ଷୀଣ ଶବ୍ଦ ଶୁଭୁଥାଏ—ହୁଏତ କିଛି ଅସ୍ପଷ୍ଟ କଥା । ଚାରିଆଡ଼ ନିଶ୍ଚଳ ।

 

ରାତି ସାଢ଼େ ତିନିଟା ହେବ । ଆଖି ଖୋଲି ଥରେ ଚାହିଁଲେ ସୋନିଆକୁ ଓ ଆଉ ଥରେ ମୋ’ ଆଡ଼େ । ତା’ ପରେ ଆସ୍ତେ ଆଖି ବୁଜିଦେଲେ । ଘଡ଼ିକଣ୍ଟା ଥରେ ଟଂ—କରି ବାଜିଉଠିଲା । ତକିଆ ଉପରୁ ଝୁଙ୍କିପଡ଼ିଲା ସାନ ମୁଣ୍ଡଟି । କୋଠରିର ଦରଜାରେ ସାନ ଗୋଟାଏ ଶବ୍ଦ ହେଲା ପରି ମନେହେଲା ।

 

ନୀରବ, ନିଶ୍ଚଳ, ନିସ୍ପନ୍ଦ ଭାବରେ ଏକ ପ୍ରସ୍ତରମୂର୍ତ୍ତି ପରି ଛିଡ଼ାହୋଇଥାଏ ସୋନିଆ । ଅନେକ ସମୟ ବିତିଗଲା । କ୍ରମେ ଭୋର ହୋଇଆସିଲାଣି । କିଛି ସମୟ ପାଇଁ ମୁହଁ ବୁଲାଇ ଚାରିଆଡ଼କୁ ଦେଖିଲା । ତା’ ପରେ ନଇଁପଡ଼ି ବୁଢ଼ୀମା’ର ମୃତ ଶରୀରକୁ ଶେଷଥର ପାଇଁ ଆଲିଙ୍ଗନ କଲା । ଚଦରଟିକୁ ତାର ମୁହଁ ଉପରେ ଢାଙ୍କିଦେଇ କୋଠରିରୁ ନିର୍ଗତ ହେଲା ସୋନିଆ-

 

ସମସ୍ତେ ଆସି ପହଞ୍ଚିଲେ । ଶବକୁ ନୂଆ ଲୁଗା ଫୁଲ ଦେଇ ସଜାଇଲେ । ସେ ପରଫିଉମ୍‌ ତାଙ୍କ ଶବ ଉପରେ ଢାଳିଦେଲି । ପ୍ରଭାତରେ ଶବ ସତ୍କାର ହେଲା କ୍ରିମେଟୋରିଅମରେ । ସୋନିଆ ଦେଖୁଥାଏ । ମୁଣ୍ଡ ପାଖରୁ ଗୋଟାଏ ଶରୀରକୁ ଯନ୍ତ୍ର ଭିତରକୁ ପୂରାଇଦିଆଗଲା । କିଛି ମୁହୂର୍ତ୍ତ ପରେ ଆର ପାଖରୁ ବାହାରି ଆସିଲା ମେଞ୍ଚାଏ ଜଳନ୍ତା ପାଉଁଶ । ଅଗ୍ନି ଶୀତଳ ହେଲା । ଦୁଇ ପାପୁଲିରେ ସେ ପାଉଁଶକୁ ଧରି ମୋ’ ପାଖକୁ ଆସିଲା ସୋନିଆ । କହିଲା—ନିଅ ତୁମର ବୁଢ଼ୀମା’ । ତାର ଆଙ୍ଗୁଳି ଫାଙ୍କ ବାଟେ ପାଉଁଶତକ ଆସ୍ତେ ଆସ୍ତେ ଝରି ମାଟି ଉପରେ ବିଂଛିହୋଇଯାଉଥାଏ ।

 

ମନେ ମନେ କହିଲି—ଧରିତ୍ରୀ, ଆଶ୍ରୟ ଦେ ତୋର ଏ ନିଃସ୍ୱ ଅନାଥ ଶିଶୁ ସୋନିଆକୁ-

 

ସେ କ୍ଳାନ୍ତ ପ୍ରଭାତଟି କୁହୁଡ଼ିରେ ଝାପ୍‌ସା ହୋଇ ରହିଥାଏ ।

 

ସେଦିନ ସଂଧ୍ୟାରେ ସୋନିଆ ପାଖକୁ ଆସିଲେ ତାର ମାମୁ, ମନୋଜ ଓ ମନୋଜର ପିତାମାତା ପ୍ରଭୃତି । ମନୋଜର ପିତାମାତାଙ୍କୁ ନମସ୍କାର ଜଣାଇ ସୋନିଆ କହିଲା—ଆପଣମାନେ ଗୁରୁଜନ, କିଛି ମନେ କରିବେନାହିଁ... ମୁଁ ବିବାହ କରିପାରିବି ନାହିଁ ।

 

ମାମୁଙ୍କୁ କହିଲା—ମୁଁ ବର୍ତ୍ତମାନ ସିଲଂ ଯିବିନାହିଁ । ଘରକୁ ବି ଫେରିବା କଥା ବର୍ତ୍ତମାନ ନାହିଁ ।

 

ଅନେକ ସାଙ୍ଗ ସାଥୀ ବଂଧୁ ଆସିଥିଲେ—ସମସ୍ତଙ୍କଠୁ ବିଦାୟ ନେଲା ସୋନିଆ ।

 

କିଛି ସମୟ ନୀରବରେ ବସି ମତେ କହିଲା—ମୁଁ ଯାଉଛି କେନିଆ ।

 

—ବୁଢ଼ୀମା’ର ଶ୍ରାଦ୍ଧ ପର୍ଯ୍ୟନ୍ତ ବି ଅପେକ୍ଷା କରିବ ନାହିଁ ?

 

—ଶ୍ରାଦ୍ଧ ତୁମେ କରିବ... ମୋ’ ତରଫରୁ ବି । ମୋ ଯିବା ସବୁ ସ୍ଥିର ହୋଇଛି ।

 

—ବୁଢ଼ୀମା’ ତୁମ ପାଇଁ କିଛି କାଗଜ ମୋ’ ପାଖରେ ରଖିଯାଇଛନ୍ତି ।

 

—ସବୁ ହିସାବ ନିକାଶ ଆଜି ରାତିରେ ସାରିଦେବ ।

 

—କାଲି ଦିନ ଦଶଟା ବେଳକୁ ତ ତୁମ ଉଡ଼ାଜାହାଜ !

 

ମୋ’ ଚେୟାର୍‌ର ଗୋଡ଼ପାଖେ କାରପେଟ୍‌ ଉପରେ ବସିଲା ସୋନିଆ । କହିଲା—ଜାଣ ଆଜିଠୁ ମୁଁ ମୁକ୍ତ... ବାପାମା, ବୁଢ଼ୀମା, ଆସାମ... ହିନ୍ଦୁ... ରକ୍ତରୁ, ଧର୍ମରୁ, ଦେଶରୁ ।

 

—କିଛି ଟିକେ ପିଅ... ଗରମ ଦୁଧ ଟିକେ ଆଣୁଛି ।

 

ରୋଷାଇଘରୁ ଫେରିଆସି ଦେଖେ, ସୋନିଆ କାରପେଟ୍‌ ଉପରେ ଶୋଇପଡ଼ିଛି । ତା’ ଉପରେ କମ୍ବଳ ଘୋଡ଼ାଇଦେଇ, ମୁଣ୍ଡତଳେ ତକିଆଟାକୁ ସଜାଡ଼ିଦେଲି । ସୋନିଆ ସେମିତି ଶୋଇ ରହିଥାଏ ।

 

ପାଖ ଚମଡ଼ାଚେୟାର୍‌ ଉପରେ ମୁଁ ଢୁଳାଇପଡ଼ିଥିଲି । ଉଠିଲାବେଳକୁ ସକାଳ ହୋଇଗଲାଣି । ସୋନିଆ ଯିବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ । ତାର ଜନ୍ମଦିନ ପାଇଁ ମୁଁ ଆଉ ବୁଢ଼ୀମା’ ଖୋଜିକରି କିଣି ଆଣି ତାକୁ ଉପହାର ଦେଇଥିଲୁ ଖଣ୍ଡେ ଶାଢ଼ି—ତାକୁ ପିନ୍ଧିଛି ।

 

ବୁଢ଼ୀମା’ର ବିଛଣା ପାଖରେ ଆସି ଛିଡ଼ାହେଲା । ଦୁଇହାତରେ ଅଣ୍ଡାଳି ଅଣ୍ଡାଳି ସେ ବିଛଣା ଉପରେ ଲୋଟିଗଲା ସୋନିଆ । କିଛି ସମୟ ପରେ ଉଠିଲା ସେ ବିଛଣା ଉପରୁ । ଆଣିଲା ସାନ ଗୋଟିଏ ସୁଟ୍‌କେଶ—ନିଜର କିଛି ଲୁଗାପଟା ଥିଲା—ବ୍ୟାଗ୍‌ରେ ଥିଲା ତାର ଯିବାଆସିବା କାଗଜପତ୍ରସବୁ । କାନ୍ଥରୁ ତାର ବାପ ମା’ଙ୍କ ଫଟ କାଢ଼ି ସାନ ସୁଟକେଶଟିରେ ପୂରାଇଲା । ସୁଟକେଶକୁ ବନ୍ଦକରି ଚାରିକାନ୍ଥ, ସେ ଆରସି, ସେ ଦରଜା, ବୁଢ଼ୀମା’ର ଲୁଗାପଟା ସବୁ ଛୁଉଁଥାଏ । ଅନେକ ସମୟ ଦୁଆରମୁହଁରେ ଠିଆହୋଇ ଦେଖୁଥାଏ ସେ କୋଠରିକୁ ।

 

ଇତିମଧ୍ୟରେ ଟାକ୍‌ସି ଆସିଗଲାଣି । ତା’ ସୁଟକେଶ୍‌ଟି ଆଣି ଗାଡ଼ିରେ ରଖିଲି । ସେ ଧରିଥାଏ ତା’ ବ୍ୟାଗ୍‍ଟି । ଟାକ୍‌ସି ଚାଲିଲା ।

 

ଏରୋଡ଼୍ରମ ଅଭିମୂଖେ ଯାଉଁ ଯାଉଁ ଭାବିଲି—ଦିନେ ଏଇ ଭୂଇଁରେ ଜନ୍ମ ନେଇଥିଲା ଗୋଟିଏ ଶିଶୁ । ବାପା, ମା, ବୁଢ଼ୀମା ସମସ୍ତଙ୍କର ସମାବେଶରେ କେତେ ଆଶା କେତେ କଳ୍ପନା ତା’ ପାଇଁ । ଆଜି ଏକୋଇଶ ବର୍ଷ ପରେ ନିଃସ୍ୱ ହୋଇ ଏ ଭୂଇଁ ସେ ଚିରଦିନ ପାଇଁ ଛାଡ଼ିଦେଇ ଯାଉଛି । ଆଉ ଏ ମାଟିରେ ରହିଯାଉଛି ତାର ବାପା, ମା, ବୁଢ଼ୀମା, ଆଶା, କଳ୍ପନା ସବୁ ।

 

ଏରୋଡ଼୍ରମ ଦିଶିଲାଣି । ଉଡ଼ାଜାହାଜମାନଙ୍କର ଶବ୍ଦ ବି ଶୁଭୁଛି ।

 

—ମୋର ଗୋଟିଏ ଅନୁରୋଧ ରଖିବ ?

 

ଚାହିଁରହିଲି ତା’ ମୁହଁକୁ ।

 

—ଏଠୁ ଏରୋଡ଼୍ରମ ବାହାରୁ ତୁମେ ଫେରିଯିବ । ମୋର ଯିବା ପର୍ଯ୍ୟନ୍ତ ଭିତରେ ସେଠି ଅପେକ୍ଷା କରିବ ନାହିଁ ।

 

ହାତଦେଇ ମୋ ମୁହଁ ବନ୍ଦକରି କହିଲା—ତୁମେ ଆଜି କିଛି କୁହନାହିଁ ।

 

ଗାଡ଼ି ଅଟକିଲା ଏରୋଡ଼୍ରମ ପାଖରେ । ବାରଣ୍ଡାକୁ ଉଠିବା ମାତ୍ରେ ପୋର୍ଟର ତା’ ସୁଟ୍‌କେଶ୍‌ ନେଇଗଲା ଗେଟ୍‌ ପାଖକୁ । ମୋର ପାଦ ଛୁଇଁ ନମସ୍କାର ଜଣାଇଲା ସୋନିଆ । ଏୟାରପୋର୍ଟର କାଚ କବାଟ ଖୋଲିଯାଇଥାଏ । ପଛକୁ ନ ଅନେଇ ସେ ଭିତରକୁ ଚାଲିଗଲା । ମିଶିଗଲା ଲୋକ ଗହଳି ଭିତରେ । ଫେରିଲାବେଳକୁ ଲଣ୍ଡନ୍‌ ସହରଟି ନିଃସ୍ୱ, ନିର୍ଜନ ମରୁଭୂମି ପରି ମନେହେଲା ।

 

ମାସାଇ ପର୍ବତମାଳା କେନିଆର ବକ୍ଷ ଉପରେ ଢେଉ ଭଳି ଖେଳିଯାଉଛି । ଏହାରି ପାଦଦେଶରେ ଗୋଟିଏ ଉପତ୍ୟକା । ପାହାଡ଼ର ଦେହସାରା ଲମ୍ବା ଲମ୍ବା ମୋଟା ଗଛ । ଦିନରେ ଏମାନେ ଜଗିଥାନ୍ତି ଏ ଉପତ୍ୟକାକୁ । ଦୁଇ କଡ଼ରେ ଗହୀରିଆ ଫୁଲବଣ... ଧଳା, ନାଲି, ହଳଦିଆ ବଡ଼ ବଡ଼ ଫୁଲସବୁ । ମାଟି ଉପରେ ବିସ୍ତୀର୍ଣ୍ଣ ଭାବରେ ବିଛାଡ଼ିପଡ଼ିଛି ସାଗୁଆ ଘାସର ସୁଦୀର୍ଘ ଚଟାଣ । ଉପରେ ଆକାଶ, କଡ଼ରେ ପାହାଡ଼ । ସବୁ ସହଜ, ସବୁ ନିଜର ।

 

ଏଇଠି କିନ୍ତୁ ପହଞ୍ଚିବା ସହଜ ନୁହେଁ । ଦୁରୂହ ରାସ୍ତା । ସହରଠାରୁ ଅନେକ ଦୂର । ଏଇ ପାହାଡ଼ଘେରା ଗୁପ୍ତ ଅଞ୍ଚଳ ଭିତରେ ଗୋଟିଏ ସ୍କୁଲ ଅଛି । ଅନେକ ଅନାଥ ପିଲା ଅଛନ୍ତି ସେ ସ୍କୁଲରେ । ସବୁ ନିଗ୍ରୋ । କିଛି ଏସିଆର ବି । ବାସ୍ତବରେ ସମଗ୍ର ଆଫ୍ରିକା ମହାଦେଶରେ ଯେଉଁମାନେ ବିଦ୍ରୋହରେ ହତନିହତ ହୁଅନ୍ତି, ତାଙ୍କରି ଅନାଥ ପିଲାମାନଙ୍କୁ ସେଇଠାକୁ ପଠାଯାଏ–ଶିକ୍ଷା ପାଇଁ । ସେଠି ଯେଉଁମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସେମାନେ ସବୁ ମହାନ୍‌ ବ୍ୟକ୍ତି—ସାହିତ୍ୟିକ, ବୈଜ୍ଞାନିକ, ପଣ୍ଡିତ, କଳାକାରମାନେ—ଯେଉଁମାନେ ବିପ୍ଲବ ଓ ମନୁଷ୍ୟତାରେ ବିଶ୍ୱାସକରନ୍ତି । ଶିକ୍ଷା ଦେବାପାଇଁ ଇଉରୋପ ଆମେରିକାରୁ ଅନେକ ସେହିପରି ସେଠାକୁ ଯାଆନ୍ତି; କିନ୍ତୁ ସେମାନେ ପସନ୍ଦ କରନ୍ତି ଏସୀୟ ଓ ଭାରତୀୟମାନଙ୍କୁ—ତାହେଲେ ଲୋକଲୋଚନରେ ବିଶେଷ ଜ୍ଞାତ ହେବେନାହିଁ ।

 

ସୋନିଆ ଆଗଥର ସେଇଠି ଶିକ୍ଷୟିତ୍ରୀ ଥିଲା କିଛି ଦିନ ପାଇଁ । ସେ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ସମୟରେ ସେ କବିତାସବୁ ଲେଖିଥିଲା । ବର୍ତ୍ତମାନ ସେଇଠିକି ପୁଣି ଫେରିଯାଉଛି-

 

ଇତିମଧ୍ୟରେ ପ୍ରାୟ ସାତଆଠବର୍ଷ ବିତିଗଲାଣି । ଭାରତକୁ ଫେରିଆସିଥାଏ । ନିଜ ସଂସାର, ନିଜର ଛୋଟ ଛୋଟ ଲଢ଼େଇରେ ବ୍ୟସ୍ତ ରହି ସମୟ କଟିଯାଉଥାଏ । ଦିନେ ଅଫିସ୍‌ଘରେ ବସିଛି ଟେଲିଫୋନ୍‌ ଆସିଲା । ନିଜ ନାଁ କହିଲି । ପଚାରିଲି—ତୁମେ କିଏ ?

 

ଉତ୍ତରରେ ସେ ପଟୁ କହିଲା—ମୁଁ ସୋନିଆ ।

 

କହିଲି—ଆଉ ଥରେ ବଡ଼ପାଟିରେ କୁହ ।

 

ସେ ତା’ ନାଁକୁ ଜୋରଦେଇ ଆଉଥରେ ଦୋହରାଇଲା ।

 

ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ ! କିଛି ସମୟ ପାଇଁ ମୂକ ହୋଇ ରହିଲି ।

 

ପଚାରିଲି—କେଉଁଠୁ କହୁଚ ?

 

—ତୁମ ସହରରୁ ।

 

—କେବେ ଆସିଲ ?

 

କହିଲା—ଦେଖାହେଲେ ସବୁ କହିବି । ବର୍ତ୍ତମାନ ଗୋଟାଏ ଜରୁରୀ କାମରେ ତୁମକୁ ଡାକୁଛି । ମୋର ଆଜି ପାଞ୍ଚହଜାର ଟଙ୍କା ଦରକାର । ସଂଧ୍ୟା ବେଳକୁ ଆସିବି ।

 

ଉତ୍ତର ପାଇଁ ଅପେକ୍ଷା ନକରି ଟୋଲଫୋନ୍‌ ଛାଡ଼ିଦେଲା ।

 

ସଂଧ୍ୟା ଗଲା । ରାତି ଆସିଲା । ସୋନିଆର ଦେଖାନାହିଁ । ରାତି ଅଧା ହେଲା । ଦରଜାରେ ଘଣ୍ଟି ବାଜିଲା । ଦେଖିଲି ଦୁଆରମୁହଁରେ ଦୁଇଜଣ ସ୍ତ୍ରୀଲୋକ—ସୋନିଆ ଓ ତା’ ସାଙ୍ଗରେ ଆଉ ଜଣେ ।

 

କହିଲି—ଭିତରକୁ ଆସନ୍ତୁ ।

 

ଅନ୍ୟ ନାରୀ ଜଣକ କହିଲେ—ମୁଁ ତାଙ୍କୁ ଏଠି ପହଞ୍ଚାଇ ଦେବାକୁ ଆସିଥିଲି ।

 

ସୋନିଆ ତାଙ୍କୁ ବସିବା ପାଇଁ କହିଲା । ଭଦ୍ରମହିଳା ଜଣକ ବସିରହିଲେ ।

 

ପାଖକୁ ଆସି ସୋନିଆ କହିଲା—ଦିଅ ।

 

ତା’ପାଇଁ ରଖିଥିବା ଟଙ୍କାତକ ଆଣି ତା’ ହାତକୁ ବଢ଼ାଇଦେଲି ।

 

ସୋନିଆ ଅନ୍ୟ ଭଦ୍ରମହିଳାଙ୍କୁ ସେତକ ଟଙ୍କା ବଢ଼ାଇଦେଲା ।

 

ଭଦ୍ରମହିଳା ଚାଲିଗଲେ । ଦରଜା ବନ୍ଦକରି ସୋନିଆ ଆସି ବଞ୍ଚିଲା ଘରଭିତରେ ।

 

ଟିକେ ଡେଙ୍ଗା ଦିଶୁଥାଏ । ଖଣ୍ଡେ ମାଟିଆ ରଙ୍ଗର ଡ୍ରେସ୍‌ ପିନ୍ଧିଛି । ବେକରେ ଲମ୍ବା ସ୍କାର୍ଫ । ଗୋଡ଼ରେ କଡ଼୍‌ରୟେ କାନ୍‌ଭାସ୍‌ ଜୋତା । ମୁଣ୍ଡର ଲମ୍ବା ବାଳ ଅନେକ ସାନ ହୋଇଯାଇଛି । ସେଇ ନିର୍ବିକାର ଆଖି, ଉଚ୍ଛ୍ୱସିତ କପାଳ, ସରଳ ବାହୁ, ଓଠ ଦୁଇଟି କିଛି ଉନ୍ନତ–ମଝିରେ ଟିକେ ଫାଙ୍କ ରହିଯାଏ—ଯେପରି କିଛି କହିବା ପାଇଁ ଚାହୁଁଛି । ସେଇ ଶାନ୍ତ, ସୌମ୍ୟ, ସହଜ ରୂପ ।

 

—ପଚାରିଲି, କେବେ ଆସିଲ ?

 

—ତୁମେ କଣ ସବୁଦିନେ ଏଇଠି ରୁହ ?

 

—ଅଧିକାଂଶ ସମୟରେ । କ’ଣ ଖାଇବ ?

 

କିଛି ଜବାବ ଦେଲାନାହିଁ ।

 

କିଛି ସମୟ ରହି କହିଲା ତୁମକୁ ଦେଖିଲେ ମନେହେଉଛି, ଯେପରି ବୁଢ଼ୀମା, ମୁଁ ଓ ତୁମେ ସାଙ୍ଗହୋଇ ବିଲାତରେ ପୁଣି ରହିଛେ—ସେଇ ସାନଘରଟିରେ ।

 

—ଏବେ ଭାରତରେ ରହିବ ?

 

ଅନ୍ୟମନସ୍କ ଭାବରେ ପଚାରିଲା—କେଉଁଠି ?

 

ତାର ଉତ୍ତର ସେ ନିଜେ ଯେପରି ଖୋଜୁଛି ।

 

—ଆସିଛି ତ ବର୍ତ୍ତମାନ ପାଇଁ !

 

—ଏ ପର୍ଯ୍ୟନ୍ତ କେନିଆରେ ଥିଲ ?

 

ନିଜକୁ ଟିକେ ଗୋଟେଇନେଇ କହିଲା—ଭାବିଥିଲି ତୁମକୁ ଲେଖିବି ବୋଲି—କେଜାଣି କାହିଁକି ତୁମକୁ ମୁଁ କେବେ କିଛି ଲେଖିପାରେନାହିଁ । ମୁଁ ଯାଇଥିଲି ଜର୍ମାନୀ । ସେଠି ଜିପ୍‌ସୀ ଯାଯାବରଙ୍କ ସାଙ୍ଗରେ ରହିଥିଲି ଅନେକଦିନ । ତାଙ୍କ ସାଙ୍ଗରେ ଜର୍ମାନୀ, ଫ୍ରାନ୍‌ସ, ସ୍ପେନ୍‌ ସବୁ ଘୂରିବୁଲିଲି । ସେମାନେ ଅତି ଘନିଷ୍ଠ ଲାଗିଲେ । ତାଙ୍କ ତମ୍ବୁ, ତାଙ୍କ ଗୀତ, ତାଙ୍କ ବେଶ, ତାଙ୍କ ଜୀବନ । ତାଙ୍କର ପ୍ରାଣଖୋଲା ହସ । ଦୁଇ ହାତ ଉପରକୁ ଟେକି କହୁଛନ୍ତି—ହେ ସୂର୍ଯ୍ୟ, ହେ ଚନ୍ଦ୍ର, ତୁମେ ହିଁ ଆମର ସଖା । ତାରାମାନେ ସେମାନଙ୍କ ପ୍ରିୟାପ୍ରୀତି । ସେମାନେ ଦେଶ ଦେଶ ବୁଲୁଛନ୍ତି–ସ୍ୱଚ୍ଛ ଆକାଶ ମୃଦୁ ମଳୟର ପଛେ ପଛେ ଚଢ଼େଇମାନଙ୍କ ପରି ଋତୁ ଖୋଜି ଖୋଜି ପୃଥିବୀ ବୁଲନ୍ତି-। ରାତି ରାତି ଆକାଶକୁ ଚାହିଁ ଖୋଲା ପଡ଼ିଆରେ ଶୋଇରହନ୍ତି । ସେଠି ‘କାଲି’ ବୋଲି କିଛି ନାହିଁ–ଗଲା କାଲି ବା ଆସନ୍ତା କାଲି । ସବୁ ଖାଲି ଆଜିର କଥା—ବର୍ତ୍ତମାନର କଥା । ସେଠି କିଛି ସ୍ଥିର ନୁହେଁ । ସବୁ ଚାଲୁଥାଏ, ସବୁବେଳେ ସଡ଼କପରି, ଚକ ଭଳି, ନଈ ପରି । ବେଳେବେଳେ ମ୍ୟାଜିକ୍‌ ଦେଖାନ୍ତି । ବେଳେବେଳେ ଗୀତ ବୋଲନ୍ତି, ଅନ୍ୟବେଳେ ହାତ ଦେଖି, କାଚଭିତରେ ଦେଖି ଭବିଷ୍ୟତ କହନ୍ତି ସ୍ତ୍ରୀଲୋକମାନେ । ପୁରୁଷମାନେ ମଝିରେ ମଝିରେ ବିକନ୍ତି ଏ ଦେଶର ଜିନିଷ ସେ ଦେଶରେ, ଏ ଗାଁର ସେ ଗାଁରେ । ମୁଁ ବି ଚାଲିଥାଏ । ଆଉ ତୁମ କଥା...ତୁମ ଘର ସଂସାର ।

 

—ଆଉ କେବେ ଦେଖାହେଲେ କହିବି ।

 

ସିନ୍ଦୂରା ଫାଟି ଆଲୁଅ କୋଠରି ଭିତରକୁ ପଶିଆସିଲାଣି ।

 

ସୋନିଆ ଉଠି ଛିଡ଼ାହେଲା । କହିଲା—ମୋତେ ଛାଡ଼ିଦେଇଆସ । ଠିକଣା ଏଇ କାଗଜରେ ।

 

ସୋନିଆକୁ ନେଇ ଛାଡ଼ିଲି ତା’ ଠିକଣାରେ । ଦିଲ୍ଲୀରେ ଏକ ଅନ୍ଧାର ଅମୁହାଁ ଗଳିର ସାନ ଦୁଆର—ସାନ ଘରେ । କହିଲା—ତୁମେ ଭିତରକୁ ଆସ ନାହିଁ...କାହାକୁ ଚିହ୍ନିନାହଁ ।

 

ଗାଡ଼ିର ଦରଜା ଖୋଲି ବାହାରକୁ ଯିବାକୁ ତିଆରିହେଲା ସୋନିଆ ।

 

ପଚାରିଲି—ଆଉ କେବେ ଦେଖା ହେବ ?

 

—ଦରକାର ପଡ଼ିଲେ ନିଶ୍ଚେ ଖବର ଦେବି ।

 

କବାଟକୁ ଆଉଜି ଗାଡ଼ି ଭିତରକୁ ଚାହିଁ କିଛିକ୍ଷଣ ଠିଆହେଲା ସୋନିଆ । ଫେରିଗଲା ସେ ଘରପାଖକୁ । ତା’ର ବାରଣ୍ଡାରେ କିଛି ସମୟ ଅପେକ୍ଷା କରିଥାଏ । ପରେ ବାରଣ୍ଡା ଉପରୁ ହଠାତ୍‌ ଦୌଡ଼ିଆସି ଗାଡ଼ି କବାଟର କାଚ ଭିତରେ ମୁହଁ ପୂରାଇ ପଚାରିଲା—ସବୁ କଥା ତୁମର ମନେରହେ ?

 

ଇତିମଧ୍ୟରେ ସେ ଘର କବାଟ ଖୋଲିଗଲାଣି । ପଛକୁ ଫେରି ଦ୍ରୁତଗତିରେ ଘରଭିତରକୁ ପଶିଗଲା ସୋନିଆ ।

 

କିଛି ଦିନ ପରେ ଜଣେ ଭଦ୍ରଲୋକ ଦେଇଗଲେ ଖଣ୍ଡେ ବହି । ଲେଖିଛି ସୋନିଆ । ଜର୍ମାନୀ ଭାଷାରେ । ତାର ମା’ର ମାତୃଭାଷା । ତର୍ଜମା ହୋଇଛି ଇଂରେଜିରେ । ଯାଯାବରମାନଙ୍କ ବିଷୟରେ । ବହିରେ ଅନେକ ସ୍କେଚ୍‌, ସବୁ ନିଜେ ଆଙ୍କିଛି ସେ—ଜିପ୍‌ସି, ସେ ସ୍ତ୍ରୀଲୋକ, ତାଙ୍କ ତମ୍ବୁ, ତାଙ୍କର ସଙ୍ଗୀତ । ସେମାନେ ଏକା ସାଙ୍ଗରେ ବାଜା ବଜାଉଛନ୍ତି, ଗୀତ ଗାଉଛନ୍ତି—ସବୁ ବିଷୟରେ ଲେଖାଅଛି । ବହି ଭିତରେ ଲେଖା ହୋଇଛି—ପ୍ରକାଶକଙ୍କଠୁ ବହିଟି ଏବେ ପାଇଲି । ସେଥିପାଇଁ ତୁମକୁ ପଠାଇବା ଡେରିହେଇନାହିଁ.....ସୋନିଆ ।

 

ଆମ ଦେଶରେ କିଛି ଲୋକ ଅଛନ୍ତି—ସେମାନେ କହୁଥିଲେ ଆମ ଦେଶର ପରିସ୍ଥିତିରେ ହିଂସା ହେଉଛି ପବିତ୍ର; ସ୍ୱଚ୍ଛ । ଯୁଗେ ଯୁଗେ ମହାଭାରତ କାଳରୁ ଗାଣ୍ଡିବ ଉଠିଛି—ଅନ୍ୟାୟର ସମାଧାନ ପାଇଁ । ଆଜି ପୁଣି ଦୁନ୍ଦୁଭି ବାଜିବ—ହେଉ ପଛେ ଅନ୍ୟ ଦେଶର, ଚୀନ୍‌ର ମାଓ-ସେ-ତୁଙ୍ଗ—ଭିଏତ୍‌ନାମ୍‌ର ହୋ-ଚି-ମିନ୍‌-ଦକ୍ଷିଣ—ଆମେରିକାର ଚି’ଗୁଭେରା । ସେଇମାନେ ଆମର ଆଦର୍ଶ, ଆମର ନେତା । ବିଦ୍ରୋହର ରକ୍ତରେ ପବିତ୍ର କରିଛନ୍ତି ଏମାନେ ନିଜର ଜୀବନମାର୍ଗ । କୌଣସି ପଦବୀ ନାହିଁ । କୌଣସି ଅଭିଳାଷ ନାହିଁ । ଭବିଷ୍ୟତ ନାହିଁ । ଅନ୍ଧକାର ଦରିଦ୍ର ଦେଶମାନଙ୍କରେ ଉଜ୍ୱଳ ପ୍ରଦୀପ କରି, କୋଟି କୋଟି ଲୋକଙ୍କୁ ଆଲୋକ ଦେଇଛନ୍ତି ନିଜର ତ୍ୟାଗ ଜରିଆରେ । ଏମାନେ ସମସ୍ତେ ସ୍ୱପ୍ନ ଦେଖିଛନ୍ତି—ମଣିଷ ବଦଳିବ, ସମାଜ ବଦଳିବ, ସମସ୍ତେ ସୁଖରେ ରହିବେ । ସେମାନେ ଏ କଥା ଅନ୍ୟକୁ ଦେଖାଉଛନ୍ତି । ଅନେକେ ଏ ସ୍ୱପ୍ନକୁ ବିଶ୍ୱାସ କରୁଛନ୍ତି । ସୋନିଆ ବିଶ୍ୱାସ କରିଛି ଏମାନଙ୍କ ସ୍ୱପ୍ନକୁ । ଦିନେ ନୂଆ ଦୁନିଆ ଆସିବ-। ତା’ର କବିତା ବହିର ଭାଷାରେ ଆସିବ ନବ ଆଲୋକର ନବ କଲ୍ଲୋଳ ।

 

ଏମାନଙ୍କୁ କୁହାଯାଏ ନକ୍‌ସାଲପନ୍ଥୀ । ସିଲିଗୁଡ଼ି ପାଖରେ ନେପାଳର ତରାଇଜଙ୍ଗଲକୁ ଘଷିହୋଇ ଛୋଟ ଗୋଟିଏ ଗାଁ ଅଛି । ତା’ର ନାଁ ନକ୍‌ସାଲବାଡ଼ି । ସାଧାରଣ ଗାଁଟିଏ । ମାଟିରେ ତିଆରି । ସେଠି ବି ଏଇ ଆକାଶ, ଏଇ ଧାନଗଛ । ଦିନେ ସାନ ଦୀପଟିରୁ ଟିକେ ଧୂଆଁ ଆକାଶକୁ ଉଠିଲା । ପାଖ ସିଲିଗୁଡ଼ିରେ ଦୁଇଜଣ ଲୋକ ଥିଲେ । ଜଣେ ମାଷ୍ଟର—ଚାରୁ ମଜୁମ୍‌ଦାର । ଆଉ ଜଣେ ଫଳବିକାଳି—କାହ୍ନୁ ସାନ୍ୟାଲ । ସେଇଟିକାର । ସେଇମାନେ କଣ ଟିକେ କହିଲେ, କଣ ଟିକେ କଲେ । ସାନ ଗୋଟାଏ ଚିନ୍ତାଧାରା । ତା’ପରେ ସେଇଟା ନିଆଁ ଧରିଲା । କ୍ରମେ ସେ ଧୂଆଁ ମୋଟା ହୋଇ ଉଠିଲା, ଦୁନିଆ ଦେଖିଲା । ଚାରିଆଡ଼ୁ ଶୁଭିଲା—ଆମର ବାଡ଼ି ନକ୍‌ସାଲବାଡ଼ି—ଆମର ନେତା ମାଓ-ସେ-ତୁଙ୍ଗ—ଆମର ରାସ୍ତା ହିଂସାର ରାସ୍ତା ।

 

ଏ ଯୁଦ୍ଧରେ ଝାସଦେଲେ ଅନେକ ଲୋକ, ଅଧିକାଂଶ ଶିକ୍ଷିତ ଯୁବକ... ଯେଉଁମାନେ ଜୀବନକୁ ତୁଚ୍ଛକରି ଦେଶର ଭବିଷ୍ୟତ ପାଇଁ ପ୍ରତିଷ୍ଠିତ ସମାଜକୁ ପ୍ରଥମେ ଭୟଭୀତ ତା’ପରେ ଧ୍ୱଂସ କରିବାର ଯୋଜନା କରୁଛନ୍ତି । ସେମାନେ କୁହନ୍ତି, ନିର୍ଲଜ ତୁ ଗଙ୍ଗା, ଦେଶର ଏ ଦୁଃଖଦୁର୍ଦ୍ଦଶା ଭିତରେ ବୋହି ଚାଲିଛୁ—କିଛି ପ୍ରତିବାଦ ବି କରୁନାହୁଁ । ଆମେ କିନ୍ତୁ ତାର ଜବାବ ଦେବୁ ।

 

ପୋଲିସ, ପ୍ରତିଷ୍ଠିତ ବ୍ୟକ୍ତି ଓ ଅନୁଷ୍ଠାନମାନେ, ବର୍ତ୍ତମାନର ସମାଜରୁ ଯେଉଁମାନେ ସୁଯୋଗ ଓ ସୁବିଧା ପାଉଛନ୍ତି, ଯେଉଁମାନଙ୍କ ନେତୃତ୍ୱକୁ ଏପରି ଆନ୍ଦୋଳନ ଚାଲେଞ୍ଚ୍‌ କରୁଛି, ସେମାନେ ସମସ୍ତେ ଏକଜୁଟ ହୋଇଗଲେ ! ଝାମ୍ପିପଡ଼ିଲେ ଏହି ବିପ୍ଳବୀ ତରୁଣମାନଙ୍କ ଉପରେ ।

 

ଏ ନକ୍‌ସାଲପନ୍ଥୀମାନେ କଲିକତାପରି ସହରର ଗଳି ବସ୍ତି ଭିତରେ ବା ଗ୍ରାମ ପାଖ ଜଙ୍ଗଲରେ ଆଶ୍ରୟ ନେଉଥାନ୍ତି । ସେମାନଙ୍କ ପକ୍ଷରୁ ଛାପା ଲେଖା ପ୍ରକାଶ ଓ ପ୍ରଚାର ହୁଏ । ସେମାନଙ୍କର ଆନ୍ତର୍ଜାତିକ ସମ୍ପର୍କ ଅଛି । ଏସିଆ, ଆମେରିକା, ଇଉରୋପ, ଆଫ୍ରିକାର ବିଭିନ୍ନ ଅନୁଷ୍ଠାନମାନଙ୍କ ସହିତ । ସେମାନଙ୍କର ଶିକ୍ଷାକେନ୍ଦ୍ରମାନ ଅଛି । ସେମାନେ ନୂଆ ଶିକ୍ଷକ ତିଆରି କରନ୍ତି । ସେମାନଙ୍କ ମୃତ୍ୟୁ ପରେ ଏଇ ଆନ୍ଦୋଳନ ଅନ୍ୟମାନେ ଚଳାଇବେ, ତାଙ୍କ ପରେ ଆଉ ଅନେକ । ଏହିପରି କାଳକ୍ରମେ ସଂଖ୍ୟା ବଢ଼ିବ । ଆନ୍ଦୋଳନ ବ୍ୟାପିବ । ସାରା ଭାରତବର୍ଷ ଥରିଉଠିବ ।

 

ପୋଲିସ୍‌ ଖୁବ୍‌ ଜୋରସୋରରେ ଏ ଆନ୍ଦୋଳନକୁ ମୁକାବିଲା କରିବାପାଇଁ ତତ୍‌ପର ହୋଇଉଠିଥାନ୍ତି । ଚାରିଆଡ଼େ ଖାନ୍‌ତଲାସ । ଯେଉଁଠି ସେମାନେ ପ୍ରତିରୋଧ କରୁଥାନ୍ତି, ତାଙ୍କ ଉପରେ ଆକ୍ରମଣ କରି ଧ୍ୱଂସ କରିଦିଆଯାଉଥାଏ ।

 

କିଛିଦିନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଯେଉଁଠି ନକ୍‌ସାଲପନ୍ଥୀଙ୍କୁ ଦେଖିବ, ଯେଉଁଠି ସେମାନେ ବିରୋଧ କରିବେ ତାଙ୍କୁ ଗୁଳିକରି ମାରିଦିଆଯିବ । ଅନେକ ଲୋକଙ୍କୁ ମାରିଦିଆଗଲା । ଅନେକ ଲୋକଙ୍କୁ ଜେଲରେ ଭର୍ତ୍ତିକରାଯାଉଥାଏ ।

 

ଦିନେ ଜଣେ ଭଦ୍ରଲୋକ, ପାଇଜାମା କୁର୍ତ୍ତା ପିନ୍ଧିଛନ୍ତି, ଆସି ପହଞ୍ଚିଲେ । ରବିବାର । ଅଫିସ ଘରେ ବସିଛି । ଖଣ୍ଡେ ଲେଖା ହାତକୁ ବଢ଼ାଇଦେଲେ । ଲେଖାଟି ସୋନିଆର । ଦୁଇଧାଡ଼ି ଲେଖା—‘‘ଏ ଲେଖା ପାଇ ତୁରନ୍ତ ଆସିବ । ମୋ’ ଠିକଣା ପତ୍ରବାହକ ଦେବେ ।’’

 

ପତ୍ରବାହକ ଜଣାଇଲେ ଯେକୌଣସି ପ୍ରକାରେ କାଲି ଭିତରେ ପହଞ୍ଚିବାକୁ ପଡ଼ିବ । କାରଣ ସେ କହିବାକୁ ପ୍ରସ୍ତୁତ ନ ଥିଲେ । ଚାରିଆଡ଼େ ସେତେବେଳେ ଡରଭୟରେ ଆବହାଓ୍ୱା ।

 

ଯିବାର କଥା ସିଲିଗୁଡ଼ିକୁ । ଉଡ଼ାଜାହାଜ ଧରି କଲିକତା, ତା ପରଦିନ ବାଗଡ଼ୋଗ୍ରା ଉଡ଼ାଜାହାଜ ଘାଟି, ସେଠୁ ସିଲିଗୁଡ଼ି । ସେ ସହର ଉପରେ ସେତେବେଳେ ସ୍ୱତନ୍ତ୍ର କଡ଼ା କଟକଣା-। ଏ ସହର ନକ୍‌ସାଲବାଦୀ ଆନ୍ଦୋଳନର ପେଣ୍ଠସ୍ଥଳର ଅତି ପାଖ । ଇଆଡ଼େ ନେପାଳର ପାଖାପାଖି । ସରକାରୀ ଅନୁମତି ନେଇ ପହଞ୍ଚିଲି ସେ ଘର ଠିକଣାରେ ।

 

ସାନ ଘରଟିଏ । ଦୁଇ ମହଲା । ଛୋଟ ଗୋଟିଏ ଗଳି । ତାର ଶେଷ ସେଇ ଗଳିରେ । ଶେଷମୁଣ୍ଡରେ ଏ ଘରଟି । ଘରଟି ବାହାରୁ ଯନ୍ତ୍ରରେ ରଖାଯାଇଥିବା ପରି ମନେହେବ । ଗାଡ଼ି ସେ ଘର ଦୁଆରମୁହଁରେ ପହଞ୍ଚୁ ପହଞ୍ଚୁ ଗୋଟିଏ ସାନ ପିଲା ଘରର କବାଟ ଖୋଲିଦେଲା । ପଚାରିଲି–ଏ ଘରେ ସୋନିଆ ଅଛି ?

 

ସେ ବାଟ ଦେଖାଇ ଉପର ମହଲାକୁ ନେଇଗଲା । ଗୋଟିଏ ସାନ କୋଠରିରେ ବସିରହିଲି । ଘରେ ବେଶି କେହି ଲୋକବାକ ଥିଲା ପରି ମନେହେଲା ନାହିଁ । ପିଲାଟି କପେ ଚାହା ଦେଇଗଲା । କାନ୍ଥରେ କୌଣସି ଜାଗାରେ କିଛି ଚିହ୍ନ ନାହିଁ ।

 

ସବୁଆଡ଼ ସଫା, ସବୁ ପରିଷ୍କାର । କବାଟଗୁଡ଼ିକ ପୁରୁଣା ମୋଟା କାଠରେ ତିଆରି । ଘର ମଝିରେ ଗୋଟାଏ ଟେବୁଲ । ମୋଟା ଶାଳକାଠରେ ତିଆରି । କିଛି ଦୋହଲିବାର କଥା ନାହିଁ-। ଚେଷ୍ଟାକରି କେହି ଚିକ୍‌କଣ କରିନାହିଁ—ବ୍ୟବହାରରେ ସେପରି ହୋଇଛି । ଟେବୁଲ ଉପରେ ସେ ଦିନର ଖବରକାଗଜ । ପାଖରେ ଝରକା । ଅଧା ଉପରୁ ଓ ତଳୁ ଛିଡ଼ାହୋଇ ମଝିରେ ଧଳା କନାର ପରଦା । ବାହାରୁ ଝରକା ଉପରେ ଟିଣର ଖିଲାଣ ଅଛି । ସାମନାରେ ଚଉଡ଼ା ପଲଙ୍କ-। ସେହିପରି ଶାଗୁଆନ କାଠରେ ତିଆରି । ବାଡ଼ା ସବୁ ମୋଟା ଓ ଶକ୍ତ । ଖଟ ଉପରେ ପୁରୁଣାକାଳିଆ ମୋଟା ଗଦି । ଗଦି ଉପରେ ସପ । ଚାରିଆଡ଼ ଶୂନ୍‌ଶାନ ।

 

କିଛି ସମୟ ପରେ ପଛପଟୁ ପରଦା ଅଳ୍ପ ଖୋଲି, କୋଠରି ଭିତରକୁ ଧୀରେ ଧୀରେ ଆସିଲା ସୋନିଆ । ବସିବାରେ, ଚାଲିବାରେ, ପରଦାକୁ ଛୁଇଁବାରେ ମୃଦୁ ଶୃଙ୍ଖଳା ଥିଲା—ଯେପରି କେହି କିଛି କଷ୍ଟ ନ ପାଆନ୍ତି । ପଚାରିଲା—ଆସିବାରେ କଷ୍ଟ ହୋଇଥିବ !

 

କହିଲି—ବିଶେଷ କିଛି ନୁହେଁ ।

 

କୋଠରି ଭିତରେ ଗୋଟାଏ ଶଙ୍କା ଯେପରି ଖେଳାଇ ହୋଇଯାଇଥାଏ । ଚାରିଆଡ଼େ ଯେପରି ଭୟର ଆର୍ତ୍ତନାଦ ।

 

ସେ ନୀରବରେ ଚାହୁଁଥାଏ ଝରକାବାଟେ ବହୁଦୂରକୁ, ସୂର୍ଯ୍ୟଆଡ଼କୁ—ବେଳେବେଳେ ନିଜର ପାପୁଲିକୁ । ଯେତେବେଳେ ସଚେତନ ହୋଇଯାଉଥାଏ, ଟିକିଏ ସାମାନ୍ୟ ହସିଦିଏ ।

 

ନିଜ ହାତର ସାନ ଘଡ଼ିଟିକୁ ଅନାଇଁ କହିଲା—ଫେରିଯିବାର ପ୍ଲେନ ଧରିବାକୁ ଆଉ ଅଳ୍ପ ସମୟ ବାକିରହିଲା ।

 

କିଛି ସମୟ ପରେ ଚେୟାର୍‌ରୁ ଉଠି ପାଖ କୋଠରି ଭିତରକୁ ଗଲା ସୋନିଆ । ଫେରିଆସି କହିଲା—ତୁମକୁ ଆଜି କିଛି ଦେବାର ଅଛି......ନେବ ?

 

ଗୋଟାଏ ସାନ ଲଫାପା ମୋ ହାତକୁ ବଢ଼ାଇଦେଲା ।

 

—ସୋନିଆ ! ମୋର ଗୋଟାଏ ଶେଷ କଥା ରଖିବ ?

 

ସେ ସ୍ଥିର ହୋଇ ଚାହିଁରହିଥାଏ—ଯେପରି ଜାଣେ ମୁଁ କଣ କହିବି ।

 

—ତୁମ ଚାରିକଡ଼ରେ ପ୍ରତ୍ୟେକ ଇଞ୍ଚ ମାଡ଼ି ଶହଶହ ଜଗୁଆଳି ତୁମକୁ ଅଟକି କରି ରଖିଛନ୍ତି । ଏ ବ୍ୟୂହ ଭିତରୁ ମୁକ୍ତି ସମ୍ଭବ ନୁହେଁ । ତୁମେ ନିଜେ ବି ସୁସ୍ଥ ନୁହଁ । ବିନା ପ୍ରତିବାଦରେ ଚାଲିଯାଅ କାରାଗାରକୁ ।

 

ସୋନିଆର ଆଖିରେ ସେଇ ନିର୍ବିକାର ଦୃଷ୍ଟି । ଧୀରେ ଧୀରେ କହିଲା—ତୁମେ ସବୁ ଜାଣିପାର.....ସବୁ ବୁଝିପାର.....ନା ?

 

ପାଖକୁ ଆସି ଛାତି ଉପରେ ମୁଣ୍ଡ ରଖି ଆସ୍ତେ ଆସ୍ତେ କହିଲା—ତୁମ ପାଖରେ ନିଜକୁ ରଖିଯାଉଛି । ଆଜି ମୁଁ ନିଶ୍ଚିନ୍ତ ।

 

ଜୀବନରେ ପ୍ରଥମଥର ପାଇଁ ଦେଖିଲି, ତା’ ଆଖିରେ ଲୁହ ଭରି ହୋଇ ଆସୁଛି । ନଇଁପଡ଼ି ଗୋଡ଼ ଛୁଇଁ ପ୍ରଣାମ କଲା । ତାର ମୁଣ୍ଡରେ ହାତ ଦେଇ ମୋର ଆଶୀର୍ବାଦ ଜଣାଇଲି ।

 

ଫେରିଲାବେଳେ ଗାଡ଼ିରେ ଲଫାପା ଖୋଲି ଦେଖିଲି—ଫଟଟିଏ । ତା’ ପଛପଟେ ଲେଖାହୋଇଛି—‘‘ଶାଶା.....ଏଇ ଆମର ଶ୍ରୀକାନ୍ତ ।’’ ତା ତଳକୁ ଶାଶାର ଠିକଣା ।

 

ତହିଁପରଦିନ କଲିକତାରୁ ଖବର ମିଳିଲା ଯେ ସେଦିନ ରାତିରେ ସିଲିଗୁଡ଼ିରେ ପୁଲିସ ଘେରାଉ ଭିତରୁ ବନ୍ଦୀଙ୍କୁ ମୁକୁଳାଇ ନେବାପାଇଁ ନକ୍‌ସାଲବାଦୀମାନେ ପୁଲିସ ଉପରେ ହମ୍‌ଲା କରିଥିଲେ । ପୁଲିସ ଓ ନକ୍‌ସାଲବାଦୀମାନଙ୍କ ମଧ୍ୟରେ ଘୋର ସଂଘର୍ଷ ହୁଏ । ଆଘାତ ପାଇଛନ୍ତି କେତେକ ପୁଲିସ୍‌ ଅଫିସର । ପୁଲିସ୍‌ ପକ୍ଷରୁ ଗୁଳିଚାଳନ ଫଳରେ ପାଞ୍ଚଜଣ ନକ୍‌ସାଲପନ୍ଥୀ ନିହିତ-। ତନ୍ମଧ୍ୟରେ ଜଣେ ବିଦେଶୀ ମହିଳା ଥିଲେ ।

 

ସୋନିଆ, ତୁମେ କେବେ ପୁଷ୍ପଘେରା ଶାନ୍ତିର ମଣ୍ଡପ ଚାହିଁ ନ ଥିଲ । ତୁମେ ଖୋଜିଥିଲ ମୁକ୍ତିର ଉଲଗ୍ନ ଅଫୁରନ୍ତ ଆକାଶ । ତୁମେ ସବୁଜ ବନରେ କୋକିଳ ସ୍ୱର ଖୋଜି ନ ଥିଲ । ତୁମେ ଖୋଜିଥିଲ ଦୁରୂହ ବନାନୀର ଅଜ୍ଞାତର ସନ୍ଧାନ । ତୁମ ପାଇଁ ଏ ହିମାଳୟ ଓ ଗଙ୍ଗା ବି ଅବାନ୍ତର ଥିଲେ । ଏଇ ପରିଣତିରେ ହିଁ ତୁମର ଚରମ ମୁକ୍ତି । ଚିରନ୍ତନ ସହିତ ତୁମର ଅଖଣ୍ଡ ମିଳନ । ସୋନିଆ, ଜନ୍ମଜନ୍ମାନ୍ତର ତୁମ ପାଇଁ ଅପେକ୍ଷା କରିବି !

 

ଶିଶୁକୁ କୋଳକୁ ଟାଣିନେଇ ଦୁଇହାତ ଯୋଡ଼ି ତାକୁ ମୋର ଶେଷ ନମସ୍କାର ଜଣାଇଲି-

 

ଜୀବନର ମଧ୍ୟାହ୍ନରେ—କେବେ କେଉଁ ନିଃଶବ୍ଦ ରାତ୍ରିର ଶୂନ୍ୟତା ଭିତରେ ମନ ଯେବେ ବ୍ୟାକୁଳ ହୋଇଉଠେ, ଦିଗ୍‌ବଳୟବ୍ୟାପୀ ଶୁଭ୍ର ସମୁଦ୍ର ଭିତରକୁ ଚାହିଁରହି ଆଖିରୁ ଯେବେ ଲୁହ ଝରେ—ସେ ଲୁହ କ୍ରିଷ୍ଟୀଲ୍‌ର, କାରେନ୍‌ର ।

 

ଯେଉଁ ମୁହୂର୍ତ୍ତରେ ମନେହୁଏ ଯେ ଏ ଜୀବନ ମରଣର ସତରଞ୍ଜି ଖେଳ ପରେ ବି କିଛି ହୁଏତ ରହିଯାଏ ଅମାବାସ୍ୟାର ଅନ୍ଧକାରରେ—ଶୂନ୍ୟତା ଭିତରୁ ପୁଣି ଫେରିଆସିପାରେ ଗୋଟାଏ ଝଞ୍ଜା, ଗୋଟାଏ ଦୀର୍ଘ ନିଃଶ୍ୱାସ, ଗୋଟାଏ ଉପସ୍ଥିତି ରୂପରେ, ନିଜକୁ ଲାଗେ ମୁଁ ସେଇ ଶ୍ରୀବାସ୍ତବ-

 

ଯାଯାବର ପରି କାନ୍ଧରେ ଖଣ୍ଡେ ବାଡ଼ି, ବାଡ଼ି ଆଗରେ ପଛରେ ଦୁଇଟା ଗଣ୍ଠିଲି—ଯାତ୍ରାର ସାମଗ୍ରୀ । ଆଗ ଗଣ୍ଠିଲିଟି ହେଉଛି ଆଶା......ହୋପ୍‌ । ପଛଟି ସ୍ୱପ୍ନ.......ଡ୍ରିମ । ଚାଲୁଥାଅ ନଈ ପାହାଡ଼ ଜଙ୍ଗଲ ଭିତରେ । ନୂଆ ମାଟି, ନୂଆ ମଣିଷ, ନୂଆ ଝଙ୍କାର, ନୂଆ ଗନ୍ଧ । ସେତେବେଳେ ତୁମର ମନ ଭିତରେ ସଂଜୀବିତ ହୋଇ ଉଠନ୍ତି ଡନ୍‌କାନ୍‌, ରିଚାର୍ଡ଼, ନାଥାନ୍‌ ।

 

ତୁମେ ଯେତେବେଳେ ଅଣ୍ଟାରେ ଗାମୁଛା ଭିଡ଼ି ସଂସାରର ଛାତି ଉପରେ ବାଡ଼ି ପୋତି କହିବାପାଇଁ ଚାହଁ—ଦେଖ ମୋର ବି ପଥରଘର ଅଛି, ସ୍ତ୍ରୀ ଅଛି, ସୁନା ଅଛି—ସେଇଥିପାଇଁ ଖଣ୍ଡା ତଲବାର ଧରି ସାଞ୍ଜୁ ପିନ୍ଧି ଲଢ଼େଇକରିବି, ଦରକାର ପଡ଼ିଲେ ମୋର ଆଖ ପାଖ ସମସ୍ତଙ୍କ ସାଙ୍ଗରେ ନିଜର ସମ୍ମାନ ପାଇଁ, ପ୍ରତିଷ୍ଠା ପାଇଁ, ସୁଖ ପାଇଁ—ମନେ ପକାଏ ମୋର ଭିତରର ପ୍ରାସାଦ୍‌ ଓ ମିସେସ୍‌ ମେନନ୍‌ମାନଙ୍କୁ ।

 

ସମାଜର ଦାରିଦ୍ର୍ୟ, ବ୍ୟକ୍ତିର ନିର୍ଜନତା କଥା ଭାବି ମନ ଯେବେ କିଛି ସମାଧାନ ଖୋଜେ—କିପରି ମଣିଷ ବଞ୍ଚିବ, ହାତ ଧରାଧରି ହୋଇ, ଓଠରେ ହସ, ଛାତିରେ ଉଚ୍ଛ୍ୱାସ ସୁସ୍ଥ ସବଳ ଭାବରେ—ମନେହୁଏ ପ୍ରଫେସର୍‌ ଡଗ୍‌ଲାସ୍‌ ପରି ନିଜକୁ—ମାଟିଆ ପେଣ୍ଟ ପକେଟ୍‌ରେ ହାତକୁ ପୂରାଇ ଠିଆହୋଇଛି ଆଉ ଭ୍ରୂଲତା ଭିତରୁ ଯେପରି ସନ୍ଦେଶ ପାଉଛି ଇତିହାସ ମାଧ୍ୟମରୁ ।

 

କେବେ ଯେବେ ଆକାଶର କଅଁଳିଆ ଚନ୍ଦ୍ର ମନକୁ ଘାରେ, ଇଚ୍ଛାହୁଏ ଦୁନିଆକୁ ହସ ଖୁସିରେ ଉଡ଼ାଇଦେବି—ଥାଉ ତମ ଗଣତନ୍ତ୍ର, ସାମ୍ୟବାଦ ଅବା ଭିଏତ୍‌ନାମ୍‌—ମୋର କଣ ଯାଏଆସେ—ମନର ଭିତର ଖେଳିଯାଏ ଲିଡ଼ିଆ ଗୋମେଜ୍‌ର ପେଟପୂରା ଆତ୍ମୀୟତାଭରା ହସ । ନିଜେ ବି ହସିପକାଏ ।

 

ଚଳନ୍ତି ଇତିହାସର ପୃଷ୍ଠା ଲେଉଟାଉ ଲେଉଟାଉ ମନେ ମନେ ଯେବେ ଅଭିଳାଷ ହୁଏ ମୁଁ ବି ସେଥିରେ ଲିପିବଦ୍ଧ ହୁଅନ୍ତି, ତାହେଲେ ମୋର ଜୀବନ ଚରିତାର୍ଥ ହୁଅନ୍ତା, ଆଉ ଉତ୍ତରପୁରୁଷ କହନ୍ତେ ଦେଖ ଏଇ ଥିଲା ସେ ଲୋକ—ମନେପଡ଼େ ସେ ବଡ଼ମଣିଷକୁ, ଏବଫର୍ଟାସ । ଛାତି ଭିତରେ ନିଃଶ୍ୱାସ ପୂରାଇ, ମୁଣ୍ଡ ଉଠାଇ, ଚେୟାର୍‌ ଉପରେ ସିଧା ବସିଯାଏ ଯେପରିକି ମୁଁ ହେଉଛି ସିଏ !

 

ଆକାଶର ବକ୍ଷ ଭେଦି ହିମାଳୟର ମହଶୃଙ୍ଗର ଶୀର୍ଷ ଉପରେ ଅଥବା ଅନ୍ଧକାରାଚ୍ଛନ୍ନ ଘନ ଜଙ୍ଗଲରେ ଗଭୀରତା ଭିତରେ ଯଦି କେବେ ଅଜଣାର ସନ୍ଧାନ ପାଇଁ ପ୍ରେରଣା ଆସେ; ଆଉ ଅଜସ୍ର ମନୁଷ୍ୟର ମହାସ୍ରୋତ ମଝିରେ ଅବା ଏକାକୀ ନିର୍ଜନ ଗୁହା ଭିତରେ ଯଦି ତୁମେ ସାଧନାକର—ତାର ରୂପ ଗଳାରେ ସର୍ପବିଳମ୍ବିତ; ପଦ୍ମାସନାସୀନ, ନିର୍ବିକାର ମହାଯୋଗୀ ଶିବିର ଅବା ଖଣ୍ଡାଖର୍ପରଧାରୀ ମହିଷାସୁରମର୍ଦ୍ଦିନୀ ବିପ୍ଳବୀର ମହାକାଳୀର, ଯେଉଁମାନଙ୍କ ନୟନ ଗଭୀର ଯନ୍ତ୍ରଣାର ଲୋତକରେ ଭରା, କାଳ ସୀମାର ବହିର୍ଦେଶରେ ଯେଉଁମାନଙ୍କ ସ୍ଥିତି; ତାହେଲେ ମନକୁ ଆସେ ସେଇ କ୍ଷୁଦ୍ର ସୂକ୍ଷ୍ମ ସ୍ୱପ୍ନର ପ୍ରତିମାଟି—ସୋନିଆ ।

 

ସଦ୍ୟୋଜାତ ଗୋ-ଶିଶୁର କୋମଳ ପାଦପରି ପୁଣି ବିଶ୍ୱବିଶ୍ରୁତ ଗୋବର୍ଦ୍ଧନ ଗିରି ପର୍ଯ୍ୟନ୍ତ ମୋର ବ୍ୟାପ୍ତି । ମୋର ପ୍ରକାଶ; କ୍ଷୁଦ୍ରତମ ନ୍ୟୂନତାରୁ ମହାପୌରୁଷ ପର୍ଯ୍ୟନ୍ତ । ମୁଁ ଔଦ୍ଧତ୍ୟ–ମୁଁ ଶୂନ୍ୟତା—ମୁଁ ଯାଯାବର—ମୁଁ ବିପ୍ଲବୀ—ମୁଁ ଯୋଗୀ—ଶ୍ରୀକୃଷ୍ଣଙ୍କ ଉନ୍ମୁକ୍ତ ମୁଖଗହ୍ୱରର ସମସ୍ତ ବିଶ୍ୱ !
 

ମୁଁ ପୂର୍ଣ୍ଣତା ।

 

ମୁଁ ଭଗ୍ନାଂଶ ।

Image